ଲକ୍ଷ୍ୟଚ୍ୟୁତ ବିତର୍କ

ଡ. ଛାୟାକାନ୍ତ ଷଡ଼ଙ୍ଗୀ
ବିଦ୍ୟା ବିବାଦାୟ ଅର୍ଥାତ୍‌ ବିବାଦ ନିମନ୍ତେ ବିଦ୍ୟା ଉଦ୍ଦିଷ୍ଟ। ଏଠାରେ ବିବାଦ ବିତର୍କ ଅର୍ଥରେ ବ୍ୟବହୃତ ହୋଇଛି। ବିଦ୍ୱାନମାନେ ଏକତ୍ର ହେଲେ ନିଜ ନିଜ ଜ୍ଞାନର ପରାକାଷ୍ଠା ପ୍ରତିପାଦନ କରିବା ପାଇଁ ତର୍କରେ ପ୍ରବୃତ୍ତ ହୁଅନ୍ତି। ଅନେକ ସମୟରେ ଏହି ତର୍କର ଅନ୍ତରାଳରେ ସେମାନଙ୍କର ଅହଂକାର ଲୁକ୍କାୟିତ ଥାଏ। ସେମାନେ ନିଜକୁ ଅନ୍ୟମାନଙ୍କଠାରୁ ବେଶି ଜ୍ଞାନୀ ମଣନ୍ତି ଓ ଅନ୍ୟର ଯୁକ୍ତିକୁ ସହଜରେ ଗ୍ରହଣ କରନ୍ତି ନାହିଁ। ଅହଂ ସହ ଅହଂର ସଂଘର୍ଷ ହୁଏ। ବିତର୍କର ଉଦ୍ଦେଶ୍ୟ ହେଉଛି ଯଥାର୍ଥ ଯୁକ୍ତି ବଳରେ ସତ୍ୟ ପାଖରେ ପବଞ୍ଚିବା ପାଇଁ ଚେଷ୍ଟା କରିବା। ମାତ୍ର ସତ୍ୟ ପାଖରେ ପହଞ୍ଚିବା ପୂର୍ବରୁ ପଣ୍ଡିତମାନେ ତର୍କ କରୁ କରୁ ବିବାଦରେ ଛନ୍ଦି ହୋଇଯାନ୍ତି। ବେଳେ ବେଳେ ଏହି ବିବାଦ ହିଂସାର ରୂପ ନିଏ। ସେମାନେ ଭୁଲିଯାନ୍ତି ଯେ ଜ୍ଞାନ ସର୍ବଦା ଅସଂପୂର୍ଣ୍ଣ, ଆପେକ୍ଷିକ ଓ ଅନନ୍ତ। ବହୁ ଜ୍ଞାନ ଓ ଅନୁଭୂତି ଅର୍ଜନ କଲା ପରେ ଗ୍ରୀକ୍‌ ବୀର ୟୁଲିସସ୍‌ ପୁତ୍ରକୁ ରାଜ୍ୟଭାର ଅର୍ପଣ କରି ନିଜ ଜ୍ଞାନ ପିପାସା ମେଣ୍ଟାଇବା ପାଇଁ ଆରମ୍ଭ କଲେ ସମୁଦ୍ର ଯାତ୍ରା। ସେ ଉପଲବ୍ଧି କରିଥିଲେ ଜ୍ଞାନର ତୋରଣ ଦେଇ ଏକ ଅପହଞ୍ଚ ପୃଥିବୀ ସର୍ବଦା ଝଲସି ଉଠେ। (ଟେନିସନଙ୍କ କବିତା)। ଜ୍ଞାନ ଅନନ୍ତ ହୋଇଥିବାରୁ ଏହି ଅସୀମ ରାଜ୍ୟକୁ ଅଧୀନ କରିବା ମଣିଷର ସାଧ୍ୟାତୀତ। ମାତ୍ର ତଥାକଥିତ ପଣ୍ଡିତମାନେ ଏହି ସତ୍ୟକୁ ଭୁଲିଯାନ୍ତି ଓ ଅହଂକାରର ବଶବର୍ତ୍ତୀ ହୋଇ ନିଜକୁ ସର୍ବଜ୍ଞ ମଣି ତର୍କ କରନ୍ତି। ତର୍କରୁ ସୃଷ୍ଟି ହୁଏ ବିବାଦ ଓ ବିବାଦରୁ ଜନ୍ମନିଏ ହିଂସା ଓ ବ୍ୟକ୍ତିଗତ ଶତ୍ରୁତା।
ଆଜି ରାଜନୈତିକ କ୍ଷେତ୍ରରେ ମଧ୍ୟ ବିତର୍କ ଉଗ୍ର ହିଂସ୍ର ରୂପ ନେଉଛି। ସଂସଦ ଓ ବିଧାନସଭା ହେଉଛି ଏକପ୍ରକାର ତର୍କକ୍ଷେତ୍ର। ସରକାର ସେଠାରେ କୌଣସି ଯୋଜନା ସମ୍ପର୍କିତ ବିଲ୍‌ ଉପସ୍ଥାପନ କରନ୍ତି ଓ ବିତର୍କ ପାଇଁ ସୁଯୋଗ ସୃଷ୍ଟି କରନ୍ତି। ମାତ୍ର ସେଠାରେ ଯେଭଳି ବିତର୍କ ହେଉଛି ତାହା ଅତ୍ୟନ୍ତ ଚିନ୍ତାଜନକ। ଏହି ବିତର୍କ ବେଳେ ବେଳେ ହିଂସାର ରୂପ ନେଉଛି। ବିରୋଧୀ ଦଳ ଭାବୁଛନ୍ତି ସରକାରଙ୍କ ଦ୍ୱାରା ପରିବେଷିତ ବିଲ୍‌ ଜନହିତକର ହେଉ ବା ହାନିକର ହେଉ ବିରୋଧ କରିବା ସେମାନଙ୍କ କର୍ତ୍ତବ୍ୟ। ଏହିଭଳି ଚିନ୍ତାଧାରା ପୋଷଣ କରିବା ଦ୍ୱାରା ଅନେକ ସମୟରେ ରାଜନୈତିକ ଶତ୍ରୁତା ବ୍ୟକ୍ତିଗତ ଶତ୍ରୁତାରେ ପରିଣତ ହେଉଛି ଏବଂ ବ୍ୟକ୍ତିଗତ ଶତ୍ରୁତା ରାଜନୈତିକ କ୍ଷେତ୍ରରେ ପ୍ରତିଫଳିତ ହେଉଛି। କୌଣସି ଏକ ଆଦର୍ଶକୁ ନେଇ ବିତର୍କ ହୁଏ। ମାତ୍ର ବିତର୍କ ଏଭଳି ଏକ ସ୍ତରକୁ ଚାଲିଯାଉଛି ଯେ ଆଦର୍ଶ ଏକ ‘ବାଦ’ରେ ପରିଣତ ହେଉଛି ଓ ସେହି ‘ବାଦ’ରେ ଆଉ ଆଦର୍ଶ ରହୁନାହିଁ। ବିତର୍କରେ ଅଂଶଗ୍ରହଣ କରୁଥିବା ତଥାକଥିତ ଜ୍ଞାନୀମାନେ ଭିନ୍ନ ଆଦର୍ଶରେ ବିଶ୍ୱାସ କରୁଥିବା ବ୍ୟକ୍ତିମାନଙ୍କ ମତକୁ ସମ୍ମାନ ଦେଉନାହାନ୍ତି। କେତେକ ସ୍ଥଳରେ କ୍ରୁଦ୍ଧ ହୋଇ ଅପଶବ୍ଦ ବ୍ୟବହାର କରୁଛନ୍ତି। ଟିଭି ପରଦାରେ ଅନୁଷ୍ଠିତ ହେଉଥିବା ବିତର୍କରେ ଭାଗ ନେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ମୁଥ ମରାମରି ହେବା ବା ଚୌକି ଫୋପାଡିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି। ବିତର୍କ ହେଉଛି ଲକ୍ଷ୍ୟଚ୍ୟୁତ। ସେମାନେ ଭୁଲିଯାଉଛନ୍ତି ଯେ ବିତର୍କ ପୂର୍ବରୁ ଆବଶ୍ୟକ ହୁଏ ନମ୍ରଭାବ, ପରସ୍ପରର ମତ ପ୍ରତି ସମ୍ମାନବୋଧ ଓ କ୍ରୋଧଶୂନ୍ୟ ମନ। ବିତର୍କରେ ଯୋଗ ଦେଉଥିବା ତଥାକଥିତ ଜ୍ଞାନୀମାନଙ୍କ ପାଇଁ ଆଦି ଶଙ୍କରାଚାର୍ଯ୍ୟ ଓ ପଣ୍ଡିତଶ୍ରେଷ୍ଠ ମଣ୍ଡନ ମିଶ୍ରଙ୍କ ମଧ୍ୟରେ ଘଟିଥିବା ଐତିହାସିକ ବିତର୍କ ପ୍ରଣିଧାନଯୋଗ୍ୟ ମନେ ହୁଏ।
ଶଙ୍କରାଚାର୍ଯ୍ୟଙ୍କ ସମୟରେ ମଣ୍ଡନ ମିଶ୍ର ଥିଲେ ଭାରତର ସର୍ବଶ୍ରେଷ୍ଠ ପଣ୍ଡିତ ଓ କର୍ମକାଣ୍ଡର ଅଦ୍ୱିତୀୟ ପୃଷ୍ଠପୋଷକ। ତାଙ୍କର ଶାଣିତ ଯୁକ୍ତି ବଳରେ ସେତେବେଳେ ବୌଦ୍ଧ ପଣ୍ଡିତମାନେ ତର୍କ କ୍ଷେତ୍ରରେ ପରାଜୟବରଣ କରୁଥିଲେ। ମଣ୍ଡନ ମିଶ୍ରଙ୍କ ସ୍ତ୍ରୀ ଉଭୟ ଭାରତୀ ମଧ୍ୟ ଥିଲେ ଜଣେ ବିଦୂଷୀ। ବେଦ, ବେଦାନ୍ତ ଦର୍ଶନ ଆଦିରେ ତାଙ୍କର ଅପୂର୍ବ ପାଣ୍ଡିତ୍ୟ ଥିଲା। ଦିନେ ଶଙ୍କରାଚାର୍ଯ୍ୟ ମଧ୍ୟାହ୍ନରେ ମଣ୍ଡନ ମିଶ୍ରଙ୍କ ଗୃହରେ ପହଞ୍ଚିଲେ। ସେତେବେଳେ ମଣ୍ଡନ ମିଶ୍ର ପିତୃଶ୍ରାଦ୍ଧ କାର୍ଯ୍ୟରେ ବ୍ୟସ୍ତ ଥିଲେ। ସନ୍ନ୍ୟାସୀମାନେ କର୍ମକାଣ୍ଡ ତ୍ୟାଗ କରିଥାନ୍ତି ଓ ନିଜ ପାଇଁ ଶ୍ରାଦ୍ଧ କରି ଗୃହ ତ୍ୟାଗ କରିଥାନ୍ତି। ସେଥିପାଇଁ ସନ୍ନ୍ୟାସୀମାନଙ୍କ ଉପସ୍ଥିତି ଶ୍ରାଦ୍ଧ ସମୟରେ ଅମଙ୍ଗଳ ସୂଚକ ମନେକରାଯାଏ। ଏଣୁ ଶଙ୍କରଙ୍କର ଅପ୍ରତ୍ୟାଶିତ ଆଗମନ ମଣ୍ଡନ ମିଶ୍ରଙ୍କ ହୃଦୟରେ କ୍ରୋଧ ସଞ୍ଚାର କଲା। ମାତ୍ର ଶଙ୍କର ସହାସ୍ୟ ବଦନରେ ମଣ୍ଡନ ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଲେ। ଆରମ୍ଭ ହେଲା ଅନୌପଚାରିକ କଥାବାର୍ତ୍ତା। କ୍ରମେ ଉଭୟେ ନିଜ ନିଜ ଜ୍ଞାନକୁ ନେଇ ତର୍କରେ ପ୍ରବୃତ୍ତ ହେଲେ। ସେଠି ଉପସ୍ଥିତ ଥିବା ଦୁଇଜଣ ପଣ୍ଡିତ ଉଭୟଙ୍କ ମଧ୍ୟରେ ଚାଲିଥିବା ଯୁକ୍ତିତର୍କ ଶ୍ରବଣ କରୁଥିଲେ। ସେମାନେ ଲକ୍ଷ୍ୟ କଲେ ଯେ ମଣ୍ଡନ ତର୍କ କଲାବେଳେ କ୍ରୁଦ୍ଧ ହୋଇ କଥାବାର୍ତ୍ତା କରୁଛନ୍ତି। ମାତ୍ର ଶଙ୍କର ମଣ୍ଡନଙ୍କ ଯୁକ୍ତିକୁ ଧ୍ୟାନ ଦେଇ ଶାନ୍ତ ମନରେ ଶୁଣୁଛନ୍ତି ଓ ଖଣ୍ଡନ କରୁଛନ୍ତି। ସେ ସ୍ବଭାବତଃ ଥାନ୍ତି କ୍ରୋଧଶୂନ୍ୟ ଓ ଶାନ୍ତ। ଏହା ନିରୀକ୍ଷଣ କରି ପଣ୍ଡିତଦ୍ୱୟ ମଣ୍ଡନଙ୍କୁ କ୍ରୋଧଶୂନ୍ୟ ହୋଇ ଶାନ୍ତ ମନରେ ତର୍କ କରିବା ପାଇଁ ପରାମର୍ଶ ଦେଲେ।
ଶଙ୍କର ଓ ମଣ୍ଡନ ମିଶ୍ରଙ୍କ ତର୍କରେ ଥିଲା ଏକ ସର୍ତ୍ତ। ଯିଏ ପରାଜିତ ହେବ ସେ ବିଜୟୀର ଶିଷ୍ୟତ୍ୱ ଗ୍ରହଣ କରିବ। ତର୍କ ସମୟରେ ମଧ୍ୟସ୍ଥର ଭୂମିକା ସମ୍ପାଦନ କଲେ ମଣ୍ଡନଙ୍କ ସ୍ତ୍ରୀ ଉଭୟ ଭାରତୀ। ଉଭୟଙ୍କ ମଧ୍ୟରେ ତର୍କ ଏତେ ଦୀର୍ଘ ହେଲା ଯେ ତର୍କସ୍ଥଳରେ ପୂର୍ଣ୍ଣ ସମୟ ଉପସ୍ଥିତ ରହିବା ସ୍ତ୍ରୀଙ୍କ ପାଇଁ ସମ୍ଭବ ହେଲା ନାହିଁ। କାରଣ ସ୍ବାମୀଙ୍କ ଭୋଜନ ଓ ସନ୍ନ୍ୟାସୀଙ୍କ ଭିକ୍ଷା ପ୍ରସ୍ତୁତ କରିବା ଥିଲା ତାଙ୍କର ଦାୟିତ୍ୱ। ଏଣୁ ସେ ଏକ ଅଭିନବ ଉପାୟ ଚିନ୍ତା କଲେ। ତର୍କ ଯେତେଦିନ ଧରି ଚାଲିବ ସେତେଦିନ ପର୍ଯ୍ୟନ୍ତ ପ୍ରତ୍ୟହ ଗୋଟିଏ ଗୋଟିଏ ଫୁଲମାଳ ଉଭୟଙ୍କ ଗଳାରେ ପିନ୍ଧାଇ ଦେବେ। ଯିଏ ପରାଜିତ ହେବ ସେ ନିଶ୍ଚୟ ଉଦ୍‌ବିଗ୍ନ ଓ କ୍ରୁଦ୍ଧ ହୋଇପଡିବ ଓ ଫଳରେ ତା’ର ଶରୀରର ତାପମାତ୍ରା ବୃଦ୍ଧି ହେବ। ତାପ ବୃଦ୍ଧି ହେଲେ ଗଳାର ମାଳା ମ୍ଳାନ ପଡିଯିବ। ଯାହାର ଫୁଲମାଳ ପ୍ରଥମେ ମ୍ଳାନ ଦେଖାଯିବ ସେ ପରାଜିତ ହୋଇଛନ୍ତି ବୋଲି ନିର୍ଣ୍ଣୟ କରାଯିବ। ଆରମ୍ଭ ହେଲା ତର୍କ। ତର୍କ କ୍ଷେତ୍ରକୁ ଆସିଲା ବେଦ, ବେଦାନ୍ତ, କର୍ମକାଣ୍ଡ ଓ ଅନେକ ଶାସ୍ତ୍ର। ତର୍କ ଚାଲିଲା ଦୀର୍ଘ ଷୋଳ ଦିନ। ଶେଷ ଦିନ ଶଙ୍କର ମଣ୍ଡନ ମିଶ୍ରଙ୍କ ସମସ୍ତ ଯୁକ୍ତିକୁ ଖଣ୍ଡନ କରି ଅଦ୍ୱୈତ ମତକୁ ପ୍ରତିଷ୍ଠା କଲେ। ସପ୍ତଦଶ ଦିବସରେ ମଣ୍ଡନ ମିଶ୍ରଙ୍କ ମୁଖମଣ୍ଡଳ ଲଜ୍ଜାରେ ବିବର୍ଣ୍ଣ ପଡିଗଲା। ପରାଜୟର କ୍ରୋଧରେ ଶରୀର କମ୍ପି ଉଠିଲା। ଶରୀରର ତାପମାତ୍ରା ବୃଦ୍ଧି ହେଲା ଓ ଫୁଲମାଳଟି ବିବର୍ଣ୍ଣ ପଡିଗଲା। ସେ ନତମସ୍ତକରେ ପରାଜୟ ସ୍ବୀକାର କଲେ ଓ ସର୍ତ୍ତ ଅନୁସାରେ ଶଙ୍କରଙ୍କ ଶିଷ୍ୟତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ ହେଲେ। ମାତ୍ର ତାଙ୍କର ଧର୍ମପତ୍ନୀ କହିଲେ, ”ହେ ପଣ୍ଡିତଶ୍ରେଷ୍ଠ! ମୁଁ ହେଉଛି ସ୍ବାମୀଙ୍କ ଅର୍ଦ୍ଧାଙ୍ଗିନୀ। ଆପଣ ମୋ ସ୍ବାମୀଙ୍କୁ ପରାସ୍ତ କରିଛନ୍ତି, ମାତ୍ର ମୋତେ ପରାସ୍ତ କରିନାହାନ୍ତି। ଏଣୁ ଆପଣଙ୍କ ବିଜୟ ସମ୍ପୂର୍ଣ୍ଣ ହୋଇନାହିଁ। ମୋତେ ପରାଜିତ କଲା ପରେ ମୋ ସ୍ବାମୀ ଆପଣଙ୍କ ଶିଷ୍ୟତ୍ୱ ଗ୍ରହଣ କରି ସନ୍ନ୍ୟାସ ନେବେ।“ ପୁଣି ଉଭୟଙ୍କ ମଧ୍ୟରେ ସପ୍ତଦଶ ଦିବସ ବ୍ୟାପୀ ତର୍କ ଚାଲିଲା, ମାତ୍ର ଶଙ୍କରଙ୍କ ପରାଜୟ ହେଲା ନାହିଁ। ଶେଷରେ ଉଭୟ ଭାରତୀ ବେଦ, ବେଦାନ୍ତ ପରେ କାମଶାସ୍ତ୍ର ସମ୍ପର୍କରେ ପ୍ରଶ୍ନ କରିବା ଦ୍ୱାରା ଶଙ୍କର ନିରୁତ୍ତର ହେଲେ। କାରଣ ସେ ସନ୍ନ୍ୟାସୀ ହୋଇଥିବାରୁ ସେହି ଶାସ୍ତ୍ରରେ ଅନଭିଜ୍ଞ ଥିଲେ। ଏଣୁ ସେ ସେହି ଶାସ୍ତ୍ର ଅଧ୍ୟୟନ କରିବା ପାଇଁ ଏକମାସ ସମୟ ଭିକ୍ଷା କଲେ। ସେ ବିନମ୍ରତାର ସହ ନିଜର ଅଜ୍ଞତା ସ୍ବୀକାର କରି ବିଦାୟ ନେଲେ ଓ ପୁଣି ଫେରିବାର ପ୍ରତିଶ୍ରୁତି ଦେଲେ। ଶଙ୍କର-ମଣ୍ଡନ ଉପାଖ୍ୟାନ ବିତର୍କ ସମ୍ପର୍କରେ ଦୁଇଟି ଦିଗ ପ୍ରତି ସଚେତନ କରାଏ। ତର୍କ ସମୟରେ କ୍ରୁଦ୍ଧ ବା ଉତ୍ତେଜିତ ହେବ ନାହିଁ ଓ ନିଜକୁ ସମସ୍ତ ଜ୍ଞାନର ଅଧିକାରୀ ଭାବି ଅହଂକାର କବଳିତ ହେବ ନାହିଁ, କାରଣ ଜ୍ଞାନ ଅସୀମ। ଆଜି ଯେଉଁ ପଣ୍ଡିତମାନେ ବିତର୍କରେ ଭାଗ ନେଉଛନ୍ତି ସେମାନେ ଏହି ଦୁଇଟି ଦିଗ ପ୍ରତି ସତେତନ ହେବେ ବୋଲି ଆଶା।
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼, ମୋ-୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri