ହାଜତ ହିଂସା ସମାଜ ପାଇଁ କଳଙ୍କ

ଭାଲଚନ୍ଦ୍ର ଷଡ଼ଙ୍ଗୀ

ସାରା ଦେଶ କରୋନା ମହାମାରୀ ଓ ଲକ୍‌ଡାଉନ୍‌ର ଦୋହରା ମାଡ଼କୁ ସାମ୍‌ନା କରୁଥିବା ବେଳେ ପୋଲିସ ଅତ୍ୟାଚାରର ଦୁଇଟି ଲୋମହର୍ଷଣକାରୀ ଘଟଣା ଆମକୁ ଲଜ୍ଜିତ କରିଛି। ଓଡ଼ିଶାର ବୀରମିତ୍ରପୁର ଓ ତାମିଲନାଡ଼ୁର ସାନ୍ଥାକୁଲମ୍‌ ଥାନାରେ ଘଟିଥିବା ଏହି ଦୁଇଟି ଘଟଣା ଦେଶର ଆଇନ ବ୍ୟବସ୍ଥା ନେଇ ପ୍ରଶ୍ନଚିହ୍ନ ଲଗାଇଥିବା ବେଳେ ଲକ୍‌ଡାଉନ୍‌ ଆଢ଼ୁଆଳରେ ପୋଲିସର ମାତ୍ରାଧିକତା ଓ ବର୍ବରତାକୁ ଉଜାଗର କରିଛି।
କ’ଣ ଲକ୍‌ଡାଉନ୍‌ ନିୟମର ଉଲ୍ଲଂଘନ ପାଇଁ ପୋଲିସ ଜଣକୁ ହତ୍ୟା କରିପାରେ? ଲକ୍‌ଡାଉନ୍‌ରେ ଫସି ରହି ଘରକୁ ଫେରିପାରୁ ନ ଥିବା ଜଣେ ଅସହାୟ ନାବାଳିକାକୁ ପୋଲିସ ଥାନାକୁ ନେଇ ଗଣବଳାତ୍କାର କରିପାରେ? ଗତ ମାର୍ଚ୍ଚ ୨୫ରେ ମେଳା ଦେଖିବାକୁ ଆସିଥିବା ଜଣେ ୧୩ ବର୍ଷୀୟା ନାବାଳିକା ଅପ୍ରତ୍ୟାଶିତ ଲକ୍‌ଡାଉନ୍‌ରେ ଫସି ଯାଇଥିବା ବେଳେ ତାକୁ ଉଦ୍ଧାର କରିବା ନାଁରେ ଥାନାକୁ ନେଇ ବୀରମିତ୍ରପୁର ପୋଲିସ ଆଇଆଇସି ଓ ଅନ୍ୟ ପୋଲିସ କର୍ମଚାରୀମାନେ ବାରମ୍ବାର ବଳାତ୍କାର କରିଛନ୍ତି। ପରେ ଝିଅଟି ଗର୍ଭବତୀ ହୋଇଥିବା ଜାଣି ଡାକ୍ତରଖାନାରେ ତା’ର ବଳପୂର୍ବକ ଗର୍ଭପାତ କରାଇଛନ୍ତି। ତେବେ ପରେ ଅତ୍ୟଧିକ ଯନ୍ତ୍ରଣା ଓ ରକ୍ତସ୍ରାବ ହେବାରୁ ଘଟଣାଟି ପ୍ରଘଟ ହୋଇଥିଲା ଏବଂ ଅଭିଯୁକ୍ତ ଆଇଆଇସି ଗିରଫ ହୋଇ ଚାକିରିରୁ ବରଖାସ୍ତ ହୋଇଛନ୍ତି।
ଅନ୍ୟ ଏକ ଘଟଣାରେ ତାମିଲନାଡ଼ୁର ଟୁଟିକୋରିନ୍‌ ଜିଲାର ସାନ୍ଥାକୁଲମ୍‌ଠାରେ ଜୁନ୍‌ ୧୯ରେ ଜୟରାଜ ନାମକ ଜଣେ ବ୍ୟବସାୟୀଙ୍କୁ ସ୍ଥାନୀୟ ପୋଲିସ ଲକ୍‌ଡାଉନ୍‌ ଅବଧିଠାରୁ ଅଧିକ ୧୫ ମିନିଟ୍‌ ଦୋକାନ ଖୋଲିଥିବାରୁ ଗିରଫ କରି ଥାନାକୁ ନେଇ ଅଟକାଇ ରଖିଥିଲା। ପରେ ଥାନାରେ ବାପାଙ୍କ ଖବର ଜାଣିବାକୁ ତାଙ୍କ ପୁଅ ବେନିକ୍ସ ଯିବାରୁ ତାଙ୍କୁ ବି ପୋଲିସ ଅଟକାଇ ରଖିଲା। ଦୀର୍ଘ ତିନିଦିନ କାଳ ଥାନା ହାଜତରେ ପୋଲିସ ଉଭୟ ବାପା ଓ ପୁଅଙ୍କୁ ବେଆଇନ ଭାବେ ଅଟକ ରଖି ପ୍ରବଳ ମାଡ଼ମାରିବା ସହିତ ସେମାନଙ୍କ ମଳଦ୍ୱାରରେ ଲୁହାରଡ୍‌ ଭର୍ତ୍ତିକରି ଭୟଙ୍କର ନିର୍ଯାତନା ଦେଇଥିଲା। ଅସହ୍ୟ ଯନ୍ତ୍ରଣା ଓ ରକ୍ତସ୍ରାବ ଯୋଗୁ ଶେଷରେ ବାପା ପୁଅ ଉଭୟଙ୍କର ଥାନା ହାଜତରେ ହିଁ ମୃତ୍ୟୁ ହୋଇଥିଲା।
ଟୁଟିକୋରିନ୍‌ ବା ବୀରମିତ୍ରପୁରର ଘଟଣା ଦେଶରେ ହାଜତ ନିର୍ଯାତନାର ଲମ୍ବା ତାଲିକାର ପ୍ରଥମ କିମ୍ବା ଶେଷ ଘଟଣା ନୁହେଁ। ଏହି ଘଟଣାର ପରେ ବି ଦେଶର ବିଭିନ୍ନ ସ୍ଥାନରେ ଏପରି କି ଖୋଦ ତାମିଲନାଡ଼ୁରେ ବି ହାଜତ ମୃ୍‌ତ୍ୟୁର ଖବର ସାମ୍‌ନାକୁ ଆସିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)ର ତଥ୍ୟ ଅନୁଯାୟୀ ଦେଶରେ ୨୦୧୮ ମସିହାରେ ହାଜତରେ ମୋଟ ୧୯୬୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୯ରେ ତାହା ୧୭୩୧ ରହିଛି। ହାଜତ ମୃତ୍ୟୁ ଘଟଣାଗୁଡ଼ିକର ଗତ କିଛି ବର୍ଷର ହାରାହାରି ସଂଖ୍ୟାକୁ ଦେଖିଲେ ଆମ ଦେଶରେ ଦୈନିକ ୫ଟି ହାଜତ ମୃତ୍ୟୁ ହେଉଥିବା ଜଣାପଡ଼ିଛି।
ନିକଟରେ ନିର୍ଯାତନା ବିରୋଧୀ ଜାତୀୟ ଅଭିଯାନ ପକ୍ଷରୁ ‘ଭାରତ: ନିର୍ଯାତନା ସମ୍ପର୍କରେ ବାର୍ଷିକ ରିପୋର୍ଟ’ ପ୍ରକାଶିତ ହୋଇଛି। ସେଥିରୁ ଜଣାପଡ଼ିଛି ଯେ, ୨୦୧୯ ମସିହାରେ ଦେଶରେ ହୋଇଥିବା ୧୭୩୧ଟି ହାଜତ ମୃତ୍ୟୁ ମଧ୍ୟରୁ ୧୬୦୬ ଜଣଙ୍କ ମୃତ୍ୟୁ ବିଚାର ବିଭାଗୀୟ ହାଜତରେ ହୋଇଥିବା ବେଳେ ଅବଶିଷ୍ଟ ୧୨୫ ଜଣଙ୍କ ମୃତ୍ୟୁ ପୋଲିସ ହାଜତରେ ହୋଇଛି। ପୋଲିସ ହାଜତରେ ହେଉଥିବା ମୃତ୍ୟୁରେ ଉତ୍ତରପ୍ରଦେଶ ସର୍ବାଗ୍ରେ ରହିଥିବା ବେଳେ ତା’ ପଛକୁ ତାମିଲନାଡ଼ୁ, ପଞ୍ଜାବ, ବିହାର, ମଧ୍ୟପ୍ରଦେଶ, ଗୁଜରାଟ ଆଦି ରାଜ୍ୟ ଏବଂ ସପ୍ତମ ସ୍ଥାନରେ ଓଡ଼ିଶା ରହିଛି।
ଏଞ୍ଜେଲୋ ଭେଣ୍ଡେରିସ୍କି ମାମଲାରେ ମୁମ୍ବାଇ ହାଇକୋର୍ଟ ମତ ଦେଇଥିଲେ ଯେ ହାଜତ ମୃତ୍ୟୁର ଅଧିକାଂଶ ଘଟଣାରେ ମୃତବ୍ୟକ୍ତିଟି ସମାଜର ଗରିବ ଶ୍ରେଣୀ ଏବଂ ବିଶେଷ କରି ଧାର୍ମିକ ସଂଖ୍ୟାଲଘୁ, ଆଦିବାସୀ, ଦଳିତ, ମହିଳା, ନାବାଳକ ଏବଂ ତୃତୀୟ ଲିଙ୍ଗୀମାନେ ହୋଇଥାନ୍ତି। ସେମାନଙ୍କର ରାଷ୍ଟ୍ରର ପୋଲିସ ବ୍ୟବସ୍ଥା ସମ୍ପର୍କରେ ବିଶେଷ ଜ୍ଞାନ ନ ଥାଏ ଏବଂ ଭଲ ଓକିଲର ସହାୟତା ନେବାରେ ବି ସେମାନେ ଅସମର୍ଥ ହୋଇଥାନ୍ତି। ଅନ୍ତର୍ଜାତୀୟ ସନନ୍ଦ ଯେଉଁଥିରେ ଖୋଦ୍‌ ଭାରତ ସରକାର ମଧ୍ୟ ଦସ୍ତଖତ କରିଛନ୍ତି, ସେଥିରେ ଥିବା ମାନବିକ ଓ ରାଜନୈତିକ ଅଧିକାର ମଧ୍ୟରେ ନିର୍ଯାତନା ନ ହେବାର ଅଧିକାରକୁ ବି ସାମିଲ କରାଯାଇଛି। ସମ୍ବିଧାନର ଧାରା ୨୧ ଅନ୍ତର୍ଗତ ରହିଥିବା ବଞ୍ଚିବାର ଅଧିକାରକୁ ବ୍ୟାଖ୍ୟା କରି ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଜୀବନର ଅଧିକାରର ଅର୍ଥ ପଶୁମାନଙ୍କ ପରି ବଞ୍ଚିବା ନୁହେଁ। ରାଷ୍ଟ୍ର ଦ୍ୱାରା ନିର୍ଯାତନା ବା ଆକ୍ରମଣରୁ ମୁକ୍ତ ରହିବାର ଏକ ସ୍ବତଃସ୍ଫୂର୍ତ୍ତ ଗ୍ୟାରେଣ୍ଟି ବି ଧାରା ୨୧ରେ ରହିବା ଅତ୍ୟାବଶ୍ୟକ ବୋଲି କହିଛନ୍ତି।
ଉଭୟ ପୋଲିସ ଏବଂ ବିଚାର ବିଭାଗୀୟ ହାଜତରେ ଘଟୁଥିବା ହତ୍ୟା ଓ ଅପରାଧ ଏକ ଜଘନ୍ୟ ଅପରାଧ, ଯାହା କି ଯେକୌଣସି ସଭ୍ୟ ସମାଜ ପାଇଁ କଳଙ୍କ। ଆମର ପୋଲିସ ବ୍ୟବସ୍ଥାରେ ସଂସ୍ଥାଗତ ହୋଇ ରହି ଆସିଥିବା ଏହିଭଳି ନିର୍ଯାତନାର ସଂସ୍କୃତିକୁ ବଦଳାଇବାକୁ ହେଲେ ବ୍ୟବସ୍ଥାର ଢାଞ୍ଚାଗତ ପରିବର୍ତ୍ତନର ଆବଶ୍ୟକତା ରହିଛି। ଦେଶରେ ହାଜତ ହତ୍ୟାକୁ ରୋକିବା ପାଇଁ ଅତୀତରେ ସୁପ୍ରିମ୍‌କୋର୍ଟ ଡିଜେ ବସୁଙ୍କ ମାମଲାରେ କିଛି ନିର୍ଦ୍ଦେଶାବଳୀ ଜାରି କରିଥିଲେ କିନ୍ତୁ ଆମେ ଆଜି ଯାଏ ଉପରୋକ୍ତ ନିର୍ଦ୍ଦେଶାବଳୀକୁ ଲାଗୁ କରିନାହୁଁ। ଖୋଦ୍‌ ସୁପ୍ରିମ୍‌କୋର୍ଟଙ୍କ ମତ ହେଲା ଯେ ମାନବ ଅଧିକାରର ସବୁଠାରୁ ନିକୃଷ୍ଟତମ଼ ଉଲ୍ଲଂଘନ ହାଜତରେ ପଚରାଉଚୁରା ସମୟରେ ପୋଲିସ ଦ୍ୱାରା କରାଯାଇଥାଏ। ପୋଲିସ କୌଣସି ଘଟଣାରେ ପ୍ରମାଣ ହାସଲ କରିବାକୁ ଅଥବା ସ୍ବୀକାରୋକ୍ତି ହାସଲ କରିବା ପାଇଁ ଶାରୀରିକ ନିର୍ଯାତନା ପରି ଥାର୍ଡ ଡିଗ୍ରୀ ପ୍ରକ୍ରିୟା ଲାଗୁ କରିଥାଏ। ଜଣେ ବ୍ୟକ୍ତିକୁ ଗିରଫ କରିବାର ୨୪ ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରିବା ସମ୍ପର୍କରେ ଯେଉଁ ନିୟମ କରାଯାଇଛି ତାକୁ ପ୍ରାୟତଃ ଲାଗୁ କରାଯାଉନି।
ଅଧ୍ୟୟନରୁ ଏହା ବି ଜଣାପଡ଼ିଛି ଯେ, ୨୦୧୫ରେ ହୋଇଥିବା ୯୭ ହାଜତ ମୃତ୍ୟୁ ଘଟଣାରେ ମାତ୍ର ୩୩ଟି ମାମଲାରେ ହିଁ କେସ୍‌ ଦାଏର ହୋଇଛି। ୨୬ ମାମଲାରେ ଅର୍ଥାତ୍‌ ପ୍ରାୟତଃ ଏକ ତୃତୀୟାଂଶ ମାମଲାରେ ଅଟୋପ୍‌ସି ହୋଇନାହିଁ। ପୋଲିସ ବ୍ୟବସ୍ଥା ମଧ୍ୟରେ ସଂସ୍ଥାଗତ ମାନ୍ୟତା ପାଇଥିବା ଏଭଳି ହାଜତ ନିର୍ଯାତନା ଏବଂ ହତ୍ୟା ପାଇଁ ପ୍ରାୟତଃ ଦଣ୍ଡବିଧାନ ହୋଇ ନ ଥାଏ। ଏ କ୍ଷେତ୍ରରେ ଅଭିଯୁକ୍ତ ପୋଲିସ ଅଧିକାରୀର ବିଚାରଣା ପାଇଁ ଖୋଦ୍‌ ପୋଲିସ ବିଭାଗରୁ ଆବଶ୍ୟକ ପଡ଼ୁଥିବା ଅନୁମତି ସେମାନେ ସାଧାରଣତଃ ପାଇ ନ ଥାନ୍ତି। ଏଭଳି ସ୍ଥିତି ଯୋଗୁ କେବଳ ସମ୍ପୃକ୍ତ ଅଭିଯୁକ୍ତ ଦଣ୍ଡମୁକ୍ତ ହୋଇ ନ ଥାଏ ବରଂ ଏଭଳି ନିର୍ଯାତନା କରିବା ପାଇଁ ଅନ୍ୟମାନଙ୍କୁ ଏକରକମ ପ୍ରୋତ୍ସାହିତ କରିଥାଏ। ହାଜତ ଭିତରେ କୌଣସି ବି ଅପରାଧ ଓ ନିର୍ଯାତନା ପାଇଁ ଦଣ୍ଡର ଭୟ ନ ରହିବା ଏଭଳି ଘଟଣା ବାରମ୍ବାର ଘଟିବା ପଛରେ ମୂଳ କାରଣ।
ଦେଶରେ କରୋନା ମହାମାରୀ ଭଳି ଜନସ୍ବାସ୍ଥ୍ୟଜନିତ ସମସ୍ୟାର ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ତେବେ ଲକ୍‌ଡାଉନ୍‌ ସମୟରେ ଦେଶର ବିଭିନ୍ନ ପ୍ରାନ୍ତରେ ପୋଲିସ ପକ୍ଷରୁ ଯେଉଁଭଳି ମାତ୍ରାଧିକ ହିଂସା, ମନଇଚ୍ଛା ଗିରଫଦାରି ଏବଂ ନିର୍ଯାତନାର ଘଟଣା ସବୁ ଦେଖିବାକୁ ମିଳିଛି ସେଥିରୁ ସରକାର ଏହାକୁ ଜନସ୍ବାସ୍ଥ୍ୟଜନିତ ସମସ୍ୟା ପରିବର୍ତ୍ତେ ଏକ ଆଇନ ଶୃଙ୍ଖଳାର ସମସ୍ୟା ରୂପେ ବିଚାର କରୁଥିବା ସ୍ପଷ୍ଟ ହେଉଛି। ଲୋକଙ୍କୁ ମହାମାରୀ ସମ୍ପର୍କରେ ସଚେତନ କରିବା ପରିବର୍ତ୍ତେ ବଳପ୍ରୟୋଗ କରି ରୋକିବାର ସମସ୍ତ ଉଦ୍ୟମ ସତ୍ତ୍ୱେ ଆମେ ମହାମାରୀକୁ ରୋକି ନ ପାରିବା ଉପରୋକ୍ତ ଅଭିଯୋଗକୁ ହିଁ ସ୍ପଷ୍ଟ ପ୍ରମାଣିତ କରୁଛି।
ଜୟରାଜ ଓ ବେନିକ୍ସଙ୍କ ହାଜତ ହତ୍ୟା ତଥା ବୀରମିତ୍ରପୁରର ଘଟଣା ଲକ୍‌ଡାଉନ୍‌ ସମୟରେ ପୋଲିସ ମାତ୍ରାଧିକତା ଓ ଦମନର ଚରମ ଉଦାହରଣ ବୋଲି କୁହାଯାଇପାରେ। ଏହି ଘଟଣା ଏପରି ସମୟରେ ହୋଇଛି ଯେତେବେଳେ ଆମେରିକାରେ ଜର୍ଜ ଫ୍ଲେଅଡ୍‌ ନାମକ ଜଣେ କଳା ଆମେରିକୀୟଙ୍କୁ ସେଠାକାର ପୋଲିସ୍‌ ରଙ୍ଗଭେଦୀ ଘୃଣା କାରଣରୁ ଗଳା ଉପରେ ଆଣ୍ଠୁ ମାଡ଼ି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ଏହି ଘଟଣାରେ କେବଳ ଆମେରିକା ନୁହେଁ, ବିଶ୍ୱବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସେଠାକାର ସଂସଦ ଏଭଳି ପୋଲିସ ବର୍ବରତା ରୋକିବାକୁ ନିକଟରେ ଏକ ବିଲ୍‌ ପାସ୍‌ କରିବା ସହ ପୋଲିସ ନିର୍ଯାତନାର ଏକ ଜାତୀୟ ଡାଟାବେସ୍‌ ସୃଷ୍ଟି କରିବାକୁ ସରକାରଙ୍କୁ କହିଛି। ଆମ ଦେଶରେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ସରକାରମାନେ ବହୁ ପ୍ରତୀକ୍ଷିତ ପୋଲିସ ସଂସ୍କାର ଲାଗୁ କରୁନାହାନ୍ତି। ପୋଲିସ ନିର୍ଯାତନା ରୋକିବାକୁ ୨୦୧୦ରେ ଲୋକ ସଭାରେ ଗୃହୀତ ‘ନିର୍ଯାତନାବିରୋଧୀ ଆଇନ’ ବିଲ୍‌ ଏଯାଏ ଆଇନରେ ପରିଣତ ହୋଇପାରୁନି। ଅତଏବ ଏସବୁ ଘଟଣା ପାଇଁ ବ୍ୟବସ୍ଥାକୁ ଉତ୍ତରଦାୟୀ କରାଯିବା ସହିତ ଅଭିଯୁକ୍ତଙ୍କ ତ୍ୱରିତ ବିଚାର କରି ଦୃଷ୍ଟାନ୍ତମୂଳକ ଦଣ୍ଡର ବ୍ୟବସ୍ଥା କରିବା ଦରକାର।
ମୋ: ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri