ମହିଳା ଶ୍ରମିକଙ୍କୁ ଫୋନରେ ବିଡିଓଙ୍କ ଦୁର୍ବ୍ୟବହାର: ଯୁକ୍ତିତର୍କର ଅଡିଓ ଭାଇରାଲ

ଅନୁଗୋଳ ଅଫିସ/ଛେଣ୍ଡିପଦା, ୧୪।୫- ଅନୁଗୋଳ ଜିଲା ଛେଣ୍ଡିପଦା ବିଡିଓ ସୁନୀଲ କୁମାର କେର୍କେଟା କେତେଜଣ ମହିଳା ଶ୍ରମିକଙ୍କୁ ଫୋନରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେଉଛି। ସମ୍ପୃକ୍ତା ମହିଳା ଶ୍ରମିକମାନଙ୍କ ସହ ଫୋନରେ ବିଡିଓଙ୍କ ଯୁକ୍ତିତର୍କର ଅଡିଓ ଗୁରୁବାର ଭାଇରାଲ ହେବା ପରେ ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଅନୁଗୋଳ ଜିଲା ବଅଁରପାଳ ଓ ତାଳଚେର ବ୍ଲକର କେତେଜଣ ମହିଳା ଶ୍ରମିକଙ୍କୁ ବୁଧବାର ଭୁବନେଶ୍ୱରରୁ ଉଦ୍ଧାର କରାଯାଇ ଅନୁଗୋଳ ଅଣାଯାଇଥିଲା। ପ୍ରଶାସନର ନିଷ୍ପତ୍ତି କ୍ରମେ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ଛେଣ୍ଡିପଦା ବ୍ଲକ ଅଞ୍ଚଳର ବରପଦାସ୍ଥିତ କ୍ବାରାଣ୍ଟାଇନ୍‌ ସେଣ୍ଟରକୁ ନିଆଯାଇଥିଲା। କିନ୍ତୁ ସମ୍ପୃକ୍ତା ମହିଳା ଶ୍ରମିକମାନେ ସେଠାରେ ରହିବାକୁ ରାଜି ହୋଇ ନ ଥିଲେ। ସେମାନଙ୍କୁ ନିଜ ନିଜ ଅଞ୍ଚଳକୁ ପଠାଇ ଦେବାକୁ ଦାବି କରିଥିଲେ। ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଆଲୋଚନା କରିଥିଲେ ବି ସେମାନଙ୍କୁ ବୁଝାଇପାରି ନ ଥିଲେ। ପରେ ଶ୍ରମିକମାନେ ଛେଣ୍ଡିପଦା ବିଡିଓ କେର୍କେଟାଙ୍କୁ ଫୋନ୍‌ ମାଧ୍ୟମରେ ଯୋଗାଯୋଗ କରି ନିଜ ଅଞ୍ଚଳକୁ ଗାଡ଼ିରେ ପଠାଇବା ପାଇଁ ବାଧ୍ୟ କରିଥିଲେ। ଏହାକୁ ନେଇ ଯୁକ୍ତିତର୍କ ବେଳେ ବିଡିଓ ଫୋନ କରିଥିବା ମହିଳା ଶ୍ରମିକମାନଙ୍କ ପ୍ରତି କିଛି ଅଶାଳୀନ ଶବ୍ଦ ବ୍ୟବହାର କରିଥିବା ଅଡିଓରେ ଭାଇରାଲ ହୋଇଛି। ଏପରି ଘଟଣା ପରେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ମହିଳା ଶ୍ରମିକମାନଙ୍କୁ ସେମାନଙ୍କ ବ୍ଲକକୁ ପଠାଇ ଦିଆଯାଇଛି। ଏ ସମ୍ପର୍କରେ ଛେଣ୍ଡିପଦା ବିଡିଓ କେର୍କେଟା କହିଛନ୍ତି, ବୁଧବାର ବିଳମ୍ବିତ ରାତିରେ ୫ଜଣ ମହିଳା ଶ୍ରମିକଙ୍କୁ କ୍ୱାରାଣ୍ଟାଇନ ପାଇଁ ବରପଦା ଅଣାଯାଇଥିଲା। କିନ୍ତୁ ଶ୍ରମିକମାନେ ରହିବାକୁ ରାଜି ନ ହୋଇ ଫୋନ କରି ଯୁକ୍ତିତର୍କ କରିଥିଲେ। ଏହି ସମୟରେ ଭୁଲ୍‌ବଶତଃ ତାଙ୍କ ପାଟିରୁ କିଛି ବାହାରି ଯାଇଥିବ ବୋଲି ବିଡିଓ ପ୍ରକାଶ କରିଛନ୍ତି। ବଅଁରପାଳ ବିଡିଓ ଏଲିଜା ମିଶ୍ର କହିଛନ୍ତି, ଯେଉଁମାନେ ବରପଦାରେ ଥିଲେ ସେମାନଙ୍କୁ ବଅଁରପାଳ ଅଞ୍ଚଳକୁ ଅଣାଯାଇଛି। ଅନ୍ୟ କୌଣସି ଘଟଣା ବିଷୟରେ ଅବଗତ ନାହିଁ। ତାଳଚେର ବିଡିଓ ନେତ୍ରାନନ୍ଦ ମଲ୍ଲିକ କହିଛନ୍ତି, ଦୁଇ ଜଣ ମହିଳା ଶ୍ରମିକ ଛେଣ୍ଡିପଦାରେ ଥିଲେ। ବର୍ତ୍ତମାନ ସେମାନଙ୍କୁ ତାଳଚେରରେ ରଖାଯାଇଛି। ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ କହିଛନ୍ତି, କ’ଣ ଭୁଲ ବୁଝାମଣା ହୋଇଛି ଜଣାନାହିଁ। ଅନୁଧ୍ୟାନ ପରେ ପଦକ୍ଷେପ ସମ୍ପର୍କରେ ଅବଗତ କରାଯିବ ବୋଲି ଉପଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri