Posted inଜାତୀୟ

୧୫୦ ବର୍ଷର ସୀମା ସଂଘର୍ଷ

ନୂଆଦିଲ୍ଲୀ,୩୧ା୭ : ଉତ୍ତର-ପୂର୍ବର ଆସାମ ଓ ମିଜୋରାମ ମଧ୍ୟରେ ଦେଢ଼ ଶତାବ୍ଦୀ ପୁରୁଣା ସୀମା ବିବାଦ ଜୁଲାଇ ୨୬ରେ ହଠାତ୍‌ ଉଗ୍ରରୂପ ଧାରଣ କରିଥିଲା। ଦୁଇ ପଡ଼ୋଶୀ ରାଜ୍ୟ ମୁହଁାମୁହିଁ ହେବାରୁ ୬ ଆସାମ ପୋଲିସଙ୍କ ଜୀବନ ଯାଇଥିଲା। ମିଜୋରାମ ପୋଲିସର ଗୁଳିମାଡ଼ରେ ଅନ୍ୟ ୬୦ ଜଣ ଆହତ ହୋଇଥିଲେ। କାହା ପୋଲିସ ପ୍ରଥମେ ଗୁଳି ଚଳାଇଥିଲେ ତାକୁ ନେଇ ଦୋଷ ଲଦାଲଦି ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ବି ଉଦ୍ୟମ ଆରମ୍ଭ ହୋଇଛି। କିନ୍ତୁ ୧୬୫.୫ କି.ମି. ବିସ୍ତୃତ ସୀମା ସଂଲଗ୍ନ ଉଭୟ ପକ୍ଷର ଅଧିବାସୀ ଏହି ସଂଘର୍ଷରେ ଏତେ ଶୀଘ୍ର ବିରାମ ଲାଗିବ ବୋଲି ଆଶା କରୁନାହାନ୍ତି। ୪ ଦିନ ତଳର ନିଆଁକୁ ସାମୟିକ ଭାବେ ପ୍ରଶମିତ କରାଯାଇଛି। ହେଲେ ଆସାମରେ ପ୍ରତିଶୋଧ ନିଆଁ ଏବେ ବି ଜଳୁଛି। ସମ୍ଭାବ୍ୟ ସଂଘର୍ଷର କୁହୁଳୁଥିବା ଧୂଆଁ ନର୍ଥ-ଇଷ୍ଟ ବର୍ଡରରେ ସମସ୍ତଙ୍କୁ ଆତଙ୍କିତ କରିଛି।

ଅଶାନ୍ତ ଆସାମ, ଅବୁଝା ମିଜୋରାମ

ଆସାମ ଓ ମିଜୋରାମ ମଧ୍ୟରେ ଲାଗିରହିଥିବା ସୀମା ବିବାଦ ଆଜିର ନୁହେଁ, ବରଂ ଦେଢ଼ଶହ ବର୍ଷ ପୁରୁଣା। ଏହା ବ୍ରିଟିଶ ଅମଳର ଦୁଇଟି ବିଜ୍ଞପ୍ତିର ପରିଣାମ। ପ୍ରଥମଟି ୧୮୭୫ ଓ ଦ୍ୱିତୀୟଟି ୧୯୩୩ ମସିହାରେ ଜାରି ହୋଇଥିଲା। ସେତେବେଳେ ମିଜୋରାମ ଥିଲା ଆସାମର ‘ଲୁଶାଇ ହିଲ୍ସ’ ନାମକ ଏକ ଜିଲା। ୧୮୭୫ର ସୀମା ନିର୍ଦ୍ଧାରଣ ବିଜ୍ଞପ୍ତି ଲୁଶାଇ ତ୍ରିକୋଣଭୂମିକୁ ଆସାମର ଚାଚର ଓ ଅନ୍ୟ ଅଞ୍ଚଳ ସମେତ ମଣିପୁର ସୀମାରୁ ପୃଥକ କରିଥିଲା। ଅନେକ ବର୍ଷର ଉଗ୍ର ଆନ୍ଦୋଳନ ପରେ ମିଜୋରାମ ୧୯୭୨ରେ କେନ୍ଦ୍ରଶାସିତ ଅଞ୍ଚଳ ଓ ୧୯୮୭ରେ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଲାଭ କଲା। ଏହାସତ୍ତ୍ୱେ ୧୮୭୫ରେ ନିର୍ଦ୍ଧାରିତ ସୀମାକୁ ଧରି ମିଜୋରାମ ଚାଲିଛି। ଅନ୍ୟପକ୍ଷେ ଆସାମ ୧୯୩୩ ନୋଟିଫିକେଶନ ଆଧାରରେ ୧୯୮୬ରେ ଟଣାଯାଇଥିବା ଏକ ଭିନ୍ନ ସୀମାରେଖାକୁ ମାନିଥାଏ। ତେବେ ସ୍ବାଧୀନତା ପୂର୍ବରୁ ସମଗ୍ର ମିଜୋରାମ ଆସାମର ଏକ ଅଂଶ ଥିଲା। ଉପନିବେଶ ଅମଳର ଏକ ଅର୍ଡରକୁ ଆମେ କାହିଁକି ମାନିବୁ ବୋଲି ସଂଘର୍ଷର ପରଦିନ ଅର୍ଥାତ୍‌ ଜୁଲାଇ ୨୭ରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରଶ୍ନ କରିଥିଲେ। ମିଜୋ ନେତାମାନଙ୍କ ମତରେ ବେଙ୍ଗାଲ ଇଷ୍ଟର୍ନ ଫ୍ରଣ୍ଟିୟର ରେଗୁଲେଶନ (ବିଇଏଫ୍‌ଆର୍‌) ଆକ୍ଟ, ୧୮୭୩ ଅନୁସାରେ ୧୮୭୫ ଅଗଷ୍ଟ ୨୦ରେ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଥିବା ଇନର୍‌ ଲାଇନ୍‌ ବା ଆଭ୍ୟନ୍ତରୀଣ ରେଖା ହିଁ ମାନ୍ୟ। ୧୯୮୬ରେ ସ୍ବାକ୍ଷରିତ ଏକତରଫା ଚୁକ୍ତିନାମା ଗ୍ରହଣୀୟ ନୁହେଁ। କାରଣ ସେହି ସମୟରେ ମିଜୋ ସିଭିଲ ସୋସାଇଟିର ପରାମର୍ଶ ନିଆଯାଇ ନ ଥିଲା ବୋଲି ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଯୁକ୍ତି ବାଢ଼ିଛନ୍ତି।
କିଛି ବର୍ଷ ପୂର୍ବେ ଦୁଇ ରାଜ୍ୟ ପକ୍ଷରୁ ସ୍ବାକ୍ଷରିତ ଏକ ରାଜିନାମା ଅନୁସାରେ ସମାଧାନ ନ ହେବା ଯାଏ ସୀମାରେ ସ୍ଥିତାବସ୍ଥା ବଜାୟ ରଖାଯିବା ଉଚିତ। ମାତ୍ର ଉଭୟ ପକ୍ଷ ପରସ୍ପର ବିରୋଧରେ ଜବରଦଖଲ ଅଭିଯୋଗ ଆଣୁଥିବାରୁ ଆସାମର ଚାଚର, କରିମଗଞ୍ଜ ଓ ହାଇଲାକାଣ୍ଡି ଏବଂ ମିଜୋରାମର କୋଲାସିବ, ଆଇଜଲ ଓ ମିମିତ ଜିଲା ମଧ୍ୟରେ ଆସୁଥିବା ୧୬୫.୫ କି.ମି. ଦୀର୍ଘ ସୀମାରେ ବହୁବାର ସଂଘର୍ଷ ଘଟିଲାଣି। ବାଂଲାଦେଶ ସହ ମଧ୍ୟ ଉଭୟ ରାଜ୍ୟର ସୀମା ଲାଗି ରହିଛି। ୨୦୧୮ ଫେବୃୟାରୀରେ ମିଜୋରାମର ଗୋଟିଏ ଗୋଷ୍ଠୀ ଚାଚର ସୀମାନ୍ତ ଜଙ୍ଗଲ ଜମିରେ ଏକ ଆଶ୍ରୟସ୍ଥଳ ନିର୍ମାଣ କରିବାରୁ ହିଂସାକାଣ୍ଡ ଦେଖାଦେଇଥିଲା। ମିଜୋରାମର ଜଙ୍ଗଲ ଜମିକୁ ଆସାମରେ ରହୁଥିବା ବାଂଲାଦେଶୀ ଶରଣାର୍ଥୀମାନେ ବାରମ୍ବାର ମାଡ଼ିବସୁଥିବା ମିଜୋରାମବାସୀ ଅଭିଯୋଗ ଆଣିଥାଆନ୍ତି। ଗତବର୍ଷ ଅକ୍ଟୋବରରେ କରିମଗଞ୍ଜ ଜିଲାରେ ଅନେକ ସ୍କୁଲ ଗଢ଼ିଉଠିଥିଲା, ଯେଉଁ ଅଞ୍ଚଳକୁ ମିଜୋରାମ ନିଜର ବୋଲି ଦାବି କରିଥାଏ।

ସୀମା ବିବାଦ

ଉତ୍ତର-ପୂର୍ବର ସବୁ ରାଜ୍ୟ ସହ ଆସାମର ସୀମା ଲାଗିରହିଛି। ୧୯୬୩ରୁ ୧୯୭୨ ମଧ୍ୟରେ ମେଘାଳୟ, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶ ଆସାମଠାରୁ ପୃଥକ ହୋଇଥିଲେ। ଏହି ୩ ରାଜ୍ୟ ସହ ମଧ୍ୟ ଆସାମର ସୀମା ବିବାଦ ଲାଗିରହିଛି। ୧୯୬୫ରୁ ଆସାମ-ନାଗାଲାଣ୍ଡ (୫୦୦ କି.ମି.) ସୀମା ବିବାଦ ଲାଗିରହିଥିବାବେଳେ ୨୦୧୭ରେ ଦୁଇରାଜ୍ୟ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ବହୁ ଲୋକଙ୍କ ଜୀବନ ଯାଇଥିବାବେଳେ ଅନେକେ ବିସ୍ଥାପିତ ହୋଇଥିଲେ। ଆସାମ-ମେଘାଳୟ (୮୮୪ କି.ମି.) ଓ ଆସାମ-ଅରୁଣାଚଳ (୮୦୦ କି.ମି.) ସୀମାରେ ଅନୁରୂପ ସଂଘର୍ଷ ଓ ହିଂସା କିଛି କମ୍‌ ନୁହେଁ। ସେହିପରି ମିଜୋରାମ ସହ ୧୦୯ କି.ମି. ସୀମାକୁ ନେଇ ତ୍ରିପୁରାର ମଧ୍ୟ ବିବାଦ ରହିଛି। ଏହି ପ୍ରସଙ୍ଗ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ଗତ ଫେବୃୟାରୀରେ ସବୁ ମୁଖ୍ୟମନ୍ତ୍ରୀ ସମାଧାନ ପାଇଁ ଏକାଠି ହୋଇଥିଲେ। ଶୀର୍ଷ ଅଦାଲତଙ୍କ ରାୟ ନ ଆସିବା ପର୍ଯ୍ୟନ୍ତ ସୀମାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଉକ୍ତ ବୈଠକରେ ସହମତି ପ୍ରକାଶ ପାଇଥିଲା। ଉତ୍ତର-ପୂର୍ବାଞ୍ଚଳର ସୀମା ସଂଘର୍ଷକୁ ନେଇ ୨୦୦୮ରେ ମନୋହର ପାରିକର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡିଫେନ୍ସ ଷ୍ଟଡିଜ୍‌ ପକ୍ଷରୁ ଏକ ନିବନ୍ଧ ପ୍ରକାଶ ପାଇଥିଲା।

ବାଜପେୟୀ କହିଥିଲେ…

ଆମେ ଆମର ବନ୍ଧୁଙ୍କୁ ବଦଳାଇପାରିବା, କିନ୍ତୁ ପଡ଼ୋଶୀଙ୍କୁ ନୁହେଁ। ଆମକୁ ଏଠାରେ ରହିବାକୁ ପଡ଼ିବ। ତେଣୁ ବନ୍ଧୁ ଭାବେ ରହିବା ନଚେତ୍‌ ପରସ୍ପର ସହ ଲଢ଼ି ବିଶ୍ୱ ନଜରରେ ଉପହାସର ପାତ୍ର ହେବା।

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଏହି ଦଶନ୍ଧି ପୁରୁଣା ମନ୍ତବ୍ୟ ସେଦିନ ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ଅଶାନ୍ତି ଓ ଭୂସ୍ବର୍ଗ କଶ୍ମୀରରେ ଅସ୍ଥିରତା ସୃଷ୍ଟିକାରୀ ପଡ଼ୋଶୀ ପାକିସ୍ତାନ ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ଆଜି ଏହା ଭାରତ ଭିତରେ ବି ପ୍ରଯୁଜ୍ୟ। ବିଶେଷକରି ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ସୃଷ୍ଟ ସୀମା ବିବାଦ ଓ ରକ୍ତାକ୍ତ ସଂଘର୍ଷକୁ ଦେଖିଲେ ବାଜପେୟୀଙ୍କ ଦଳ ଓ ବର୍ତ୍ତମାନର ଶାସକମାନେ ତାଙ୍କର ସେହି ଆପ୍ତବାକ୍ୟର ପ୍ରାସଙ୍ଗିକତାକୁ ହୃଦୟଙ୍ଗମ କରିପାରୁ ନ ଥିବା ମନେହେଉଛି।

ଭୂମିକା ବଦଳିଗଲା

ଗତ କିଛି ମାସ ଯାଏ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ଉତ୍ତର ପୂର୍ବାଞ୍ଚଳ ମ୍ୟାନେଜର ହିମନ୍ତ ବିଶ୍ୱଶର୍ମା ନର୍ଥ ଇଷ୍ଟ୍‌ ଡେମୋକ୍ରାଟିକ୍‌ ଆଲାଏନ୍ସ (ଏନ୍‌ଇଡିଏ) ଆବାହକ ଭୂମିକାରେ ସହଯୋଗୀ ମିଜୋ ନ୍ୟାଶନାଲ ଫ୍ରଣ୍ଟ (ଏମ୍‌ଏନ୍‌ଏଫ୍‌) ସହ କାନ୍ଧ ମିଳାଇ ବାଟ ଚାଲୁଥିଲେ। ଏବେ ସେ ଆସାମର ମୁଖ୍ୟମନ୍ତ୍ରୀ। ଆସାମ ଓ ମିଜୋରାମ ମଧ୍ୟରେ ସୀମା ବିବାଦ ପରିପ୍ରେକ୍ଷୀରେ ହିମନ୍ତ ମିଜୋରାମର ଜୋରାମଥାଙ୍ଗା ସରକାର ବିରୋଧରେ ବିଷୋଦଗାର କରୁଛନ୍ତି। ସେ କହିଛନ୍ତି, ମିଜୋରାମକୁ ୧ ଇଞ୍ଚ ଭୂମି ଛାଡ଼ିବୁ ନାହିଁ। ଏହି ପ୍ରସଙ୍ଗରେ ପଡ଼ୋଶୀ ରାଜ୍ୟ ବିରୋଧରେ ସୁପ୍ରିମକୋର୍ଟ ଯିବୁ। ଇତିମଧ୍ୟରେ ଆସାମ ସରକାର ନିଜ ନାଗରିକମାନଙ୍କୁ ମିଜୋରାମ ନ ଯିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମିଜୋରାମ ସରକାର ନିଜ ଲୋକଙ୍କ ହାତରୁ ଅସ୍ତ୍ର ନ ଛଡ଼ାଇବା ପର୍ଯ୍ୟନ୍ତ ଏହି ଯାତ୍ରା କଟକଣା ଜାରି ରହିବ ବୋଲି ହିମନ୍ତ ସ୍ପଷ୍ଟ କରିଛନ୍ତି।
ଉତ୍ତର-ପୂର୍ବ ଶାସକ ମେଣ୍ଟର ଦୁଇ ବଡ଼ ଦଳ ମୁହଁାମୁହିଁ ହେବାରୁ ଭାଜପା ନେତା ଅମିତ ଶାହାଙ୍କ ଏନ୍‌ଡିଏରୁ ସହଯୋଗୀ ଏମ୍‌ଏନ୍‌ଏଫ୍‌ ଓହରିଯିବାକୁ ବସିଛି।

ନିରପେକ୍ଷ ହେଉ ସିଆର୍‌ପିଏଫ୍‌

ବିବାଦୀୟ ଜଙ୍ଗଲ ଜମିରେ ଏକ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌) ଶିବିର ରହିଛି। ଜୁଲାଇ ୨୬ରେ ଆସାମ ପୋଲିସ କେନ୍ଦ୍ରୀୟ ବଳର ସେହି କ୍ୟାମ୍ପ୍‌କୁ ଜବରଦଖଲ କରି ଅନୁପ୍ରବେଶ କରିଥିବା ମିଜୋରାମ ଅଭିଯୋଗ ଆଣିଛି। ଆସାମ ଏହାକୁ ଖଣ୍ଡନ କରିଛି। ସଂଘର୍ଷ ପରେ ଉଭୟ ରାଜ୍ୟର ପୋଲିସ ନିଜ ନିଜ କ୍ୟାମ୍ପ୍‌ ଛାଡ଼ି ଚାଲିଯାଇଛନ୍ତି। ସେଠାରେ ସିଆର୍‌ପିଏଫ୍‌ ଯବାନଙ୍କୁ ମୁତୟନ କରାଯାଇଛି। ସିଆର୍‌ପିଏଫ୍‌ କୌଣସି ରାଜ୍ୟ ସପକ୍ଷରେ ନ ଯାଇ ନିରପେକ୍ଷ ପୋଲିସର ଦାୟିତ୍ୱ ତୁଲାଇବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।

କେନ୍ଦ୍ରର ଅକ୍ଷମତା

ଆସାମ ଓ ମିଜୋରାମର ଜନସାଧାରଣ କେନ୍ଦ୍ର ସରକାରଙ୍କ ପକ୍ଷରୁ ତୁରନ୍ତ ସୀମା ନିର୍ଦ୍ଧାରଣ ଜରିଆରେ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଚାହାନ୍ତି। ପୂର୍ବରୁ ସୁପ୍ରିମକୋର୍ଟ ଏକ ବାଉଣ୍ଡରି କମିଶନ ଗଠନ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେନେଇ ବିଶେଷ କିଛି ପଦକ୍ଷେପ ନିଆଯାଇ ନାହିଁ। ସଦ୍ୟ ସଂଘର୍ଷର ୨ ଦିନ ପୂର୍ବରୁ ଅର୍ଥାତ୍‌ ଜୁଲାଇ ୨୪ରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସମସ୍ତ ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଶିଲଂରେ ରୁଦ୍ଧଦ୍ୱାର ବୈଠକ କରିଥିଲେ। ମୁଖ୍ୟମନ୍ତ୍ରୀମାନେ ଆପୋସ ବୁଝାମଣା ଜରିଆରେ ନିଜ ନିଜ ଆନ୍ତଃରାଜ୍ୟ ସୀମା ବିବାଦର ପରିସମାପ୍ତି ଘଟାନ୍ତୁ ବୋଲି ଶାହା ସେମାନଙ୍କୁ ପରାମର୍ଶ ଦେଇଥିଲେ। ଆସାମ ୬ ଜଣ ପୋଲିସ କର୍ମଚାରୀଙ୍କୁ ହରାଇବା ପରେ ହିମନ୍ତ ବିଶ୍ୱଶର୍ମା ସରକାର ସୀମାରେ ସ୍ଥିତାବସ୍ଥା ବଜାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା କରୁଛନ୍ତି। ଜୋରାମଥାଙ୍ଗା ସରକାର ଆପୋସ ବୁଝାମଣା ଜରିଆରେ ବିବାଦର ସମାଧାନ ପାଇଁ ଆସାମ ଶାନ୍ତିପୂର୍ଣ୍ଣ ତଥା ଅନୁକୂଳ ବାତାବରଣ ସୃଷ୍ଟି କରୁ ବୋଲି ଏକ ବିବୃତିରେ କହିଛନ୍ତି। ଘଟଣା ଦିନ ସୀମାରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିବାବେଳେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ଯୁଦ୍ଧ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ବିରୋଧୀ କଂଗ୍ରେସ ପ୍ରଶ୍ନ କରୁଛି, ଉତ୍ତର-ପୂର୍ବର ସମସ୍ତ ରାଜ୍ୟରେ ଭାଜପା କିମ୍ବା ଏହାର ସହଯୋଗୀ ଦଳଗୁଡ଼ିକର ସରକାର ଚାଲିଛି। ଏହାସତ୍ତ୍ୱେ ଶାହା ସୀମା ବିବାଦର ସମାଧାନ କରିପାରିଲେନି କାହିଁକି?

ସଦ୍ୟ ସଂଘର୍ଷର କାରଣ

ଆସାମର କହିବା ହେଲା, ଜଣେ ଆଇଜିପିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଚାଚର ଜିଲା ଲଇଲାପୁର ସୀମାନ୍ତକୁ ଯାଇଥିଲା। ସେଠାରେ ଆସାମର ଜଙ୍ଗଲ ଜମିରେ ମିଜୋରାମ ସରକାର ରାସ୍ତା ଓ ସୁରକ୍ଷା ପୋଷ୍ଟ ନିର୍ମାଣ କରିଥିବା ପୋଲିସ ଅଧିକାରୀମାନେ ଦେଖିବାକୁ ପାଇଥିଲେ। ମିଜୋରାମର କୋଲାସିବ ଏସ୍‌ପିଙ୍କ ସହ ଆଲୋଚନା କରୁଥିବାବେଳେ ସଶସ୍ତ୍ର ଅଧିବାସୀ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏହା ପରେ ମିଜୋରାମ ପୋଲିସ ଆସାମ ପ୍ରତିପକ୍ଷଙ୍କ ଉପରେ ଗୁଳି ଚଳାଇଥିଲା। ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା କହିଛନ୍ତି, ଆସାମ ପୋଲିସର ପ୍ରାୟ ୨୦୦ କର୍ମଚାରୀ ସିଆର୍‌ପିଏଫ୍‌ ଶିବିର ଓ ଏକ ପୋଲିସ ପୋଷ୍ଟକୁ ଅକ୍ତିଆର କରିଥିଲେ। ସେମାନେ ବୈରେଙ୍ଗଟେରେ ଥିବା ଏକ ଅଟୋ ଷ୍ଟାଣ୍ଡରେ ବିକ୍ଷୋଭକାରୀଙ୍କ ଉପରେ ଲୁହବୁହା ବାଷ୍ପ ପ୍ରୟୋଗ ସହ ଆଖିବୁଜା ଗୁଳି ଚଳାଇଥିଲେ। ମିଜୋରାମ ପୋଲିସ ଆମତ୍ରକ୍ଷା ପାଇଁ ଏହାର ଜବାବ ଦେବାକୁ ବାଧ୍ୟ ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ନବରଙ୍ଗପୁର,୩୦ା୮(ସଦାଶିବ ପ୍ରହରାଜ): ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ (୮୭)ଙ୍କ ରବିବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ନେପାଳରେ କେମିତି ତାଣ୍ଡବ କଲା ଜଳ ପ୍ରଳୟ? ଭାଇରାଲ ହେଉଛି ଗ୍ଲେସିୟର ଭାଙ୍ଗିବାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ…

ନୂଆଦିଲ୍‌ଲୀ,୩୦।୮: ନେପାଳରେ ଗ୍ଲେସିୟର ଭାଙ୍ଗିବା ଏବଂ ଗ୍ଲେସିଆଲ ହ୍ରଦ (Glacial Lake) ଫାଟିବା ଯୋଗୁଁ ଏକ ଭୟଙ୍କର ବନ୍ୟା ଆସିଛି, ଯାହା ତିବ୍ଦତ-ଚୀନ ସୀମାରେ ଥିବା ନେପାଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri