Posted inଖେଳ

‘ମାରାଥନ ମ୍ୟାନ୍‌’ ବିବେକାନନ୍ଦ

ଜଣେ ଆଥଲେଟ୍‌ ଅଫୁରନ୍ତ ସହନଶକ୍ତିର ବିନିଯୋଗ ସହିତ ନିରନ୍ତର ଅଭ୍ୟାସ ଦ୍ୱାରା ହିଁ ମାରାଥନ ଦୌଡ଼ ଭଳି ଅତି କଷ୍ଟସାଧ୍ୟ ଇଭେଣ୍ଟରେ ସଫଳ ହୋଇଥାଏ। ଏହିପରି ଜଣେ କିମ୍ବଦନ୍ତୀ ମାରାଥନ ଧାବକ ହେଉଛନ୍ତି ଓଡ଼ିଶାର ଡା. ବିବେକାନନ୍ଦ ତ୍ରିପାଠୀ। ବିଶ୍ୱ ଏବଂ ଅଲିମ୍ପିକ ସ୍ତରରେ ନ ହେଲେ ମଧ୍ୟ ରାଜ୍ୟ ଓ ଜାତୀୟସ୍ତରରେ ଅନେକ ଉପଲବ୍ଧି ହାସଲ କରି ସେ ଓଡ଼ିଶାକୁ ଗର୍ବିତ କରିଛନ୍ତି….

ଚେକ୍‌ ଗଣରାଜ୍ୟର କିମ୍ବଦନ୍ତୀ ମାରାଥନ ଧାବକ ଏମିଲ ଜାଟୋପେକ୍‌ (୧୯୫୨ ହେଲେସିଙ୍କି ଅଲିମ୍ପିକ୍ସର ୫,୦୦୦ମି., ୧୦,୦୦୦ ମି. ଏବଂ ମାରାଥନ ସ୍ବର୍ଣ୍ଣପଦକ ବିଜେତା)ଙ୍କ ଭାଷାରେ ”ଆନନ୍ଦ ଉପଭୋଗ କରିବା ପାଇଁ ଗୋଟିଏ ମାଇଲ ଦୌଡ଼ ଓ ଅନ୍ୟ ଜୀବନର ଅନୁଭୂତି ଲାଗି ମାରାଥନ ଦୌଡ଼“। ପୁରାତନ ଅଲିମ୍ପିକ କ୍ରୀଡ଼ାର ମହାନ୍‌ ପରମ୍ପରା ସହ ଜଡ଼ିତ ମାରାଥନ ଦୌଡ଼ ପ୍ରଥମ ଆଧୁନିକ ଅଲିମ୍ପିକ୍ସ(୧୮୯୬)ରେ ସାମିଲ ହେବା ସହିତ ଆଜିପର୍ଯ୍ୟନ୍ତ ଏକ ଆକର୍ଷଣୀୟ ଇଭେଣ୍ଟ ଭାବେ ସ୍ବୀକୃତି ଲାଭ କରିଛି। ଜଣେ ଆଥଲେଟ୍‌ ଅଫୁରନ୍ତ ସହନଶକ୍ତିର ଉପଯୋଗ ସହିତ ନିରନ୍ତର ଅଭ୍ୟାସ ଦ୍ୱାରା ହିଁ ମାରାଥନ ଦୌଡ଼(୪୨.୧୯୫ କିମି) ଭଳି ଅତି କଠିନ ଓ କଷ୍ଟସାଧ୍ୟ ଇଭେଣ୍ଟରେ ସଫଳ ହେବାରେ ସକ୍ଷମ ହୋଇଥାଏ।
ଏହିପରି ଜଣେ କିମ୍ବଦନ୍ତୀ ମାରାଥନ ଧାବକ ହେଉଛନ୍ତି ଆମ ରାଜ୍ୟର ଡା. ବିବେକାନନ୍ଦ ତ୍ରିପାଠୀ। ବିଶ୍ୱ ଏବଂ ଅଲିମ୍ପିକସ୍ତରରେ ନ ହେଲେ ମଧ୍ୟ ଆମ ରାଜ୍ୟ ଓ ଜାତୀୟସ୍ତରରେ ଅନେକ ଉପଲବ୍ଧି ପ୍ରାପ୍ତ କରିଥିବା ଡା. ତ୍ରିପାଠୀ ପେସାରେ ଜଣେ ପ୍ରାଣୀ ଚିକିତ୍ସକ। ମାତ୍ର ତାଙ୍କର ନିଶା ଥିଲା ମାରାଥନ ଦୌଡ଼। ବିବେକ କୁହନ୍ତି ”ରେଭେନ୍ସା କଲିଜିଏଟ୍‌ ବିଦ୍ୟାଳୟରେ ପଢ଼ୁଥିବା ସମୟରେ ସ୍କୁଲ ପାଇଁ ଫୁଟ୍‌ବଲ, ଭଲିବଲ ଏବଂ ଦୌଡ଼କୁଦରେ ବିଶେଷ ରୁଚି ଥିଲା ଏବଂ ବିଦ୍ୟାଳୟକୁ ଉପରୋକ୍ତ କ୍ରୀଡ଼ାଗୁଡ଼ିକରେ ପ୍ରତିନିଧିତ୍ୱ କରୁଥିଲି। ପରବର୍ତ୍ତୀ ସମୟରେ ଭଦ୍ରକ ଏବଂ ରେଭେନ୍ସା ମହାବିଦ୍ୟାଳୟରେ ମଧ୍ୟ ଏହି କ୍ରୀଡ଼ାଗୁଡ଼ିକରେ ପାରଦର୍ଶିତା ଲାଭ କରିଥିଲି। ୧୯୬୦ ରୋମ୍‌ ଅଲିମ୍ପିକ୍ସରେ ମାରାଥନ ଚାମ୍ପିୟନ ଇଥିଓପିଆର ଆବେ ବିକିଲାଙ୍କ ବିଷୟରେ ଜାଣିବା ପରେ ସେ ମୋର ରୋଲ୍‌ ମଡେଲ ହୋଇଯାଇଥିଲେ ଏବଂ ତାଙ୍କୁ ଅନୁସରଣ କରି ମୁଁ ମଧ୍ୟ ଜଣେ ସଫଳ ମାରାଥନ ଧାବକ ହେବାର ସଂକଳ୍ପ ନେଇଥିଲି“। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ (ଓୟୁଏଟି) ସ୍ତରରେ ଏକାଧିକ ଥର ଶ୍ରେଷ୍ଠ ଆଥ୍‌ଲେଟ ବିବେଚିତ ହୋଇଥିବା ବିବେକ ତାଙ୍କ ବିଶ୍ୱବିଦ୍ୟାଳୟକୁ ଫୁଟ୍‌ବଲରେ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ। ପରବର୍ତ୍ତୀ ସମୟରେ ସେ କେବଳ ଲମ୍ବ ଦୌଡ଼ (୫୦୦୦ ଓ ୧୦,୦୦୦ମି.) ଏବଂ ବିଶେଷ ଭାବେ ମାରାଥନ ଦୌଡ଼ରେ ମନୋନିବେଶ କରିଥିଲେ ଏବଂ ନିରନ୍ତର ଅଭ୍ୟାସ ଜାରି ରଖିଥିଲେ। କୃଷି ବିଶ୍ୱବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନରେ ଅଧ୍ୟୟନ ସମୟରେ ସେ ପ୍ରତିଦିନ ପ୍ରାୟ ୫୦ କିମି ଦୌଡ଼ ଅଭ୍ୟାସ କରୁଥିଲେ।
୨୩ ଅଗଷ୍ଟ ୧୯୪୬ରେ ଜନ୍ମିତ ଏହ ଯଶସ୍ବୀ ମାରାଥନ ଧାବକଙ୍କ ଲମ୍ବା ଏବଂ ଘଟଣାବହୁଳ ସଫଳ ଯାତ୍ରା ଆରମ୍ଭ ହୋଥିଲା ୧୯୭୪ ମସିହାରେ। ୧୯୭୪ ରାଜ୍ୟ କ୍ରୀଡ଼ା ପ୍ରତିଯୋଗିତାରେ ୧୫୦୦ମି. (ସ୍ବର୍ଣ୍ଣ), ୫୦୦୦ମି. (ରୌପ୍ୟ) ଏବଂ ୧୦,୦୦୦ମି. (ସ୍ବର୍ଣ୍ଣ)ରେ ସଫଳ ହେଲା ପରେ ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ାର ମାରାଥନ ଦୌଡ଼ରେ ରୌପ୍ୟ ପଦକ ହାସଲ କରି ରାଜ୍ୟ କ୍ରୀଡ଼ା ପାଇଁ ଇତିହାସ ରଚିଥିଲେ। ଏହି କୃତିତ୍ୱ ହାସଲ କରିବାରେ ସେ ଥିଲେ ଦ୍ୱିତୀୟ ଓଡ଼ିଆ। ପୂର୍ବରୁ ୧୯୫୦ରେ ନନ୍ଦକୃଷ୍ଣ ଦାସ ପ୍ରଥମ ଓଡ଼ିଆ ଭାବେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଜାତୀୟ କ୍ରୀଡ଼ାରେ ସଫଳ ପ୍ରଦର୍ଶନ ଯୋଗୁ ବିବେକ ଇରାନର ତେହେରାନ୍‌ଠାରେ ହେବାକୁ ଥିବା ଏସୀୟ କ୍ରୀଡ଼ା ପାଇଁ ପଟିଆଲା ପ୍ରଶିକ୍ଷଣ ଶିବିରରେ ତିନିମାସ ଧରି ତାଲିମ ଗ୍ରହଣ କରିଥିଲେ। ତେବେ କୌଣସି କାରଣ ପାଇଁ ଭାରତୀୟ ଦଳରେ ସାମିଲ ହେବାରୁ ବଞ୍ଚତ୍ତ ହୋଇଥିଲେ। ୧୯୮୧ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଆନ୍ତଃରାଜ୍ୟ ଆଥଲେଟିକ୍‌ ମିଟ୍‌ରେ ସେ ରୌପ୍ୟ ପଦକ ପାଇଥିଲେ।
୧୯୮୫ରୁ ୨୦୧୯ ମଧ୍ୟରେ ବିବେକବାକୁ ଭେଟେରାନ ବିଭାଗରେ ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ଫୁଲ୍‌/ହାପ୍‌ ମାରାଥନରେ ଭାଗନେଇ ଅନେକ ସଫଳତା ହାସଲ କରିଥିଲେ। ଏହା ବ୍ୟତୀତ ଅନ୍ତର୍ଜାତୀୟସ୍ତରରେ ଭେଟେରାନ୍‌ ବିଭାଗରେ ମାଲେସିଆ ମାରାଥନ (୧୯୯୦), ଦକ୍ଷିଣ ଆଫ୍ରିକାର ଡର୍ବାନଠାରେ ବିଶ୍ୱ ଭେଟେରାନ ମାରାଥନ (୧୯୯୭) ଏବଂ ଗ୍ରେଟ୍‌ ବ୍ରିଟେନ୍‌ର ଗେଟସେଡ୍‌ଠାରେ ଭେଟେରାନ୍‌ ମାରାଥନ (୧୯୯୯)ରେ ଭାରତକୁ ପ୍ରତିନିଧିତ୍ୱ କରି କୃତିତ୍ୱ ହାସଲ କରିଥିଲେ। ବିବେକ ବିଜ୍ଞାନରେ ସ୍ନାତକ ହେବା ପରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରୁ ପ୍ରାଣୀରୋଗ (ଭେଟେରିନାରି) ବିଜ୍ଞାନରେ ଡିଗ୍ରୀ ହାସଲ କରି ରାଜ୍ୟ ସରକାରଙ୍କ ଅଧୀନରେ ବିଭିନ୍ନ ପଦବୀରେ ନିଷ୍ଠାର ସହିତ କାର୍ଯ୍ୟ କରି ୨୦୦୬ରେ ନନ୍ଦନକାନନ ଚିଡ଼ିଆଖାନାର ବରିଷ୍ଠ ଭେଟେରିନାରି ଅଧିକାରୀ ଭାବେ ଅବସର ଗ୍ରହଣ କରିଥିଲେ। କ୍ଷୋଭର ସହ ପ୍ରକାଶ କରନ୍ତି ଡା. ବିବେକ, ”ମୋର କାର୍ଯ୍ୟକାଳ ମଧ୍ୟରେ ଉପରିସ୍ଥ ଅଧିକାରୀଙ୍କ ପ୍ରୋତ୍ସାହନ ବଦଳରେ ଅସହିଷ୍ଣୁତା ଏବଂ ବିଦ୍ୱେଷର ଶିକାର ହୋଇଥିଲି। ତେବେ ଏପରି ନକାରାତ୍ମକ ମନୋଭାବ ମୋର କ୍ରୀଡ଼ା ଜୀବନରେ ବାଧକ ସାଜିଥିଲେ ମଧ୍ୟ ସମସ୍ତ ବାଧାକୁ ଅତିକ୍ରମ କରି ଆଗକୁ ବଢ଼ିଥିଲି।“
ଦୀର୍ଘ ୬୦ ବର୍ଷ ଧରି କ୍ରୀଡ଼ା ପ୍ରତି ସମର୍ପିତ ଜୀବନ ଓ ସାଧନା ଦ୍ୱାରା ୭୬ ବର୍ଷରେ ପଦାର୍ପଣ କରିଥିବା ଡା. ତ୍ରିପାଠୀ ଏବେ ମଧ୍ୟ କ୍ରୀଡ଼ା ଅଭ୍ୟାସ ଜାରି ରଖିଛନ୍ତି। ଜୀବନବ୍ୟାପୀ କ୍ରୀଡ଼ା ପାଇଁ ଅବଦାନକୁ ସ୍ବୀକୃତି ଜଣାଇ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୦୯ରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ ଡା. ତ୍ରିପାଠୀଙ୍କୁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପକ୍ଷରୁ ୨୦୧୨ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏତଦ୍‌ ବ୍ୟତୀତ ୧୯୭୪ରୁ ୨୦୧୨ ମଧ୍ୟରେ ଏକାଧିକ କ୍ରୀଡ଼ା ଏବଂ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସେ ସମ୍ମାନିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

ଭାରତ ବିପକ୍ଷ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷିତ, ଦଳକୁ ଫେରିଲେ ଏହି ଖେଳାଳି ଜାଣନ୍ତୁ…

ଓ୍ବେଲିଂଟନ,୧୨ା୧୦: ଆସନ୍ତା ୨୨ ତାରିଖରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଫିନ ଆଲେନ, ଲୋକି…

ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିଛି…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?