ମୁଁ ଭୋଟ ଦେଲି କାହିଁକି

ଆକାର ପଟେଲ
ବ୍ୟକ୍ତିଗତ ଭାବେ ଏ ନିର୍ବାଚନରେ କିଏ ଜିତିଲେ ବା ହାରିଲେ ମୋର କିଛି ଯାଏ ଆସେ ନାହିଁ। ମୁଁ ହେଉଛି ଜଣେ ମଧ୍ୟବୟସୀ ସ୍ବଚ୍ଛଳ ସବର୍ଣ୍ଣ ହିନ୍ଦୁ ପୁରୁଷ। ମୋ ଜୀବନରେ ମୁଁ କୌଣସି କଠିନତା, ପକ୍ଷପାତ ଆଦିର ସମ୍ମୁଖୀନ ହୋଇନାହିଁ। ଦେଶ ବା ସରକାରଙ୍କଠାରୁ ମୁଁ କିଛି ଚାହିଁନାହିଁ ବା ମୋର କିଛି ଆବଶ୍ୟକତା ନାହିଁ। କୌଣସି ସରକାରୀ ନୀତି ମୋତେ କେବେ ବି ପ୍ରଭାବିତ କରିନାହିଁ। ମନମୋହନ ସିଂଙ୍କ ଦଶବର୍ଷର ଶାସନକାଳ ବା ମୋଦି ଓ ବାଜପେୟୀଙ୍କ ଶାସନକାଳ ମୋ ପାଇଁ କୌଣସି ପ୍ରଭେଦ ରଖିନାହିଁ। ଏପରି କି ସରକାରଙ୍କ ସବୁଠୁ ହସ୍ତକ୍ଷେପମୂଳକ ନୀତି ବି ମୋ ଜୀବନରେ ବା ମୋ ପରି ଅନ୍ୟମାନଙ୍କ ଜୀବନରେ କୌଣସି ପ୍ରଭାବ ପକାଇ ନାହିଁ। ମୋଦି ସରକାରଙ୍କ ବିମୁଦ୍ରୀକରଣ ଦ୍ୱାରା ବି ମୁଁ ସାମାନ୍ୟତମ ପ୍ରଭାବିତ ହୋଇ ନ ଥିଲି। ଟଙ୍କା ବଦଳାଇବା ପାଇଁ ମୁଁ କେବେ ଧାଡ଼ିରେ ଠିଆ ହୋଇନାହିଁ ବା ବ୍ୟକ୍ତିଗତଭାବେ ମୋର କୌଣସି ପ୍ରକାର ଅସୁବିଧା ହୋଇ ନାହିଁ। ମୋର ଆଧାର କାର୍ଡ ନାହିଁ କି ରେଶନ କାର୍ଡ ନାହିଁ ଏବଂ ଯେଉଁସବୁ କ୍ଷେତ୍ରରେ ମୋର ସରକାରଙ୍କ ପାଖରେ କିଛି କାମ ପଡ଼େ ତାହାର ସଂଖ୍ୟା ଅତି ନଗଣ୍ୟ। କିଛିବର୍ଷ ଭିତରେ ଥରେ ମୋର ପାସପୋର୍ଟ ନବୀକରଣ କରାଇବାକୁ ପଡ଼େ ଏବଂ ସେଥିପାଇଁ ମୋତେ କେତେକ କାର୍ଯ୍ୟାଳୟରେ ଏକଘଣ୍ଟା ପାଖାପାଖି ଅପେକ୍ଷା କରିବାକୁ ପଡ଼େ। କିନ୍ତୁ ତା’ ଛଡ଼ା ମୁଁ ଭାବିପାରେନା ମୋଦି ବା ସିଂ ବା ବାଜପେୟୀ ତାଙ୍କ ନୀତି ଦ୍ୱାରା ମୋତେ କେମିତି ପ୍ରଭାବିତ କରିପାରିବେ। କୌଣସି ସରକାର ଯଦି ଆୟକର ବଢ଼ାନ୍ତି, ମୁଁ ତାହା ଦେବାକୁ ପ୍ରସ୍ତୁତ କାରଣ ମୋ ପାଖରେ ଆବଶ୍ୟକତାଠାରୁ ଅଧିକ ଟଙ୍କା ଅଛି। ତେଣୁ କେନ୍ଦ୍ର ବଜେଟ ଆୟକର କମାଇଦେଲେ ସେଥିରେ ମୋର କିଛି ଖୁସି ହେବାର ନାହିଁ।
ସୁରକ୍ଷା ଦୃଷ୍ଟିରୁ ଦେଖିଲେ ମୋର ଶ୍ରେଣୀ ଓ ବିଶେଷାଧିକାର ଦୃଷ୍ଟିରୁ ମୁଁ କେବେ ବି ରାଜନୈତିକ ହିଂସାର ଶିକାର ହେବି ନାହିଁ। ଦୁଇଟି ବଡ଼ ଦଙ୍ଗା ମୁଁ ଅଙ୍ଗେ ନିଭେଇଛି ଏବଂ ସେଇ ଦଙ୍ଗା ଭିତରେ ବଞ୍ଚିଛି। ତାହା ଦ୍ୱାରା ମୁଁ ଶାରୀରିକ ଭାବେ ବା ବସ୍ତୁଗତ ଭାବେ ପ୍ରଭାବିତ ହୋଇନାହିଁ। ମୁଁ ଅସୁରକ୍ଷିତ ନ ଥିଲି (ମୁଁ ଏକ ବଡ଼ ମନ୍ଦିର ପାଖରେ ବାସ କରୁଥିଲି ଏବଂ ମୋର ସବୁ ପଡ଼ୋଶୀ ଥିଲେ ହିନ୍ଦୁ) ଏବଂ ମୋ ଜାଣିବାରେ କେହି କ୍ଷତିଗ୍ରସ୍ତ ହୋଇ ନ ଥିଲେ। ହିଂସା ଦ୍ୱାରା ମୁଁ ପ୍ରଭାବିତ ହୋଇ ନାହିଁ କିମ୍ବା ମୁଁ କୌଣସି ଅସ୍ମିତା (ସ୍ବାଭିମାନ) ହରାଇ ନାହିଁ ବା ଅସ୍ମିତା ଅନୁଭବ କରିନାହିଁ। ମୁଁ ଜଣେ ଗୁଜରାଟୀ ହୋଇଥିବାରୁ ଲଜ୍ଜା ଅନୁଭବ କରୁଥିଲି ଏବଂ ଏବେ ବି କରୁଛି। କାରଣ ଗୋଟିଏ ସମ୍ପ୍ରଦାୟ ଉପରେ ସାମୂହିକ ପ୍ରତିଶୋଧ ନେବା ହେଉଛି ବର୍ବରତା। କୌଣସି ସଭ୍ୟ ମଣିଷ ଏପରି କରେ ନାହିଁ, ଏପରି କାର୍ଯ୍ୟକୁ କ୍ଷମା କରେ ନାହିଁ, ଏହାକୁ ଠିକ୍‌ ବୋଲି ଦର୍ଶାଇବାକୁ ଚେଷ୍ଟା କରେ ନାହିଁ ବା ଏହାକୁ ଉପେକ୍ଷା କରେ ନାହିଁ।
ଏବେ ଯେଉଁ ନିର୍ବାଚନ ପ୍ରଚାର ସରିଲା, ସେଥିରେ କୌଣସି ଦଳ ଏପରି କିଛି ଘୋଷଣା କରିନାହାନ୍ତି, ଯାହା ମୋ ଜୀବନକୁ ବଦଳାଇ ଦେଇପାରିବ। ମୋର ବୟସ ପ୍ରାୟ ୫୦ ପାଖାପାଖି ଏବଂ ମୁଁ ଅନେକ ସାଧାରଣ ନିର୍ବାଚନ ଦେଖି ସାରିଲିଣି। ସେସବୁ ନିର୍ବାଚନରେ ଯାହା କିଛି କୁହାଯାଇଛି ବା ଘୋଷଣା କରାଯାଇଛି, ସେସବୁ କିଛି ମୋତେ ଆନ୍ଦୋଳିତ କରିନାହିଁ। ଏବେ ଜଣେ ପ୍ରାର୍ଥୀ କହିଲେ ଯେ ଗାନ୍ଧୀଙ୍କ ହତ୍ୟାକାରୀ ଥିଲେ ଜଣେ ଦେଶଭକ୍ତ। ତାଙ୍କ ଦଳ ତାଙ୍କୁ କ୍ଷମା ମାଗିବାକୁ କହିଲା କିନ୍ତୁ ସତକଥା ହେଲା ସେ ଠିକ୍‌ କହିଥିଲେ। ଏ ସରକାର ଓ ତାଙ୍କ ନେତାମାନଙ୍କ ବିଚାରରେ ଦେଶଭକ୍ତି କହିଲେ ଯାହା ବୁଝାଯାଏ, ସେହି ହିସାବରେ ଗଡ଼ସେ ଥିଲେ ଜଣେ ଦେଶଭକ୍ତ। ଜଣେ ବ୍ୟକ୍ତି ଯିଏ ଟିକସ ପଇଠ କରେ ଓ ଦେଶର ଆଇନକାନୁନ ମାନେ ସିଏ ଦେଶଭକ୍ତ ନୁହଁ। ଦେଶଭକ୍ତ ହେବା ପାଇଁ ଆପଣଙ୍କୁ କୁତ୍ସିତ ଭାଷାରେ ପାକିସ୍ତାନକୁ ଗାଳିଦେବାକୁ ପଡ଼ିବ। ଗାନ୍ଧୀଙ୍କ ସମ୍ପର୍କରେ ଗଡ଼ସେଙ୍କ ଧାରଣା ଥିଲା ଯେ ସେ ହେଉଛନ୍ତି ମୁସଲମାନ-ସପକ୍ଷବାଦୀ। ଯେତେବେଳେ ଗାନ୍ଧୀଙ୍କ ସମ୍ମତି ନେଇ କଂଗ୍ରେସର ତୁଙ୍ଗ ନେତାମାନେ ଦେଶର ବିଭାଜନ କଲେ, ଅର୍ଥାତ୍‌ ଭାରତମାତାକୁ ଦୁଇଭାଗ କରିଦେଲେ, ସେତେବେଳେ ତାଙ୍କ ମନରେ କ୍ରୋଧାଗ୍ନି ଜଳିଉଠିଥିଲା। ତତ୍କାଳୀନ କଂଗ୍ରେସ ସରକାର ପ୍ରତି ତାଙ୍କର କୌଣସି ସମ୍ମାନ ନ ଥିଲା, କାରଣ ତାଙ୍କ ବିଚାରରେ ସରକାର ଅନ୍ୟାୟ ଭାବରେ କେବଳ ମୁସଲମାନଙ୍କୁ ସମର୍ଥନ କରୁଛନ୍ତି। କିନ୍ତୁ ଗାନ୍ଧୀଙ୍କ ଯୋଗୁ କଂଗ୍ରେସ ସରକାର ଏପରି ନୀତି ଆପଣାଇଛନ୍ତି ବୋଲି ତାଙ୍କ ମନରେ ଧାରଣା ବଦ୍ଧମୂଳ ହେଲା। ତେଣୁ ସେ ଗାନ୍ଧିଜୀଙ୍କୁ ହତ୍ୟା କରିବା ପାଇଁ ନିଷ୍ପତ୍ତି ନେଲେ। ଗଡ଼ସେ ତାଙ୍କ ଶେଷ ବିବୃତିରେ ଯାହା କହିଛନ୍ତି, ସେଥିରୁ କୌଣସି ଗୋଟିଏ ଅଂଶରେ ଏ ସରକାର, ଏ ପ୍ରଧାନମନ୍ତ୍ରୀ, ତାଙ୍କ ଦଳ ଓ ତାଙ୍କ ଆଦର୍ଶ ଅସମ୍ମତ ହେବ ବୋଲି ମୁଁ ଭାବୁନାହିଁ। ତେଣୁ ସାଧ୍ୱୀ ପ୍ରଜ୍ଞା ଯାହା କହିଛନ୍ତି, ତାହା ଭାଜପାର ଆଦର୍ଶ ଅନୁସାରେ ଭୁଲ୍‌ ନୁହେଁ। ସେଥିପାଇଁ ତାଙ୍କର ଲୋକ ସଭା ଟିକେଟକୁ ପ୍ରତ୍ୟାହାର କରି ନିଆଯାଇ ନାହିଁ।
ମୁଁ କହିଛି ଯେ ମୁଁ କୌଣସି ସରକାରଙ୍କ ନୀତି ଦ୍ୱାରା କେବେ ବି ପ୍ରଭାବିତ ହୋଇ ନାହିଁ। ତେଣୁ ମୁଁ ଭାଜପା ବା କଂଗ୍ରେସକୁ ଭୋଟ ନ ଦେଇ ଜଣେ ସ୍ବାଧୀନ ପ୍ରାର୍ଥୀ ପ୍ରକାଶ ରାଜଙ୍କୁ ଭୋଟ ଦେଇଛି। ଏ ଭୋଟ ସେଇ ଭାରତୀୟମାନଙ୍କ ପାଇଁ, ଯେଉଁମାନେ ନିର୍ବାଚନ ଓ ସରକାରଙ୍କ ନୀତି ଦ୍ୱାରା ପ୍ରଭାବିତ ହୁଅନ୍ତି। ଆମ ଭିତରେ ଅନେକ ଲୋକ ଅଛନ୍ତି ଯେଉଁମାନେ ସରକାରଙ୍କ କାର୍ଯ୍ୟ ଦ୍ୱାରା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି। ଅନେକ ଲୋକ ସରକାରଙ୍କ ସଂଖ୍ୟାଗରିଷ୍ଠ ଆଦର୍ଶ ଦ୍ୱାରା ଭୟ ଓ ଅସୁରକ୍ଷା ଭିତରେ ଗତି କରିବେ। ତେଣୁ ମୋର ଭୋଟ ଖଣ୍ଡିକ ସେଇମାନଙ୍କ ସୁରକ୍ଷା ଓ ହିତ ପାଇଁ ଉଦ୍ଦିଷ୍ଟ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri