ଶ୍ରମିକ ଦିବସ ଉପଲକ୍ଷେ: ସଂଗ୍ରାମ ସରିନାହିଁ

ଜନାର୍ଦ୍ଦନ ପତି

ମେ’ ପହିଲା ହେଉଛି ଆନ୍ତର୍ଜାତିକ ଶ୍ରମିକ ଦିବସ।
ବିଶ୍ୱର ଶ୍ରମଜୀବୀ ମଣିଷଙ୍କ ପାଇଁ ଶପଥର ଦିବସ।
ଊନ୍ନବିଂଶ ଶତାବ୍ଦୀର ସେହି କାଳରେ ପୁଞ୍ଜିପତି ଓ ଶିଳ୍ପପତିମାନେ ଶ୍ରମିକମାନଙ୍କୁ ମନଇଚ୍ଛା ଶୋଷଣ କରୁଥିଲେ। କାମ କରିବାର ସମୟସୀମା ନ ଥିଲା।
ଅଧିକାଂଶ ଶ୍ରମିକ ୧୨ ଘଣ୍ଟାରୁ ୧୬ ଘଣ୍ଟା ପର୍ଯ୍ୟନ୍ତ ଖଟୁଥିଲେ। ଶ୍ରମ ସମୟ କମ କରିବାକୁ ୧୮୬୦ ଦଶକରେ ଆମେରିକାରେ ପ୍ରଥମେ ପ୍ରତିବାଦ ଆରମ୍ଭ ହେଲା। ଆମେରିକାନ ଫେଡେରେଶନ ଅଫ୍‌ ଲେବର ନାମରେ ଏକ ସଂଗଠନ ଗଢି ଉଠିଲା। ଏଥିରେ ସୋସାଲିଷ୍ଟ, କମ୍ୟୁନିଷ୍ଟ ଓ ଡେମୋକ୍ରାଟ୍‌ସମାନେ ସାମିଲ ହୋଇଥିଲେ। ଶ୍ରମିକମାନଙ୍କ ଆନ୍ଦୋଳନର କେନ୍ଦ୍ରବିନ୍ଦୁ ଥିଲା ଚିକାଗୋ। ୧୮୮୪ରେ ଚିକାଗୋରେ ଏକ ବିଶାଳ ଶ୍ରମିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଓ ସେହି ସମ୍ମିଳନୀରେ ନିଷ୍ପତ୍ତି ହେଲା ଯେ ୧୮୮୬ ମସିହା ମେ ପହିଲାରୁ ଦିନକୁ ଆଠ ଘଣ୍ଟା ଶ୍ରମ ସମୟ ଧାର୍ଯ୍ୟ କରାଯାଉ। ଏହି ଆହ୍ବାନକୁ ଆମେରିକାର ସବୁ ଶ୍ରମିକ ସମର୍ଥନ ଦେଇଥିଲେ ଓ ଲଗାତର ଭାବେ ପଟୁଆର ଓ ସଭା ଶ୍ରମିକମାନଙ୍କ ପକ୍ଷରୁ କରାଯାଉଥିଲା। ଶ୍ରମିକମାନଙ୍କ ସଂଗ୍ରାମୀ ମିଜାଜ ଦେଖି ମାଲିକମାନେ ପ୍ରତିଶୋଧ ପରାୟଣ ହୋଇ ଉଠିଲେ ସିନା, ଶ୍ରମିକମାନଙ୍କ ଦାବି ପ୍ରତି କର୍ଣ୍ଣପାତ କଲେ ନାହିଁ।
୧୮୮୬, ମେ’ ପହିଲା ଦିନ ସାରା ଆମେରିକାରେ ଆଠ ଘଣ୍ଟା ଶ୍ରମ ସମୟ ଦାବି କରି ଧର୍ମଘଟ ହେଲା। ୧ ଓ ୨ ତାରିଖ ଦୁଇ ଦିନ ଧର୍ମଘଟ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲା। ଦୁଇ ତାରିଖ ଦିନ ଧର୍ମଘଟକାରୀ ଶ୍ରମିକଙ୍କ ସଂଖ୍ୟା ଆଶାତୀତ ଭାବେ ବଢିଥିଲା। ମେ’ ୩ ତାରିଖ ଦିନ ଧର୍ମଘଟ ମଧ୍ୟ ସଫଳ ହୋଇଥିଲା। ମାତ୍ର ସାଧାରଣ ସଭାରେ ଜଣେ ଶ୍ରମିକ ନେତା ଭାଷଣ ଦେଉଥିବା ବେଳେ ପୋଲିସ ସଭା ସ୍ଥଳକୁ ଧସେଇ ପଶି ସଭା ଭାଙ୍ଗିଦେଲା ଓ ପୋଲିସ ଗୁଳିରେ ଦୁଇଜଣ ଶ୍ରମିକ ପ୍ରାଣ ହରାଇଲେ ଓ ଅନେକ ଆହତ ହୋଇଥିଲେ।
ପୋଲିସର ବର୍ବରୋଚିତ ଆକ୍ରମଣ ବିରୋଧରେ ପ୍ରତିବାଦ ସଭାର ଆୟୋଜନ ହେଲା ମେ’ ୪ ତାରିଖରେ। ପୂର୍ବଦିନ ପୋଲିସର ଗୁଳି ଯୋଗୁ ଓ ସେଦିନ ପାଗ ଖରାପ, ବର୍ଷା ନେଇ ପ୍ରାୟ ତିନିହଜାର ଲୋକ ସଭାକୁ ଆସିଥିଲେ। ମାତ୍ର ସଭା ଆରମ୍ଭ ହେବାର କିଛି ସମୟ ପରେ ପୋଲିସ ସଭା ମଞ୍ଚକୁ ଉଠି ବକ୍ତାମାନଙ୍କୁ ଧକ୍କା ମାରି ତଡିଦେଲା। ଏତିକିବେଳେ ଗୋଟାଏ ବୋମା ସଭା ମଞ୍ଚକୁ ଜଣେ ଅଜଣା ବ୍ୟକ୍ତି ଫୋପାଡିବା ଫଳରେ ଜଣେ ପୋଲିସ ଅଫିସରଙ୍କ ମୃତ୍ୟୁ ହେଲା। ଏହାପରେ ପୋଲିସ ଆଖିବୁଜା ଗୁଳି ଚଳାଇଲା। କେତେ ଜଣ ମୃତ୍ୟୁବରଣ କଲେ ତାହାର ଠିକ ହିସାବ ମିଳିଲା ନାହିଁ। ତେବେ ପ୍ରାୟ ୭/୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ଓ ପ୍ରାୟ ପଚାଶ ଜଣରୁ ଅଧିକ ଗୁଳିମାଡରେ ଆହତ ହୋଇଥିଲେ। ପୋଲିସ କର୍ମଚାରୀଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ଆଠଜଣଙ୍କୁ ଗିରଫ କଲା।
ବୋମା ନିକ୍ଷେପ କରିଥିବା ବ୍ୟକ୍ତିର ପତ୍ତା ମିଳିଲା ନାହିଁ। ଅଭିଯୋଗ ହୁଏ ଯେ ବୋମା ନିକ୍ଷେପକାରୀ ପୋଲିସର ଏଜେଣ୍ଟ ଥିଲା। ପୋଲିସ ଯେଉଁ ଆଠଜଣଙ୍କୁ ଗିରଫ କରିଥିଲା, ସେମାନଙ୍କ ମଧ୍ୟରୁ ମାତ୍ର ତିନିଜଣ ସେ ସଭାରେ ଉପସ୍ଥିତ ଥିଲେ ଓ ଏମାନେ ସମସ୍ତେ ମଞ୍ଚରେ ବସିଥିଲେ। ବିଚାର ସମ୍ପୂର୍ଣ୍ଣ ପ୍ରହସନ ଥିଲା। ବିଚାରପତି ଯୋଶେଫ୍‌ ଗାର୍ଗ ସମ୍ପୂର୍ଣ୍ଣ ଏକପାଖିଆ ହୋଇ ରାୟ ଦେଇଥିଲେ। ଆଠ ଜଣଙ୍କ ମଧ୍ୟରୁ ୭ ଜଣଙ୍କୁ ଫାଶୀ ଓ ଜଣକୁ ଜେଲଦଣ୍ଡ ମିଳିଥିଲା। ଏହି ରାୟ ପ୍ରକାଶ ପାଇବା ପରେ ସାରା ଦେଶରେ ପ୍ରତିବାଦ ଦେଖାଦେଲା। ରାୟ ବିରୋଧରେ ଅପିଲ ହେଲା। ପୁନରାୟ ରାୟରେ ୫ ଜଣଙ୍କୁ ଫାଶୀ ଆଦେଶ ମିଳିଲା। ଫାଶୀ ଆସାମୀ ଲୁଇସ ଲିଙ୍ଗ୍‌ ଜେଲ ଭିତରେ ଆତ୍ମହତ୍ୟା କଲେ। ୧୮୮୭, ନଭେମ୍ବର ୧୧ ତାରିଖରେ ଆଲବର୍ଟ ପାରସନ, ଅଗଷ୍ଟ ସ୍ପାଇଜ, ଜର୍ଜ ଏଙ୍ଗେଲ୍ସ ଓ ଆଡ୍‌ ଲଫ୍‌ ଫିଶ୍ଚରକୁ ଫାଶୀ ହୋଇଥିଲା।
ଫାଶୀ ପାଇବା ଠିକ୍‌ ପୂର୍ବରୁ ଅଗଷ୍ଟ ସ୍ପାଇଜ ବଡ ପାଟିରେ ଚିତ୍କାର କରି କହିଥିଲେ, ”The day will come when our silence will be more powerful than the voice you strangle today“
ଦିନ ଆସିବ, ଯେତେବେଳେ ଆମର ନୀରବତା ଆମର କଣ୍ଠସ୍ବରଠାରୁ ଆହୁରି ଶକ୍ତିଶାଳୀ ହୋଇ ଉଠିବ। ତୁମେ ଯେଉଁ କଣ୍ଠକୁ ରୁଦ୍ଧ କରୁଛ।“
ହେ ମାର୍କେଟ ଗୁଳିକାଣ୍ଡ ଓ ୪ଜଣ ଶ୍ରମିକ ନେତାଙ୍କୁ ଫାଶୀ ଦେବାର ୧୩୪ ବର୍ଷ ଅତୀତ ହୋଇଗଲାଣି। ବିଶ୍ୱର ଅଧିକାଂଶ ଦେଶରେ ଶ୍ରମିକଶ୍ରେଣୀ ଆଠଘଣ୍ଟା କରିବାର ଆଇନଗତ ଅଧିକାର ପାଇଛି। ଶ୍ରମିକ ଶ୍ରେଣୀ ଅନେକ ଅଧିକାର ହାସଲ କରିଛି, ମାତ୍ର ଶ୍ରମିକ ଶ୍ରେଣୀର ସଂଗ୍ରାମ ସରିନହିଁ। ଉପଯୁକ୍ତ ମଜୁରି, ଆଠଘଣ୍ଟା କାମ ଆଦି ପ୍ରମୁଖ ଦାବି ପାଇଁ ଆଜି ବି ଆମ ଦେଶରେ ଶ୍ରମିକ ଲଢେଇ ଜାରି ରହିଛି। ଭାରତର କେନ୍ଦ୍ର ସରକାର ଶ୍ରମିକମାନଙ୍କ ଆଇନଗତ ଆଠଘଣ୍ଟା କାମ କରିବାର ଅଧିକାରକୁ ଲୋପ କରିବାକୁ ଆଇନ ଆଣିଛି। ନବ୍ୟ ଉଦାରବାଦ ଆର୍ଥିକ ନୀତି ବିରୋଧରେ ଭାରତର ଶ୍ରମିକମାନେ ୧୮ଥର ସର୍ବଭାରତୀୟ ସ୍ତରରେ ଧର୍ମଘଟ କରିଛନ୍ତି।
କୃଷକ, କୃଷି ଶ୍ରମିକ ଓ ବେକାରମାନଙ୍କୁ ନିଯୁକ୍ତି ଦେବା ପାଇଁ ଶ୍ରମିକମାନେ ଦାବି କରୁଛନ୍ତି। ଦରବୃଦ୍ଧି ବିରୋଧରେ ଓ ଜାତୀୟ ସମ୍ପତ୍ତିର ସୁରକ୍ଷା ପାଇଁ ଗଣତନ୍ତ୍ର, ସମ୍ବିଧାନ ଓ ଧର୍ମନିରପେକ୍ଷତା ପାଇଁ ଓ ଶୋଷଣର ଅବସାନ ପାଇଁ ଶ୍ରମିକମାନେ ରାସ୍ତା ଉପରକୁ ଓହ୍ଲାଇଛନ୍ତି, ମାତ୍ର ସଂଗ୍ରାମ ସରିନାହିଁ।
୨୦୨୦ ମସିହା ମେ’ ପହିଲାବେଳକୁ ସମଗ୍ର ବିଶ୍ୱ କରୋନାରେ ଆକ୍ରାନ୍ତ। ଦେଶର ଆଶାକର୍ମୀ, ଆଶା ସାଥୀ, ଅଙ୍ଗନଓ୍ବାଡିର କର୍ମୀମାନେ ଜୀବନକୁ ପାଣି ଛଡାଇ ସେବା କରୁଛନ୍ତି। ଡାକ୍ତର, ନର୍ସ ଓ ଡାକ୍ତରଖାନାମାନଙ୍କରେ କର୍ମରତ ଭାଇ ଭଉଣୀମାନଙ୍କ ଅବଦାନର ପଟାନ୍ତର ନାହିଁ। ବିଦ୍ୟୁତ ଶ୍ରମିକ, ଜଳ ଯୋଗାଣ ବିଭାଗର ଶ୍ରମିକ, ଇସ୍ପାତ, ଆଲୁମିନିୟମ ଓ ଖଣି ଶ୍ରମିକ ଏବଂ ଖବର ସରବରାହ ସଂସ୍ଥାମାନଙ୍କରେ କର୍ମରତ ସାମ୍ବାଦିକମାନେ ନିରବଚ୍ଛିନ୍ନ ଭାବେ କାମ ଚଳାଇ ରଖିଛନ୍ତି। ଆଜିର ପରିସ୍ଥିତି ବିଗତ ଶହେ ବର୍ଷ ଭିତରେ ଦେଖା ନ ଥିଲା। କରୋନା ଭୂତାଣୁ ଆକ୍ରାନ୍ତରୁ ସମଗ୍ର ଦେଶ ଲକ୍‌ଡାଉନ। ଗରିବ ଶ୍ରମିକ ଘରେ ଚୁଲି ଜଳୁନି। ଲକ୍ଷ ଲକ୍ଷ ଶ୍ରମିକ କାମ ହରାଇଛନ୍ତି। ଛୋଟ ବ୍ୟବସାୟୀ, ଛୋଟ ଶିଳ୍ପପତିମାନେ ଭୟଙ୍କର ସଙ୍କଟର ସମ୍ମୁଖୀନ।
ମାସାଧିକ କାଳ ଧରି କାମ ନ ମିଳିବା ଯୋଗୁ ଦିନ ମଜୁରିଆ, ସ୍ବଳ୍ପ ବେତନଭୋଗୀମାନଙ୍କ ଦୁର୍ଦ୍ଦଶାର ଅନ୍ତ ନାହିଁ। ଏହି ପରିସ୍ଥିତିକୁ ମୁକାବିଲା ପାଇଁ ରାଜ୍ୟର ସମସ୍ତ ଶ୍ରମଜୀବୀ ଶ୍ରମିକ ଏକ ହୋଇ ଠିଆ ହେବାକୁ ନିବେଦନ। ପ୍ରତ୍ୟେକ ଶ୍ରମଜୀବୀ ଅପର ପାଇଁ ଠିଆହେବା ଆଜିର କର୍ତ୍ତବ୍ୟ। ଏହି ପଟ୍ଟଭୂମିରେ ଆମ ରାଜ୍ୟର ସମସ୍ତ ଶ୍ରମିକ ଭାଇଭଉଣୀ ଓ ଶ୍ରମଜୀବୀ ନିଜର ଅର୍ଜିତ ଅଧିକାରକୁ ରକ୍ଷା କରିବା ସହିତ ବଞ୍ଚତ୍ବାର ଅଧିକାର ପାଇଁ ମେ’ ଦିବସରେ ଶପଥ ନେବେ।

ରାଜ୍ୟ ସଭାପତି, ସି.ଆଇ.ଟି.ୟୁ.


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri