ଶ୍ରୀକ୍ଷେତ୍ରର ନବକଳେବର

ଡ. ସମୀର କୁମାର ନନ୍ଦ

ଭାରତବର୍ଷରେ ଚାରିଧାମର ବିଶେଷ ମହତ୍ତ୍ୱ ରହିଛି। ଆଦି ଶଙ୍କରାଚାର୍ଯ୍ୟ ଭାରତରେ ଚାରିଧାମ ପ୍ରତିଷ୍ଠା କରିଥିଲେ। ଏହି ଚାରିଧାମ ଚାରିଯୁଗ ସହିତ ସଂଶ୍ଳିଷ୍ଟ ବୋଲି ବିଭିନ୍ନ ଧର୍ମଶାସ୍ତ୍ରରୁ ଜଣାପଡ଼େ। ସତ୍ୟଯୁଗରେ ଶ୍ରୀବଦ୍ରିନାଥ ଧାମ, ତ୍ରେତୟା ଯୁଗରେ ଶ୍ରୀରାମେଶ୍ୱରମ ଧାମ, ଦ୍ୱାପରଯୁଗରେ ଶ୍ରୀଦ୍ୱାରକା ଧାମ ଓ କଳିଯୁଗରେ ନୀଳାଚଳ ଧାମ । ଏହି ଚାରିଧାମ ମଧ୍ୟରୁ ନୀଳାଚଳ ଧାମ ହେଉଛି ଶ୍ରେଷ୍ଠଧାମ। ଦ୍ୱାଦଶ ଶତାବ୍ଦୀରେ ଗଙ୍ଗବଂଶର ରାଜା ଅନନ୍ତ ବର୍ମନ ଚୋଡ଼ଗଙ୍ଗଦେବଙ୍କ ଦ୍ୱାରା ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ଏହି ଚାରିଧାମର ଅନ୍ତର୍ଗତ ହୋଇଥିବାରୁ ସାରାବିଶ୍ୱରୁ ଅନେକ ଭକ୍ତ ପ୍ରତ୍ୟହ ଧାଇଁ ଆସନ୍ତି ଶ୍ରୀକ୍ଷେତ୍ରକୁ । ପ୍ରାୟତଃ ନବମ ଶତାବ୍ଦୀ ଆରମ୍ଭରୁ ସମଗ୍ର ଭାରତବର୍ଷରେ ଶ୍ରୀଜଗନ୍ନାଥ ବା ଶ୍ରୀକ୍ଷେତ୍ର ବିଶିଷ୍ଟ ତୀର୍ଥ ରୂପରେ ସୁନାମ ଅର୍ଜନ କରିଥିଲା। କାରଣ ଶିବ ଅବତାର ଶ୍ରୀଶଙ୍କରାଚାର୍ଯ୍ୟ ଜଗନ୍ନାଥ ଧାମକୁ ଆସି ଶ୍ରୀବିଦ୍ୟା ଅନୁସାରେ ଶ୍ରୀମନ୍ଦିରରେ ପୂଜା ପଦ୍ଧତି ପ୍ରଚଳନ କରାଇଥିଲେ। ହୁଏତ ସେହି ସମୟରୁ ଶ୍ରୀବିଦ୍ୟାର ପ୍ରଭାବରେ ଶ୍ରୀଜଗନ୍ନାଥକ୍ଷେତ୍ର ଶ୍ରୀକ୍ଷେତ୍ର ରୂପେ ପରିଚିତ ହୋଇଛି। ଉତ୍କଳର ସଂସ୍କୃତି କହିଲେ, ଶ୍ରୀଜଗନ୍ନାଥ ସଂସ୍କୃତି। ଓଡ଼ିଆ ଜାତିର ଶ୍ରେଷ୍ଠ ବିଭବ ପ୍ରଭୁ ଶ୍ରୀଜଗନ୍ନାଥ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରେ ସବୁ ଧର୍ମର ସମନ୍ବୟ ଘଟିଛି। ପ୍ରସିଦ୍ଧ କବିମାନେ ଜଗନ୍ନାଥଙ୍କର ଯଶଗାନ ଦ୍ୱାରା ନିଜ ନିଜ କାବ୍ୟର ଉତ୍କର୍ଷ ପ୍ରତିପାଦନ କରିଛନ୍ତି।
ଭଗବାନ ବିଷ୍ଣୁଙ୍କ ଭୋଜନକ୍ଷେତ୍ର ଭାବେ ବିବେଚିତ ଓଡ଼ିଆ ଜାତିର ପ୍ରାଣ ତଥା ସମଗ୍ର ବିଶ୍ୱର ନାଥ ଶ୍ରୀଜଗନ୍ନାଥଙ୍କ ଏହି ଶ୍ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟଐତିହ୍ୟ ସହରରେ ପରିଣତ କରିବା ପାଇଁ ୨୦୧୯ ରୁ ସରକାର ସ୍ବପ୍ନ ଦେଖିଥିଲେ, ଯାହା କି ୨୦୨୪ ଜାନୁଆରୀ ୧୭ରେ ଫଳପ୍ରସୂ ହେବାକୁ ଯାଉଛି । ଶ୍ରୀମନ୍ଦିର ସହିତ ବଡ଼ଦାଣ୍ଡର ସମାନ୍ତରାଳ ଶ୍ରୀଦାଣ୍ଡ, ରାସ୍ତା, ବ୍ୟବସାୟିକ ପେଣ୍ଠସ୍ଥଳୀ, ପାର୍କିଂ, ବଫରଜୋନ୍‌, ଭିତର ଓ ବାହ୍ୟ ପରିକ୍ରମା ମାର୍ଗ, ବିଶ୍ରାମଗୃହ, ପାନୀୟ ଜଳ, ଦାନଗ୍ରହଣ କେନ୍ଦ୍ର, ସୂଚନା କେନ୍ଦ୍ର, ଜରୁରିକାଳୀନ ସେବା ଓ ଟ୍ରାଫିକ ଲେନ୍‌ ଆଦିର ନବକଳେବର କରାଯାଇଛି।
ଯଜ୍ଞ ବିଷୟରେ ଧର୍ମଶାସ୍ତ୍ରକୁ ଅଧ୍ୟୟନ କଲେ ଅନେକ ତଥ୍ୟ ମିଳିଥାଏ। ଯଥା- ସାତ୍ତ୍ୱିକ ଯଜ୍ଞ, ତାମସିକ ଯଜ୍ଞ, ରାଜସ୍ବୟ ଯଜ୍ଞ, ଅଶ୍ୱମେଧ ଯଜ୍ଞ, ବାଜପେୟ ଯଜ୍ଞ, ଅଗ୍ନିଷ୍ଟୋମ ଯଜ୍ଞ ଓ ପଞ୍ଚମହାଯଜ୍ଞ(ବ୍ରହ୍ମାଯଜ୍ଞ, ଦେବଯଜ୍ଞ, ପିତୃଯଜ୍ଞ, ଅତିଥିଯଜ୍ଞ ଓ ଭୁତଯଜ୍ଞ)। ଶ୍ରୀକ୍ଷେତ୍ରର ନବକଳେବର ଅବସରରେ ମହାପ୍ରଭୁ ଓ ଭକ୍ତମାନଙ୍କ ମିଳନ ନିମନ୍ତେ ଶ୍ରୀକ୍ଷେତ୍ରଧାମରେ ଚାରିଯଜ୍ଞର ଅଭିନବ ଓ ଅପୂର୍ବ ପରିକଳ୍ପନା କରାଯାଇଛି। ସେହି ଚାରିଯଜ୍ଞ ହେଲା ଘୃତଯଜ୍ଞ ବା ହୋମଯଜ୍ଞ, ଅନ୍ନଯଜ୍ଞ, ନାମଯଜ୍ଞ ଓ ଜ୍ଞାନଯଜ୍ଞ। ଘୃତଯଜ୍ଞ ବା ହୋମଯଜ୍ଞ ସର୍ବଦା ବୈଦିକ କର୍ମକାଣ୍ଡର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇ ରହି ଆସିଛି। ଏହି ଯଜ୍ଞ କାର୍ଯ୍ୟ କରିବା ନିମନ୍ତେ ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱରେ ଉତ୍କଳୀୟ କାରୁକାର୍ଯ୍ୟରେ ଏକ ଭବ୍ୟଯଜ୍ଞଶାଳାର ନିର୍ମାଣ କରାଯାଇଛି; ଯେଉଁଠି ପ୍ରତିଦିନ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଯଜ୍ଞକାର୍ଯ୍ୟ ଅନୁଷ୍ଠିତ ହେବ।
ଭାରତର ଚାରିଧାମ ଭିତରୁ ଶ୍ରୀକ୍ଷେତ୍ରଧାମର ସ୍ବତନ୍ତ୍ରତା ରହିଛି। ତେଣୁ ଏଠାକୁ ଆସୁଥିବା ପ୍ରତ୍ୟେକ ଭକ୍ତ ଜଗନ୍ନାଥଙ୍କ ଦର୍ଶନ ସହିତ ମହାପ୍ରସାଦ ପ୍ରାପ୍ତିର ଅନେକ ଇଚ୍ଛା ରଖିଥାଏ। ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ଯେତିକି ପୁଣ୍ୟ ତା’ଠାରୁ ପ୍ରସାଦ ସେବନ ଆହୁରି ମହତ୍ତ୍ୱପୂର୍ଣ୍ଣ। ଜାତିଭେଦ ଓ ଉଚ୍ଚନୀଚ ମନୋଭାବ ପାଇଁ ଯେଉଁମାନେ ସର୍ବଦା ମଣିଷକୁ ତିରସ୍କାର କରିଥାଆନ୍ତି ସେମାନେ ଆନନ୍ଦବଜାର ଯାଇ ଥରେ ବୁଲି ଆସିବା କଥା। ସେଥିପାଇଁ ଆନନ୍ଦବଜାରର ବ୍ୟବସ୍ଥା ରହିଛି; ଯେଉଁଠାରେ କି କୌଣସି ଭେଦଭାବ ନ ରଖି ପ୍ରତ୍ୟେକଦିନ ହଜାର ହଜାର ଭକ୍ତ ତଳେ ବସି କଦଳୀପତ୍ରରେ ଏକା ସାଥିରେ ଅନ୍ନ ପ୍ରସାଦ ଗ୍ରହଣ କରିଥାଆନ୍ତି। ତେଣୁ ଏହି ବ୍ୟବସ୍ଥାକୁ ଆହୁରି ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ଅନ୍ନଯଜ୍ଞର ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥାରେ ମହାପ୍ରସାଦ ପରିବେଷଣର ଯୋଜନା ରହିଛି।
ଭଗବାନଙ୍କ ନାମ ସଂକୀର୍ତ୍ତନ କରିବା ନିମନ୍ତେ ଓ ସେଥିରେ ଭକ୍ତମାନଙ୍କୁ ଭାଗନେବା ପାଇଁ ଶ୍ରୀମନ୍ଦିର ପରିସରରେ ଏକ ବିରାଟ ନାମଯଜ୍ଞ ମଣ୍ଡପ ପ୍ରସ୍ତୁତ ହୋଇଛି। ଭକ୍ତମାନଙ୍କ ମନରେ ଆଧ୍ୟାତ୍ମିକ ଭାବନାକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ଏହି ଯଜ୍ଞଶାଳାରେ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠମାନଙ୍କର ଭକ୍ତମାନଙ୍କୁ ପାଳିକରି ଅଖଣ୍ଡ ନାମଯଜ୍ଞ କରିବା ପାଇଁ ବ୍ୟବସ୍ଥା କରାଯିବ। ଜ୍ଞାନଯଜ୍ଞ ଯୋଜନାରେ ଶ୍ରୀକ୍ଷେତ୍ରକୁ ଆସୁଥିବା ସମସ୍ତ ଭକ୍ତଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଉତ୍କଳର ଇତିହାସ ସମ୍ପର୍କରେ ଅବଗତ କରାଇବା ନିମନ୍ତେ ଜଗନ୍ନାଥ ହେରିଟେଜ ମ୍ୟୁଜିୟମ ନିର୍ମାଣ ହୋଇଛି। ଏହି ଯୋଜନାରେ ମହାପ୍ରଭୁଙ୍କ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ପରିବେଷଣ, ପାଠ୍ୟପୁସ୍ତକ ବିକ୍ରି ଓ ବିଭିନ୍ନ ସାଧୁସନ୍ଥମାନଙ୍କ ଦ୍ୱାରା ପ୍ରବଚନର ଆୟୋଜନ ବ୍ୟବସ୍ଥା ରହିବ।
କିନ୍ତୁ ଯେତେପ୍ରକାରର ବ୍ୟବସ୍ଥା ହେଲେ ମଧ୍ୟ, ଯଦି ଆମେ ଶୃଙ୍ଖଳିତ ନ ହେବା ତା’ହେଲେ କୌଣସି ମନ୍ଦିର, ସରକାର କିମ୍ବା ଧର୍ମଗୁରୁ କେବେହେଲେ ଆମକୁ ବ୍ୟବସ୍ଥିତ ଉପାୟରେ ଧର୍ମକାର୍ଯ୍ୟ କିମ୍ବା ଅନୁଷ୍ଠାନ କରିବା ପାଇଁ ସାହାଯ୍ୟ କରିପାରିବେ ନାହିଁ। ଆମେ ଯେତେବେଳେ କୌଣସି ମନ୍ଦିରରେ ଠାକୁର ଦର୍ଶନ ପାଇଁ ଧାଡ଼ିରେ ଛିଡ଼ା ହୋଇ ଅପେକ୍ଷା କରିଥାଉ ସେତେବେଳେ କିଛି ମାତ୍ର ବିଳମ୍ବ ପାଇଁ ଆମର ଧୈର୍ଯ୍ୟଚ୍ୟୁତି ଘଟିଥାଏ ଓ ଆମେ ଉତ୍ତ୍ୟକ୍ତ ହୋଇ ନା ନା ପ୍ରକାରର ଦୋଷାରୋପ କରିଥାଉ ଓ ବ୍ୟବସ୍ଥା ବିରୋଧରେ ଗାଳିଗୁଲଜ କରିଥାଉ। ଆମେ ଗୋଟିଏ ଉଦାହରଣକୁ ତର୍ଜମା କଲେ ବହୁତ କିଛି ଅନୁଭବ କରିପାରିବା। ଆମକୁ ସଦାବେଳେ ଜ୍ଞାନ ପ୍ରଦାନ କରିବା ପାଇଁ ଆମର ଶିକ୍ଷକ ପ୍ରଚେଷ୍ଟା କରିଥାଆନ୍ତି। ସେହିପରି ଆମକୁ ନିଜର ଗନ୍ତବ୍ୟ ପଥରେ ପହଞ୍ଚାଇବା ପାଇଁ ସଡ଼କଟିଏ ମଧ୍ୟ ସର୍ବଦା ଅନେଇ ରହିଥାଏ। କିନ୍ତୁ ଦୁହେଁ ସ୍ବୟଂ ଯେଉଁଠି ଯେମିତି ଭାବରେ ରହିବା କଥା ରହିଯାଆନ୍ତି କିନ୍ତୁ ଆମକୁ ଆମର ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ଦିଅନ୍ତି। ଶ୍ରୀକ୍ଷେତ୍ରର ଏହି ନବକଳେବର ଶ୍ରୀଜଗନ୍ନାଥଙ୍କୁ କୌଣସି ଗୋଟିଏ ସଂପ୍ରଦାୟର ଉପାସ୍ୟ ନ ସଜାଇ ତାଙ୍କରି ଭାବଡୋରିରେ ସମଗ୍ର ଜଗତକୁ ଆକର୍ଷଣ କରି ସର୍ବଦା ପୂଜା ପାଇବାରେ ସହାୟ ହେଉ।
କଚେରୀ ସାହି, ଦେବଗଡ଼
ମୋ:୯୪୩୭୨୧୮୯୧୭


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri