୧୦୫ ଘାଟ

ଭାରତରେ ଗତ କିଛି ବର୍ଷ ହେବ ସୃଷ୍ଟି କରାଯାଇଥିବା ସାମାଜିକ, ଅର୍ଥନୈତିକ, ଧାର୍ମିକ ଓ ରାଜନୈତିକ ବିଭାଜନ ବିଷୟରେ ୬ ଜାନୁଆରୀ ଏହି ସ୍ତମ୍ଭରେ ‘ଶିକ୍ଷିତ ଦେଶବିରୋଧୀ’ ଶୀର୍ଷକରେ ଲେଖା ପ୍ରକାଶ କରିଥିଲୁ। ଏହି ଦିନ ଆଉ ଏକ ବିଭାଜନ ନେଇ ଉତ୍ତରାଖଣ୍ଡରୁ ଖବର ମିଳିଛି। ତାହା ହେଲା ଜଳଘାଟ ବିଭାଜନ। କେତେକ ସନ୍ନ୍ୟାସୀ ଓ ଶ୍ରୀଗଙ୍ଗା ସଭାର କର୍ମକର୍ତ୍ତା ଉଠାଇଥିବା ଦାବି ପରିପ୍ରେକ୍ଷୀରେ ଏବେ ଉତ୍ତରାଖଣ୍ଡ ସରକାର ତୀର୍ଥକ୍ଷେତ୍ର ହରିଦ୍ୱାର ଓ ତା’ର ଆଖପାଖ ଅଞ୍ଚଳରେ ଅଣହିନ୍ଦୁମାନଙ୍କ ପ୍ରବେଶ ଉପରେ ନିଷେଧାଦେଶ ଲଗାଇବା ଲାଗି ଚିନ୍ତା କରୁଛନ୍ତି। ଗଙ୍ଗାନଦୀ କୂଳରେ ଥିବା ହରିଦ୍ୱାରରୁ ଋଷିକେଶ ପର୍ଯ୍ୟନ୍ତ ୧୦୫ ଘାଟ ଅଛି। ୨୦୨୭ ଜାନୁଆରୀ ୧୪ ତାରିଖ ମକର ସଂକ୍ରାନ୍ତିରୁ ଅର୍ଦ୍ଧ-କୁମ୍ଭ ଥିବାରୁ ତା’ ପୂର୍ବରୁ ନଗରର ପବିତ୍ରତା ବଜାୟ ରଖିବା ପାଇଁ ଏଭଳି ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଛି। ତେବେ ଏଠାକୁ କେଉଁ ଅଣହିନ୍ଦୁ ଯାଆନ୍ତି, ତାହାର କୌଣସି ତଥ୍ୟ ମିଳିପାରୁ ନାହିଁ। ଉପରଲିଖିତ ନିଷ୍ପତ୍ତିକୁ ସିଦ୍ଧ କରିବା ଲାଗି ଇତିହାସର ସାହାରା ମଧ୍ୟ ନିଆଯାଇଛି। କୁହାଯାଉଛି ଋଷିକେଶ ଓ ହରିଦ୍ୱାରର ପବିତ୍ରତା ରକ୍ଷା କରିବା ଉଦ୍ଦେଶ୍ୟରେ ପଣ୍ଡିତ ମଦନମୋହନ ମାଲବ୍ୟ ଓ ବ୍ରିଟିଶ୍‌ ସରକାରଙ୍କ ମଧ୍ୟରେ ୧୯୧୬ରେ ହୋଇଥିବା ଏକ ଚୁକ୍ତି ଅନୁଯାୟୀ ବର୍ତ୍ତମାନ ତାହାକୁ ଅନୁସରଣ କରାଯିବ। ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ବୋଲି ଏବେକାର ଭାଜପା ରାଜ୍ୟ ସରକାର ଦାବି କରୁଛନ୍ତି। ଆଜିର ପରିସ୍ଥିତିରେ ସରକାରଙ୍କର ସବୁ ବିବୃତିକୁ ବିଶ୍ୱାସ କରିଗଲେ ପରବର୍ତ୍ତୀ ସମୟରେ ତାହା ଅସତ୍ୟ ବୋଲି ପ୍ରମାଣ ହୋଇପାରେ। ଇଣ୍ଟରନେଟ୍‌ରେ ଅନେକ ଖୋଜିବା ସତ୍ତ୍ୱେ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ଉଲ୍ଲିଖିତ ଏହି ୧୯୧୬ ଚୁକ୍ତି ସମ୍ପର୍କରେ କୌଣସି ବାସ୍ତବ ତଥ୍ୟ ଆମର ହସ୍ତଗତ ହୋଇପାରି ନାହିଁ। ତଥାପି ଯଦି ଆଜିର ସରକାରଙ୍କ ଦାବିକୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରାଯାଏ, ତା’ ହେଲେ ଉପୁଜୁଥିବା ପରିସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇପାରେ। ଯଦି ଚିନ୍ତା କରାଯାଉଥିବା ସରକାରଙ୍କ ନିୟମକୁ କାର୍ଯ୍ୟକାରୀ କରାଯାଏ, ତେବେ ସମ୍ପୃକ୍ତ ଅଞ୍ଚଳରେ ସାମାଜିକ ଅସଙ୍ଗତି ସୃଷ୍ଟି ହେବାର ଆଶଙ୍କା ରହୁଛି।
ଉପରଲିଖିତ ଖବରରୁ ଖିଅଟାଣି ଆଲୋଚନା କଲେ ଯାହା ସମସ୍ତଙ୍କ ପାଇଁ ଚିନ୍ତା ସୃଷ୍ଟି କରିବା କଥା, ତାହା ହେଲା ଯୋଜନା କରିଦେଉଥିବା ବର୍ଗ ଭବିଷ୍ୟତକୁ ଅନିଷା କରୁନାହାନ୍ତି। ସମ୍ଭବତଃ ସେଥିପାଇଁ ଦେଶବାସୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। କେନ୍ଦ୍ରରେ କଂଗ୍ରେସ ସରକାର ଅମଳରେ ଅନେକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଅଘଟଣ ପରେ ରେଡ୍‌ ଆଲର୍ଟ ଜାରି କରାଯାଉଥିଲା, ହେଲେ ପରବର୍ତ୍ତୀ ସମୟରେ ତାହାର କିଛି ପ୍ରଭାବ ପଡୁ ନ ଥିଲା। ଆତଙ୍କବାଦୀ କାର୍ଯ୍ୟରେ ମୁସଲମାନଙ୍କ ସମ୍ପୃକ୍ତି ଥିଲେ ମଧ୍ୟ ନେତୃତ୍ୱ ନେଉଥିବା ମୁସଲମାନ ନେତା ତାହାକୁ ବିରୋଧ କରିବାକୁ ଆଗେଇ ଆସୁ ନ ଥିଲେ। ଫଳରେ ଆତଙ୍କବାଦୀ କାର୍ଯ୍ୟରେ ବିରାମ ଲାଗୁ ନ ଥିଲା। ଉପା ସରକାରର ପତନ ପରେ ମୁସଲମାନ ସମ୍ପ୍ରଦାୟକୁ ଭାରତରେ ଅନେକ ବିପଦ ଓ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ସେହିପରି ପଡ଼ୋଶୀ ବାଂଲାଦେଶରେ ଦୀର୍ଘ ଶାସନ କରିଥିବା ଆଓ୍ବାମି ଲିଗ୍‌ ଦଳ ଓ ତା’ର ନେତା ଶେଖ୍‌ ହାସିନାଙ୍କ ରାଜୁତି ସମୟରେ ସେଠାକାର ସଂଖ୍ୟାଲଘୁ ହିନ୍ଦୁ ନାଗରିକ ବାଂଲାଦେଶ ମୁସଲମାନଙ୍କ ଉପରେ ଯଥେଷ୍ଟ ଚାପ ପକାଇବା ସହିତ ହିିଂସା ମଧ୍ୟ ଘଟାଉଥିଲେ। ହାସିନାଙ୍କର ବାଂଲାଦେଶରୁ ପଳାୟନ ପରେ ସେଠାକାର ସଂଖ୍ୟାଲଘୁ ହିନ୍ଦୁ ଏବେ ଅସୁରକ୍ଷିତ ପରିସ୍ଥିତିରେ ପଡ଼ିଯାଇଛନ୍ତି। ଏହି ପରିସ୍ଥିତିକୁ ଅଧିକ ଜଟିଳ କରିବାରେ ଭାରତର ଭୂମିକା ଗୌଣ ନୁହେଁ। ବାଂଲାଦେଶ ହିନ୍ଦୁଙ୍କର ଦୌରାତ୍ମ୍ୟ ପଛରେ ଭାରତର ଶକ୍ତି ମନୋବଳ ଯୋଗାଉଥିଲା। ଆଜିର ପରିସ୍ଥିତିରେ ସେମାନଙ୍କୁ ସୁରକ୍ଷା ଦେବାର ଶକ୍ତି ଭାରତ ପାଖରେ ନାହିଁ। ଅନ୍ୟପଟେ ବାଂଲାଦେଶରେ ଘୃଣିତ ଶେଖ୍‌ ହାସିନାଙ୍କୁ ଭାରତରେ କେନ୍ଦ୍ର ସରକାର ଖୋଲାଖୋଲି ଆଶ୍ରୟ ଦେଇଛି। ଏହି ପରିପ୍ରେକ୍ଷୀରେ ସଦ୍ୟ ଆଉ ଏକ ଘଟଣାକୁ ଦେଖାଯାଉ। ବାଂଲାଦେଶ କ୍ରିକେଟର ମୁସ୍ତାଫିଜୁର ରହମନଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଆଇପିଏଲ୍‌ ପାଇଁ ନିଲାମ କରି ନେଇଥିଲା। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଥିବାରୁ ତାଙ୍କୁ ତୁରନ୍ତ ଟିମ୍‌ରୁ ବାହାର କରାଯାଉ ବୋଲି ଚାପ ପଡ଼ିବା ପରେ ଏହାର ମାଲିକ ଶାହରୁଖ୍‌ ଖାନ୍‌ କ୍ରିକେଟର ମୁସ୍ତାଫିଜୁରଙ୍କୁ ଅବ୍ୟାହତି ଦେଇଛନ୍ତି। ଏଠି ପ୍ରଶ୍ନ ଉଠୁଛି, ଶାହରୁଖ ସିଧାସଳଖ ମୁସ୍ତାଫିଜୁରଙ୍କୁ ତାଙ୍କ ଦଳ ପାଇଁ କିଣି ନ ଥିଲେ। ସମସ୍ତ ଖେଳାଳି ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର୍‌ କ୍ରିକେଟ ଇନ୍‌ ଇଣ୍ଡିଆ (ବିସିସିଆଇ) ପାଖରେ ପଞ୍ଜୀକୃତ ହୋଇଥାଆନ୍ତି। ସେମାନଙ୍କ ମଧ୍ୟରୁ ପ୍ରତିଭାବାନ୍‌ ଖେଳାଳିଙ୍କୁ ଦଳଗୁଡ଼ିକ ବାଛିଥାଆନ୍ତି। ଏବେ ବିସିସିଆଇର ସଭାପତି ମିଥୁନ ମାନହସ ଅଛନ୍ତି। ତେବେ ମୁସ୍ତାଫିଜୁରଙ୍କୁ ଭାରତରେ ଖେଳିବା ପାଇଁ କାହାର ହାତ ଥିବ ତାହା ସମସ୍ତେ ଜାଣିଛନ୍ତି। ବାଂଲାଦେଶରେ ହିନ୍ଦୁବିରୋଧୀ କାଣ୍ଡରେ ସମ୍ପୃକ୍ତ କ୍ରିକେଟରଙ୍କୁ ଟାଣିବା ଗ୍ରହଣୀୟ ହେଉ ନାହିଁ। ଯଦି ଜଣେ ଖେଳାଳିଙ୍କ ପାଇଁ ଏଭଳି ଚାପ ପଡ଼ୁଛି, ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାସିନାଙ୍କୁ ଭାରତରେ ସୁରକ୍ଷିତ ରଖିବା ଅନାବଶ୍ୟକ ବୋଲି କେତେକ ମହଲରେ ଆଲୋଚନା ହେଉଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ମୁସ୍ତାଫିଜୁରଙ୍କୁ ଖେଳରୁ ବାଦ୍‌ ଦେବା ପରେ ବାଂଲାଦେଶ ସରକାର ସେଠାରେ ଆଇପିଏଲ୍‌ ପ୍ରସାରଣକୁ ବନ୍ଦ କରିବା ସହ ଆସନ୍ତା ଫେବୃଆରୀରେ ଭାରତରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ଭାରତ ମାଟିରେ ଖେଳିବ ନାହିଁ ବୋଲି କହିଛି। ଜଣେ ଖେଳାଳି ପାଇଁ ବାଂଲାଦେଶ ତତ୍‌କ୍ଷଣାତ୍‌ ବଡ଼ ନିଷ୍ପତ୍ତି ନେଇଯାଉଥିବା ବେଳେ ଭାରତ ଅନେକ କ୍ଷେତ୍ରରେ ଦୃଢ଼ତାର ସହ କିଛି ପଦକ୍ଷେପ ନେଇପାରୁ ନ ଥିବାରୁ ଅନ୍ତର୍ଜାତୀୟ ସ୍ତରରେ ନିଜର ଶକ୍ତି ଦେଖାଇପାରୁ ନାହିଁ। ଯଦି ଭାରତ ପ୍ରକୃତ ଉନ୍ନତି ଦିଗରେ ସଘନ ପ୍ରୟାସ କରି ଆଗକୁ ଯାଇପାରନ୍ତା, ସବୁ ପଡ଼ୋଶୀ ରାଷ୍ଟ୍ର ଭାରତକୁ ଅନୁସରଣ କରିବାକୁ ବାଧ୍ୟ ହୁଅନ୍ତେ। ଅପରପଟେ ଭାରତ ତା’ର ସଂକୀର୍ଣ୍ଣ ଓ ପିଲାଳିଆମି ମାନସିକତା ପ୍ରଦର୍ଶନ କରୁଥିବାରୁ କ୍ଷୁଦ୍ର ପଡ଼ୋଶୀ ରାଷ୍ଟ୍ର ମଧ୍ୟ ନାଲିଆଖି ଦେଖାଇପାରୁଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?