ସାମ୍ପ୍ରତିକ ସୋସିଆଲ୍‌ ମିଡିଆ

ଡ. ମୌସୁମୀ ପରିଡ଼ା

ଆମେ ଯେଉଁ ସମାଜରେ ଆଜିକାଲି ବଞ୍ଚତ୍ଛୁ ସେଠାରେ କୌଣସି କଥା ଆଉ ଗୋପନୀୟ ହୋଇ ରହିନାହିଁ। କୌଣସି ଘଟଣାର ସତ୍ୟାସତ୍ୟ ଉପରେ ପୂର୍ଣ୍ଣ ବିଶ୍ୱାସ କରିହେଉ ନାହିଁ। ସକାଳୁ ରାତିଯାଏ କୃତ୍ରିମତା ଭିତରେ ଛନ୍ଦି ହେଉଛନ୍ତି ସମସ୍ତେ। ଏହା ଏଭଳି ଏକ ପ୍ଲାଟ୍‌ଫର୍ମ ଯାହାଦ୍ୱାରା ବ୍ୟକ୍ତିର ମନକଥା ବିଜୁଳି ବେଗରେ ଜନସାଧାରଣଙ୍କ ପାଖରେ ପହଞ୍ଚତ୍ ପାରୁଛି। ସେଥିପାଇଁ ସୋସିଆଲ୍‌ ମିଡିଆ ଉପଭୋଗୀମାନେ ଜୀବନର ଅଧିକାଂଶ ଘଟଣାକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରୁଛନ୍ତି। ସାଧାରଣ ଲୋକ ସେଥିରେ ନିଜ ମତ ବ୍ୟକ୍ତକରି ଖୁସି ହେଉଛି। ମତାମତ ଦେବାର ସରଳ ପ୍ରକ୍ରିୟାଟି ଲୋକମାନଙ୍କୁ ଅଯଥା ମନ୍ତବ୍ୟ ଦେବାକୁ ଉତ୍ସାହିତ କରୁଛି ଯାହା ସଭ୍ୟ ସମାଜ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ।
ସୋସିଆଲ୍‌ ମିଡିଆର ବହୁଳ ପ୍ରଚାର ପ୍ରସାର ସମାଜକୁ ଯାନ୍ତ୍ରିକ କରିବା ସହିତ ପରସ୍ପରର ଆବଶ୍ୟକତାକୁ ଗୌଣ କରିଦେଇଛି। ବ୍ୟକ୍ତି-ଜୀବନର ଗୋପନୀୟତା ସାମାଜିକ ହେଉଛି। ପାରିବାରିକ ସମ୍ପର୍କଠାରୁ ବୈବାହିକ ସମ୍ପର୍କ ପର୍ଯ୍ୟନ୍ତ ଅନିୟନ୍ତ୍ରିତ ଘଟଣାମାନ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି। ସ୍ବାମୀ ସ୍ତ୍ରୀଙ୍କ ଅବୁଝାମଣା ଆଉ ଚାରିକାନ୍ଥରେ ସୀମାବଦ୍ଧ ହୋଇ ନାହିଁ। ପରସ୍ପର ପ୍ରତି ଆକ୍ରୋଶମୂଳକ ମନ୍ତବ୍ୟ ଦେବାକୁ କେହି କୁଣ୍ଠାବୋଧ କରୁନାହିଁ। ସାଧାରଣ ଲୋକେ ମତାମତ ଦେବାବେଳେ କୌଣସି ଫିଲ୍‌ଟର ରହୁନାହିଁ। ମନ୍ତବ୍ୟ ବ୍ୟକ୍ତିଗତ ହେଉ ବା ଅଶାଳୀନ, ସମସ୍ତେ ପଢୁଛନ୍ତି। ଅନ୍ୟକୁ ନ ଜାଣି ତା’ ବିଷୟରେ ବିଷୋଦ୍‌ଗାର କରିବା ବା ଅରୁଚିକର ମନ୍ତବ୍ୟ ଦେବା ସୋସିଆଲ୍‌ ମିଡିଆରେ କେତେ ଶୋଭନୀୟ ଯାହାକୁ କୋମଳମତି ପିଲାମାନେ ବିଭିନ୍ନ ସମୟରେ ଅନୁକରଣ କରନ୍ତି। ସେମାନେ ଏଥିରୁ କ’ଣ ଶିକ୍ଷା କରିବେ।
ବାକ୍‌ସ୍ବାଧୀନତା ଓ ବିଚାରର ଏଭଳି ଅପମାନ ସୋସିଆଲ୍‌ ମିଡିଆରେ ହୋଇଆସୁଛି ତା’ ବିପକ୍ଷରେ କାହାର ସ୍ବର ଉଠୁନାହିଁ! ଲୋକମାନେ ବ୍ୟକ୍ତିଗତ ମନ୍ତବ୍ୟ ଦ୍ୱାରା ଅନ୍ୟକୁ ଅପମାନିତ କରି ଖୁବ୍‌ ସନ୍ତୁଷ୍ଟ, ସେ ଯେ କେହି ହୁଅନ୍ତୁ ପରବାୟ ନାହିଁ! କୌଣସି ରାଜନେତା ହୁଅନ୍ତୁ କିମ୍ବା ଦେବଦେବୀ, ଫିଲ୍ମ ତାରକା ହୁଅନ୍ତୁ ବା ସାଧାରଣ ମଣିଷ; କାହାକୁ ବି ଲାଞ୍ଛିତ କରିବାକୁ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ପଛାଉନାହାନ୍ତି। ଆଜିକାଲି ପ୍ରାୟ ସମସ୍ତେ ସୋସିଆଲ୍‌ ମିଡିଆରେ ସକ୍ରିୟ। ଛଦ୍ମନାମରେ ପ୍ରୋଫାଇଲ୍‌ ବନେଇ ଅଶାଳୀନ ମନ୍ତବ୍ୟ ଦେବାର ପରିଲକ୍ଷିତ ହେଉଛି। ଅଧୁନାତନ ହେବାର ଆଗ୍ରହ ସେମାନଙ୍କୁ ଅନ୍ତର୍ଜଗତରୁ ବାହ୍ୟଜଗତ ଆଡ଼କୁ ଆକର୍ଷିତ କରିଛି।
ଏସବୁର ବହୁଳ ପ୍ରସାର ମଣିଷକୁ ଧୈର୍ଯ୍ୟହୀନ ଓ ବିଚାରଶୂନ୍ୟ କରିଦେଉଛି ଯାହାର ପ୍ରତିଫଳନ ଅଳ୍ପବହୁତେ ଅନୁଭୂତ। ସୋସିଆଲ୍‌ ମିଡିଆ ଦ୍ୱାରା ପ୍ରଚାର ପ୍ରସାର ହେଉଥିବାରୁ ଜନମତ ଦୃଷ୍ଟିରୁ ଘଟଣାର ଗୁରୁତ୍ୱ ରହିଥାଏ। ଏହାର ବ୍ୟବହାରକାରୀମାନେ ବାସ୍ତବତାକୁ ଅଣଦେଖା କରି ଆବେଗପ୍ରବଣତାରେ ଭାସିଯାଇ ମନ୍ତବ୍ୟ ରଖନ୍ତି। ଏକପାଖିଆ ମତାମତ ଭୁଲ୍‌ କଥା ଓ ଭୁଲ୍‌ ଲୋକକୁ ଉତ୍ସାହିତ କରିଥାଏ। ଅନେକ ସମୟରେ ଲୋକମାନେ ଆଇନକୁ ହାତକୁ ନେଇ ଭୁଲ୍‌କୁ ଠିକ୍‌ ପ୍ରମାଣିତ କରିବାକୁ ଭୁଲ୍‌ କରିବସନ୍ତି। ଭାବପ୍ରବଣତାରେ କୌଣସି ନ୍ୟାୟ ହୋଇପାରେନା। ଲିଙ୍ଗ, ବର୍ଣ୍ଣ, ଜାତିଭେଦ ଅନୁସାରେ ଠିକ୍‌ ଭୁଲ୍‌ର ତର୍ଜମା ହୁଏ। କାରଣ ନ୍ୟାୟ ଏସବୁର ଊର୍ଦ୍ଧ୍ୱରେ। ସବୁବେଳେ ଦୁର୍ବଳ ମନେହେଉଥିବା ବର୍ଗ ଦୁର୍ବଳ ହୋଇ ନ ଥା’ନ୍ତି। ବରଂ ଆଇନ କାନୁନ୍‌ର ଦୁରୁପଯୋଗ କରି ନିଜକୁ ଠିକ୍‌ ଓ ପ୍ରତିପକ୍ଷକୁ ଭୁଲ୍‌ ପ୍ରମାଣିତ କରିବାରେ ସଫଳ ହୁଅନ୍ତି। ଏଭଳି ଲୋକେ ସବୁକାଳେ ଛଦ୍ମବେଶୀ। ସାଧାରଣ ଜନତାଙ୍କୁ ଭକୁଆ ବନେଇ ସମ୍ବେଦନା ଯୋଗାଡିବାରେ ଏମାନେ ମାହିର।
ସେ ଯେକୌଣସି ସମସ୍ୟା ହେଉ ସୋସିଆଲ୍‌ ମିଡିଆରେ ତା’ର ଚର୍ଚ୍ଚା ସର୍ବାଧିକ। ଯଦି ସମସ୍ୟା ବିବାହଜନିତ ବା ଛାଡ଼ପତ୍ରଜନିତ ତେବେ ଲୋକେ ତା’ର ମଜା ଉଠାଇ ଅରୁଚିକର ମନ୍ତବ୍ୟ ଦେବାରେ ତିଳେମାତ୍ର କୁଣ୍ଠାବୋଧ କରନ୍ତି ନାହିଁ। ଏକାନ୍ତ ବ୍ୟକ୍ତିଗତ କଥା ପଦାରେ ପଡ଼େ। ସ୍ବାମୀ ସ୍ତ୍ରୀର ସମ୍ପର୍କକୁ ନେଇ ଅଶାଳୀନ ମନ୍ତବ୍ୟ ଦିଅନ୍ତି । ତେବେ ବି କ୍ଷାନ୍ତ ହୁଅନ୍ତିନି ନିଜ ବ୍ୟକ୍ତିଗତ କଥା ପୋଷ୍ଟ କରୁଥିବା ଆରୋପୀ ଓ ପ୍ରତ୍ୟାରୋପୀମାନେ। ଆକ୍ରୋଶମୂଳକ ଭାବେ ଜଣେ ଅନ୍ୟଜଣକର କୁତ୍ସାରଟନା କରି ଓଲଟା ନିଜେ ଅପମାନର ଶରବ୍ୟ ହୁଅନ୍ତି। କିଛି ଲୋକଙ୍କ ଦୟା, ସମ୍ବେଦନା ପାଇବାକୁ ସେମାନେ ନିଜର କ୍ଷତି କରିପକାନ୍ତି। ମାମଲା ଅଦାଲତଙ୍କ ବିଚାର ପରିସରଭୁକ୍ତ ଥିବାବେଳେ ଉଭୟପକ୍ଷ କିନ୍ତୁ ସୋସିଆଲ୍‌ ମିଡିଆରେ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରୁଥା’ନ୍ତି। ଏହାକୁ ପ୍ରଚାର ପ୍ରସାର କରି ନିଜ ଟିଆର୍‌ପି ବଢ଼ାଉଥିବା ଚ୍ୟାନେଲଗୁଡ଼ିକୁ ଭାବିବାକୁ ହେବ ଏହାଦ୍ୱାରା ସମାଜକୁ କିଭଳି ବାର୍ତ୍ତା ଯାଉଛି।
ଅନ୍ୟାୟର ପ୍ରତିବାଦ ନାମରେ ଅନ୍ୟକୁ ତଳିତଳାନ୍ତ କରିଦେଇପାରେ ସୋସିଆଲ୍‌ ମିଡିଆ। ଲୋକମାନେ ସାମୟିକ ଭାବେ ଘଟଣାର ଆମୂଳଚୂଳ ଆଲୋଚନା କରନ୍ତି, ଅନ୍ୟର ତାୱାରେ ନିଜ ରୁଟି ସେକିବା ପରି ସାମୟିକ ଖୁସି ପାଇଁ ଅଯୌକ୍ତିକ ମତଦାନ କରି ସନ୍ତୁଷ୍ଟ ହୁଅନ୍ତି। ଅନ୍ୟର ବିବଶତା ଦେଖି ନିଜକୁ କ୍ଷମତାଶାଳୀ ମନେକରେ। ସମାଜରେ ଘଟୁଥିବା ସବୁ ଘଟଣା ବିଶ୍ୱାସଯୋଗ୍ୟ ନୁହେଁ। କିଏ ଦୋଷୀ କିଏ ନିର୍ଦ୍ଦୋଷ ତାହା ଅଦାଲତଙ୍କ ବିଚାର ପରିସରଭୁକ୍ତ। ତା’ ପୂର୍ବରୁ ସୋସିଆଲ ମିଡିଆରେ ତର୍କବିତର୍କ କାହିଁକି! ସୋସିଆଲ୍‌ ମିଡିଆର ଦୁରୁପଯୋଗ ଓ ଏଥିରେ ଆସୁଥିବା ଅଶାଳୀନ ମତ ମନ୍ତବ୍ୟକୁ ରୋକାଯିବା ଉଚିତ। ବିଜ୍ଞାପନ ଦ୍ୱାରା ଯେକୌଣସି ଜିନିଷକୁ ଲୋକପ୍ରିୟ କରାଯାଇପାରିବ। କିନ୍ତୁ ତାହା ଭଲ କିମ୍ବା ଖରାପ ବ୍ୟବହାର କରୁଥିବା ଲୋକେ କିଛି ସମୟ ପରେ ଜାଣିପାରିବେ। କିଛି ଜିନିଷ, କଳା ଓ କିଛି ମଣିଷ ବିଜ୍ଞପିତ ହେବା ଜରୁରୀ କାରଣ ସମସ୍ତେ ସୋସିଆଲ୍‌ ମିଡିଆ ବ୍ୟବହାର କରନ୍ତି ନାହିଁ। କେହି କେହି ଆତ୍ମପ୍ରଚାର ଆତ୍ମପ୍ରସାର କରିପାରନ୍ତି ନାହିଁ।
ପ୍ରତିଟି ଜିନିଷର ଭଲ ଖରାପ ଦିଗ ରହିଛି। ଜୀବନର ପ୍ରତିଟି ଘଟଣା ପଡ଼ୋଶୀ କିମ୍ବା ଅଜ୍ଞାତ ଲୋକ ଜାଣିବା କେତେ ଜରୁରୀ, ମନରେ ପ୍ରଶ୍ନ ଉଠେ। ମୋବାଇଲ୍‌ ଯୋଗେ ହେଉଥିବା ପ୍ରତିଟି କଲ୍‌ ରେକର୍ଡର ଆଧାର କ’ଣ? ଏହା କ’ଣ ବ୍ୟକ୍ତି ସ୍ବାଧୀନତା ଓ ଗୋପନୀୟତାରେ ଆଞ୍ଚ ଆଣୁ ନାହିଁ? ପ୍ରତିକଥାର ଅନେକ ଖିଅ ବାହାରିପାରେ। କଥାବାର୍ତ୍ତା କାହାର ନା କାହାର ବିପକ୍ଷରେ ହୋଇପାରେ କିନ୍ତୁ ତା’ର ରେକର୍ଡିଂ ବହୁ ସମୟରେ ସମ୍ପର୍କର ତିକ୍ତତା ବଢ଼ାଇବା ଛଡା ଆଉକିଛି କରିପାରେନାହିଁ। ଅବଶ୍ୟ ଏହାର ସୁପରିଣାମ ଅଛି। ସୋସିଆଲ୍‌ ମିଡିଆର ଉପକାରିତା ଆମ ବ୍ୟକ୍ତିତ୍ୱ ଉପରେ ନିର୍ଭର କରେ।
ଏଥିରୁ ଅନୁମେୟ ଆଜିକାର ସମାଜ କେତେ ବିଶୃଙ୍ଖଳିତ! ବ୍ୟକ୍ତିସ୍ବାଧୀନତାରେ ଅଙ୍କୁଶ ନାହିଁ କିମ୍ବା ସୋସିଆଲ୍‌ ମିଡିଆରେ ଲଗାମ୍‌ ନାହିଁ। ନୀତିନିୟମ ଆଇନକାନୁନ ଲୋକମାନଙ୍କୁ ଆଗଭଳି ଭୟଭୀତ କି ପ୍ରଭାବିତ କରିପାରୁନାହିଁ। ନିଜ ସମ୍ମାନକୁ ଲୋକମାନଙ୍କ ହାତରେ ଦେଇଦେବା କେତେ ଦୂର ନ୍ୟାୟ ସଂଗତ, ଯଦିଓ ଜନସାଧାରଣ ବାସ୍ତବ ସମସ୍ୟା ଓ ବ୍ୟକ୍ତିକୁ ଠିକ୍‌ରେ ଜାଣନ୍ତି ନାହିଁ। ଏପରି ବିଶୃଙ୍ଖଳାକୁ ରୋକିବାକୁ କଠୋର ଆଇନ ପ୍ରଣୟନ କରାଯିବା ଉଚିତ।
ମୋ: ୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri