Categories: ବାଣିଜ୍ୟ

୨୦୨୪ ଶେଷ ସୁଦ୍ଧା ଦେଶରେ ୫ଜି ସେବା

ନୂଆଦିଲ୍ଲୀ,୧।୩: ଗତ ବର୍ଷ ଅକ୍ଟୋବର ପହିଲାରେ ଆନୁଷ୍ଠାନିକ ଭାବେ ୫ଜି ସେବାର ଶୁଭାରମ୍ଭ କରାଯାଇଥିଲା। ଏପରିକି ଗତ ୬ମାସ ମଧ୍ୟରେ ଦେଶର ୩୮୭ ଜିଲାରେ ୫ଜି ଟାଓ୍ବାର ସ୍ଥାପିତ କରାଯାଇସାରିଛି ବୋଲି ମଙ୍ଗଳବାର ଏକ ସମ୍ମିଳନୀରେ ଯୋଗଦେଇ ଟେଲିକମ୍‌ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ସେହିଭଳି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶରେ ୫ଜି ସେବାର ବ୍ୟାପକ ପ୍ରସାରଣ ହୋଇପାରିଛି। କାରଣ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ପ୍ରଥମ ପର୍ଯ୍ୟାୟରେ ଦେଶର ସମସ୍ତ ପ୍ରମୁଖ ସହରରେ ୫ଜି ଉପଲବ୍ଧ କରାଇବେ ବୋଲି କୁହାଯାଇଥିଲା। ହେଲେ ଲକ୍ଷ୍ୟଧାର୍ଯ୍ୟ ପୂର୍ବରୁ ଦେଶର ସମସ୍ତ ପ୍ରମୁଖ ସହରରେ ପ୍ରାୟତଃ ସେବା ଉପଲବ୍ଧତା କାର୍ଯ୍ୟ ଶେଷ ହୋଇଯାଇଛି। ସେହିପରି ୨୦୨୪ ଶେଷ ସୁଦ୍ଧା ସମଗ୍ର ଦେଶରେ ୫ଜି ସେବା ଉପଲବ୍ଧ ହେବ ବୋଲି ଅଶ୍ବିନୀ ବୈଷ୍ଣବ ମତପ୍ରକାଶ କରିଛନ୍ତି।
ଅପରପକ୍ଷରେ ମନ୍ତ୍ରୀ କହିଛନ୍ତି, ଉପରୋକ୍ତ ଜିଲାଗୁଡ଼ିକରେ ୧ଲକ୍ଷ ୫ଜି ବେସ୍‌ ଟ୍ରାନ୍ସସିଭର ସେଣ୍ଟର (ବିଟିଏସ୍‌) ଲଗାଯାଇଛି, ଯାହାକି ସରକାରଙ୍କ ୨୦୦ ଜିଲାରେ ୫ଜି ଲକ୍ଷ୍ୟ ତୁଳନାରେ ବହୁତ ଅଧିକ ବୋଲି କୁହାଯାଉଛି। ଏପରିକି କେନ୍ଦ୍ର ସରକାର ଓ ମନ୍ତ୍ରଣାଳୟ ପକ୍ଷରୁ ଟେଲିକମ୍‌ କମ୍ପାନୀଗୁଡ଼ିକୁୁ ପ୍ରତି ସପ୍ତାହରେ ସର୍ବନିମ୍ନ ୧୦,୦୦୦ ବିଟିଏସ୍‌ ଲଗାଇବାକୁ କୁହାଯାଇଥିଲା। ସେହିଭଳି ବୈଷ୍ଣବ କହିଛନ୍ତି, ହାରାହାରି ୧୮ଟି ଦେଶ ଭାରତର ସ୍ବଦେଶୀ ୪ଜି ଏବଂ ୫ଜିକୁ ନିଜ ଦେଶରେ ଲାଗୁ କରିବା ଉପରେ ଆଗ୍ରହ ରଖିଛନ୍ତି। ସେହିପରି ୧୩ ବିଦେଶୀ କମ୍ପାନୀ ମଧ୍ୟ ଭାରତୀୟ ୫ଜି ସେବାରେ ରୁଚି ରଖିଛନ୍ତି। ବିଶେଷକରି ଜି୨୦ରେ ହୋଇଥିବା ଡିଜିଟାଲ ଅର୍ଥନୀତି ଚର୍ଚ୍ଚା ଅନୁଯାୟୀ ସରକାର ଭାରତୀୟ ଜ୍ଞାନକୌଶଳରେ ନିର୍ମିିତ ୪ଜି ଏବଂ ୫ଜି ଉପକରଣକୁ ଅନ୍ୟ ଦେଶ ଆଗରେ ଉପସ୍ଥାପନ କରିଛନ୍ତି। ଏହା ଉପରେ ବିଦେଶୀ ପୁଞ୍ଜି ନିବେଶ ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ଏହା ସହ ଏହି ଷ୍ଟାକ୍‌ ୧୦ମିଲିୟନ କଲ୍‌ ଏକାସାଙ୍ଗରେ ସମ୍ଭାଳିବାର ଟେଷ୍ଟିଂ ମଧ୍ୟ ସଫଳ ହୋଇଛି। ସେହିପରି ଆମେରିକା, ସୁଇଡେନ୍‌, ଫିନ୍‌ଲାଣ୍ଡ, ସାଉଥ୍‌ କୋରିଆ ଏବଂ ଚାଇନା ଭଳି ରାଷ୍ଟ୍ରରେ ସମାନ ଧରଣର ୪ଜି ଏବଂ ୫ଜି ଷ୍ଟାକ୍‌ ରହିଛି। ଉପରୋକ୍ତ ଦେଶର କମ୍ପାନୀଗୁଡ଼ିକ ମଧ୍ୟ ୪ଜି ଏବଂ ୫ଜି ଉପକରଣର ମାନ ଏବଂ ମୂଲ୍ୟ ଏବଂ ବଜାର ସ୍ଥିତି ଉପରେ ଧ୍ୟାନ ଦେଉଛନ୍ତି। ଅପରପକ୍ଷରେ ଭାରତରୁ ମୋବାଇଲ ରପ୍ତାନି ଚଳିତ ବର୍ଷ ୧୦ ବିଲିୟନ ଡଲାର ଟପିବା ନେଇ ଆକଳନ କରାଯାଉଛି। ଏପରିକି ଆଗାମୀ ବର୍ଷ ଗୁଡ଼ିକରେ ଦେଶର ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍‌ ନିର୍ମାଣ ସେକ୍ଟରରେ ଅଦ୍ଭୁତପୂର୍ବ ଉନ୍ନତି ହେବ ବୋଲି ମନ୍ତ୍ରୀ ବିସ୍ତୃତ ଆଲୋକପାତ କରିଥିଲେ। ଏପରିକି ବିଏସ୍‌ଏନ୍‌ଏଲ୍‌ର ନିଜସ୍ବ ୪ଜି-୫ଜି ନେଟ୍‌ଓ୍ବର୍କ ଲାଗୁ ହେବାରେ ମଧ୍ୟ ବିଳମ୍ବ ହେବନାହିଁ।

Share