
ଚଣ୍ଡିଗଡ଼, ୮।୫ : ଭାରତ-ପାକିସ୍ତାନର ସୀମାରେ ଅବସ୍ଥିତ ପଞ୍ଜାବର ତରନ ତାରନ ଜିଲାରୁ ସାଢ଼େ ୩ କିଲୋଗ୍ରାମ ଆରଡିଏକ୍ସ ଜବତ କରାଯାଇଛି। ଏକ ଭଙ୍ଗା ବିଲ୍ଡିଂରୁ ଏହା ମିଳିଛି। ଏସମ୍ପର୍କରେ ତରନ ତାରନ ପୋଲିସ ମୁଖ୍ୟ ଏସଏସପି ରଣଜିତ ସିଂ ସୂଚନା ପ୍ରଦାନ କରିଛନ୍ତି।
କୁହାଯାଉଛି ଯେ ଏହି ଆର୍ଡିଏକ୍ସ୍ ଦ୍ୱାରା ପଞ୍ଜାବରେ ବଡ଼ ଧରଣର ବିସ୍ଫୋରଣ କରିବା ଲାଗି ଏକ ଷଡଯନ୍ତ୍ର ହୋଇଥିଲା। ଆର୍ଡିଏକ୍ସ୍ ଲୁଚାଇବାରେ ଚାରିଜଣ ଆତଙ୍କବାଦୀଙ୍କ ସମ୍ପୃକ୍ତି ରହିଥିବା କୁହାଯାଉଛି। ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ପାକିସ୍ତାନ ଏବେ ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ଜିଲା ତରନ ତାରନକୁ ବ୍ୟବହାର କରୁଥିବା ପୋଲିସ କହିଛି। ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଇଏସଆଇ ସ୍ଥାନୀୟ ଯୁବକଙ୍କୁ ଆତଙ୍କବାଦୀ କାର୍ଯ୍ୟରେ ନିୟୋଜିତ କରିବା ଲାଗି ଷଡ଼ଯନ୍ତ୍ର ରଚିଥିବା ପୋଲିସ ପକ୍ଷରୁ କୁହାଯାଇଛି।
କୁହାଯାଉଛି ଯେ ଏହି ଆରଡିଏକ୍ସକୁ ମଧ୍ୟ ଡ୍ରୋନ ମାଧ୍ୟମରେ ଭାରତ ଅଣାଯାଇଛି। ଗୁପ୍ତଚର ଏଜେନ୍ସି ଏବଂ ପୋଲିସର ସ୍ବତନ୍ତ୍ର ଟିମ୍ ଏସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।
ଗିରଫ ହୋଇଥିବା ଆତଙ୍କବାଦୀଙ୍କୁ ପୋଲିସ ପଚରାଉଚରା ପାଇଁ ରିମାଣ୍ଡରେ ନେଇପାରେ। ପୋଲିସ
ଗିରଫ ହୋଇଥିବା ଚାରିଜଣ ଆତଙ୍କବାଦୀ ଏହି ଘଟଣାରେ ସମ୍ପୃକ୍ତି ଥିବା ଅନୁମାନ କରୁଛି। ତରନ ତାରନ ପୋଲିସ ସେମାନଙ୍କୁ ଯେକୌଣସି ସମୟରେ ପଚରା ଉଚରା ଲାଗି ଆଣିପାରେ। ଗିରଫ ହୋଇଥିବା ଆତଙ୍କବାଦୀ ହରିୟାଣାର କର୍ନଲ ଜିଲାର ସ୍ପେଶାଲ ପୋଲିସ ହେପାଜତରେ ଅଛନ୍ତି। ସେମାନଙ୍କୁ ୧୦ ଦିନିଆ ନ୍ୟାୟିକ ହେପାଜତ ରଖାଯାଇଛି।