ଭାଷା ସାହିତ୍ୟ ଓ ପାଠ୍ୟଖସଡ଼ା

ଡ. ପ୍ରଫୁଲ୍ଲ କୁମାର ସାହୁ

ପ୍ରତ୍ୟେକ ବ୍ୟକ୍ତିର ଜାତୀୟତା ପରିଚୟ ହେଉଛି ତା’ର ମାତୃଭାଷା। ମାତୃଭାଷାର ବ୍ୟବହାର ଉପରେ ନିିର୍ଭର କରେ ତା’ର ପରିଚୟ ଓ ପ୍ରତିଷ୍ଠା। ବିଶେଷକରି ସାହିତ୍ୟର ବିକାଶ ଉପରେ ନିର୍ଭର କରେ ଭାଷାର ସମୃଦ୍ଧି। ସାହିତ୍ୟର ବିକାଶ ଫଳରେ କେବଳ ଯେ ଭାଷାର କଳେବର ସମୃଦ୍ଧ ହୁଏ ତାହା ନୁହେଁ,ବରଂ ଏହାଦ୍ବାରା ଗୋଟିଏ ଜାତି ସ୍ବତଃ ବାନ୍ଧି ହୋଇଯାଏ ଐକ୍ୟ ବନ୍ଧନରେ। ଏହି ଦୃଷ୍ଟିରୁ ପ୍ରତ୍ୟେକ ଜାତି ଚାହେଁ ତା’ର ସାହିତ୍ୟର ବିକାଶ। ମାତ୍ର ସାହିତ୍ୟର ସମୃଦ୍ଧି ପାଇଁ ଲୋଡା ସାହିତ୍ୟାନୁରାଗ ବା ପାଠକୀୟ ସହୃଦୟତା। ବିଦ୍ୟାଳୟ ହେଉଛି ଏହି ସାହିତ୍ୟାନୁରାଗ ସୃଷ୍ଟି କରିବାର ପ୍ରକୃଷ୍ଟ କ୍ଷେତ୍ର। ଏଠାରେ ପ୍ରାଥମିକ ଶ୍ରେଣୀରୁ ବିଦ୍ୟାର୍ଥୀଙ୍କ ଭିତରେ ସାହିତ୍ୟ ପ୍ରୀତି ଭରିଦେବା ପାଇଁ ଆରମ୍ଭ ହୁଏ ଯୋଜନାବଦ୍ଧ ପ୍ରୟାସ। ନିମ୍ନ ଶ୍ରେଣୀରେ ଶିଶୁ ଓ କିଶୋର ସାହିତ୍ୟ ପ୍ରତି ଯେଉଁ ଅନୁରାଗ ସୃଷ୍ଟି ହୁଏ, ତାହା ମାଧ୍ୟମିକ ଶ୍ରେଣୀ ବେଳକୁ ଏଭଳି ଉଚ୍ଚତର ସାହିତ୍ୟ ପ୍ରୀତିରେ ପରିଣତ ହୁଏ ଯେ ବିଦ୍ୟାର୍ଥୀ ସ୍ବତଃ ଟାଣି ହୋଇଯାଏ ପାଠାଗାର ଆଡକୁ। ସେଠାରୁ ଗଳ୍ପ, କବିତା, ନାଟକ ଓ ଜୀବନୀ ଆଦି ପୁସ୍ତକ ନେଇ ପଢେ ଖୁବ୍‌ ଆଗ୍ରହର ସହିତ। ବିଦ୍ୟାର୍ଥୀର ସେହି ଆଗ୍ରହକୁ ଉଜ୍ଜୀବିତ କରି ରଖିବା ଉଦ୍ଦେଶ୍ୟରେ ବର୍ଷର ବିଭିନ୍ନ ସମୟରେ ଶିକ୍ଷାଳୟରେ ଆୟୋଜିତ ହୁଏ ସାହିତ୍ୟ ସଭା ଓ ପାଠଚକ୍ର ଇତ୍ୟାଦି। ସେମାନଙ୍କ ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ପ୍ରାଚୀର ପତ୍ର ଓ ବାର୍ଷିକ ମୁଖପତ୍ର ଆଦି ପ୍ରକାଶ ପାଏ ଏବଂ ସେମାନଙ୍କୁ ଉଚ୍ଚମାନର ସାହିତ୍ୟ ସହିତ ପରିଚିତ କରାଏ ଶିକ୍ଷାନୁଷ୍ଠାନର ସମୃଦ୍ଧ ପାଠାଗାର। ଏ ସବୁ ସତ୍ତ୍ବେ ପିଲାଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଟ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ମାତୃଭାଷାର ସାହିତ୍ୟର ପାଠ୍ୟଖସଡ଼ା।
ଶିକ୍ଷାର ମୂଳ ଲକ୍ଷ୍ୟ ହେଉଛି ଚରିତ୍ର ନିର୍ମାଣ ତଥା ସୁସ୍ଥ ସମାଜ ଗଠନ। ଏହି ଲକ୍ଷ୍ୟ ହାସଲ ପାଇଁ ଆବଶ୍ୟକ ହୁଏ ଗୁଣାତ୍ମକ ଶିକ୍ଷା। ଏହାକୁ ଦୃଷ୍ଟିରେ ରଖି ଭିନ୍ନ ଭିନ୍ନ ଶ୍ରେଣୀ ପାଇଁ ପ୍ରସ୍ତୁତ ହୁଏ ପାଠ୍ୟଖସଡା। ବିଶେଷକରି ପ୍ରାଥମିକ ଶିକ୍ଷା ନିମନ୍ତେ ପ୍ରସ୍ତୁତ ମାତୃଭାଷା ପାଠ୍ୟଖସଡାରେ କେଉଁ କେଉଁ ବିଷୟ କେତେ ପରିମାଣରେ ସ୍ଥାନ ପାଇବ, ତାହା ନିର୍ଦ୍ଧାରଣ ହୁଏ ରାଷ୍ଟ୍ରୀୟ ଶିକ୍ଷା ନୀତି ଆଧାରରେ। ତଦନୁଯାୟୀ ପାଠ୍ୟକ୍ରମରେ ସଂଯୋଜିତ ହୁଏ ଆମ ସଂସ୍କୃତି, ପରମ୍ପରା, ଜାତୀୟତା, ଗଣତନ୍ତ୍ର, ଧର୍ମ ନିରପେକ୍ଷତା, ପରିବେଶ ଓ ମହାପୁରୁଷଙ୍କ ଜୀବନୀ ଆଦି ବିଭିନ୍ନ ପ୍ରସଙ୍ଗଭିତ୍ତିକ ଗଳ୍ପ, କବିତା ଓ ପ୍ରବନ୍ଧ ଇତ୍ୟାଦି। ସାଧାରଣତଃ ଓଡିଆ ସାହିତ୍ୟର ପ୍ରବୀଣ ଶିକ୍ଷାବିତଙ୍କ ଦ୍ବାରା ପ୍ରସ୍ତୁତ ହୁଏ ଭିନ୍ନ ଭିନ୍ନ ଶ୍ରେଣୀ ପାଇଁ ପାଠ୍ୟଖସଡ଼ା। ବେଳେ ବେଳେ ଏହି ପ୍ରବୀଣମାନଙ୍କ ଅହଂ ବା ଅଦୂରଦର୍ଶିତା ଯୋଗୁ ପାଠ୍ୟଖସଡା ଭିତରକୁ ଏମିତି କିଛି ଗଳ୍ପ, କବିତା, ପ୍ରବନ୍ଧ ଆଦି ପଶି ଆସେ, ଯାହା ସାହିତ୍ୟ ପାଠ୍ୟ ପାଇଁ ସମ୍ପୂର୍ଣ୍ଣ ଅନୁପଯୋଗୀ। ଏଭଳି ବିଷୟ ପାଠ୍ୟଖସଡାରେ ଅନ୍ତର୍ଭୁକ୍ତ ହେବା ଦ୍ବାରା ଶିକ୍ଷା କେଉଁଠି ତା’ର ମୂଳ ତତ୍ତ୍ବଠାରୁ ଦୂରେଇ ଯାଏ ତ କେଉଁଠି ଏଭଳି ବିଷୟକୁ ନେଇ ଆଦୌ ସରସ ସୁନ୍ଦର ହୋଇପାରେନି ଶ୍ରେଣୀଗୃହ ଶିକ୍ଷାଦାନ। ପିଲାର ମାନସିକତାକୁ ଧ୍ୟାନ ନ ଦେଇ କେବଳ ସନ୍ତୁଳିତ ଆହାର ବା ରୋଗୀର ପଥ୍ୟ ତାଲିକା ପରି ନିର୍ଦ୍ଧାରିତ କିଛି ପ୍ରସଙ୍ଗକୁ ଆଧାର କରି ମନଇଚ୍ଛା ବିଷୟ ନିର୍ବାଚନ କଲେ, ତାହା ଏକ ଛାଞ୍ଚ ତିଆରି ପାଠ୍ୟଖସଡ଼ାରେ ପରିଣତ ହୁଏ; ଯାହା ସାହିତ୍ୟ ଶିକ୍ଷାର ସମ୍ପୂର୍ଣ୍ଣ ପରିପନ୍ଥୀ।
ଭାଷା ଓ ସାହିତ୍ୟ ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡିତ। ସେଥିପାଇଁ ଉଭୟକୁ ଯୋଡି ପ୍ରସ୍ତୁତ ହୁଏ ଗୋଟିଏ ପାଠ୍ୟଖସଡା। ତେଣୁ ପାଠ୍ୟଖସଡାର ପ୍ରଥମ ଲକ୍ଷ୍ୟ ହୁଏ ମାତୃଭାଷା ଜ୍ଞାନର ବିକାଶ ଓ ଦ୍ବିତୀୟରେ ଭାଷାର କଳାତ୍ମକ ପ୍ରୟୋଗ। ପିଲାଙ୍କ ମନ ହେଉଛି ଉର୍ବର ଓ ଉତ୍କୃଷ୍ଟ ମନୋଭୂମି, ଯେଉଁଠି ସହଜରେ ରୋପଣ କରାଯାଇପାରେ ଆଦର୍ଶର ଚାରା। ତେଣୁ ଶିକ୍ଷାର ମୂଳ ଲକ୍ଷ୍ୟ ଦୃଷ୍ଟିରୁ ଏଥିରେ ମାନବିକ ମୂଲ୍ୟବୋଧ ଓ ଦେଶପ୍ରେମ ଆଦି ବିଭିନ୍ନ ପ୍ରସଙ୍ଗ ଅଗ୍ରାଧିକାର ପାଇବା ଉଚିତ। ମାତ୍ର କୌଣସି ଆଦର୍ଶର କଥା କହିବାକୁ ଯାଇ ସାହିତ୍ୟର କାନ୍ତ କୋମଳତା କ୍ଷାନ୍ତ ହେବା ହିଁ ବିଡମ୍ବନା। ତେଣୁ ମାତୃଭାଷାର ପାଠ୍ୟଖସଡା କୌଣସି ବୈଜ୍ଞାନିକ ପ୍ରଣାଳୀରେ ନୁହେଁ, ବରଂ ନିଜସ୍ବ ବାଗରେ ପ୍ରସ୍ତୁତ ହେବା ଆବଶ୍ୟକ। ଯେକୌଣସି ପ୍ରସଙ୍ଗ ସାହିତ୍ୟର ପରିସରଭୁକ୍ତ ହୋଇପାରେ, ମାତ୍ର ତାହା ସାହିତି୍ୟକ ଶୈଳୀ ବା ସାହିତି୍ୟକତାରେ ବିମଣ୍ଡିତ ହେବା ଆବଶ୍ୟକ। ତା’ ନ ହେଲେ ସେଥିରୁ ରସ ଆସ୍ବାଦନ କରି ପାରିବେନି ବିଦ୍ୟାର୍ଥୀ। ମନେରଖିବାକୁ ହେବ ଯେ କୌଣସି ବକ୍ତବ୍ୟ ଯେତେବେଳେ କିଛି କଳ୍ପନା କରିବାର ସୁଯୋଗ ସୃଷ୍ଟି କରେ, ସେତେବେଳେ ତାହା ପହଞ୍ଚିଯାଏ ସାହିତ୍ୟ ସ୍ତରରେ। ସାହିତ୍ୟର ଏହି କଳାତ୍ମକ ଦିଗଟି ପାଇଁ ସେ ଅନ୍ୟ ସବୁ ବିଷୟଠାରୁ ସ୍ବତନ୍ତ୍ର। ତା’ ନ ହେଲେ ଭୂଗୋଳ ବହିର ଚିଲିକା ହ୍ରଦ ଓ କବିବର ରାଧାନାଥ ରାୟଙ୍କ ‘ଚିଲିକା’ କାବ୍ୟ ଭିତରେ ନ ଥାନ୍ତା ଆକାଶ ପାତାଳ ପ୍ରଭେଦ। ଭୂଗୋଳ ବହିର ଚିଲିକା ହେଉଛି ତଥ୍ୟ ଆଧାରିତ। ଅନ୍ୟପକ୍ଷରେ ରାଧାନାଥଙ୍କ ଚିଲିକା ବର୍ଣ୍ଣନା ପାଟବ ବା କାଳ୍ପନିକ ସୌନ୍ଦର୍ଯ୍ୟ ଉପରେ ପର୍ଯ୍ୟବସିତ। ଅର୍ଥାତ୍‌ ଭାଷା ମାଧ୍ୟମରେ ତଥ୍ୟ ପ୍ରସାର ଅନ୍ୟ ସବୁ ବିଷୟରେ କରାଯାଇ ପାରେ, ମାତ୍ର କଳ୍ପନାର ବିକାଶ ପାଇଁ ଲୋଡା ସୃଜନଶୀଳ ସାହିତ୍ୟ। ତେଣୁ ସୃଜନଶୀଳତାରେ ରସାଣିତ ହୋଇ ନ ଥିବା କୌଣସି ପ୍ରସଙ୍ଗ ଯଦି ସାହିତ୍ୟର ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହୁଏ, ତେବେ ସାହିତ୍ୟ ସ୍ବତଃ ହରାଇ ବସିବ ତା’ର ସୌନ୍ଦର୍ଯ୍ୟ ଓ ରସ ଚେତନା।
ଶିଶୁର ସାମୂହିକ ଉନ୍ନତି ପାଇଁ ବୁଦ୍ଧି ବିଳାସର ଯେତିକି ପ୍ରୟୋଜନୀୟତା ରହିଛି, ସେହି ପରିମାଣରେ ବି ରହିଛି କଳ୍ପନା ପ୍ରବଣତାର ପ୍ରୟୋଜନୀୟତା। ବିଜ୍ଞାନ ବୁଦ୍ଧିର ବିଷୟ, ମାତ୍ର କଳା ଓ ସାହିତ୍ୟ ଭାବର ବସ୍ତୁ। ବିଜ୍ଞାନର ଉଚ୍ଚତମ ସୋପାନ ହେଉଛି କଳ୍ପନା। ଅର୍ଥାତ୍‌ କଳ୍ପନା ପ୍ରବଣତା ବିନା ସମ୍ଭବ ହୋଇପାରିବ ନାହିଁ ବୁଦ୍ଧିର ପୂର୍ଣ୍ଣ ବିକାଶ। ଲୋକେ ଭାବନ୍ତି ବୈଜ୍ଞାନିକ ସତ୍ୟ ହିଁ ଏକମାତ୍ର ସତ୍ୟ, ଅନ୍ୟ ସବୁ ମିଥ୍ୟା, ପ୍ରବଞ୍ଚନା ଓ କଳ୍ପନା ପ୍ରସୂତ। ଏଭଳି ଧାରଣା ହିଁ ସୃଜନଶୀଳତାର ଧ୍ବଂସର କାରଣ।
ସବୁ କଳା ପରି ସାହିତ୍ୟ ସୌନ୍ଦର୍ଯ୍ୟର ପୋଷାକ ଓ ରସୋଦ୍ଦୀପକ। ଏହି ରସ ଆସ୍ବାଦନ ଯେ କେବଳ ବୟସ୍କମାନଙ୍କ ପାଇଁ ଉଦ୍ଦିଷ୍ଟ ତାହା ନୁହେଁ, ପିଲାମାନେ ମଧ୍ୟ ସେଥିପାଇଁ ହକଦାର। ସେ ଅଧିକାରରୁ ତାକୁ ବଞ୍ଚିତ କରିବା ଅର୍ଥ ତା’ର ମାନସିକ ବିକାଶର ଅବରୋଧ। ତେଣୁ ପାଠ୍ୟ ବିଷୟ ରୂଢ ଓ ଅନୁଦାର ହେଲେ ସାହିତ୍ୟ ପ୍ରତି ବଢିବ ପିଲାର ବିତୃଷ୍ଣା। ମନ ଭିତରେ ମରି ଶୋଇବ ସୌନ୍ଦର୍ଯ୍ୟବୋଧ। ରସ ଆସ୍ବାଦନ ବିନା କେବଳ ପଣ୍ଡ ପରିଶ୍ରମରେ ପରିଣତ ହେବ ସାହିତ୍ୟ ଶିକ୍ଷା। ଏହାକୁ ଦୃଷ୍ଟିରେ ରଖି ସାହିତ୍ୟ ବହିରେ ଏମିତି ବିଷୟ ସନ୍ନିବେଶିତ ହେବା ଉଚିତ, ଯାହା କଳ୍ପନା ଶକ୍ତିର ବିନିଯୋଗ ପାଇଁ ସୃଷ୍ଟି କରିବ ପର୍ଯ୍ୟାପ୍ତ ସୁଯୋଗ। କେବଳ ଉପଯୁକ୍ତ ବିଷୟ ଚୟନ କରି ଦେଲେ ହେବନି,ଏଥିସହ ବିଷୟ ଶେଷରେ ଥିବା ପ୍ରଶ୍ନଗୁଡିକ କଳାତ୍ମକ ଦିଗ ପ୍ରତି ଧ୍ୟାନଦେବା ଦରକାର। ପ୍ରଶ୍ନଗୁଡିକ ଭାବବୋଧ ଉପରେ ପର୍ଯ୍ୟବସିତ ନ ହେଲେ ସାହିତି୍ୟକ ଚେତନା ସୃଷ୍ଟି କରିବାରେ ବିଫଳ ହୁଏ ସାହିତ୍ୟ। ତେଣୁ ତଥ୍ୟବୋଧ ପରିବର୍ତ୍ତେ ରସବୋଧକୁ ପରୀକ୍ଷା କରିବା ପାଇଁ ପ୍ରଶ୍ନଗୁଡିକ ଏମିତି ତିଆରି ହେବା ଉଚିତ, ଯାହାର ଉତ୍ତରରେ ପ୍ରତିଫଳିତ ହେବ ପରୀକ୍ଷାର୍ଥୀର ବିଷୟ ଅବବୋଧ, ଭାଷା ଜ୍ଞାନ, ଲେଖା ଶୈଳୀ, ଶବ୍ଦ ବସାଣ କୌଶଳ, ରସ ଚେତନା ତଥା ସର୍ଜନଶୀଳ ସାମର୍ଥ୍ୟ ଇତ୍ୟାଦି।
ବାକି ରହିଲା ଗୁଣାତ୍ମକ ଦିଗ। ସାହିତ୍ୟ ନିଜେ ଗୋଟେ ମୂଲ୍ୟବାନ ଓ କମନୀୟ ବସ୍ତୁ। ମାନବ ଜୀବନ ନିର୍ମାଣ କ୍ଷେତ୍ରରେ ତା’ର ନିଜସ୍ବ ସାମର୍ଥ୍ୟ ଅସାମାନ୍ୟ। ସମ୍ପ୍ରତି ମାନବିକ ମୂଲ୍ୟବୋଧର ଅବକ୍ଷୟଜନିତ ସମସ୍ୟା ସମାଧାନ ଦିଗରେ ସାହିତ୍ୟର ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଦୃଷ୍ଟାନ୍ତ ସ୍ବରୂପ ଆତ୍ମକୈନ୍ଦ୍ରିକ ଭାବନା ଯୋଗୁଁ ଏବେ ଉଚ୍ଚଶିକ୍ଷିତ ପୁଅମାନଙ୍କ ଭିତରେ ପ୍ରକାଶ ପାଉନି ପିତୃମନସ୍କତା। ସେଥିପାଇଁ ପରିଣତ ବୟସରେ ଅବହେଳାର ଶିକାର ହେଉଛନ୍ତି ଅନେକ ମାତାପିତା। ଏହି ପବିତ୍ର ମାଟିରେ ଜନ୍ମ ହୋଇଥିଲେ ଶ୍ରବଣ କୁମାର, ଯିଏ ନିଜ ଅନ୍ଧ ମାତାପିତାଙ୍କୁ କାନ୍ଧରେ ବୋହୁଥିଲେ ଅତି ଭକ୍ତି ଓ ଶ୍ରଦ୍ଧାରେ। ମାତ୍ର ପରବର୍ତ୍ତୀ ସମୟରେ ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବରେ ଏଠି ସୃଷ୍ଟି ହେଲେ ଫକୀର ମୋହନଙ୍କ ଡାକମୁନ୍‌ସୀ ଭଳି କିଛି ଘୋଡାମୁହାଁ ପୁଅ। ବାପକୁ ଇଂଲିଶ ଘୁଷି ମାରୁଥିବା ଏହି ଉଚ୍ଚଶିକ୍ଷିତ ପୁଅକୁ ଦୂରଦ୍ରଷ୍ଟା ଫକୀର ମୋହନ ଯେଭଳି ତେରଛା ବାଣ ମାରିଥିଲେ,ବର୍ତ୍ତମାନ ସମାଜ ପାଇଁ ତା’ର ପ୍ରାସଙ୍ଗିକତା ଖୁବ୍‌ ବେଶି। ତେଣୁ ଭାବଗତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରିବାକୁ ହେବ ପାଠ୍ୟଖସଡ଼ା। ସେଥିରେ ସଂଯୋଜିତ ବିଷୟଗୁଡିକ ସାହିତ୍ୟର ଯେଉଁ ଯୁଗୀୟ ହେଉନା କାହିଁକି, ବିଦ୍ୟାର୍ଥୀକୁ ଆନନ୍ଦ ପ୍ରଦାନ କରିବା ସହିତ ତା’ର ଭାଷା ଜ୍ଞାନ ବୃଦ୍ଧି ତଥା ଚରିତ୍ର ଗଠନରେ ସହାୟକ ହେବା ଦରକାର।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ
ପଡ଼ିଆବେଡ଼ା, ମୟୂରଭଞ୍ଜ
ମୋ: ୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri