କଟକ ଅଫିସ: ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୧ର ତିନି ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ମଙ୍ଗଳବାର ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ସୂଚନା ଦେଇଛି। ଏହି ୩ଜଣଙ୍କ ମଧ୍ୟରୁ ଦୁଇଜଣ ଅଧିକାରୀ ଏବଂ ଜଣେ ଡ୍ରାଇଭର୍ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ପ୍ରବାସୀମାନେ ଫେରିବା ପରେ ସେମାନଙ୍କୁ ନେବା ଆଣିବା କରିବାରେ ଏମାନେ ନିୟୋଜିତ ଥିଲେ। ହଜାର ହଜାର ପ୍ରବାସୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାରେ ସେମାନେ ମୁଖ୍ୟ ଭୂମିକା ନେଇଥିଲେ। ପ୍ରାଧିକରଣ ଆକ୍ରାନ୍ତଙ୍କ ଆରୋଗ୍ୟ କାମନା କରିବା ସହ ସେମାନଙ୍କ ନିଃସ୍ବାର୍ଥପର ସେବା ଅନ୍ୟମାନଙ୍କୁ ପ୍ରେରଣା ଦେବ ବୋଲି ଏସ୍ଟିଏ ପକ୍ଷରୁ କୁହାଯାଇଛି।