ଲକ୍ଷ୍ନୌ,୧୬।୧୧: ସାଧାରଣତଃ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶ୍ରାଦ୍ଧ ଭୋଜିର ଆୟୋଜନ କରାଯାଏ । କିନ୍ତୁ ଉତ୍ତରପ୍ରଦେଶର ବାଗପତ ଜିଲା ଜୋହଡ଼ି ଗାଁରେ ଏକ ନିଆରା ଘଟଣା ସାମ୍ନାକୁ ଆସିଛି । ୮୦ ବର୍ଷୀୟ ଚୌଧୁରୀ ବଲଜୋର ସିଂ ନିଜ ମୃତ୍ୟୁକୁ ଅପେକ୍ଷା ନକରି ଜୀବିତ ଥାଇ ନିଜର ଶ୍ରାଦ୍ଧ ଭୋଜି ଆୟୋଜନ କରିଛନ୍ତି । ରବିବାର ଗାଁରେ ହୋଇଥିବା ଏହି ନିଆରା କାର୍ଯ୍ୟକ୍ରମରେ ପ୍ରାୟ ୯୦୦ ଲୋକ ଯୋଗଦେଇ ଭୋଜି ଖାଇଥିଲେ। ଏଥିରେ ଚୌଧୁରୀ ସମାଜର ଲୋକଙ୍କ ସହ ରାଜ୍ୟମନ୍ତ୍ରୀ କେ.ପି. ମଲିକ ମଧ୍ୟ ସାମିଲ ହୋଇଥିଲେ।
ସବୁଠାରୁ ରୋଚକ କଥା ହେଉଛି, ବଲଜୋର ସିଂ ନିଜେ ପୂରା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଅତିଥିଙ୍କୁ ସ୍ୱାଗତ କରିଥିଲେ। ଏପରିକି ନିଜ ପଗଡ଼ି ନାତି ମୁକୁଲଙ୍କୁ ଦେଇ ପରିବାରର ଦାୟିତ୍ୱ ଆଗାମୀ ପିଢ଼ିକୁ ହସ୍ତାନ୍ତର କରିଥିଲେ। ଜୋହଡ଼ି ଗାଁରେ ରବିବାର ହୋଇଥିବା ଏହି ଆୟୋଜନ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘର ଅଗଣାରେ ବଡ଼ ବଡ଼ କଡ଼େଇରେ ଖାଦ୍ୟ ପ୍ରସ୍ତୁତ ହୋଇଥିଲା। ପୁରୀ, ରାଇତା, ଦୁଇ ପ୍ରକାର ତରକାରୀ ଓ ଲଡ଼ୁ ସମେତ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଅତିଥିଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା। ସକାଳେ ହୋମଯଜ୍ଞ ହୋଇଥିବା ବେଳେ ଅପରାହ୍ନରେ ପ୍ରାୟ ୯୦୦ ଲୋକ ଭୋଜି ଖାଇଥିଲେ।
ବଲଜୋର ସିଂଙ୍କ କହିବା ଅନୁସାରେ, ସେ ଜୀବନସାରା ସମାଜର ଲୋକଙ୍କ ସହ ମିଳାମିଶା କରିଆସିଛନ୍ତି । ଅନ୍ୟମାନଙ୍କ ନିମନ୍ତ୍ରଣରେ ଭୋଜିରେ ଯୋଗ ଦେଇଛନ୍ତି । ତେଣୁ ନିଜ ଜୀବନକାଳ ମଧ୍ୟରେ ସମସ୍ତ ପରିଚିତ ଓ ସମାଜର ଲୋକଙ୍କୁ ଗୋଟିଏ ସ୍ଥାନରେ ଏକାଠି କରି ଭୋଜି ଦେବାକୁ ତାଙ୍କର ଇଚ୍ଛା ଥିଲା। ଏହି ଇଚ୍ଛାକୁ ପୂରଣ କରିବା ପାଇଁ ସେ ଜୀବିତ ଥାଇ ନିଜ ଶ୍ରାଦ୍ଧ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲେ। ପରିବାର ଲୋକେ ମଧ୍ୟ ତାଙ୍କ ଇଚ୍ଛାକୁ ସମ୍ମାନ ଦେଇଥିଲେ।
ଏହି ଆୟୋଜନର ସବୁଠାରୁ ଖାସ୍ ରୀତି ଥିଲା ପଗଡ଼ି ହସ୍ତାନ୍ତର। ସାଧାରଣତଃ ପରିବାରର ମୁଖ୍ୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀଙ୍କୁ ପଗଡ଼ି ପିନ୍ଧାଇ ପରିବାରର ଦାୟିତ୍ୱ ଦିଆଯାଇଥାଏ। କିନ୍ତୁ ବଲଜୋର ସିଂ ନିଜ ଉପସ୍ଥିତିରେ ଏହି ପରମ୍ପରା ପାଳନ କରିଥିଲେ। ସେ ନିଜ ପଗଡ଼ି ନାତି ମୁକୁଲଙ୍କ ମୁଣ୍ଡରେ ବାନ୍ଧି ପରିବାରର ଦାୟିତ୍ୱ ତାଙ୍କୁ ହସ୍ତାନ୍ତର କରିଥିଲେ। ବଲଜୋର ସିଂହଙ୍କ ପରିବାରରେ ଝିଅ ପିଙ୍କି, ଜ୍ୱାଇଁ ସୁଖପାଲ, ତିନି ନାତୁଣୀ ଓ ଜଣେ ନାତି ମୁକୁଲ ଅଛନ୍ତି।

