ସମ୍ପାଦକୀୟ/ଲାଠି

ଆୟକର (ଆଇଟି) ବିଭାଗ ଦେଶରେ ଟିକସ ଆତଙ୍କରାଜ ଚଳାଇଛି ବୋଲି ବ୍ୟକ୍ତିଗତ ଟିକସଦାତା ଓ ଉଦ୍ୟୋଗ ଜଗତ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ନିକଟରେ କାଫେ କଫି ଡେ (ସିସିଡି) ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥ ଆୟକର ଅଧିକାରୀଙ୍କ ଦ୍ୱାରା ନିର୍ଯାତିତ ହେବାରୁ ଆତ୍ମହତ୍ୟା କରିଥିବା ବିଷୟ ପଦାକୁ ଆସିଥିଲା। ଟିକସଦାତାଙ୍କ ପ୍ରତି ଆଇଟି ବିଭାଗ ଅଧିକାରୀଙ୍କ ବ୍ୟବହାର ଭଲ ହେଉ ନ ଥିବାରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି। କରଦାତାଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ସେ ଆୟକର ଅଧିକାରୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଏଠାରେ ମତ ପ୍ରକାଶ ପାଉଛି ଯେ, ଏଭଳି ଦୁର୍ବ୍ୟବହାର ନୂଆ ଘଟଣା ନୁହେଁ। ସମ୍ଭବତଃ ଏବକାର ଅର୍ଥମନ୍ତ୍ରୀ ପୂର୍ବରୁ ସାଧାରଣ କରଦାତା ଭାବେ ଆୟକର ବିଭାଗର ସମ୍ମୁଖୀନ ହୋଇ ନାହାନ୍ତି। ମଧ୍ୟବିତ୍ତ ରୋଜଗାର ଗୋଷ୍ଠୀର କଳାଧନ ଉପାର୍ଜନ କରିବାର ସମ୍ଭାବନା ଅତ୍ୟନ୍ତ ସୀମିତ। ଯେତେ ସଚ୍ଚୋଟ ରହିଲେ ମଧ୍ୟ ଆୟକର ବିଭାଗର ଛନ୍ଦି ହେଉଥିବା ଆଇନ ଫଳରେ ସାଧାରଣ କରଦାତା ସବୁବେଳେ ହଇରାଣ ହୋଇଥାଆନ୍ତି। ବିଶେଷକରି ଏହି ବିଭାଗର ଆଇନକୁ ଜାଣିଶୁଣି ଜଟିଳ ରଖାଯାଇଛି ବୋଲି ଅନେକ ଟିକସଦାତା ମତ ଦିଅନ୍ତି। ଏବେ ବ୍ୟକ୍ତିଗତ ଟିକସ ଭରଣା କରିବା ପାଇଁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ସହଯୋଗ ଲୋଡ଼ିବା ଆବଶ୍ୟକ ହୋଇପଡ଼ିଲାଣି। ଅନ୍ୟପଟେ ଆମେରିକା ଭଳି ଦେଶରେ ବ୍ୟକ୍ତିଗତ ଟିକସଦାତାଙ୍କ ପାଇଁ ଆଇନକୁ ଅତି ସହଜ କରି ଦିଆଯାଇଥିବାରୁ ଯେକୌଣସି ବ୍ୟକ୍ତି ନିଜର ରିଟର୍ନ ଫାଇଲ କରିପାରୁଛନ୍ତି। ତଥାକଥିତ ‘ନୂଆ ଭାରତ’ର ପ୍ରାରମ୍ଭିକ ଲକ୍ଷଣ ଦେଖିବାକୁ ଇଚ୍ଛୁକ ଥିବା ନାଗରିକ ପ୍ରଥମେ ଟିକସ ଦେବା ବ୍ୟବସ୍ଥାର ସରଳୀକରଣ ଆଶା ରଖୁଛନ୍ତି। ଏପର୍ଯ୍ୟନ୍ତ ସେ ଦିଗରେ କେହି ଦୃଷ୍ଟି ପକାଇବାର ଉଦାହରଣ ମିଳୁନାହିଁ।
ଦେଶର ବିକାଶ ଲାଗି ଟିକସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ଯେଉଁ ଟିକସଦାତାମାନେ ଆୟକର ବିଭାଗ ନିକଟରେ ଠିକ୍‌ ସମୟରେ ଅର୍ଥ ପଇଠ କରୁଛନ୍ତି, ସେମାନଙ୍କୁ ଯେମିତି ସରକାରୀ ସ୍ତରରେ ଦୋଷୀ ଭାବେ ଗଣାଯାଉଛି। ଭାରତରେ ପ୍ରତ୍ୟେକ ନାଗରିକ କରଦାତା। ରୋଜଗାର କରୁ ନ ଥିବା ଯୁବତୀଯୁବକ ଯେତେବେଳେ କୌଣସି ଦୋକାନରୁ ହଳେ ଜିନ୍ସ କିଣୁଛନ୍ତି କିମ୍ବା ନିଜ ଦୁଇଚକିଆରେ ପେଟ୍ରୋଲ ପକାଉଛନ୍ତି, ସେତେବେଳେ ସେମାନେ ପ୍ରବଳ ମାତ୍ରାରେ ପରୋକ୍ଷ ଟିକସ ଦେଉଛନ୍ତି। ତେବେ ଆୟକର ଦେଉଥିବା ନାଗରିକ ସେମାନଙ୍କଠାରୁ ଭିନ୍ନ। ସବୁ ସାମଗ୍ରୀ ପାଇଁ ପରୋକ୍ଷ ଟିକସ ଦେବା ସହିତ ବ୍ୟକ୍ତିଗତ ଆୟକର ଦେଇଥାଆନ୍ତି। ଅର୍ଥାତ୍‌ ‘ବେଡ଼ି ଉପରେ କୋରଡ଼ା ମାଡ଼’ ଭଳି ଭାରତରେ ଏହି ଟିକସଦାତା ସବୁ ପ୍ରକାର କର ଦେବା ସହିତ ଆୟକର ମଧ୍ୟ ଦେଉଛନ୍ତି। ଏଭଳି ନାଗରିକଙ୍କ ସକାଶେ ଦେଶର ପ୍ରଶାସନରେ କୌଣସି ଭିନ୍ନ ସମ୍ମାନ ରହୁ ନାହିଁ। ଏବେ କୁହାଯାଉଛି ଯେ, ପାନ୍‌ କାର୍ଡ ଠକେଇ ହେଉଥିବାରୁ ତାହା ମୂଲ୍ୟହୀନ। ସେଥିପାଇଁ ପାନ୍‌ କାର୍ଡକୁ ଆଧାର କାର୍ଡ ସହ ସଂଯୋଗ କରିବା ବାଧ୍ୟତାମୂଳକ କରାଯାଉଛି। ଭବିଷ୍ୟତରେ ଆଧାରରେ ମଧ୍ୟ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇପାରେ। ଏହା ଏବେଠାରୁ ଅନେକ ସ୍ଥାନରେ ଜଣାପଡ଼ିଲାଣି। ଭାରତ ସରକାର ପୁନର୍ବାର ଅନେକ ହଜାର କୋଟି ଟଙ୍କା ଖର୍ଚ୍ଚ କରି ଏକ ନୂଆ କାର୍ଡ ସୃଷ୍ଟି କରିବା ଅସମ୍ଭବ ନୁହେଁ। ତାହାର ସଂଯୋଗ ପଛରେ ଧାଇଁ ନାଗରିକର ପାଞ୍ଚବର୍ଷ ବିତିଯିବ।
ଏହି ଭାରତରେ ବିଭିନ୍ନ ଉପାୟରେ ଅର୍ଥ ଠୁଳ କରୁଥିବା ନିର୍ଦ୍ଦିଷ୍ଟ ବର୍ଗ ଟିକସ ପରିଧିରେ ଆସୁ ନାହାନ୍ତି। ଏଥିପାଇଁ ତ୍ରୁଟିପୂର୍ଣ୍ଣ ଭାରତୀୟ ଟିକସ ବ୍ୟବସ୍ଥା ଦାୟୀ। ସଚ୍ଚୋଟ କରଦାତା ଉଚିତ ସମୟରେ ଟିକସ ଦେଇଦେଉଥିବାରୁ ସେମାନଙ୍କ ଉପରେ ବିଭିନ୍ନ ପ୍ରକାର ସେସ୍‌ ବସାଯାଉଛି। ଅର୍ଥାତ୍‌ ୧୫୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତବର୍ଷରେ ମାତ୍ର ୨ କୋଟି ୭୦ ଲକ୍ଷ ଲୋକ ଟିକସ ଦେଉଛନ୍ତି। ଅବଶିଷ୍ଟ ବିଭିନ୍ନ ଉପାୟରେ ରୋଜଗାର କରୁଥିଲେ ମଧ୍ୟ ସେମାନଙ୍କୁ ଟିକସ ପରିସରକୁ ଅଣାଯିବାକୁ ଚେଷ୍ଟା କରାଯାଉ ନାହିଁ। ତେଣୁ ଯେଉଁମାନେ ଟିକସ ଦେଉଛନ୍ତି, ସେମାନଙ୍କଠାରୁ ଅଧିକ ଶୋଷିବାର ନୀତି ସର୍ବଦା କାର୍ଯ୍ୟ କରୁଛି। ଫଳରେ କେତେକେ ଟିକସ ଫାଙ୍କିବାର କୌଶଳ ଆପଣାଇବାକୁ ବାଧ୍ୟ ହେଉଛନ୍ତି। ଆୟକର ଅଧିକାରୀମାନେ ଯେତେବେଳେ କୌଣସି ଟିକସଦାତାଙ୍କ ରିଟର୍ନ ଫାଇଲ୍‌ରେ ତ୍ରୁଟି ଥିବା ଅନୁଭବ କରୁଛନ୍ତି, ସେତେବେଳେ ସେମାନଙ୍କ ଉପରେ ପର୍ଯ୍ୟାପ୍ତ ଜରିମାନା ଭିଡ଼ି ଦେଉଛନ୍ତି। ନିକଟ ଅତୀତରେ ଅର୍ଥ ମନ୍ତ୍ରଣାଳୟ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ, ଦୁର୍ନୀତିରେ ଜଡ଼ିତ ଥିବା ଆୟକର ବିଭାଗର ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିଦେଇଥିଲେ। ଏଥିରୁ ବୁଝିବାକୁ ହେବ ଯେ, ଆୟକର ବିଭାଗରେ କାର୍ଯ୍ୟରତ ଅଧିକାରୀଙ୍କ ହାତରେ ଟିକସ ଆଦାୟର ରଜ୍ଜୁ ରହିଯାଇଥିବାରୁ ସେମାନଙ୍କ ମଧ୍ୟରୁ କେତେ ଜଣ ଏହାର ଅପବ୍ୟବହାର କରୁଥିବା ଭଳି ମନେହେଉଛି। ତେଣୁ ଟିକସଦାତାଙ୍କୁ କୌଣସି ପ୍ରକାରେ ହଇରାଣ ନ କରି ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ପ୍ରୋତ୍ସାହନ ପ୍ରଦାନ କରାଗଲେ ଆୟକର ବିଭାଗ ପ୍ରତି ଥିବା ଭୟ ଦୂର ହୋଇପାରନ୍ତା। କିନ୍ତୁ ଏବେ ନୂଆ ଭାରତରେ କୌଣସି ସ୍ଥାନରେ ଭୟକୁ ଦୂର କରିବା ପରିବର୍ତ୍ତେ ଅଧିକ ଭୀତି ସଞ୍ଚାର କରାଯାଉଛି।
ଅର୍ଥ ମନ୍ତ୍ରଣାଳୟ ଡେରିରେ ହେଉ ପଛେ ଟିକସଦାତାଙ୍କ ଅସୁବିଧା ବୁଝି ଉପରଲିଖିତ ନିର୍ଦ୍ଦେଶ ଦେବା ଏକ ସକାରାତ୍ମକ ଦିଗକୁ ସୂଚାଇଛି। ଦେଶର ଧନ ସୃଷ୍ଟିକାରୀଙ୍କୁ ନାଲିଆଖି ନ ଦେଖାଇ ସେମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କଲେ ସୁଫଳ ମିଳିବ ବୋଲି ହୃଦ୍‌ବୋଧ ହେଉଛି। ହେଲେ ସରକାରଙ୍କ ଏଭଳି ଉପଦେଶ କେତେଦୂର ପାଳନ କରାଯାଉଛି, ତାହା ଠିକ୍‌ ଭାବେ ତଦାରଖ କରାଯିବା କଥା। ଆୟକର ବିଭାଗ ଅଧିକାରୀଙ୍କ ମନୋଭାବରେ ପରିବର୍ତ୍ତନ ହେଲେ ଟିକସଦାତାମାନେ ସ୍ବତଃପ୍ରବୃତ୍ତ ନିଜ ଆୟର ଉଚିତ ବିବରଣୀ ପ୍ରଦାନ କରିବାକୁ ଆଗେଇ ଆସିବେ। କିନ୍ତୁ ଏହି ବିଭାଗୀୟ କର୍ମଚାରୀଙ୍କ ମନୋଭାବ ସହଜରେ ପରିବର୍ତ୍ତନ ହୋଇପାରିବ ବୋଲି ବିଶ୍ୱାସ ହେଉନାହିଁ। ଅନେକ କାଳ ଧରି କରଦାତାଙ୍କ ଉପରେ ଦାଉ ସାଜି ଆସିଥିବା ଆଇଟି ବିଭାଗ ନିଜ ଡିଏନ୍‌ଏ ବଦଳାଇପାରିବ ନାହିଁ। ସେଥିପାଇଁ ଆଇନକୁ ପରିବର୍ତ୍ତନ କରି ବିଭାଗୀୟ ସରକାରୀ କର୍ମଚାରୀଙ୍କ କ୍ଷମତା ହ୍ରାସ କରାଯାଇପାରିଲେ, ସମସ୍ୟାର କିଛି ସମାଧାନ ଆସିପାରେ। ମାତ୍ର ଆଜି ଗଢ଼ା ଯାଉଥିବା ନୂଆ ଭାରତ ପାଇଁ ଏହି ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ସାଜିଛି, ଯଦ୍ଦ୍ବାରା ନିରୀହ ଜନସାଧାରଣଙ୍କୁ ସାବାଡ଼ କରି ରଖିହେବ। ସରକାରଙ୍କ ଏହା ହେଉଛି ଶକ୍ତିଶାଳୀ ଲାଠି।


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri