ଭେଦଭାବ ବିକାଶରେ ଅନ୍ତରାୟ

ରାଜୀବ କୁମାର ନାୟକ

ଓଡ଼ିଶାରେ ମୋଟ୍‌ ୬୨ଟି ଜନଜାତି ଏବଂ ୯୩ଟି ଜାତିର ଲୋକ ବସବାସ କରୁଥିବାବେଳେ ଏମାନଙ୍କ ଜନସଂଖ୍ୟା ଯଥାକ୍ରମେ ମୋଟ୍‌ ୪.୫ କୋଟି ଜନସଂଖ୍ୟାର ୨୨.୧୫ ଏବଂ ୧୭.୨ ଶତକଡା।
ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ଶିଶୁଙ୍କ ଅଧିକାରକୁ ସୁରକ୍ଷା ଦେବା ସମ୍ବନ୍ଧରେ ଯଦିଓ ସମ୍ବିଧାନରେ ଉଲ୍ଲେଖ ରହିଛି ତଥାପି ଆଜି ପର୍ଯ୍ୟନ୍ତ ସାମାଜିକ ବ୍ୟବସ୍ଥା ଏହି ଜାତିଗତ ଭେଦଭାବକୁ ଶହ ଶହ ବର୍ଷ ହେଲା କଳୁଷିତ କରି ରଖିଛି। ବିଦ୍ୟାଳୟ ବି ଏଥିରୁ ବାଦ୍‌ ଯାଇ ନ ଥିବା ବେଳେ ନିର୍ଦ୍ଦିଷ୍ଟ ସମୟାନ୍ତରରେ ଜାତିଗତ ବିଦ୍ୱେଷକୁ ନେଇ ସଙ୍ଗିନ ଅଭିଯୋଗମାନ ଗଣମାଧ୍ୟମର ପୃଷ୍ଠାମଣ୍ଡନ କରିଥାଏ। ୨୦୨୦ରେ ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡେ ଯେ ୩୫.୨୫ ଶତକଡା ଶିଶୁଙ୍କ ପାଖରେ ସେମାନେ ବ୍ୟକ୍ତିଗତ ଭାବରେ ବା ତାଙ୍କ ସାମ୍‌ନାରେ କେହି ଜାତିଗତ ବୈଷମ୍ୟର ଶିକାର ହୋଇଥିବା ଅନୁଭବ ରହିଛି। ଅନୁଧ୍ୟାନ ସମୟରେ ଅମୃତା(ଛଦ୍ମ ନାମ) ନାମ୍ନୀ ଜଣେ ଝିଅ ପ୍ରକାଶ କରନ୍ତି ଯେ ସେମାନେ ଦଳିତ ସମ୍ପ୍ରଦାୟର ହୋଇଥିବାରୁ ସେମାନଙ୍କୁ ଖାଇବା ବେଳେ ଅନ୍ୟତ୍ର ବସିବା ତଥା ଗାଧୋଇବା ସକାଶେ ସ୍ବତନ୍ତ୍ର ଘାଟ ବ୍ୟବହାର କରିବାକୁ କୁହାଯାଇଥାଏ। ଆହୁରି ମଧ୍ୟ ଉଚ୍ଚ ଜାତିରୁ ଆସିଥିବା ଛାତ୍ରୀଛାତ୍ର ତାଙ୍କୁ ଲକ୍ଷ୍ୟକରି ଖରାପ ମନ୍ତବ୍ୟ ଦେବା ସହିତ ଗାଳି ମଧ୍ୟ କରିଥାନ୍ତି।
ଏହି ପ୍ରସଙ୍ଗରେ ଆଲୋଚନା କଲେ ଜଣାଯାଏ ଯେ ଅନେକ ବିଦ୍ୟାଳୟରେ ଦଳିତ ବର୍ଗର ପିଲାଙ୍କୁ ପାଇଖାନା ବ୍ୟବହାର କରିବାକୁ ଦିଆଯାଇ ନ ଥାଏ। ସେହିପରି ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ପିଇବା ପାଣିର ବ୍ୟବସ୍ଥାରୁ ସେମାନଙ୍କୁ ବାରଣ କରାଯାଇଥାଏ। ମଧ୍ୟାହ୍ନ ଭୋଜନ ସମୟରେ ତାଙ୍କୁ ଅନ୍ୟ ପିଲାଙ୍କଠୁ ଛାଡିକି ବସିବାକୁ କୁହାଯିବା ସହ ଖାଦ୍ୟ ପରଷା ଗଲାବେଳେ ତାଙ୍କ ପ୍ଲେଟରେ ଚାମଚ ଯେପରି ନ ଲାଗିବ ସେଥିପାଇଁ ଖାଦ୍ୟ ସବୁକୁ ଉପରୁ ତଳକୁ ପକାଇ ଦିଆଯାଇଥାଏ। ଆଜି ସମସ୍ତ ବିଦ୍ୟାଳୟରେ ସରକାର ବାଧ୍ୟତାମୂଳକ ଭାବରେ ଭେଦଭାବ ଶୂନ୍ୟ ଅଞ୍ଚଳ ଲେଖିବାକୁ କଡ଼ାକଡି ଭାବରେ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହା ଯେଉଁଭଳି ଭାବରେ କାର୍ଯ୍ୟକାରୀ ହେବାକଥା ତାହା ନ ହୋଇ କେବଳ ଲେଖା ଭିତରେ ସୀମିତ ରହୁଛି। ଏଥିସକାଶେ ଯେଉଁ ମାତ୍ରାରେ ଆନ୍ତରିକତା ରହିବା କଥା ତା’ର ଅଭାବ ପରିଲକ୍ଷିତ ହୁଏ। ରାଜ୍ୟ ସରକାର ଆହୁରି ମଧ୍ୟ ଦଳିତ ସମ୍ପ୍ରଦାୟରୁ ବିଦ୍ୟାଳୟକୁ ଆସୁଥିବା ପିଲାମାନଙ୍କ କ୍ଷେତ୍ରରେ ତାଙ୍କ ନାଁରୁ ବର୍ଗକୁ ନାମଲେଖା ରେଜିଷ୍ଟରରେ ବାଦ୍‌ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯଦ୍ଦ୍ବାରା ଜଣେ ପିଲା କେଉଁ ସମ୍ପ୍ରଦାୟରୁ ଆସିଛି ତାହା ଗୋପନ ରହିପାରିବ।
ଏହା କେବଳ ସମ୍ବଲପୁର ଜିଲା ବା ପଶ୍ଚିମ ଓଡ଼ିଶାର କଥା ନୁହଁ ଏହା ସମଗ୍ର ଓଡ଼ିଶାର କଥା। ହୁଏତ ଏହି ଭେଦଭାବ ସ୍ଥାନ ବିଶେଷରେ କମ୍‌ ବେଶି ହୋଇପାରେ କିନ୍ତୁ ଏହା ଆଜି ମଧ୍ୟ ବଳବତ୍ତର ରହିଛି। ଖାଲି ମଧ୍ୟାହ୍ନଭୋଜନ ବେଳେ ଛାଡିକି ବସାଇବା ବା ପିଇବାପାଣିରେ ବାରଣ କଥାକୁ ନେଇ ବାରଣ ନାହିଁ ବରଂ ଆଜି ବି ବାରଣ ସତ୍ତ୍ୱେ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କୁ ତାଙ୍କ ଜାତିର ନାଁ ଧରି ଅପମାନିତ କରିବା, ବିଭିନ୍ନ କଥା କହି ଛିଗୁଲେଇବା, ତାଙ୍କ ପାଖ ନ ମାଡିବା, ତାଙ୍କ ପାଠପଢାରେ ଉନ୍ନତି ଆଣିବା ନିମିତ୍ତ ଧ୍ୟାନ ନ ଦେବା ଇତ୍ୟାଦି ଭଳି ପାତରଅନ୍ତର ନୀତି ରଖିଥାନ୍ତି।
ଏହାର ପରିଣାମ ସ୍ବରୂପ ଅନେକ ପିଲା ନିଜକୁ ଅପମାନିତ ବୋଧକରି ଦିନ ଦିନ ବିଦ୍ୟାଳୟକୁ ନ ଯିବା ଏପରିକି ଅଧାରୁ ପାଠ ଛାଡିବା ଭଳି ଘଟଣା ଦୃଷ୍ଟିଗୋଚର ହୋଇଥାଏ। ଛୁଆଁ ଅଛୁଆଁ ମନୋଭାବ କାରଣରୁ ଉପେକ୍ଷିତ ବର୍ଗ ଅନେକ ସମୟରେ ନିଜ ଧର୍ମର ଅସୂୟା ମନୋଭାବ ଏବଂ ଅନ୍ୟ ଧର୍ମର ଗ୍ରହଣୀୟତା କାରଣରୁ ଧର୍ମ ପରିବର୍ତ୍ତନ କରିବାକୁ ଉଚିତ ମଣୁଛନ୍ତି। ସାଧାରଣ ଭାବରେ ଚାଲିଚଳଣି, ପୋଷାକ ପରିଚ୍ଛଦ,ଖାଦ୍ୟପେୟକୁ ନେଇ ଜାତି ଜାତି ମଧ୍ୟରେ ଥିବା ପ୍ରଭେଦ କାରଣରୁ ଭେଦଭାବ ବୃଦ୍ଧି ପାଇଥାଏ । ଫଳସ୍ବରୂପ ଯେଉଁ ଧର୍ମରେ ଏ ସବୁକୁ ଗୁରୁତ୍ୱ ଦିଆଯାଇ ନ ଥାଏ ସେହି ଧର୍ମ ଗ୍ରହଣ କରିବାକୁ ଅପର ପକ୍ଷ ଉଚିତ ମଣିବା ଦୃଷ୍ଟିଗୋଚର ହୋଇଥାଏ।
ଭାରତୀୟ ସମ୍ବିଧାନ ଏକ ଜନମଙ୍ଗଳକାରୀ ରାଷ୍ଟ୍ରରୂପେ ସର୍ବତ୍ର ବିଦିତ ଥିବାବେଳେ ଜନମଙ୍ଗଳକୁ ବାଦ୍‌ ଦେଇ ଯେଉଁ ଅନ୍ୟ ଏକ ପ୍ରମୁଖ ଦିଗ ରହିଛି ତାହା ହେଲା ସାମାଜିକ ନ୍ୟାୟ। ଆମେ ଯେତେଦିନ ପର୍ଯ୍ୟନ୍ତ ଏମିତି ସାମାଜିକ ବିଭେଦ, ଜାତିଗତ ବୈଷମ୍ୟକୁ ନେଇ ଚାଲୁଥିବା ଆମେ ପ୍ରଗତି ପଥରେ ଆଗୁସାର ହୋଇପାରିବା ନାହିଁ। ଆମ ଜାତିପ୍ରଥା ଏବଂ ସାମାଜିକ ନ୍ୟାୟରେ ମଧ୍ୟ ଅନେକ ବିରୋଧାଭାଷ ଦେଖିବାକୁ ମିଳେ। ସାମାଜିକ ବ୍ୟବସ୍ଥା ମଧ୍ୟରେ ଅନୁସୂଚିତ ଜାତି ବର୍ଗରେ ଥିବା ଅନୁସୂଚିତ ଜାତି ସମ୍ପ୍ରଦାୟ ଦୀର୍ଘଦିନ ଧରି ଅଛୁଆଁ ବିବେଚିତ ହେଉଥିବା ବେଳେ କୈବର୍ତ୍ତ ସମ୍ପ୍ରଦାୟର ଲୋକେ ଅଛୁଆଁ ନୁହନ୍ତି। ଫଳରେ ଅନ୍ୟ ଜାତିର ପିଲା ଦ୍ୱାରା ସେମାନେ ସହଜରେ ଗ୍ରହଣୀୟ ଏବଂ ମିଶିକି ସେମାନେ ଏକାଠି ବସିବା, ଖାଇବା, ଟିଉଶନ୍‌ ଯିବା, ପାଠ ସମ୍ବନ୍ଧରେ ଆଲୋଚନା କରିବା, ଖେଳିବା, ବହି ଖାତାପତ୍ର ଇତ୍ୟାଦି ଦିଆନିଆ କରିବା ଇତ୍ୟାଦି ହୋଇଥାଏ, ଯାହାକି ଅନୁସୂଚିତ ଜାତି ବର୍ଗର ଗୋଟେ ପିଲା ସହିତ ହୋଇ ନ ଥାଏ। ଝିଅମାନଙ୍କ କଥା ଦେଖିଲେ ଆହୁରି ଅଲଗା। ସମାଜରେ ଜାତି ଜାତି ଭିତରେ ଥିବା ଭେଦଭାବ ସହିତ ନାରୀ ଏବଂ ପୁରୁଷ ମଧ୍ୟରେ ଥିବା ଲିଙ୍ଗଗତ ବୈଷମ୍ୟ ମିଶିଯିବା ଫଳରେ ଅନୁସୂଚିତ ବର୍ଗରେ ଥିବା ହରିଜନ ସମ୍ପ୍ରଦାୟର ଝିଅପିଲାମାନେ ଆହୁରି ପଶ୍ଚାଦଭାଗରେ ରହିଥାନ୍ତି।
ଜାତିଗତ ବୈଷମ୍ୟକୁ ସମାଜରୁ ଦୂରେଇବାକୁ ହେଲେ ଶିକ୍ଷା, ସଚେତନତା ସହିତ ବ୍ୟବସ୍ଥାରେ ସୁଧାରର ଆବଶ୍ୟକତା ରହିଛି। ଆମେ ଯଦି ଦେଖିବା ଏହି ଜାତିଗତ ବୈଷମ୍ୟ ତଳ ସ୍ତରରେ ଯେତିକି ରହିଛି ସମାଜର ଉପର ସ୍ତରରେ ଥିବା ଲୋକଙ୍କ ମଧ୍ୟରେ ସେତିକି ନାହିଁ। ଏହା ସହିତ ଭୌଗୋଳିକ ଅବସ୍ଥିତିକୁ ନେଇ ମଧ୍ୟ ଜାତିଗତ ବୈଷମ୍ୟ ଅନେକ ମାତ୍ରାରେ ଜଡିତ। ନିଜ ଗାଁରେ ଜଣେ ବ୍ୟକ୍ତିବିଶେଷ ପ୍ରତି ବାଛ ଚିଚାର କରୁଥିବା ଆଉ ଜଣେ ବ୍ୟକ୍ତି ଯେତେବେଳେ ଦିଲ୍ଲୀ କି ମୁମ୍ବାଇରେ ସହାବସ୍ଥାନ କରୁଛି ତା’ ସହିତ ସେତେଟା ବାଛ ବିଚାର କରୁନାହିଁ ଏବଂ ମିଶିକି ରହୁଛି। ଠିକ୍‌ ସେହିପରି ଆମେ ଯେତେ ଅଧିକ ଶିକ୍ଷିତ ହେଉଛୁ ଆମେ ଭୁଲ୍‌ଭାଲର ବିଚାର କରିପାରୁଥିବା ହେତୁ ଆମର ଗ୍ରହଣୀୟତା ବଢୁଛି।
ପଦରପଡା, ବୌଦ୍ଧ
ମୋ:୯୪୩୭୫୭୧୮୩୧


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri