
ବେଙ୍ଗାଲୁରୁ, ୨୨ା୪:କର୍ନାଟକର ଏକ ଘରୋଇ କଲେଜ ଅଧ୍ୟାପିକାଙ୍କ ପାଖକୁ ଯୌନ ଅନୁଗ୍ରହ ପାଇଁ ୮୦୦ ଫୋନ୍ କଲ୍ ଆସିଛି। ସମ୍ପୃକ୍ତା ଅଧ୍ୟାପିକାଙ୍କ ସହକର୍ମୀମାନେ ବିଭିନ୍ନ ସହରରେ ଥିବା ବସ୍ଷ୍ଟାଣ୍ଡ ଓ ଟଏଲେଟ୍ କାନ୍ଥରେ ତାଙ୍କ ମୋବାଇଲ୍ ନମ୍ବର ଏବଂ ଇ-ମେଲ୍ ଆଇଡି ଲେଖିବା ପରେ କାମୁକ ବ୍ୟକ୍ତିମାନେ ତାଙ୍କୁ କଲ୍ କରିଥିବା ପୋଲିସ ଜାଣିବାକୁ ପାଇଛି। ଏହି ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁସାରେ, କର୍ନାଟକର ବନ୍ତଓ୍ବାଲସ୍ଥିତ ଏକ ଘରୋଇ କଲେଜରେ ୫୮ ବର୍ଷୀୟା ମହିଳା ଜଣକ ପାଠ ପଢ଼ାନ୍ତି। ଶିକ୍ଷାଦାନରେ ତାଙ୍କର ୩୧ ବର୍ଷର ଅଭିଜ୍ଞତା ରହିଛି। ସେ ଅନେକ ପୁସ୍ତକ ରଚନା ସହ ଏକାଧିକ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି। ଉକ୍ତ କଲେଜର କେତେଜଣ କର୍ମଚାରୀ ନିଯୁକ୍ତି ଓ ପ୍ରଶାସନିକ କାର୍ଯ୍ୟରେ ହସ୍ତକ୍ଷେପ କରି ତାଙ୍କୁ ହଇରାଣ କରୁଥିଲେ। ସେମାନଙ୍କ ବଦମାସି ଏତିକିରେ ସୀମିତ ନ ଥିଲା। ଅର୍ଥନୀତି ଅଧ୍ୟାପକ ପ୍ରଦୀପ ପୂଜାରୀ(୩୬), କଲେଜ କରେସ୍ପଣ୍ଡେଣ୍ଟ ପ୍ରକାଶ ଶିନୋୟ(୪୪) ଏବଂ ତାରାନାଥ ବିଏସ୍ ସେଟ୍ଟୀ(୩୨) ଅଧ୍ୟାପିକାଙ୍କ ଛବି ନଷ୍ଟ କରିବାକୁ ଯାଇ ମହୀଶୂର, ମାଦିକେରି, ଚିକ୍କାମାଗାଲୁରୁ, ମୁଦିଗିରି, ଏନ୍ଆର୍ ପୁର, ଶିବମୋଗାର ବସ୍ଷ୍ଟାଣ୍ଡ ତଥା ଶୌଚାଳୟ କାନ୍ଥଗୁଡ଼ିକରେ ତାଙ୍କ କଣ୍ଟାକ୍ଟ ନମ୍ବର ସହ ମେଲ୍ ଆଇଡି ଲେଖିଥିଲେ। ଫୋନ୍ ନମ୍ବର ପାଇବା ପରେ ପ୍ରାୟ ୮୦୦ ଅଜଣା ଲୋକ ତାଙ୍କୁ ଫୋନ୍ କରି ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ। ଏପରି କି ଅଭିଯୁକ୍ତମାନେ ଗତ ନଭେମ୍ବର, ଡିସେମ୍ବରରେ ମହିଳାଙ୍କ ନିକଟକୁ ହ୍ବାଟ୍ସଆପ୍ରେ ଅଶ୍ଳୀଳ ଭାଷା, ଚିତ୍ର ଆଦି ପଠାଇଥିଲେ। ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।