ଓ୍ବେଲିଂଟନ,୧୨ା୧୦: ଆସନ୍ତା ୨୨ ତାରିଖରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ସିରିଜ୍ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଫିନ ଆଲେନ, ଲୋକି ଫର୍ଗୁସନ ଓ ଟିମ୍ ସିଫର୍ଟ ଦିନିକିଆ ଦଳକୁ ଫେରିଥିବା ବେଳେ ଅଲରାଉଣ୍ଡର ରଚିନ ରବୀନ୍ଦ୍ର କାନ୍ଧଜନିତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ଦିନିକିଆ ପରେ ଟେଷ୍ଟ ସିରିଜ୍ ହେବାକୁ ଥିବାରୁ ଚୟନକର୍ତ୍ତା ଦୁଇଟି ପୃଥକ ଦଳ ଘୋଷଣା କରିଛନ୍ତି। ଟେଷ୍ଟ ଦଳରେ ସାମିଲ ଥିବା ଖେଳାଳିମାନେ ତୃତୀୟ ମ୍ୟାଚ୍ ପରେ ଖେଳିବେ ନାହିଁ। ନ୍ୟୁଜିଲାଣ୍ଡ ଚୟନକର୍ତ୍ତା ୩ଟି ପୃଥକ ଗ୍ରୁପ୍ ଘୋଷଣା କରିଥିବା ବେଳେ ମିଚେଲ ସାଣ୍ଟନର (ଅଧିନାୟକ), ମାଇକେଲ ବ୍ରେସଓ୍ବେଲ, ମାର୍କ ଚାପମ୍ୟାନ, ଜ୍ୟାକବ ଡଫି, ଓ୍ବିଲ ୟଙ୍ଗ ଓ ବ୍ଲେୟାର ଟିକନରଙ୍କୁ ସମସ୍ତ ୫ ଦିନିକିଆ ପାଇଁ ଦଳରେ ରଖାଯାଇଛି।
ଡେଭନ କନଓ୍ବେ, ମ୍ୟାଟ ହେନରୀ, କାଏଲ ଜେମିସନ, ଟମ୍ ଲଥାମ, ଡାର୍ଲି ମିଚେଲ, ଗ୍ଲେନ ଫିଲିପ୍ସ, ରଚିନ ରବୀନ୍ଦ୍ର ଓ ନାଥନ ସ୍ମିଥ ପ୍ରଥମ ୩ ଦିନିକିଆରେ ଖେଳିବେ। ସେମାନଙ୍କ ବଦଳରେ ଅନ୍ତିମ ଦୁଇ ମ୍ୟାଚ୍ ପାଇଁ ଫିନ ଆଲେନ, କ୍ରିଷ୍ଟିଆନ କ୍ଲାର୍କ, ମ୍ୟାଟ୍ ଫିଶ୍ଚର, ଲୋକି ଫର୍ଗୁସନ, ମିଚ ହେ, ନିକ୍ କେଲି ଓ ସିଫର୍ଟ ଦଳରେ ଯୋଗ ଦେବେ। ଉଲ୍ଲେଖଯୋଗ୍ୟ, ଆଲେନ ଓ ଫର୍ଗୁସନ ୨୦୨୩ରେ ଅନ୍ତିମ ଥର ଦିନିକିଆ ଫର୍ମାଟରେ ଖେଳିଥିଲେ।

