Categories: ବାଣିଜ୍ୟ

ଶିଳ୍ପ ୟୁନିଟ୍‌ଗୁଡିକରେ ଶ୍ରମିକ ସମସ୍ୟା

ନୂଆଦିଲ୍ଲୀ,୮।୬: କୋଭିଡ୍‌-୧୯ ସଂକ୍ରମଣର ଭୟାବହତା କାରଣରୁ ସରକାର ଦେଶରେ ଲକଡାଉନ କଟକଣା ଜାରି କରିଥିଲେ। ବିଭିନ୍ନ ଦିଗକୁ ଲକ୍ଷ୍ୟ କରି ସରକାର ଲକଡାଉନ କଟକଣା କୋହଳ କରିଛନ୍ତି । ୩ୟ ଓ ୪ର୍ଥ ପର୍ଯ୍ୟାୟ ଲକଡାଉନ ଅବଧି ସମୟରେ ସରକାର କିଛି ସ୍ବତନ୍ତ୍ର ଗାଇଡଲାଇନ ପାଳନ ସହ ଆର୍ଥତ୍କ କାର୍ଯ୍ୟକଳାପକୁ ଅନୁମତି ପ୍ରଦାନ କରିଥିଲେ। ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ବିଭିନ୍ନ ସଂସ୍ଥା,କଳକାରଖାନା,ନିର୍ମାଣକାରୀ ସଂସ୍ଥା,ଉତ୍ପାଦନ ୟୁନିଟ ଓ ଫ୍ୟାକ୍ଟ୍ରି ଗୁଡିକ ବର୍ତ୍ତମାନ ଖୋଲିଛି। ପ୍ରବାସୀ ଶ୍ରମିକ ଘରକୁ ଚାଲିଯାଇଥିବା କାରଣରୁ ବିଭିନ୍ନ ୟୁନିଟ ଗୁଡିକରେ କାମ କରିବାକୁ ଶ୍ରମିକ ମିଳୁନାହାନ୍ତି। ଫଳରେ କଳକାରଖାନା ଓ ନିର୍ମାଣ ସଂସ୍ଥା କାର୍ଯ୍ୟ କିଭଳି ଆଗକୁ ବଢାଇବେ ତାକୁ ନେଇ ଚିନ୍ତାରେ ଅଛନ୍ତି। ବିଭିନ୍ନ ରାଜ୍ୟର ରାଜ୍ୟ ସରକାର ଓ ବୃହତ ଶିଳ୍ପ, କଳକାରଖାନା ଓ ନିର୍ମାଣକାରୀ ସଂସ୍ଥାଗୁଡିକ କର୍ମଚାରୀଙ୍କୁ ଲୋଭନୀୟ ଅଫର ଦେଉଥିବା ଦେଖାଯାଉଛି। ଅଧିକ ବେତନ ଓ ବିମାନଭଡା ଏବଂ ରେଳ ଭଡା ପ୍ରଦାନ ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା ପାଇଁ କହିଲେ ସୁଦ୍ଧା ଉକ୍ତ ଶ୍ରମିକମାନେ ବର୍ତ୍ତମାନ ପରିସ୍ଥିତିରେ ନିଜ ଘର ଛାଡି କାର୍ଯ୍ୟ କ୍ଷେତ୍ରକୁ ଯିବାକୁ ରାଜି ନଥିବା ବିଷୟରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ଉକ୍ତ ରିପୋର୍ଟରେ ଉଲେଖ ରହିଛି ଯେ, ଗତ ଦୁଇ ମାସର କଷ୍ଟ ଓ ଭୟ ଶ୍ରମିକଙ୍କ ମନରୁ ବର୍ତ୍ତମାନ ସୁଦ୍ଧା ଲିଭିନାହିଁ । ଶ୍ରମିକଙ୍କ ଅସୁବିଧା ସମୟରେ ଏହିସବୁ ସଂସ୍ଥା କୁଆଡେ ଲୁଚି ରହିଥିଲେ ବୋଲି ବିଭିନ୍ନ ଶ୍ରମିକ ସଂଗଠନ ମତ ରଖିଛନ୍ତି। । ଏହି ସଂକ୍ରମଣର ଭୟ ଶେଷ ନ ହେବା ପର୍ଯ୍ୟନ୍ତ ଘରେ ରହିବାକୁ ଅଧିକାଂଶ ଶ୍ରମିକ ଉଚିତ ମଣୁଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଶ୍ରମିକମାନଙ୍କୁ ପୁର୍ନବାର ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରନ୍ତୁ ନଚେତ କଳକାରଖାନାଗୁଡିକର କାମ ଠପ୍‌ ହୋଇ ରହିବ ବୋଲି ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ସଂଘ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

Share