ପାରଳାଖେମୁଣ୍ଡି, ୧୦।୯ (ଗିରିଧାରୀ ପରିଛା): ଗଜପତି ଜିଲାର ନୂତନ ଉପଜିଲାପାଳ (ସବ୍-କଲେକ୍ଟର) ଭାବେ ୨୦୨୪ ବ୍ୟାଚ୍ର ଆଇଏଏସ୍ (IAS) ଅଧିକାରୀ ଭାଗବତ ସାମଲ କଲ୍ୟାଣ ରାଓ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଶାସନିକ ଅଧିକାରୀ ଭାବେ ନିୟମିତ ସେବାରେ ଏହା ତାଙ୍କର ପ୍ରଥମ ପୋଷ୍ଟିଂ। ଏହା ପୂର୍ବରୁ ସେ ଢେଙ୍କାନାଳ ଜିଲାରେ ନିଜର ପ୍ରଶିକ୍ଷଣ (ଟ୍ରେନିଂ) କାର୍ଯ୍ୟ ସମ୍ପାଦନ କରୁଥିଲେ।
ଦାୟିତ୍ୱ ଗ୍ରହଣ କରିବା ପରେ ନୂତନ ଉପଜିଲାପାଳ ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ଗଜପତି ଜିଲାରେ ପ୍ରଶାସନିକ ସେବା ଯୋଗାଇଦେବା ମୋର ପ୍ରଥମ ଅନୁଭୂତି। ଜିଲାରେ ରହିଥିବା ବିଭିନ୍ନ ମୌଳିକ ସମସ୍ୟା ଗୁଡ଼ିକ ସମ୍ପର୍କରେ ସବିଶେଷ ଅବଗତ ହୋଇ ସମାଧାନ ଦିଗରେ ନିଜ ପକ୍ଷରୁ ସମ୍ଭାବ୍ୟ ସମସ୍ତ ଉଦ୍ୟମ ଜାରି ରଖିବି।” ଜନସାଧାରଣଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ସ୍ୱଚ୍ଛ ପ୍ରଶାସନିକ କାର୍ଯ୍ୟ ପ୍ରଦାନ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି।
ଅନ୍ୟପଟେ, ପୂର୍ବରୁ କାର୍ଯ୍ୟରତ ଥିବା ଉପଜିଲାପାଳ ଅନୁପ ପଣ୍ଡାଙ୍କ ବଦଳିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ କେଉଁ ନୂତନ ପଦବୀକୁ ବଦଳି କରାଯାଇଛି ସେ ନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଜଣେ ଦକ୍ଷ ଓ ଜନପ୍ରିୟ ପ୍ରଶାସକଙ୍କ ଏହି ହଠାତ୍ ବଦଳିକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।

