Posted inଖେଳ

ସାମିଙ୍କ ହ୍ୟାଟ୍ରିକ: ଭାରତର ସଂଘର୍ଷପୂର୍ଣ୍ଣ ବିଜୟ

ସାଉଥାମ୍ପ୍‌ଟନ,୨୩।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଭାରତ ଶନିବାର ଆଫଗାନିସ୍ତାନ ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ସ୍ଥାନୀୟ ରୋଜ୍‌ ବାଉଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୨୮ତମ ମ୍ୟାଚ୍‌ରେ ଭାରତ ୧୧ ରନ୍‌ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ମ୍ୟାଚ୍‌ର ଅନ୍ତିମ ଓଭରର ତୃତୀୟ, ଚତୁର୍ଥ ଓ ପଞ୍ଚମ ବଲ୍‌ରେ ଉଇକେଟ ନେଇ ଦ୍ରୁତ ବୋଲର ମହମ୍ମଦ ସାମି ହ୍ୟାଟ୍ରିକ୍‌ ଅର୍ଜନ କରିବା ସହ ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୮ ଉଇକେଟ ହରାଇ ୨୨୪ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ତାନ ୪୯.୫ ଓଭରରେ ୨୧୩ ରନ୍‌ କରି ଅଲଆଉଟ ହେବା ସହ ପରାସ୍ତ ହୋଇଛି। ଏଥିସହିତ ଭାରତ ୫ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ଗୋଟିଏ ବିନା ଫଳାଫଳ ସହ ୯ ପଏଣ୍ଟ ହାସଲ କରି ତାଲିକାର ତୃତୀୟ ସ୍ଥାନକୁ ଉଠିଛି। ଅନ୍ୟପଟେ ଆଫଗାନିସ୍ତାନ ୬ଟି ମ୍ୟାଚ୍‌ ଖେଳି ସବୁଥିରେ ପରାଜୟ ବରଣ କରି ପଏଣ୍ଟ ତାଲିକାରେ ଖାତା ଖୋଲି ନ ପାରି ତାଲିକାର ଅନ୍ତିମ ତଥା ଦଶମ ସ୍ଥାନରେ ରହିଛି। କଞ୍ଜୁସ ବୋଲିଂ କରି ୨ ଉଇକେଟ ଅକ୍ତିଆର କରିଥିବା ଯଶପ୍ରୀତ ବୁମ୍‌ରା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ମାମୁଲି ବ୍ୟାଟିଂ କରିଥିବା ଭାରତୀୟ ଦଳ ଏହି ମ୍ୟାଚ୍‌ରୁ ଶିକ୍ଷା ଲାଭ କରିଥିବ।
୨୨୫ ରନ୍‌ ଛୋଟିଆ ବିଜୟ ଲକ୍ଷ୍ୟର ପିଛାକରି ଆଫଗାନିସ୍ତାନ ଭଲ ଆରମ୍ଭ କରିଥିଲା। ବିଜୟ ହାସଲ ପାଇଁ ଭାରତକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ଦଳ ତରଫରୁ ମହମ୍ମଦ ନବୀ ୫୨, ରହମତ ଶାହ ୩୬, ଗୁଲବଦିନ ନାଇବ ୨୭, ନାଜିବୁଲ୍ଲା ଜଡ୍ରାନ ୨୧, ହଜରତୁଲ୍ଲା ଜାଜାଇ ୧୦, ରସିଦ ଖାଁ ୧୪ ରନ୍‌ କରି ଆଉଟ ହୋଇଥିଲେ। ନବୀ ୫୫ଟି ବଲ୍‌ର ସମ୍ମୁଖୀନ ହୋଇ ୪ ଚୌକା ଓ ଗୋଟିଏ ଛକା ସହ ୫୨ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳି ଭାରତୀୟ ଶିବିରରେ ଆତଙ୍କ ଖେଳାଇ ଦେଇଥିଲେ। ନବୀ ଆଉଟ ହେବା ଟର୍ନିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ବୋଲିଂରେ ଭାରତ ତରଫରୁ ସାମି ସର୍ବାଧିକ ୪, ଯଶପ୍ରୀତ ବୁମ୍‌ରା, ୟୁଜ୍‌ବେନ୍ଦ୍ର ଚହଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଏହି ନିଷ୍ପତ୍ତି ବୁମେରାଂ ସାବ୍ୟସ୍ତ ହୋଇଥିଲା। ଆଶା କରାଯାଉଥିଲା କି ଭାରତ ବଡ଼ ସ୍କୋର ହାସଲ କରିବ। ଭାରତର ମିଡଲ ଅର୍ଡର ସାଂଘାତିକ ଭାବେ ବିଫଳ ହୋଇଥିଲା। କିନ୍ତୁ ଆଫଗାନିସ୍ତାନ ସ୍ପିନରମାନେ ନିୟମିତ ଅନ୍ତରରେ ଉଇକେଟ ହାସଲ କରିବା ସହ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ। ଯାହାଫଳରେ ଭାରତ ବଡ଼ ସ୍କୋର ହାସଲ କରିପାରି ନ ଥିଲା। ଭାରତ ଆରମ୍ଭରୁ ଇନ୍‌ଫର୍ମ ଓପ୍‌ନର ରୋହିତ ଶର୍ମାଙ୍କୁ ହରାଇଥିଲା। ମାତ୍ର ୧ ରନ୍‌ କରିଥିବା ବେଳେ ରୋହିତ ମୁଜିବ ଉର ରହମାନଙ୍କ ବଲ୍‌ରେ କ୍ଲିନ୍‌ବୋଲ୍ଡ ହୋଇଥିଲେ। ଏହାପରେ ଦ୍ୱିତୀୟ ଉଇକେଟରେ ଅନ୍ୟତମ ଓପ୍‌ନର ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲି ୫୭ ରନ୍‌ ସଂଗ୍ରହ କରିଥିଲେ। ତେବେ ବେପରୁଆ ଭାବେ ମହମ୍ମଦ ନବୀଙ୍କ ବଲ୍‌କୁ ରିଭର୍ସ ସୁଇପ୍‌ ଖେଳି ଶର୍ଟ ଥାର୍ଡ ମ୍ୟାନ୍‌ରେ ରାହୁଲ ହଜରତୁଲ୍ଲା ଜାଜାଇଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବିଜୟ ଶଙ୍କର ୨୯ ରନ କରିଥିବା ବେଳେ ରହମତ ଶାହଙ୍କ ବଲ୍‌ରେ ସୁଇପ୍‌ କରିବାକୁ ଯାଇ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ୬୩ ବଲରୁ ୫ ଚୌକା ସହ ୬୭ ରନ୍‌ କରି କ୍ରିଜ୍‌ରେ ଜମିଆସୁଥିବା ବେଳେ କୋହଲି ନବୀଙ୍କ ବଲ୍‌ରେ ପଏଣ୍ଟ ଉପରକୁ ଖେଳିବାକୁ ଯାଇଥିଲେ। ତେବେ ଅତିରିକ୍ତ ବାଉନ୍ସ ଯୋଗୁ ସେ ପଏଣ୍ଟରେ ରହମତଙ୍କ ହାତରେ ଧରାପଡିଥିଲେ। ତୃତୀୟ ଉଇକେଟରେ କୋହଲି ଓ ଶଙ୍କର ୫୮ ରନ୍‌ ସଂଗ୍ରହ କରିଥିଲେ। କୋହଲି ଆଉଟ୍‌ ହେବା ପରେ ଭାରତ ମୁମେଣ୍ଟମ୍‌ ବା ଗତି ହରାଇଥିଲା। ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀ ମନ୍ଥର ବ୍ୟାଟିଂ କରି ୫୨ଟି ବଲ ଖେଳି ୩ଟି ଚୌକା ସହ ମାତ୍ର ୨୮ ରନ୍‌ କରିଥିବା ବେଳେ ତାରକା ସ୍ପିନର ରସିଦ ଖାଁ ବଲ୍‌ରେ ଷ୍ଟମ୍ପ ଆଉଟ ହୋଇଥିଲେ। ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ କେଦାର ଯାଦବ ବେଶ୍‌ ଲଢ଼େଇ କରିଥିଲେ ଓ ୬୮ଟି ବଲ୍‌ର ସମ୍ମୁଖୀନ ହୋଇ ୩ ଚୌକା ଓ ୧ ଛକା ସହ ୫୨ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳି ଗୁଲବଦିନ ନାଇବଙ୍କ ବଲ୍‌ରେ ବଦଳ ଖେଳାଳି ନୁର ଅଲି ଜଡ୍ରାନଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ପଞ୍ଚମ ଉଇକେଟରେ ଧୋନୀ ଓ କେଦାର ୫୭ ରନ୍‌ ସଂଗ୍ରହ କରିଥିଲେ। ତେବେ ଏହା ଯଥେଷ୍ଟ ହୋଇ ନ ଥିଲା। ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ୭, ମହମ୍ମଦ ସାମି ୧ ରନ୍‌ କରି ଆଉଟ ହୋଇଥିବା ବେଳେ କୁଲଦୀପ ଯାଦବ ଓ ଯଶପୀତ ବୁମ୍‌ରା ୧ ରନ୍‌ ଲେଖାଏ କରି ଅପରାଜିତ ରହିଥିଲେ। ଆଫଗାନିସ୍ତାନ ବୋଲରମାନେ ଦୃଷ୍ଟାନ୍ତମୂଳକ ବୋଲିଂ କରିଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ ୧୫୨ଟି ଡଟ୍‌ ବଲ୍‌ ଦେଇଥିଲେ। ଅର୍ଥାତ ୨୫.୨ ଓଭରରେ ଭାରତ କୌଣସି ରନ୍‌ ସଂଗ୍ରହ କରି ନ ଥିଲା। ଗତ ମ୍ୟାଚ୍‌ରେ ଆଫଗାନିସ୍ତାନ ଇଂଲଣ୍ଡ ବିପକ୍ଷରେ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲା ଓ ୨୫ଟି ଛକା ଦେଇଥିଲା। ମିଡଲ ଓଭରରେ ଧୋନୀ ଷ୍ଟ୍ରାଇକ୍‌ ରୋଟେଟ୍‌ କରିବାରେ ବିଫଳ ହୋଇଥିଲେ। ସବୁଠାରୁ ବଡ଼ କଥା ହେଉଛି, ଆଫଗାନିସ୍ତାନର ୩ ସ୍ପିନରଙ୍କ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନ କୌଣସି ରିସ୍କ ନେବାକୁ କୁଣ୍ଠାବୋଧ କରିଥିଲେ। ଏପରି କି ଫୁଲଟସ୍‌ ବଲ୍‌ଗୁଡିକୁ ଧୋନୀ ଓ କେଦାର ଡିଫେନ୍ସ କରିଥିବା ଦେଖାଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଏହି ମ୍ୟାଚ୍‌ ପୂର୍ବରୁ ଭାରତ ତା’ର ୩ଟି ମ୍ୟାଚ୍‌ରେ ୧୪ଟି ଉଇକେଟ ହରାଇଥିଲେ ମଧ୍ୟ ସ୍ପିନରଙ୍କୁ ଉଇକେଟ ଦେଇ ନ ଥିଲେ। ବୋଲିଂରେ ଆଫଗାନିସ୍ତାନ ତରଫରୁ ନାଇବ ଓ ନବୀ ଦୁଇଟି ଲେଖାଏ, ରହମାନ, ଅଫତାବ ଆଲମ, ରସିଦ ଓ ରହମତ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ରାସ ପାଇଛି ଟ୍ରମ୍ପଙ୍କ ଲୋକପ୍ରିୟତା; ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧ ଯୋଗୁ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଏକ ରଏଟର୍ସ/ଇପସୋସ ସର୍ଭେରୁ ଜଣାପଡିଛି ଯେ 33% ଉତ୍ତରଦାତା ଟ୍ରମ୍ପଙ୍କ…

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା…

ଭାଜପାର ନୂଆ ଦଳକୁ ଫେରିଲେ ରାମ ମାଧବ; ତାଙ୍କୁ କାହିଁକି ସୁଯୋଗ ଦିଆଗଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୮: ଭାରତୀୟ ଜନତା ପାର୍ଟି (ଭାଜପା) ଦଳର ସଭାପତି ନୀତିନ ନବିନଙ୍କ ନେତୃତ୍ୱରେ ଏକ ନୂତନ ଜାତୀୟ ଦଳ ଘୋଷଣା କରିଛି। ନୀତିନ ନବିନଙ୍କୁ ଜାତୀୟ କାର୍ଯ୍ୟକାରୀ…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ; ଘରଭଡା ଦେଲେ ପୋଲିସକୁ ତଥ୍ୟ ଦେବେ ମାଲିକ, ବାହାର ରାଜ୍ୟର ଲୋକ ଥାନାରୁ…

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୫ରୁ ଅଧିକ ଲୁଟ୍ ହୋଇଛି । ଏହି ଘଟଣାରେ କନ୍ଧମାଳ ଏସପି ବଡ଼…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri