ମୁଁ ଓଡ଼ିଶାକୁ ଜଗିଛି

ଦିଲୀପ ଦାଶଶର୍ମା
୧୯୦୩ ମସିହା ଆଜିର ଦିନରେ ମୋର ଜନ୍ମ ହୋଇଥିଲା। ମୋ ଜନ୍ମର ମୁଖ୍ୟ କାରଣ ଥିଲା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିତ କରି ଏକ ସୁନ୍ଦର ଓଡ଼ିଶା ପ୍ରଦେଶ ଗଠନ କରିବା। ମୋ ଜନ୍ମ ଓ ଲାଳନ ପାଳନରେ ଯେଉଁ କେତେଜଣ ବରପୁତ୍ର ନେତୃତ୍ୱ ନେଇଥିଲେ, ସେମାନେ ହେଲେ ଉତ୍କଳ ଗୌରବ ମଧୁସୂଦନ ଦାସ, ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ବ୍ୟାସକବି ଫକୀର ମୋହନ ସେନାପତି, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ହରିହର ମର୍ଦ୍ଦରାଜ ପ୍ରମୁଖ ବହୁ ବରପୁତ୍ର। ଏମାନଙ୍କ ସହିତ ବହୁ ନେତା ଓ କର୍ମୀଙ୍କ କଠିନ ପରିଶ୍ରମ ଫଳରେ ସ୍ବତନ୍ତ୍ର ଓଡ଼ିଶା ଗଠନ ହେଲା ୧୯୩୬ ମସିହା ଏପ୍ରିଲ ୧ ତାରିଖରେ। ମୋର ମୁଖ୍ୟ ଲକ୍ଷ୍ୟ ସାଧିତ ହେଲା। ମୁଁ ବର୍ତ୍ତମାନ କାମ କରୁଛି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କଳାର ଅଭିବୃଦ୍ଧି, ପ୍ରସାର ଓ ସୀମାର ସୁରକ୍ଷା ତଥା ଓଡ଼ିଆମାନଙ୍କର ଓଡ଼ିଶା ଭିତରେ ଓ ବାହାରେ ସାମାଜିକ ସୁରକ୍ଷା ପାଇଁ। ପ୍ରତିଦାନରେ କୌଣସି ଆଶା ରଖିନାହିଁ। ଭାରତର ସ୍ବାଧୀନତା ପୂର୍ବରୁ ସବୁ ସ୍ବାଧୀନତା ସଂଗ୍ରାମୀ ଜାତୀୟ କଂଗ୍ରେସ ଗଠନ କରି ସ୍ବାଧୀନତା ଆନ୍ଦୋଳନ ଆରମ୍ଭ କରିଥିଲେ। ସ୍ବାଧୀନତା ପ୍ରାପ୍ତି ପରେ ଏହି କଂଗ୍ରେସ ନାମରେ ରାଜନୈତିକ ଦଳ ତିଆରି ହୋଇ ରାଜନୀତି ଆରମ୍ଭ ହେଲା। ମାତ୍ର ମୁଁ ଓଡ଼ିଶାର ଶାସନ ଡୋରି ହାତକୁ ନେବା ପାଇଁ ଦଳୀୟ ରାଜନୀତି କରିନାହିଁ। ବରଂ ପୁରାଣର ଭୀଷ୍ମ ପିତାମହଙ୍କ ଭଳି ଓଡ଼ିଶାର ସୀମା ସହିତ ଭାଷା, ସାହିତ୍ୟ, ସଂସ୍କୃତି ଓ କଳାକୁ ଜଗି ରହିଛି। ଆଉ ଏଭଳି ଜଗି ରହିଥିବି ମଧ୍ୟ।
ମୁଁ ମୋର ମୁଖ୍ୟ ଲକ୍ଷ୍ୟ ୮୩ ବର୍ଷ ପୂର୍ବରୁ ଅର୍ଥାତ୍‌ ୧୯୩୬ ମସିହା ଏପ୍ରିଲ ପହିଲା ଦିନ ପୂରଣ କରିଛି ଓ ବର୍ତ୍ତମାନର ଲକ୍ଷ୍ୟ ନେଇ ଆଗକୁ ଅଗ୍ରସର ହେବାକୁ ଚାହଁୁଛି। ମୋର କ୍ଷମତା ଲୋଡ଼ା ନାହିଁ- କେବଳ ମମତା ଲୋଡ଼ା। କ୍ଷମତା ଲୋଡ଼ା ନାହିଁ ତେଣୁ ସମ୍ମିଳନୀ ନାମରେ ରାଜନୀତି କରିନାହିଁ। ଶାସନ ଡୋରି ହାତକୁ ନେବା ପାଇଁ କେବେ ଚେଷ୍ଟା କରିନାହିଁ। ସବୁ ଦଳ ଓ ସବୁ ବର୍ଗର ଲୋକ ଏଥିରେ ଅଛନ୍ତି। ଏହା ହେଉଛି ତ୍ୟାଗ। କେବଳ ମମତା ଲୋଡ଼ା, ହେଲେ ମମତା କାହିଁ? କିଏ ମୋତେ ମମତା ଦେଲା? ଯେଉଁମାନଙ୍କୁ ମୁଁ ଏକ ସ୍ବତନ୍ତ୍ର ରାଜ୍ୟ ଦେଲି ଓ ନିଜ ରାଜ୍ୟରେ ନିଜେ ଶାସନ କରିବାର ଅଧିକାର ଦେଲି, ସେମାନେ ମୋତେ ମମତା ଦେଲେ କି? ଦୁଃଖର ସହିତ କହିବାକୁ ଗଲେ ମୋତେ ଓଡ଼ିଶାର ଅନେକ ଲୋକ ଭୁଲି ଗଲେଣି। ସମ୍ମିଳନୀ କହିଲେ କେହି କେହି ଭାବୁଛନ୍ତି ଅନ୍ୟାନ୍ୟ ଏନ୍‌ଜିଓ ଭଳି ଗୋଟିଏ ଏନ୍‌ଜିଓ।
ଯେଉଁମାନେ ଏହି ସମ୍ମିଳନୀ ପାଇଁ ଗତ ୮୩ ବର୍ଷ ଧରି ଶାସନ କ୍ଷମତା ଉପଭୋଗ କରି ଆସୁଛନ୍ତି, କାହିଁ ତାଙ୍କର ମମତା? ଉତ୍କଳ ସମ୍ମିଳନୀ ପାଇଁ ଆଜି ଏ ରାଜ୍ୟ, ଏ ରାଜଧାନୀ, ଏ ବିଧାନ ସଭା, ଏ ମନ୍ତ୍ରିମଣ୍ଡଳ, ଏ ଲୋକ ସେବା ଭବନ ଇତ୍ୟାଦି ସମ୍ଭବ ହୋଇ ପାରିଛି। ହେଲେ ଯେଉଁ ଅନୁଷ୍ଠାନ ରାଜ୍ୟ ଗଠନ କଲା, ସରକାର ତିଆରି କଲା, ସେହି ଅନୁଷ୍ଠାନକୁ ରାଜ୍ୟ ସରକାରମାନେ ଦେଇଛନ୍ତି କ’ଣ? ୧୧୬ ବର୍ଷର ଅନୁଷ୍ଠାନ ରାଜଧାନୀରେ ନିଜର କାର୍ଯ୍ୟାଳୟ ପାଇଁ ଖଣ୍ଡେ ଜାଗା ପାଇବା ଲାଗି ଯୋଗ୍ୟ ନୁହେଁ କି? ତୁଳନା କରାଯାଉ କେଉଁ ଅନୁଷ୍ଠାନମାନେ ରାଜଧାନୀରେ ଜାଗା ପାଇଛନ୍ତି। ସେମାନଙ୍କଠାରୁ ଉତ୍କଳ ସମ୍ମିଳନୀ କେଉଁ ଗୁଣରେ ନୂ୍ୟନ? ଆଜି ପର୍ଯ୍ୟନ୍ତ ନିଜସ୍ବ ଘର ନାହିଁ। ସରକାର ଗୋଟିଏ ଛୋଟ ଭଡ଼ାଘର ଯୋଗାଇ ଦେଇଛନ୍ତି। ସେହିଭଳି ବହୁ ଦାବି ପରେ ମୋ ଜନ୍ମର ୧୦୩ ବର୍ଷ ପରେ ତା୩୧ା୦୫ା୨୦୦୬ ରିଖରେ ଭୁବନେଶ୍ୱର ମହାନଗର ନିଗମ ପାୱାର ହାଉସ୍‌ ଛକଠାରୁ ସିଆରପି ଛକ ପର୍ଯ୍ୟନ୍ତ ରାସ୍ତାକୁ ଉତ୍କଳ ସମ୍ମିଳନୀ ସରଣୀ ନାମରେ ନାମିତ କଲା। ହେଲେ ଆଜି ପର୍ଯ୍ୟନ୍ତ ସେହି ସରଣୀର ଆରମ୍ଭରେ କିମ୍ବା ଶେଷରେ ଫଳକଟିଏ ଲେଖା ନାହିଁ। ବର୍ତ୍ତମାନ ଲୋକ ତ ଭୁଲିଗଲେଣି ଯେ, ଏହି ରାସ୍ତାର ନାମ ଉତ୍କଳ ସମ୍ମିଳନୀ ସରଣୀ ବୋଲି।
ଭଲଭାବେ ବୁଝି ହେଉଛି, ଏଇଥି ପାଇଁ ଆଜିର ସମାଜରେ ତ୍ୟାଗକୁ ଅଧିକାଂଶ ପସନ୍ଦ କରୁ ନାହାନ୍ତି। କାରଣ ଲୋକ ବୁଝିଛନ୍ତି ଆଜିର ସମାଜ ତ୍ୟାଗ ଚାହେଁ ନାହିଁ। ଯିଏ ତ୍ୟାଗ ସ୍ବୀକାର କଲା ଅନ୍ୟମାନେ ତାଙ୍କୁ ବୋକା କିମ୍ବା ଶୋଇଲା ପୁଅ ଭାବେ ବିବେଚନା କରନ୍ତି। ଉତ୍କଳ ସମ୍ମିଳନୀରେ ସମ୍ପ୍ରତି ସ୍ବାଭିମାନୀ ଯୁବତୀଯୁବକଙ୍କର ଆବଶ୍ୟକତା ରହିଛି, ଯେଉଁମାନେ ପଖାଳ ଖାଇ ଶୋଇ ନ ଥିବେ ବରଂ ଲଢ଼ି ଶିଖିଥିବେ। ନଚେତ୍‌ ୧୧୬ ବର୍ଷ ନୁହେଁ ୧୦୧୬ ବର୍ଷ ହେଲେ ମଧ୍ୟ ଏହା ଏହିଭଳି କଚ୍ଛପ ଗତିରେ ଚାଲିଥିବ।
(ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ)
ସଭାପତି, ଉତ୍କଳ ସମ୍ମିଳନୀ, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା, ଭୁବନେଶ୍ୱର, ମୋ-୯୯୩୮୫୩୭୬୦୦


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri