ସମସ୍ୟାକୁ ଅଣଦେଖା

ଡ. ସନ୍ତୋଷ କୁମାର ମହାପାତ୍ର

ଟିଭି ଖୋଲିଲେ, ଖବରକାଗଜ ପଢିଲେ ଦେଶ ଓ ଲୋକଙ୍କ ବିକାଶ ସମ୍ପର୍କରେ ଶାସକ ଶ୍ରେଣୀଙ୍କ ମନ୍ତବ୍ୟ ଦେଖିବାକୁ ବା ପଢିବାକୁ ମିଳେ। ତାଙ୍କୁ ସୁହାଇଲା ପରି କିଏ ଦେଇଥିବା ମନ୍ତବ୍ୟ ମଧ୍ୟ ଶୁଣିବାକୁ ମିଳେ। କିଏ କହିଲାଣି ଭାରତ ନିକଟରେ ତୃତୀୟ ବୃହତମ ରାଷ୍ଟ୍ର ହେବ ତ କିଏ କହିଲାଣି ବିକଶିତ ରାଷ୍ଟ୍ର ହେବ। ଶାସକ ଶ୍ରେଣୀର ନେତା ତଥା ପ୍ରଶାସକଙ୍କ କଥା ଶୁଣିଲେ ଲାଗିବ ଯେପରି ଦେଶରେ କୌଣସି ସମସ୍ୟା ନାହିଁ। ଏପରି ମନ୍ତବ୍ୟ ଦେଉଥିବା ନେତା, ପ୍ରଶାସକ, ବୁଦ୍ଧିଜୀବୀ କେବେ ଲୋକଙ୍କ କ’ଣ ଅଭାବ ଓ ଅସୁବିଧା ଅଛି, କିପରି କୋଟି କୋଟି ଲୋକ ଦାରିଦ୍ର୍ୟ, କ୍ଷୁଧା, ବେକାରି, ବୈଷମ୍ୟ, ମୁଦ୍ରାସ୍ଫୀତି ବୃଦ୍ଧି, କ୍ରୟଶକ୍ତି ହ୍ରାସ ଦ୍ୱାରା ଜର୍ଜରିତ ତାହା ଭୁଲିଯାଆନ୍ତି। ଅନେକ କୋଟି ଲୋକ ଦୁର୍ବିଷହ ଜୀବନ ବିତାଉଛନ୍ତି ବୋଲି ସେମାନେ ଭାବନ୍ତି ନାହିଁ। ୧୪୦ କୋଟି ଦେଶବାସୀଙ୍କ ମଧ୍ୟରୁ ଯଦି ୪୦ କୋଟି ଲୋକ ଉନ୍ନତ ମାନର ଜୀବନ ବିତାଇବା ସହିତ ଅଧିକ ରୋଜଗାର କରି ବ୍ୟୟ କରନ୍ତି , ତେବେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇ ଜିଡିପି ମଧ୍ୟ ବୃଦ୍ଧି ପାଇବ। ଜିଡିପି ବୃଦ୍ଧି ପାଇବାକୁ କ’ଣ ଆମେ ପ୍ରଗତି, ବିକାଶର ପ୍ରତୀକ କହିପାରିବା। ରାସ୍ତାରେ ହଜାର ହଜାର ଗାଡ଼ି, ଟ୍ରେନ, ନବତଳ ପ୍ରାସାଦ, ବୃହତ୍‌ ସଂସ୍ଥା, ଓସାରିଆ ରାସ୍ତା, କଳକାରଖାନା, ହୋଟେଲ, ଧର୍ମୀୟ ଅନୁଷ୍ଠାନ ବୃଦ୍ଧି ଦେଖି ଯଦି ଲୋକଙ୍କ ବିକାଶ, ଉନ୍ନତି ଘଟୁଛି ବୋଲି ଭାବିବା ତାହା ସମ୍ପୂର୍ଣ୍ଣ ଭ୍ରମାତ୍ମକ। ଜିଡିପି ବୃଦ୍ଧି ସହିତ କେତେ ପ୍ରାକୃତିକ ସମ୍ପଦ ସରିଯାଉଛି ଏବଂ ବାୟୁମଣ୍ଡଳ ଦୂଷିତ, ଉତ୍ତପ୍ତ ହେବା ଯୋଗୁ ଅଳ୍ପ ବୟସରେ ଲୋକେ କିପରି ରୋଗଗ୍ରସ୍ତ ହେଉଛନ୍ତି, ତାହା ସମସ୍ତେ ଭୁଲିଯାଉଛନ୍ତି।
ଆଜି ପ୍ରଚାର ସର୍ବସ୍ବ ହୋଇଛି ସରକାର। ଟଙ୍କାଟିଏ ଖର୍ଚ୍ଚ କଲେ ବି ପ୍ରଚାର କରି ରାଜନୈତିକ ଫାଇଦା ନେବାପାଇଁ ପ୍ରୟାସ ହେଉଛି। କିନ୍ତୁ ସେମାନେ ଯେଉଁ ଅର୍ଥ ବ୍ୟୟ କରୁଛନ୍ତି, ତାହା ପାଇଁ ଆବଶ୍ୟକ ସମ୍ବଳ କେଉଁଠୁ ଆଣୁଛନ୍ତି ତାହା କହୁନାହାନ୍ତି। କୌଣସି ଦଳୀୟ ବା ବ୍ୟକ୍ତିଗତ ପାଣ୍ଠି ବ୍ୟବହାର ହେଉନି। ବରଂ ଦଳୀୟ ବା ବ୍ୟକ୍ତିଗତ ପାଣ୍ଠିଙ୍କୁ ଯେଉଁମାନେ ଦେଉଛନ୍ତି, ସେମାନେ ବହୁଗୁଣ ଫାଇଦା ଉଠାଉଛନ୍ତି। ସରକାର ବ୍ୟୟ କରୁଥିବା ଅର୍ଥ ଟିକସ, ଅଣଟିକସ ଓ ଋଣ ବାବଦରେ ଆଦାୟ କରୁଛନ୍ତି। ମୁଖ୍ୟତଃ ଲୋକଙ୍କଠାରୁ ଟିକସ ବାବଦରେ ଆଦାୟ ହେଉଛି ଏବଂ ବ୍ୟୟ ବେଳେ ତା’ର ମୁଖ୍ୟଭାଗ ବାଟମାରଣା ହେଉଛି। କିନ୍ତୁ ଚିନ୍ତାର ବିଷୟ ହେଉଛି, ଟିକସର ବୋଝ ଧନୀଙ୍କ ଉପରେ ନ ପଡ଼ି ବେଶି ଗରିବଙ୍କ ଉପରେ ପଡୁଛି। କାରଣ ପରୋକ୍ଷ କର ଯଥା ଜିଏସ୍‌ଟି ଓ ପେଟ୍ରୋଲିୟମ ସାମଗ୍ରୀ ଉପରେ ଉତ୍ପାଦ କର ବାବଦରେ ବେଶି ସଂଗ୍ରହ ହେଉଛି। ପରୋକ୍ଷ କର ପ୍ରତିଗାମୀ ଏବଂ ଧନୀ ଓ ଗରିବ ସମାନ ହାରରେ ଦେଇଥାନ୍ତି।
ପରୋକ୍ଷ କର ବୃଦ୍ଧିର ବୋଝ କେବଳ ଗରିବଙ୍କ ଉପରେ ଅଧିକ ପଡୁନି, ଏହି ଟିକସ ବୃଦ୍ଧି ଯୋଗୁ ଦରଦାମ, ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଉଛି। ଏହାର କୁପ୍ରଭାବ ସାଧାରଣ ଓ ଗରିବ ଜନତାଙ୍କ ଉପରେ ଅଧିକ ପଡୁଛି। ସେମାନଙ୍କ କ୍ରୟଶକ୍ତି ଓ ଜୀବନ ଧାରଣର ମାନ ହ୍ରାସ ପାଉଛି। ପୁନଶ୍ଚ ମୁଦ୍ରାସ୍ଫୀତି ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଋଣ ସୁଧ ହାର ବୃଦ୍ଧି କରିବା ଯୋଗୁ ଋଣକାରୀ କ୍ଷତିଗ୍ରସ୍ତ ହେଉଛନ୍ତି। ପୁନଶ୍ଚ ରେପୋରେଟ୍‌ ଓ ଋଣ ସୁଧ ହାର ବୃଦ୍ଧି ସହିତ ଜମା ସୁଧ ହାର ଆବଶ୍ୟକ ବୃଦ୍ଧି ନ ପାଇବାରୁ ଜମାକାରୀ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି। ଜମା ଉପରେ ନିର୍ଭର କରି ଜୀବନଧାରଣ କରୁଥିବା ଲୋକ ହଇରାଣ ହେଉଛନ୍ତି। ଗୋଟିଏ ବର୍ଷ ମୁଦ୍ରାସ୍ଫୀତି ହାର ଅଧିକ ହେଲେ ବେସ୍‌ ଇଫେକ୍ଟ ଯୋଗୁ ପରବର୍ତ୍ତୀ ବର୍ଷ ଆପେ ଆପେ କମିଲେ ବି ଦରଦାମ ହ୍ରାସ ପାଇ ନ ଥାଏ। କିନ୍ତୁ ମୁଦ୍ରାସ୍ଫୀତି ବୃଦ୍ଧି ହାର ହ୍ରାସକୁ ବଡ ସଫଳତା ବୋଲି ଦର୍ଶାଯାଉଛିି। ବର୍ତ୍ତମାନ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା, ପରିବା, ଗ୍ରୋସରି ଜିନିଷ ଦର ଏତେ ଅଧିକ ଯେ ଗରିବ, ଦିନ ମଜୁରିଆ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୁନଶ୍ଚ ଆର୍ଥିକ ସମସ୍ୟା ଯେତିକି ଚିନ୍ତାଜନକ ତାହାଠାରୁ ସାମାଜିକ ସମସ୍ୟା ଆହୁରି ଅଧିକ ଉଦ୍‌ବେଗଜନକ। ଏଥିରେ ଧନୀ, ଗରିବ ସମସ୍ତେ ଅଳ୍ପ ବହୁତେ ପ୍ରଭାବିତ। ଅବଶ୍ୟ ଯେଉଁମାନେ ଭଲରେ ଥାଆନ୍ତି ସେମାନେ ମେଡିକାଲ, ଗମନାଗମନ, ଘରଭଡ଼ା ସୁବିଧା ପାଇଥାଆନ୍ତି। ସେମାନେ ଭାବିପାରନ୍ତି ନାହିଁ, କୋଟି କୋଟି ଲୋକ ଏହିପରି ସୁବିଧାରୁ ବଞ୍ଚିତ ବୋଲି।
ସରକାର ନିର୍ବାଚନ ବେଳେ ବା ନିଜର ପ୍ରଚାର ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଫଳରେ ଲୋକେ ପ୍ରଭାବିତ ହେଉଛନ୍ତି। କିନ୍ତୁ ଯୋଜନା ପାଇଁ ଆବଶ୍ୟକ ଅର୍ଥ ସରକାର ଧନୀ, ପୁଞ୍ଜିପତି ଓ ଶିଳ୍ପପତିଙ୍କଠାରୁ ଟିକସ ବାବଦରେ ନ ଆଣି ଅନ୍ୟ କିଛି ଜନହିତକର ବ୍ୟୟ ବା ସାମାଜିକ କ୍ଷେତ୍ରର ବ୍ୟୟ ହ୍ରାସ କରୁଛନ୍ତି। ଏ ସମ୍ପର୍କରେ ଲୋକମାନେ ଜାଣିପାରୁନାହାନ୍ତି। ଯାହାଫଳରେ ଶିକ୍ଷା ଓ ସ୍ବାସ୍ଥ୍ୟ ଅଧିକ ବ୍ୟୟସାପେକ୍ଷ ହୋଇଛି। ସରକାରୀ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ଶିକ୍ଷକ ନାହାନ୍ତି କି ହସ୍ପିଟାଲରେ ଆବଶ୍ୟକ ଡାକ୍ତର ନାହାନ୍ତି। ଲୋକ ଘରୋଇ ସଂସ୍ଥା ଆଡ଼କୁ ମୁହଁାଇଛନ୍ତି ଓ ଏ ବାବଦରେ ପ୍ରଚୁର ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେଉଛନ୍ତି। ସେମାନେ ଦାରିଦ୍ର୍ୟ ଗହ୍ବରକୁ ଠେଲି ହୋଇଯାଉଛନ୍ତି। ନିଜର ଦୈନନ୍ଦିନ ଜୀବନର ଆବଶ୍ୟକତା ଅପୂରଣୀୟ ହୋଇ ରହୁଛି।
ଚିନ୍ତାଜନକ କଥା ହେଉଛି ଶାସକ ଶ୍ରେଣୀ କ୍ଷମତା ବଜାୟ ରଖିବା ପାଇଁ ଆତ୍ମପ୍ରଚାରରେ ଲିପ୍ତ ରହିବା। ଏହା ଯେତିକି ଦୋଷାବହ ତାହାଠାରୁ ଅଧିକ ଦୋଷାବହ ହେଉଛି ଅଧିକାଂଶ ଗଣମାଧ୍ୟମ, ବୁଦ୍ଧିଜୀବୀ ସମସ୍ୟା କଥା ନ କହି ଚାପ ବା ଅନ୍ୟ କାରଣ ଯୋଗୁ ଶାସକ ଶ୍ରେଣୀର ଗୁଣ ଗାନରେ ବ୍ୟସ୍ତ ରହିବା। ଯେଉଁ ଖବର ପରିବେଷଣ କଲେ ଶାସକ ଶ୍ରେଣୀର ଦୋଷତ୍ରୁଟି ଲୁଚିଯିବ, ଲୋକ ସରକାରଙ୍କ ବିଫଳତା ଭୁଲିଯିବେ ବା ଆଲୋଚନା ନ କରିବେ, ସେହିପରି ଖବର ପରିବେଷଣ କରାଯାଉଛି। କେବଳ ସେତିକି ନୁହେଁ, ଆଜିର ବୁଦ୍ଧିଜୀବୀମାନଙ୍କ ମଧ୍ୟରେ କ୍ଷମତାଶାଳୀ ଓ ଶାସକ ଶ୍ରେଣୀ ସପକ୍ଷରେ କହିବା, ଲେଖିବା ପାଇଁ ପ୍ରବଳ ପ୍ରତିଯୋଗିତା ଦେଖା ଦେଇଛି। କାରଣ ଏହାଦ୍ବାରା ଲାଭବାନ ହେବାର ଅଧିକ ସମ୍ଭାବନା ରହିଛି।
ଲୋକଙ୍କ ସ୍ବାର୍ଥ ପାଇଁଁ ବହୁ କମ୍‌ ବ୍ୟକ୍ତି ବାହାରୁଛନ୍ତି। ଯେଉଁ ଅଳ୍ପ କେତେକ ବାହାରୁଛନ୍ତି, ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ଶତ୍ରୁଭାବେ ବିବେଚନା କରାଯାଉଛି। ସମସ୍ତେ ‘ୟେସ୍‌ ’ ବା ‘ହଁ’ କହିବା ଲୋକ ଖୋଜୁଛନ୍ତି। ସାହିତ୍ୟ ଆଜି ମଧ୍ୟ ଲୋକଙ୍କ କଥା ନ କହି କ୍ଷମତାଶାଳୀଙ୍କ ସ୍ବାର୍ଥ ପାଇଁ ବ୍ୟବହାର ହେଉଛି। ସାହିତ୍ୟରେ ଗରିବ ଓ ଅବହେଳିତଙ୍କ ଭାବନା ଆଗପରି ପ୍ରତିଫଳନ ହେଉନାହିଁ। ସମାଜକୁ ଶୃଙ୍ଖଳିତ କରିବା ପାଇଁ ସେତେଟା ବ୍ୟବହାର ମଧ୍ୟ ହେଉନାହିଁ। ଯାହାଫଳରେ ଗରିବଙ୍କ ଦୁଃଖ, ସମସ୍ୟା ବୃଦ୍ଧି ପାଉଛି। ଏସବୁ ପ୍ରତି କାହାର ନିଘା ନାହିଁ।
ମୋ: ୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri