ଆଳି,୧୬ା୧୨(ଡି.ଏନ୍.ଏ.): ଫସଲ ଅମଳ କରି ଘରକୁ ନେବା ପୂର୍ବରୁ ଦୁର୍ବୃତ୍ତ ଜାଳି ଦେଇଛନ୍ତି ଚାଷୀର ବର୍ଷକର ଆହାର। ଧାନ ବିଲରେ ନିଆଁ ଲଗାଇ ଦେବାରୁ ୫ ଏକରରୁ ଊର୍ଦ୍ଧ୍ୱ ଚାଷ ଜିମର ଫସଲ ଜଳିଯାଇଛି। ଏହି ଘଟଣା ପରେ ଚାଷୀମାନେ ଦୁର୍ବୃତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ବାଳକାଟି ପଞ୍ଚାୟତର ସାନଆଙ୍କୋ ଗାଁରେ। ଗାଁରର ହରେକୃଷ୍ଣ ପାଢ଼ୀ, ଉଦକର ପାଢ଼ୀ, ଗୟାଧର ପାଢ଼ୀ ଥାନାରେ ମହୁ ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ଜମିରେ ନିଆଁ ଲଗାଇ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଚାଷୀମାନେ ମହୁ ନିକଟରେ ଥିବା ୫ ଏକର ଜମିରେ ଧାନ ଫସଲ କରିଥିଲେ। ରାତି ପାହିଥିଲେ ସେମାନେ ଧାନ କାଟିବା ନିମନ୍ତେ ବ୍ୟବସ୍ଥା କରୁଥିବା ବେଳେ ଗୁରୁବାର ଅପରାହ୍ନ ୨ଟାରେ ନିଆଁ ଲାଗିବା ପରେ ଗ୍ରାମବାସୀଙ୍କ ସହାୟତାରେ ଏହାକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଖବରପାଇ ଆଳି ଦମକଳ ବାହିନୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲା। ମାତ୍ର ସେତେବେଳକୁ ସବୁକିଛି ଛାରଖାର ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଧାନ ଜଳି ଯାଇଛି। ଚାଷୀମାନେ କେଉଁଠୁ ବର୍ଷକର ଦାନା ଯୋଗାଡ଼ କରିବେ, କେମିତି ଚାଷ ପାଇଁ ଆଣିଥିବା ଋଣ ଶୁଝିବେ ସେ ନେଇ ଭାଙ୍ଗି ପଡ଼ିଛନ୍ତି। ପ୍ରଶାସନ କ୍ଷତି ପୂରଣ ଦେବା ଲାଗି ଚାଷୀମାନେ ଗୁହାରି କରିଛନ୍ତି।