ଦିଗପହଣ୍ଡି,୧୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘର ୩୮ତମ ବାର୍ଷିକୋତ୍ସବ ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ରାଜବାଟି ପରିସରରେ ଥିବା ରାମଚନ୍ଦ୍ର ଦେବ କଲ୍ୟାଣ ମଣ୍ଡପରେ ସଂଘର ବରିଷ୍ଠ ସଦସ୍ୟ ପଦ୍ମଚରଣ ମେକାପଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସଙ୍ଘ ର ସଭାପତି ଡ଼. ଯୁଧିଷ୍ଠିର ସ୍ୱାଇଁ ଅଧକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, ସମ୍ମାନିତ ଅତିଥି ଭାବେ ଦିଗପହଣ୍ଡି ସବ ଟ୍ରେଜେରି ଅଧିକାରୀ ଜଗନ୍ନାଥ ଦାସ, ଅବସରପ୍ରାପ୍ତ କର୍ମଚାରୀ ସଂଘ ର ରାଜ୍ୟ ସଭାପତି ଡି. ମୋହନ ରାଓ ,ସମ୍ପାଦକ ଶ୍ୟାମସୁନ୍ଦର ଖାଡ଼ଙ୍ଗା, ଗଞ୍ଜାମ ଜିଲା ସମ୍ପାଦକ ସିମାଞ୍ଚଳ ପ୍ରସାଦ ବିଷୋୟୀ, କାର୍ଯ୍ୟକର୍ତ୍ତା ପି. ପ୍ରଦୀପ କୁମାର ସାହୁ,ଆଇନଜୀବୀ କୁରେଶୁ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରଦୀପ ପ୍ରଜ୍ବଳନ ପରେ କଣ୍ଠଶିଳ୍ପୀ ଅରୁଣ କୁମାର ସାହୁ ଓ ଗଣେଶ ପାଠୀ ସ୍ୱାଗତ ସଂଗୀତ ଗାନ କରିଥିଲେ। ସଂଘ ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ସମ୍ପାଦକ କେ. ନାଗେଶ୍ୱର ରାଓ ବାର୍ଷିକ ବିବରଣୀ ପାଠ କରିଥିଲେ। ସଙ୍ଘର ବିଭିନ୍ନ ସମସ୍ୟା ଓ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ କେନ୍ଦ୍ର ସରକାର କିଭଳି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ସେ ସମ୍ପର୍କରେ ଅତିଥିବୃନ୍ଦ ଉଦବୋଧନ ଦେବା ସହ ଭାଲିଡେସନ ଆକ୍ଟ ବିରୋଧରେ ସଙ୍ଘର ସମସ୍ତ ସଦସ୍ୟ ଏକଜୁଟ ହୋଇ ନିଜର ନ୍ୟାର୍ଯ୍ୟ ଅଧିକାର ହାସଲ ପାଇଁ ଆନ୍ଦୋଳନ କୁ ଓହ୍ଲାଇବା ପାଇଁ ସଂଘର ରାଜ୍ୟ ଓ ଜିଲା କର୍ମକର୍ତ୍ତା ବୃନ୍ଦ ଆହ୍ୱାନ ଦେଇଥିଲେ। ଏହି ବାର୍ଷିକୋତ୍ସବରେ ଜିଲାର ୨୨ ବ୍ଲକ ର କର୍ମକର୍ତ୍ତା ବୃନ୍ଦ ଯୋଗଦେଇ ଥିଲେ। ସେମାନଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା। ସେହିପରି ଦିଗପହଣ୍ଡି ସଙ୍ଘର ୫ ଜଣ ସଦସ୍ୟଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଗତ ୧୯୮୭-୮୮ ମସିହାରେ ପ୍ରତିଷ୍ଠା ହୋଇଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘକୁ ବଳିଷ୍ଠ ଓ କ୍ରିୟାଶୀଳ କରିବା ଦିଗରେ ସଂଘର ପୂର୍ବତନ ସଭାପତି ହରିକୃଷ୍ଣ ପଣ୍ଡାଙ୍କ ଅବଦାନ ଅତୁଳନୀୟ ବୋଲି ସଂଘର ବିଭିନ୍ନ କାର୍ଯ୍ୟକର୍ତ୍ତା ମତପ୍ରକାଶ କରିବା ପରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ସଭାପତିଙ୍କ ଉଦବୋଧନ ପରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁଷମା ପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

