ସମ୍ପାଦକୀୟ/ପ୍ଲାଷ୍ଟିକ୍‌ ଯୁଗ

ଜଳବାୟୁ ପରିବର୍ତ୍ତନ ବିଶ୍ୱ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ନକାରାତ୍ମକ ପ୍ରଭାବ ଅନୁଭୂତ ହେଲାଣି। ଏହାର ସଦ୍ୟ ପ୍ରମାଣ ସେପ୍ଟେମ୍ବରରେ ଦେଖିବାକୁ ମିଳିଛି। ଉକ୍ତ ମାସରେ ଭାରତରେ ଯେତେ ପରିମାଣର ବର୍ଷା ହୋଇଯାଇଛି, ତାହା ୧୦୨ ବର୍ଷର ବର୍ଷାଠାରୁ ଅଧିକ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଚଳିତବର୍ଷ ମୌସୁମୀ ବିଳମ୍ବରେ ଆସି ଜୁନ୍‌ରେ ୩୩ ପ୍ରତିଶତ ନିଅଣ୍ଟିଆ ବର୍ଷା କରିଥିଲା। ହେଲେ ଅଗଷ୍ଟ-ସେପ୍ଟେମ୍ବରରେ ପ୍ରବଳ ବର୍ଷା ହୋଇ ଦେଶର ବିଭିନ୍ନ ଭାଗରେ ବ୍ୟାପକ କ୍ଷୟକ୍ଷତି କରିଛି । ଏପରି କି ମୌସୁମୀ ଆହୁରି ୪ ବା ୫ ଦିନ ଭିତରେ ଫେରିବାର ସଂକେତ ଦେଉନାହିଁ। ଋତୁଚକ୍ରରେ ଏଭଳି ଅନିୟମିତତାର ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ। ଯେତେବେଳେ ପ୍ରକୃତିର ନିୟମିତ ଚକ୍ର ବିଗିଡ଼ିଯିବ, ସେତେବେଳେ ପ୍ରାଣିଜଗତର ଜୀବନଧାରଣରେ ଘୋର ଅସଙ୍ଗତି ଦେଖାଦେବା ସ୍ବାଭାବିକ। ଏହି ବିଷୟକୁ ସମସ୍ତେ ହୃଦୟଙ୍ଗମ କରୁଥିଲେ ମଧ୍ୟ ଅନେକେ ଚେତୁ ନାହାନ୍ତି। ନିକଟରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ବିଶ୍ୱ ନେତାଗଣ ଏହି ପ୍ରସଙ୍ଗ ଉଠାଇଥିଲେ। କିନ୍ତୁ ସ୍ବିଡେନ୍‌ର ୧୬ ବର୍ଷୀୟା ବାଳିକା ଗ୍ରେଟା ଥନବର୍ଗଙ୍କ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଦେଇଥିବା ଭାଷଣ ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ଏହି ପ୍ରସଙ୍ଗ ନେଇ ପୃଥିବୀର ଅନେକ ନେତା ବ୍ୟସ୍ତତା ଦର୍ଶାଉଥିଲେ ମଧ୍ୟ ବାସ୍ତବରେ ସେଭଳି ପଦକ୍ଷେପ ନେଉନାହାନ୍ତି। ସେଥିପାଇଁ ସେ ଆବେଗଭରା କଣ୍ଠରେ କହିଥିଲେ-ଆପଣମାନେ କେବଳ ଫାଙ୍କା ଶବ୍ଦ ଜରିଆରେ ଆମ ଶୈଶବକୁ ଚୋରାଇ ନେଉଛନ୍ତି। ଏହା କରିବା ଲାଗି ଆପଣମାନଙ୍କ ଆସ୍ପର୍ଦ୍ଧା କେମିତି ହେଲା ବୋଲି ଗ୍ରେଟା ପ୍ରଶ୍ନ କରିଥିଲେ। ଗ୍ରେଟାଙ୍କ ଉଦ୍‌ବେଗକୁ କେବଳ ନେତାମାନେ ନୁହନ୍ତି, ବିଶ୍ୱବାସୀ ହୃଦୟଙ୍ଗମ କରିବା ଦରକାର।
ସବୁଜ ଗୃହ ବାଷ୍ପ, ଅତ୍ୟଧିକ ଅଙ୍ଗାରକାମ୍ଳ ଓ କ୍ଲୋରୋଫ୍ଲୋରୋ କାର୍ବନ ନିର୍ଗମନ ଯୋଗୁ ବାୟୁମଣ୍ଡଳ ବିଷାକ୍ତ ହେଉଛି ବୋଲି ସାଧାରଣରେ କୁହାଯାଉଛି। ଏଥିପାଇଁ ଗାଡ଼ିମୋଟର ଧୂଆଁ, କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଓ ବାଷ୍ପକୁ ବେଶି ଦାୟୀ କରାଯାଉଛି। ସେହିପରି ଅତ୍ୟଧିକ ପ୍ଲାଷ୍ଟିକ୍‌ ବ୍ୟବହାର ଯୋଗୁ ଭୂପୃଷ୍ଠ ଓ ସମୁଦ୍ର ଭାରାକ୍ରାନ୍ତ। ଏପରି କି ବୈଜ୍ଞାନିକମାନେ କହୁଛନ୍ତି ଯେ, ପୃଥିବୀର ଇତିହାସ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦାର୍ଥର ନାମରେ ନାମିତ ହୋଇଥିଲା। ଯଥା-ପ୍ରସ୍ତର ଯୁଗ, ଲୌହ ଯୁଗ, ତାମ୍ର ଯୁଗ ଭଳି ଆଜିର ସମୟ ଭବିଷ୍ୟତରେ ପ୍ଲାଷ୍ଟିକ୍‌ ଯୁଗ ଭାବେ ପରିଚିତ ହେବ। କାରଣ ଆଗାମୀ ସମୟରେ ଗବେଷକମାନେ ଯେତେବେଳେ ଆଜିର ଯୁଗ ସମ୍ପର୍କରେ ଅନୁଧ୍ୟାନ କରିବେ ସବୁ ଜୀବାଶ୍ମ (ଫସିଲ୍‌)ରେ ପ୍ଲାଷ୍ଟିକ୍‌ର ଆତ୍ମା ମିଳିବ। ବୈଜ୍ଞାନିକମାନଙ୍କ ଭବଷ୍ୟବାଣୀକୁ ଧ୍ୟାନ ଦେଲେ ମନେହେଉଛି ଯେ, ଆମ ସମସ୍ତଙ୍କ ଆତ୍ମାରେ ଦୈବୀ ଶକ୍ତିକୁ ହଟାଇ ପ୍ଲାଷ୍ଟିକ୍‌ ଶକ୍ତି ପ୍ରବେଶ କରିସାରିଲାଣି। ଜଳଜୀବଙ୍କ ପେଟରେ ପ୍ଲାଷ୍ଟିକ୍‌ ପଶି ସେମାନଙ୍କ ଜୀବନ ନେଲାଣି। ସେହିପରି ତାପମାତ୍ରା ବୃଦ୍ଧି ଯୋଗୁ ବରଫମଣ୍ଡଳ ତରଳିଯାଇ ସମୁଦ୍ରରେ ମିଶିବାରୁ ସାଗର ତା’ର ଲୁଣିଆ ଅଂଶ କ୍ରମଶଃ ହରାଇ ବସୁଛି। ୨୯ ସେପ୍ଟେମ୍ବରରେ ଆମେରିକାରେ ଅସ୍ବାଭାବିକ ବରଫଝଡ଼ ଯୋଗୁ କାଲିଫର୍ନିଆ, ଓ୍ବାଶିଂଟନ୍‌, ମୋନ୍‌ଟାନା, ନେଭାଡା ଆଦି ଅଞ୍ଚଳ ୩ ଫୁଟ ଉଚ୍ଚ ବରଫରେ ଆବୃତ ହୋଇଯାଇଛି। ଜଳବାୟୁ ପରିବର୍ତ୍ତନର କୁପ୍ରଭାବ କିଭଳି ରହୁଛି ଏହା ତା’ର ସଦ୍ୟ ଦୃଷ୍ଟାନ୍ତ। ଏସବୁ ବ୍ୟତୀତ ଦୁନିଆରେ ଅନେକ ପ୍ରକାରର ପ୍ରଦୂଷଣ ଘଟୁଛି, ଯାହା ବିଷୟରେ ମଣିଷ ଅବଗତ ହୋଇପାରୁ ନାହିଁ କିମ୍ବା ବିଶେଷ ଆଲୋଚନା କରାଯାଉ ନାହିଁ। ଏଭଳି ପରିପ୍ରେକ୍ଷୀରେ ଫ୍ରାନ୍ସର ଦୃଷ୍ଟାନ୍ତ ଦିଆଯାଇପାରେ। ଖାଦ୍ୟ ନଷ୍ଟ ଓ ତାହାକୁ ବାହାରେ ଫିଙ୍ଗି ଦିଆଯିବା କାରଣରୁ ପରିବେଶ ପ୍ରଦୂଷଣ ହେଉଥିବା ବିଷୟକୁ ଫ୍ରାନ୍ସ ଗୁରୁତ୍ୱ ଦେଉଛି। ୨୦୧୨ରୁ ଫ୍ରାନ୍ସ ଖାଦ୍ୟନୀତି କାର୍ଯ୍ୟକାରୀ କରିଆସୁଛି। ଏବେ ଏହାକୁ ଜନଆନ୍ଦୋଳନରେ ପରିଣତ କରିପାରିଥିବାରୁ ଫ୍ରାନ୍ସ ଏହି ଧରଣର ପ୍ରଦୂଷଣକୁ ରୋକିବାରେ ବେଶ୍‌ ସହାୟକ ହୋଇଛି। ଫ୍ରାନ୍ସ ତୁଳନାରେ ଭାରତର ଜନସଂଖ୍ୟା ୧୯ ଗୁଣାରୁ ଅଧିକ। ସେହି ଦୃଷ୍ଟିରୁ ଦେଖିଲେ ଏଠାରେ ଖାଦ୍ୟ ନଷ୍ଟର ପରିମାଣ ସର୍ବାଧିକ। ଦେଖାଯାଏ, ବିବାହ ବ୍ରତଠାରୁ ଆରମ୍ଭ କରି ଅନେକ ସାମାଜିକ କାର୍ଯ୍ୟରେ ଭାରତୀୟମାନେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିଥାଆନ୍ତି। ଫଳରେ ଅଧିକାଂଶ ସମୟରେ ଖାଦ୍ୟ ବଳକା ରହିଯାଇଥାଏ। ଏହି ବଳକା ଖାଦ୍ୟକୁ ବାହାରେ ଫୋପାଡ଼ି ଦିଆଯାଉଥିବାର ଦୃଶ୍ୟ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳେ। ବାହାରେ ମଳତ୍ୟାଗ କଲେ ଯେପରି ଏହା ପରିବେଶକୁ ଦୂଷିତ କରିଦିଏ, ଠିକ୍‌ ସେହିପରି ଖାଦ୍ୟଗୁଡ଼ିକ ବାହାରେ ଦୀର୍ଘ ସମୟ ପଡ଼ିରହିବା ପରେ ତାହା ପଚିଶଢ଼ି ଯାଏ। ଏଣୁ ସେଥିରୁ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହୋଇଥାଏ। ଏହିଭଳି ଅନେକ କାରଣରୁ ପରିବେଶ ପ୍ରଦୂଷଣ ହେଉଛି ଓ ତାହା ଜଳବାୟୁ ପରିବର୍ତ୍ତନରେ ଦାୟୀ ହେଉଛି।
ଆଜିର ପରିବର୍ତ୍ତିତ ସମୟରେ ମଣିଷର କାର୍ଯ୍ୟ ଓ ଚିନ୍ତାଧାରା ଧରିତ୍ରୀର ତାପମାତ୍ରାକୁ ସନ୍ତୁଳନ କରି ନ ରଖିଲେ ଜଳବାୟୁ ପରିବର୍ତ୍ତନ ସବୁକିଛି ବିଗାଡ଼ି ଦେବ। ପୃଥିବୀର ତାପମାତ୍ରା ଏହା ମଧ୍ୟକୁ ପ୍ରବେଶ କରୁଥିବା ଶକ୍ତି ଓ ଗ୍ରହରୁ ନିଃଶେଷ ହେଉଥିବା ଶକ୍ତି ମଧ୍ୟରେ ସମତୁଲତା ରକ୍ଷା କରିଥାଏ। ସୂର୍ଯ୍ୟଙ୍କଠାରୁ ଆସୁଥିବା ରଶ୍ମି ଧରଣୀ ଧାରଣ କଲେ ଏହା ଉତ୍ତପ୍ତ ହୋଇଥାଏ। କିନ୍ତୁ ଯେତେବେଳେ ସୂର୍ଯ୍ୟ ରଶ୍ମି ମହାକାଶକୁ ପ୍ରତିଫଳିତ ହୁଏ, ପୃଥିବୀ ଗରମ ହେବାରୁ ଦୂରେଇ ରହେ। ଅର୍ଥାତ୍‌ ବିଶୋଷିତ ଶକ୍ତି ବା ଆବ୍‌ଜର୍ବଡ ଏନର୍ଜି ମହାକାଶକୁ ଫେରିଗଲେ ପୃଥିବୀ ଥଣ୍ଡା ପଡ଼େ। ବିଜ୍ଞାନର ଏହି ନିୟମ ବର୍ତ୍ତମାନ ବିଗିଡ଼ିବାରେ ଲାଗିଛି। ପ୍ରାକୃତିକ ହେଉ ବା ମନୁଷ୍ୟକୃତ କାରଣ ଯୋଗୁ ଧରିତ୍ରୀ ଉତ୍ତପ୍ତ ରହୁଥିବାରୁ ଏବେ ବିଶ୍ୱବାସୀ ଜୀବନର ପ୍ରତି କ୍ଷେତ୍ରରେ ସକାରାତ୍ମକ ପଦକ୍ଷେପ ନେବା ଜରୁରୀ। ନ ହେଲେ ସମସ୍ତଙ୍କୁ ଅସହ୍ୟ ଯନ୍ତ୍ରଣା ଭୋଗ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri