Categories: ବାଣିଜ୍ୟ

ଉତ୍କଟ ଦାରିଦ୍ର୍ୟକୁ ସାମ୍ନା କରିବେ ୧୫ କୋଟି ଲୋକ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ସଙ୍କଟ ସମୟ ଦେଇ ଗତି କରୁଛି। ଏଭଳି ସ୍ଥିତିରେ ୨୦୨୧ ସୁଦ୍ଧା ବିଶ୍ୱର ପ୍ରାୟ ୧୫ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ସ୍ଥିତିକୁ ଚାଲିଯିବା ଆଶଙ୍କା ଉପୁଜିଛି। ବିଶ୍ୱବ୍ୟାଙ୍କ ବୁଧବାର ଏ ନେଇ ଚେତବନୀ ଦେଇଛି। ବିଶ୍ୱବ୍ୟାଙ୍କ କହିଛି ଯେ, ମହାମାରୀ ପରବର୍ତ୍ତୀ ସ୍ଥିତିକୁ ସମ୍ଭାଳିବା ଲାଗି ଦେଶଗୁଡିକ ପ୍ରସ୍ତୁତ ହେବାକୁ ପଡିବ। ଏଥିରେ ପୁଞ୍ଜି, ଶ୍ରମ, କୌଶଳ ଏବଂ ନୂଆ ବିଚାର, ନୂତନ କ୍ଷେତ୍ର ଏବଂ ବ୍ୟବସ୍ଥାକୁ ଆପଣାଇବାକୁ ଗୁରୁତ୍ୱ ଦେବାକୁ ହେବ। ମହାମାରୀ ଯୋଗୁ ଚଳିିତ ବର୍ଷ ୮.୫ କୋଟିରୁ ୧୧ କୋଟି ଲୋକ ଉତ୍କଟ ଦାରିଦ୍ର୍ୟକୁ ସାମ୍ନା କରିବେ ବୋଲି ବିଶ୍ୱବ୍ୟାଙ୍କ ପୂର୍ବାନୁମାନରେ କହିଛି। ୨୦୨୧ ବେଳକୁ ଏହି ସଂଖ୍ୟା ୧୫ କୋଟିରେ ପହଞ୍ଚିପାରେ। ତେବେ ଅର୍ଥ ବ୍ୟବସ୍ଥାଗୁଡିକର ସ୍ଥିତି ଉପରେ ଦାରିଦ୍ର୍ୟର ସ୍ଥିତି ନିର୍ଭର କରୁଛି। ଅର୍ଥାତ୍‌ ଦେଶଗୁଡିକର ବିକାଶ ନ ହେଲେ ଦାରିଦ୍ର୍ୟ ବଢ଼ିବା ଆଶଙ୍କା ବେଶି ରହିଛି।
ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ଡେଭିଡ୍‌ ପାଲ୍‌ପାସ୍‌ କହିଛନ୍ତି ଯେ, ମହାମାରୀ ଏବଂ ବିଶ୍ୱ ମାନ୍ଦାବସ୍ଥା କାରଣରୁ ବର୍ତ୍ତମାନ ସ୍ଥିତି ବିଗିଡ଼ିଯାଇଛି। ସାରା ବିଶ୍ୱର ମୋଟ ଜନସଂଖ୍ୟାର ୧.୪%ରୁ ଅଧିକ ଲୋକ ଗରିବୀରେ ଫସିଯିବା ଭଳି ସ୍ଥିତି ଏବେ ଆସିଯାଇଛି। କୋଭିଡ୍‌-୧୯ ପରେ ଏକ ନୂଆ ଅର୍ଥ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି। ବିଶ୍ୱବ୍ୟାଙ୍କ ରିପୋର୍ଟରେ କୁହାଯାଇଛି ଯେ, ପୂର୍ବରୁ ଦାରିଦ୍ର୍ୟ ସ୍ଥିତିରେ ଥିବା ଦେଶଗୁଡିକର ସମସ୍ୟା ଆହୁରି ବଢ଼ିଯିବା ଆଶଙ୍କା ଉପୁଜିଛି। ସେହିଭଳି ମଧ୍ୟମ ଆୟକାରୀ ବର୍ଗରେ ରହିଥିବା ଦେଶଗୁଡିକରେ ମଧ୍ୟ ପ୍ରଭାବ ରହିବ। ମଧ୍ୟମ ଆୟକାରୀ ଦେଶଗୁଡିକର ପ୍ରାୟ ୮୦% ବିଭିନ୍ନ ସମସ୍ୟା ସାମ୍ନା କରିପାରନ୍ତି। ମାନ୍ଦାବସ୍ଥା, ଜଳବାୟୁ ପରିବର୍ତ୍ତନ ଏବଂ କୋଭିଡ୍‌ ଭଳି ମହାମାରୀ ସ୍ଥିତି ଯୋଗୁ ୨୦୩୦ ସୁଦ୍ଧା ଗରିବୀ ସମାପ୍ତ କରିବା ନେଇ ରହିଥିବା ଲକ୍ଷ୍ୟ ହାସଲ କରିବା କଷ୍ଟକର ହୋଇପଡିବ। ୨୦୩୦ ବେଳକୁ ବିଶ୍ୱର ଗରିବୀ ହାର ପ୍ରାୟ ୭% ରହିବା ନେଇ ଏଥିରେ ଆକଳନ କରାଯାଇଛି।

Share