ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ମାତ୍ର ୨୬ ଦିନ ପରେ ସୋନାରପୁରଠାରେ ତୃଣମୂଳ କଂଗ୍ରେସ(ଟିଏମ୍ସି)ର ନଂ.୨ କୁହାଯାଉଥିବା ୩ ଥରର ଏମ୍ପି ତଥା ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଉତ୍ତ୍ୟକ୍ତ ଜନତା ତାଙ୍କ କଲାର ଧରି ମୋଟର ସାଇକେଲରୁ ଝିଙ୍କି ଆଣି ମାଡ଼ମାରିବା ଦୃଶ୍ୟ ୩୦ ମେ’ରେ ଜାତୀୟ ସ୍ତରରେ ଅନ୍ୟତମ ମୁଖ୍ୟ ଖବର ଥିଲା। ତାଙ୍କ ଉପରକୁ ଅଣ୍ଡା, ଚପଲମାଡ଼ ସହ ଶାର୍ଟ ଚିରି ଚଷମାକୁ ଲୋକେ ଭାଙ୍ଗି ଦେଇଥିଲେ। ଜଣେ ସମର୍ଥକ କ୍ରିକେଟ ହେଲମେଟ୍ ଦେଇ ନ ଥିଲେ ତାଙ୍କ ମୁଣ୍ଡ ରହି ନ ଥାଆନ୍ତା। ସେହିଭଳି ୩୧ ମେ’ରେ ଆଉ ଜଣେ ପୁରୁଖା ନେତା ତଥା ଲୋକ ସଭା ସଦସ୍ୟ କଲ୍ୟାଣ ବାନାର୍ଜୀ ମଧ୍ୟ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଛନ୍ତି। ସୂଚନା ଦିଆଯାଇପାରେ ଯେ, ନିର୍ବାଚନ ପରବର୍ତ୍ତୀ ହିଂସାରେ ମୃତ ଦଳୀୟ କର୍ମୀ ସଞ୍ଜୁ କର୍ମକାରଙ୍କ ପରିବାରବର୍ଗଙ୍କୁ ଭେଟିବା ଲାଗି ଅଭିଷେକ ଦକ୍ଷିଣ ୨୪-ପ୍ରଗଣାର ରାଜପୁର-ସୋନାରପୁର ଅଞ୍ଚଳକୁ ଯାଇଥିଲେ। କର୍ମକାରଙ୍କ ଘରକୁ ଯିବା ଲାଗି ଏକ ସଂକୀର୍ଣ୍ଣ ଗଳି ଥିବାରୁ ଅଭିଷେକ ଜଣେ ସମର୍ଥକଙ୍କ ମୋଟର ସାଇକେଲର ଆରୋହୀ ପାଲଟିଥିଲେ। ଟେଲିଭିଜନ ଚ୍ୟାନେଲରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ କିଛି ଲୋକ ତାଙ୍କୁ ‘ଚୋର ଚୋର’ କହି ଚିଲ୍ଲାଇଛନ୍ତି। ୨୭ ଦିନ ପୂର୍ବରୁ ଅଭିଷେକ ଭାବି ନ ଥିବେ ଯେ, ତାଙ୍କ ଭଳି କ୍ଷମତାଶାଳୀ ନେତାଙ୍କୁ ଜନତାଙ୍କ ମାଡ଼ଗାଳି ଓ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିବ। କେତେକେ କହିବା ଆରମ୍ଭ କରିଛନ୍ତି ଯେ, ବେଙ୍ଗଲ ନିର୍ବାଚନ ଫଳାଫଳ ୪ ମେ’ ନୁହେଁ; ବରଂ ୩୦ ମେ’ ୨୦୨୬ରେ ପ୍ରକାଶ ପାଇଛି। ଅର୍ଥାତ୍ ଅଭିଷେକ ଓ ଟିଏମ୍ସି ଉପରେ ଆକ୍ରମଣ ପଶ୍ଚିମବଙ୍ଗ ରାଜନୀତିର ନିର୍ବାଚନ ପରର ଗତାନୁଗତିକ ହିଂସାର ଏକ ନୂଆ ରୂପ। ଗୁଣ୍ଡାଶ୍ରେଣୀୟ ରାଜନୈତିକ କର୍ମୀ କେବେ ହେଲେ ବିରୋଧୀ ଦଳରେ ପ୍ରାୟତଃ ଦେଖିବାକୁ ମିଳନ୍ତି ନାହିଁ। ସାଧାରଣରେ ପୋଲିସର ସୁରକ୍ଷା ଏବଂ ବିପୁଳ ଅର୍ଥ ପାଇବାକୁ ହେଲେ କ୍ଷମତାସୀନ ଦଳ ସହିତ ରହିବାକୁ ହୋଇଥାଏ।
ପଶ୍ଚିମବଙ୍ଗରେ ପୂର୍ବରୁ ଏହିଭଳି ହିଂସା ଘଟାଉଥିବା କର୍ମୀ ଅଧିକାଂଶ ବାମପନ୍ଥୀ ଦଳରେ ଥିଲେ ବୋଲି ଜଣାଥିଲା। ସେହିମାନେ ମମତା ବାନାର୍ଜୀଙ୍କ ଉପରେ ମଧ୍ୟ ଅନେକଥର ଆକ୍ରମଣ କରିଥିଲେ। ତୃଣମୂଳ କଂଗ୍ରେସ କ୍ଷମତାସୀନ ହେବା ପରେ ସେଭଳି ଗୁଣ୍ଡାମାନେ ବାମପନ୍ଥୀ ସମର୍ଥକଙ୍କୁ ଖୋଜି ଖୋଜି ମାରିଥିଲେ ଏବଂ ମମତାଙ୍କ ସହିତ ସୁରୁଖୁରୁରେ ମିଶିଯାଇଥିଲେ। ଏବେ ମମତାଙ୍କ ପତନ ଘଟିବା ପରେ ସେହିଭଳି ଅରାଜକତାକୁ ସମର୍ଥନ କରୁଥିବା ରାଜନୈତିକ କର୍ମୀ ସ୍ବାଭାବିକ ଭାବେ ନୂଆ ଶାସକ ଦଳରେ ମିଶିବାକୁ ବ୍ୟାକୁଳ ହେଉଥିବେ। ବଡ଼ ନେତାଙ୍କୁ ପିଟି ପାରିଲେ ଦଳବଦଳ କରିବା ପାଇଁ ପାସପୋର୍ଟ ମିଳିଯାଏ। ଅର୍ଥାତ୍ ସେହିଭଳି ହିଂସାତ୍ମକ ଚରିତ୍ର ପୋଷଣ କରୁଥିବା ପୂର୍ବରୁ ତୃଣମୂଳରେ ଥିବା କର୍ମୀ ଏବେ ଶାସକ ଭାଜପାରେ ମିଶିଯାଉଥିବେ। ବ୍ୟକ୍ତିବିଶେଷଙ୍କୁ ଆଧାର କରି ଗଢ଼ି ଉଠିଥିବା ଆଞ୍ଚଳିକ ଦଳକୁ ପୂର୍ବରୁ କଂଗ୍ରେସ ହରାଇ ଦେଉଥିଲା। ସେହିଭଳି ଏବେ ବିଜୁ ଜନତା ଦଳ, ଶିବସେନା ଏବଂ ତୃଣମୂଳ କଂଗ୍ରେସ ଭଳି ଦଳକୁ ଭାଜପା ହରାଇଦେଇପାରୁଛି। ଊଦାହରଣ ସ୍ବରୂପ, ଓଡ଼ିଶାରେ କଂଗ୍ରେସ ବିଶେଷକରି ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୧୪ ବର୍ଷର କୁଶାସନରେ ଅତିଷ୍ଠ ହୋଇପଡ଼ିଥିବା ରାଜ୍ୟବାସୀ ଆଞ୍ଚଳିକ ଦଳ ବିଜୁ ଜନତା ଦଳ (ବିଜେଡି)କୁ ୨୦୦୦ ମସିହାରେ କ୍ଷମତାକୁ ଆଣିଥିଲେ। ୨୪ ବର୍ଷର ଶାସନ ସେହି ‘ଦୀର୍ଘ ଶାସନ କାଳ’ର ଗତିକୁ ସୂଚାଇଛି। ସମଗ୍ର ଶାସନର ପ୍ରଥମାର୍ଦ୍ଧରୁ ଊର୍ଦ୍ଧ୍ୱ ସମୟ ଯାଏ ବିଜେଡି ଶାସନ ପ୍ରତି ଜନସାଧାରଣ ଆକର୍ଷିତ ହୋଇଥିଲେ। ହେଲେ ଶେଷ ଆଡ଼କୁ ରାଜନୈତିକ ଆଭିମୁଖ୍ୟ ପରିବର୍ତ୍ତେ ଦଳ ଯେତେବେଳେ ନେତାଙ୍କଠୁ ଦୂରେଇଗଲା ସେତେବେଳେ ବିଜେଡିର ପତନ ହେଲା। ସେହିଭଳି ଭାବେ ମମତା ବାନାର୍ଜୀଙ୍କ ୧୫ ବର୍ଷ ଶାସନକୁ ଦେଖିଲେ ଶେଷ ୫ ବର୍ଷରେ ହିଂସା, ଦୁର୍ନୀତି ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ପୂରାଇ ଭୋଟବ୍ୟାଙ୍କ ସୃଷ୍ଟିକରିବା ଉଦ୍ୟମରେ ଭାଜପା ରଣନୀତି ତାଙ୍କୁ ବଳେଇଗଲା। ଭୋଟର ତାଲିକାରେ ସ୍ବତନ୍ତ୍ର ସଘନ ସଂଶୋଧନ( ଏସ୍ଆଇଆର୍) ମାଧ୍ୟମରେ ଜ୍ଞାନେଶ କୁମାରଙ୍କ କୌଶଳ ଏବଂ ବିପୁଳ ଅର୍ଥ ପରିବର୍ତ୍ତନ ଆଣିଦେଇପାରିଲା ବୋଲି ସମଗ୍ର ଦେଶ ଦେଖିଲା।
ଏହି ଦୁଇଟି ରାଜ୍ୟର ଉଦାହରଣ ଦର୍ଶାଉଛି ଯେ, ଓଡ଼ିଶା ଭଳି ପାଦଚଟା କିମ୍ବା ପଶ୍ଚିମବଙ୍ଗ ଭଳି ସବୁକଥାରେ ବିରୋଧ ରାଜନୀତି ଉଭୟ ରାଜ୍ୟର ଆଞ୍ଚଳିକ ଦଳକୁ ପରାଜୟ ଚଖେଇ ଭବିଷ୍ୟତ ପାଇଁ ଦୁର୍ବଳ କରିଦେଲା। ସାଧାରଣତଃ ଜନସାଧାରଣଙ୍କ ସମର୍ଥନ ସେତିକିବେଳେ ରହିବ, ଯେତେବେଳେ ଆଞ୍ଚଳିକ ଦଳର ଆଭିମୁଖ୍ୟ ନିଜ ରାଜ୍ୟବାସୀଙ୍କ ହିତ ପାଇଁ ଉଦ୍ଦିଷ୍ଟ ଥିବ। ଏହି କଥାକୁ ଭୁଲିଯାଇ ନେତାମାନେ ନିଜର ସ୍ବାର୍ଥ ଓ ଅଂହଭାବରେ ପାଗଳ ଭଳି ହୋଇଯାଆନ୍ତି। ଉଭୟ ରାଜ୍ୟର ନେତା ଭାବିଲେ ସେମାନେ ବୋଧିସତ୍ତ୍ୱ ବା ଉଚ୍ଚସ୍ତରରେ ପହଞ୍ଚିଗଲେଣି, ଯେଉଁ ମେଣ୍ଢା ବା ଛେଳିକୁ ବସାଇଦେବେ ସେହି ପଶୁ ଜନସାଧାରଣଙ୍କୁ ଗୋଠକରି ଭିଡ଼ିନେବ। ଉଭୟ ସେଥିପାଇଁ ମାଡ଼ ଖାଇଗଲେ। ତାଙ୍କ ସହିତ ରହି ସବୁ ପ୍ରକାର ସୁବିଧା ସୁଯୋଗ ଶୋଷଣ କରିଥିବା ନେତା ଓ କର୍ମୀ ଏବେ ବାଡ଼ ଡେଇଁବା ପାଇଁ ଚେଷ୍ଟା କରିବା ସ୍ବାଭାବିକ। ଏହିଭଳି ବାଡ଼ଡିଆଁ ‘ଦଳବଦ୍ଲୁ’ମାନଙ୍କୁ ସବୁଦଳରେ ସ୍ବାଗତ କରାଯାଉଛି ବୋଲି ଭାରତବର୍ଷର କୌଣସି ରାଜନୈତିକ ଚିନ୍ତାଧାରାର ଉନ୍ନତି ଘଟିପାରୁନାହିଁ।

