Categories: ବାଣିଜ୍ୟ

୨ ବର୍ଷରେ ନିଯୁକ୍ତି ଅଭିବୃଦ୍ଧି ମନ୍ଥର

ନୂଆଦିଲ୍ଲୀ,୨୦-୧୧: ଗତ ୨ ବର୍ଷ ମଧ୍ୟରେ ଦେଶରେ ନିଯୁକ୍ତି ଅଭିବୃଦ୍ଧି ମନ୍ଥରସ୍ଥିତିକୁ ଚାଲି ଆସିଥିବା ଏକ ନୂଆ ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୭-୧୮ରେ ନିଯୁକ୍ତି ଅଭିବୃଦ୍ଧି ହ୍ରାସ ଘଟି ୩.୯% ରହିଥିବା ବେଳେ ଏହା ୨୦୧୮-୧୯ରେ ୨.୮%କୁ ଖସିଥିବା କେୟାର ରେଟିଂ ଏଜେନ୍ସି ପକ୍ଷରୁ ମଙ୍ଗଳବାର କୁହାଯାଇଛି। ଦେଶରେ କାର୍ଯ୍ୟ କରୁଥିବା ସମସ୍ତ କ୍ଷେତ୍ରର ପ୍ରାୟ ୧୯୩୮ କମ୍ପାନୀକୁ ନେଇ ହୋଇଥିବା ଅଧ୍ୟୟନ ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଅଧ୍ୟୟନରେ କୁହାଯାଇଛି ଯେ, ୨୦୧୮-୧୯ରେ କମ୍ପାନୀଗୁଡିକର ଭାଲ୍ୟୁ ସେଲ୍‌ ବା ବିକ୍ରି ୬୯ ଲକ୍ଷ କୋଟି ଟଙ୍କା ରହିଛି। ଏଥିରେ କର୍ପୋରେଟ ସମେତ ବଡ ବଡ ସୂଚୀଭୁକ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ମଧ୍ୟ ସାମିଲ କରାଯାଇଛି। ସାମ୍ପୂଲରେ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡିକୁ ବିଶେଷ ଭାବେ ବିଚାର କରାଯାଇନାହିଁ।
ଅଧ୍ୟୟନ ଅନୁସାରେ ୨୦୧୪-୧୫ରୁ ୨୦୧୮-୧୯(୪ ବର୍ଷ) ମଧ୍ୟରେ ନିଯୁକ୍ତି ବାର୍ଷିକ ହାରାହାରି ୩.୩% ହାରରେ ବଢିଛି। ଏହି ସମୟ ମଧ୍ୟରେ ଦେଶର ଜିଡିପି ଅଭିବୃଦ୍ଧି ୭.୫% ହାରରେ ବଢିଥିଲେ ମଧ୍ୟ ନିଯୁକ୍ତି ବୃଦ୍ଧି ଉପରେ ଏହାର ପ୍ରଭାବ କିଭଳି ରହିଛି ତାହା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହାବାଦ ବାର୍ଷିକ ଭିତ୍ତିରେ ନିଯୁକ୍ତି ବୃଦ୍ଧି କଥା ବିଚାର କଲେ ଏହା ୨୦୧୫-୧୬ରେ ୨.୫% ଏବଂ ୨୦୧୬-୧୭ରେ ୪.୧% ରହିଛି। ଏଣୁ ଜିଡିପି ଅଭିବୃଦ୍ଧି ସହ ବାର୍ଷିକ ନିଯୁକ୍ତି ବୃଦ୍ଧିକୁ ତୁଳନା କଲେ ଏହା ପ୍ରାୟ ୪.୨%ର ଭିନ୍ନତା ଦେଖାଯାଉଛି। ଏହି ସମୟରେ ପ୍ରାୟ ଅର୍ଦ୍ଧାଧିକ କମ୍ପାନୀଙ୍କ ନିଯୁକ୍ତି କମିଥିବା ବେଳେ ପ୍ରାୟ ୩୫% ସଂସ୍ଥାଙ୍କର ନିଯୁକ୍ତି ୧୧% ବୃଦ୍ଧି ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ସଂସ୍ଥାଗୁଡିକର ନିଯୁକ୍ତି ଅଭିବୃଦ୍ଧି ବାର୍ଷିକ ୩.୩% ରହିଛି।

ପ୍ରଭାବିତ କୋର ସେକ୍ଟର
ଦେଶର କୋର ସେକ୍ଟର ବା ପ୍ରମୁଖ ଶିଳ୍ପକ୍ଷେତ୍ର ଅଭିବୃଦ୍ଧି ଗତ କିଛି ତ୍ରୈମାସ ଧରି ପ୍ରଭାବିତ ସ୍ଥିତିରେ ରହିଛି। ବ୍ୟାଙ୍କ ଏନ୍‌ପିଏ ବୃଦ୍ଧି ଜିଡିପି ହ୍ରାସ ଭଳି ଦେଶର ବିଭିନ୍ନ ସମସ୍ୟା ଯୋଗୁ ଶିଳ୍ପଗୁଡିକ ଉପରେ ଏହାର ପ୍ରଭାବ ପଡିଛି। ଅଶୋଧିତ ତୈଳ କ୍ଷେତ୍ରରେ ମାତ୍ର କିଛି ନିଯୁକ୍ତି ସୃଷ୍ଟି ହୋଇଛି। ଉଚ୍ଚ ହାରରେ ନିବେଶ ହେଉଥିବା ଶିଳ୍ପ ଗୁଡିକରେ ସ୍ଥିତି ସମାନ ରହିଛି। ଶକ୍ତି ଏବଂ କ୍ୟାପିଟାଲ ଗୁଡ୍‌ସ କ୍ଷେତ୍ର ନକାରାତ୍ମକ ସ୍ଥିତିରେ ଥିବା ବେଳେ ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି ୦.୪% ରହିଛି। ହେଲଥ କେୟାର ଅଟୋମୋବାଇଲ ନିଯୁକ୍ତି ୪.୮% ରହିଛି। ଏଫ୍‌ଏମ୍‌ସିଜି ଏବଂ ବୟନ କ୍ଷେତ୍ରରେ ଏହା ୩.୩%।

Share