ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର ସମସ୍ତ ସରକାରୀ ହେଡ଼କ୍ୱାଟର୍ସ କାର୍ଯ୍ୟାଳୟରେ ବିଭିନ୍ନ ଅଧିକାରୀମାନେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶଭକ୍ତିର ବାର୍ତ୍ତା ଦେଇଛନ୍ତି।
ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବିଡ଼ିଓ ପ୍ରୀତିରଞ୍ଜନ ରଥ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସେ ନିଜ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଲୋକଙ୍କ କାର୍ଯ୍ୟକୁ ତ୍ୱରାନ୍ୱିତ କରି ପ୍ରକୃତ ଦେଶସେବା କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ସହକାରୀ ଯନ୍ତ୍ରୀ ତୁଷାର ସେଠି, କନିଷ୍ଠ ଯନ୍ତ୍ରୀ ଧିରେନ ସେଠି, କମଲ ପାତ୍ର, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡା, ବିପିସି ଜଗନ୍ନାଥ ରଥ ଏବଂ ବିପିଏମ ପିଣ୍ଟୁ ନାୟକଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ସେହିପରି ତହସିଲ କାର୍ଯ୍ୟାଳୟରେ ତହସିଲଦାର ଧୀରଜ ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେଠାରେ ଅତିରିକ୍ତ ତହସିଲଦାର ଦୁଃଶାସନ ସ୍ୱାଇଁଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ, ଥାନା ପରିସରରେ ଆଇଆଇସି ସଂଗ୍ରାମ କେଶରୀ ଜେନା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସେ ନିଜ କର୍ତ୍ତବ୍ୟ ଓ ନୀତିଶାସ୍ତ୍ରକୁ ଗୁରୁତ୍ୱ ଦେଇ ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ କରିବା ଏବଂ ପୋଲିସର ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରି ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାକୁ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଥାନାର ସବଇନ୍ସପେକ୍ଟର ବାସନ୍ତି ବେହେରା, ଏଏସଆଇ ଅର୍ଜୁନ ବେହେରାଙ୍କ ସମେତ ଅନ୍ୟ କର୍ମଚାରୀ ଓ ଗୃହରକ୍ଷୀମାନେ ଏଥିରେ ସାମିଲ ଥିଲେ।

