ଭାଲେରିଆ, କୁର୍ଦ୍ଦି ଓ ନିଷ୍ଠୁର ବିଶ୍ୱ

ପ୍ରକାଶ ତ୍ରିପାଠୀ
ଗତ ଜୁନ୍‌ ୨୫ ତାରିଖ ସକାଳେ ଆମେରିକାବାସୀ ଯେତେବେଳେ ସେ ଦିନର ଖବରକାଗଜକୁ ଖୋଲିଥିବେ ପ୍ରଥମ ପୃଷ୍ଠାରେ ଫଟୋ ସହ ପ୍ରକାଶ ପାଇଥିବା ଏକ ଦୁଃଖଦ ଖବର ନିଶ୍ଚିତ ସେମାନଙ୍କ ଦୃଷ୍ଟିଆକର୍ଷଣ କରିଥିବ ଓ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ କଠୋର ଇମିଗ୍ରେଶନ ନୀତିକୁ ନେଇ କିଛି ସମୟ ଭାବିବାକୁ ବାଧ୍ୟ ହୋଇଥିବେ। କେବଳ ଆମେରିକା ନୁହେଁ, ଏହି ଖବରଟି ସମଗ୍ର ବିଶ୍ୱକୁ ସ୍ତବ୍‌ଧ କରିଦେବା ସହ ଆଧୁନିକ ମଣିଷର ସମ୍ବେଦନଶୀଳତା ପ୍ରତି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ଜୁନ୍‌ ୨୪ ତାରିଖ ସକାଳେ ମେକ୍ସିକୋର ରିଓଗ୍ରାଣ୍ଡ ନଦୀ କୂଳରେ ଲାଗିଥିଲା ଦୁଇଟି ମୃତଦେହ। ଏହା ହେଉଛି ଆମେରିକାର ପଡ଼ୋଶୀ ତଥା ଏକ କ୍ଷୁଦ୍ର ରାଷ୍ଟ୍ର ଆଲ-ସାଲଭାଡୋରାନର ୨୭ ବର୍ଷୀୟ ନାଗରିକ ଓସ୍କାର ଆଲବର୍ଟ ରାମିରେଜ ଓ ତାଙ୍କର ମାତ୍ର ୨୩ ମାସର କନ୍ୟା ଭାଲେରିଆଙ୍କର।
ବେରୋଜଗାର ଓ ଦାରିଦ୍ର୍ୟରୁ ମୁକୁଳିବାକୁ ଆଶା ରଖି ସେଦିନ ରାମିରେଜ ନିଜ କନ୍ୟାକୁ ପିଠିରେ ବାନ୍ଧି ରିଓଗ୍ରାଣ୍ଡ ନଦୀରେ ପଶିଥିଲେ। ଆମେରିକାକୁ ଅନେକ ଦିନ ଧରି ଶରଣାର୍ଥୀ ଭାବେ ପ୍ରବେଶ କରିବାକୁ ଦରଖାସ୍ତ କରିଥିଲେ ମଧ୍ୟ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ କଠୋର ଆଇନ ବଳରେ ଅନୁମତି ମିଳିବାରେ ଡେରି ହୋଇଥିଲା। ସୀମାନ୍ତରେ କିଛି ଲାଞ୍ଚ ଦେଲେ ଶରଣାର୍ଥୀ ପାଇଁ ଅନୁମତି ମିଳିଯିବାର ଆଶା ଜନ୍ମାଇଥିଲା ରାମିରେଜଙ୍କ ଜଣେ ବନ୍ଧୁ। ସେହି ଆଶାରେ ରିଓ ଗ୍ରାଣ୍ଡନଦୀକୁ ପହଁରି ପହଁରି ପାରି ହେବାକୁ ବସିଥିଲେ ରାମିରେଜ। ମାତ୍ର ବିଧିର ବିଧାନ ବିଚିତ୍ର। ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ ବାପ ଓ ଝିଅ। ମେକ୍ସିକୋ କୂଳରେ ମୃତଦେହ ଦୁଇଟି ଲାଗିବା ବେଳେ ଝିଅ ଭାଲେରିଆର ଗୋଟିଏ ହାତ ବାପା ରାମିରେଜଙ୍କ ବେକକୁ ଜାବୁଡି ଧରିଥିଲା। ଅତି ବୀଭତ୍ସ ଓ ହୃଦୟବିଦାରକ ଥିଲା ସେ ଦୃଶ୍ୟ। ସେ ଦୃଶ୍ୟ ଯେତିକି ମାର୍ମିକ, କାରୁଣିକ ଥିଲା, ସେତିକି ଇଙ୍ଗିତ କରୁଥିଲା ସାମ୍ପ୍ରତିକ ଦୁନିଆର ଅମାନବୀୟ, କ୍ରୂର ଓ ସ୍ବାର୍ଥୀ ଚରିତ୍ରକୁ। ଆର୍ଥିକ ଓ ସାମରିକ ଦୃଷ୍ଟିକୋଣରୁ ବଳିଷ୍ଠ ଓ ସଂଭ୍ରାନ୍ତ ରାଷ୍ଟ୍ରର ଅନୁଦାର ଓ ନିଷ୍ଠୁର ଚରିତ୍ରକୁ।
୨୦୧୫ ମସିହା ସେପ୍ଟେମ୍ବର ଦୁଇ ତାରିଖରେ ସିରିଆର ୩ ବର୍ଷର ବାଳକ ଆଲାନ କୁର୍ଦ୍ଦିର ମୃତଦେହ ଭୂମଧ୍ୟସାଗର କୂଳରେ ଠାବ କରାଯିବା ପରେ ବିଶ୍ୱବ୍ୟାପୀ ଏହିଭଳି ଆଲୋଡ଼ନ ସୃଷ୍ଟି ହେବା ସହ ଅନ୍ତର୍ଜାତୀୟ ସ୍ତରରେ ଶରଣାର୍ଥୀ ସମସ୍ୟାର ଗୁରୁତ୍ୱ ଓ ଜଟିଳତାର ପ୍ରମାଣ ମିଳିଥିଲା। ପରିସ୍ଥିତି ଆଜି ବି ସମାନ ଅଛି ଓ ପ୍ରତିବର୍ଷ ହଜାର ହଜାର ଶରଣାର୍ଥୀ ଆଲାନ କୁର୍ଦ୍ଦି ଓ ଭାଲେରିଆଙ୍କ ପରି ଭୟାନକ ମୃତ୍ୟୁର ସାମନା କରୁଛନ୍ତି। ହେଲେ ଅବଶିଷ୍ଟ ବିଶ୍ୱ ଅବିଚଳିତ ଓ ନିର୍ବାକ୍‌ ଭଳି ଅଭିନୟ କରିଚାଲିଛି। ଆର୍ଥିକ ସ୍ଥିତିରେ ମଜଭୁତ ଥିବା ଦେଶଗୁଡିକ ଯେବେଠାରୁ ଆର୍ଥିକ ଉଦାରୀକରଣ ଓ ଜଗତୀକରଣ ନାମରେ ନିଜର ସ୍ଥିତିକୁ ସ୍ବାର୍ଥପୂର୍ଣ୍ଣ ଭାବେ ଅଧିକ ମଜଭୁତ କରିଚାଲିଲେ ଓ ଅନେକ ଅନ୍ତର୍ଜାତୀୟ ସଂଗଠନ ସେମାନଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ସମର୍ଥନ ଦେଇ ଚାଲିଲେ, ସେବେଠାରୁ ଧନୀ ଓ ଗରିବ ରାଷ୍ଟ୍ରଗୁଡିକ ମଧ୍ୟରେ ଦୂରତା ବଢି ବଢି ଚାଲିଲା। ସତେ ଯେମିତି ଶୋଷଣ ନୀତିକୁ ଅନ୍ତର୍ଜାତୀୟକରଣ କରିଦିଆଗଲା। ଗରିବ ଦେଶଗୁଡିକ ଗରିବରୁ ଗରିବତର ହେବାରେ ଲାଗିଲେ।
ଏକବିଂଶ ଶତାବ୍ଦୀରେ ଏବେ ବି ବିଶ୍ୱରେ ଏପରି ୫୦ ପାଖାପାଖି ଦେଶ ଅଛନ୍ତି, ଯେଉଁ ଦେଶର ନାଗରିକମାନେ ନିଜ ପରିବାର ଲୋକଙ୍କୁ ଦୁଇଓଳି ପେଟପୂରା ଖାଇବାକୁ ଦେଇପାରୁନାହାନ୍ତି। ଦୈନିକ ଦୁଇପଟ ରୁଟି ବି ସେମାନଙ୍କ ଭାଗ୍ୟରେ ଜୁଟୁନାହିଁ। ବିଡମ୍ବନାର ବିଷୟ ଯେ, ଆର୍ଥିକ ଉନ୍ନତିର ଶିଖରରେ ପହଞ୍ଚିଥିବା ଆମେରିକାର ପଡୋଶୀ ମେକ୍ସିକୋ, କିଛି ଲାଟିନ ଆମେରିକୀୟ ଦେଶ, କିଛି ଦକ୍ଷିଣ ୟୁରୋପୀୟ ରାଷ୍ଟ୍ର ତଥା ଆମେରିକାର ଯୁଦ୍ଧପିପାସୁ ନୀତିରେ ନିଷ୍ପେଷିତ କିଛି ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଆଜି ଗରିବୀ, ଗୃହଯୁଦ୍ଧ, ଖାଦ୍ୟାଭାବ, ବେରୋଜଗାର ଆଦି ସଙ୍କଟରେ ଜର୍ଜରିତ। ହଜାର ହଜାର ନାଗରିକ ପେଟକୁ ମୁଠାଏ ଦାନା, ଶରୀରକୁ ଢାଙ୍କିବା ପାଇଁ ଟିକିଏ କନା ପାଇବା ପାଇଁ ବିଶ୍ୱ ସମ୍ମୁଖରେ ଆଜି ଶରଣାର୍ଥୀ ଭାବେ ଉପସ୍ଥିତ। ଜୀବନ ବିକଳରେ ଲୁଚି ଲୁଚି ଦେଶାନ୍ତର ହୋଇ ମୃତ୍ୟୁକୁ ସାମନା କରୁଥିବା ବେଳେ ଉଦାରୀକରଣ ଓ ଜଗତୀକରଣର ସ୍ଲୋଗାନ ଦେଉଥିବା ସମୃଦ୍ଧିଶାଳୀ ଦେଶ ଓ ସଂଗଠନଗୁଡିକ ଏତେ ନିଷ୍ଠୁର ଓ ନୀରବ କାହିଁକି?
ଶରଣାର୍ଥୀ ସମସ୍ୟା ଓ ଏହାକୁ ସହୃଦୟତାର ସହ ଗ୍ରହଣ କରିବାର ମାନସିକତା ବୋଧହୁଏ ସମଗ୍ର ବିଶ୍ୱ ପାଇଁ ଭାରତ ଏକ ଉଦାହରଣ ହୋଇପାରେ। କାରଣ ସ୍ବାଧୀନତା ପୂର୍ବ ଓ ପରବର୍ତ୍ତୀ ସମୟରେ ଶରଣାର୍ଥୀଙ୍କୁ ଆଶ୍ରୟ ଦେବାରେ ଭାରତର ଉଦାରତାକୁ ଏବେବି ଅନ୍ତର୍ଜାତୀୟ ସ୍ତରରେ ଗୁରୁତ୍ୱ ପ୍ରଦାନ କରାଯାଏ। ତିବ୍ବତ, ବାଂଲାଦେଶ, ପାକିସ୍ତାନ, ଆଫିଗାନ, ଶ୍ରୀଲଙ୍କା ଓ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଭାରତ କେବଳ ଆଶ୍ରୟ ଦେଇନାହିଁ, ବରଂ ନିଜ ଦେଶର ଲୋକଙ୍କୁ ଦିଆଯାଉଥିବା ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ମଧ୍ୟ ସେମାନଙ୍କୁ ପ୍ରଦାନ କରିଛି। ବିଶ୍ୱକୁ ଏକ ପରିବାର ଭଳି ଗ୍ରହଣ କରିବାର ମାନସିକତା ପ୍ରଦର୍ଶନ କରିଛି। ଏହି ପ୍ରସଙ୍ଗରେ ସ୍ବାଧୀନତା ପୂର୍ବବର୍ତ୍ତୀ ଏକ ଶରଣାର୍ଥୀ ସମ୍ପର୍କିତ ଘଟଣା ଏଠାରେ ସ୍ଥାନିତ କରିବା ଉଚିତ ହେବ। ଗତ ଚାଳିଶ ଦଶକର ଘଟଣା। ଦ୍ୱିତୀୟ ବିଶ୍ୱଯୁଦ୍ଧର ଘନଘଟା ସମଗ୍ର ବିଶ୍ୱକୁ ଆଚ୍ଛାଦିତ କରି ରହିଥାଏ। ୧୯୪୧ରେ ସୋଭିଏତ ରୁଷିଆ ଉପରେ ହିଟଲରଙ୍କ ସେନା ଆକ୍ରମଣ କରିବାରୁ ରୁଷିଆରେ ଶ୍ରମିକ ଭାବେ ବିଭିନ୍ନ କ୍ୟାମ୍ପରେ ରହି କାର୍ଯ୍ୟ କରୁଥିବା ହଜାର ହଜାର ନିର୍ବାସିତ ପୋଲାଣ୍ଡ ନାଗରିକଙ୍କୁ ରୁଷିଆ ହଠାତ୍‌ ସର୍ବକ୍ଷମା ପ୍ରଦାନ କରି ଦେଶ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦେଲା। ରୁଷିଆର ଏପରି ଅତର୍କିତ ନିଷ୍ପତ୍ତି ପଛରେ ଉଦ୍ଦେଶ୍ୟ ଥିଲା ଯେ ହିଟଲରଙ୍କ ବିରୋଧୀ ଗୋଷ୍ଠୀରେ ପୋଲାଣ୍ଡ ଯୋଗ ଦେଉ। ସେତେବେଳେ ହଜାର ହଜାର ପୋଲାଣ୍ଡ ନାଗରିକଙ୍କ ଗଣପଳାୟନ ଖୁବ୍‌ ଯନ୍ତ୍ରଣା ତଥା କଷ୍ଟଦାୟକ ଥିଲା, କାରଣ ଶୀତପ୍ରଧାନ ରୁଷ ଅଞ୍ଚଳରୁ ସେମାନେ ଗ୍ରୀଷ୍ମପ୍ରଧାନ ଏସୀୟ ଅଞ୍ଚଳକୁ ଯାତ୍ରା କରିଥିଲେ। ତାପମାତ୍ରାର ତାରତମ୍ୟ, ଖାଦ୍ୟାଭାବ ଯୋଗୁ ବାଟରେ ଅନେକ ନିର୍ବାସିତ ପୋଲାଣ୍ଡ ନାଗରିକ ମୃତ୍ୟୁବରଣ କଲେ। ଦିନକୁ ଦିନ ଯୁଦ୍ଧର ବିଭୀଷିକା ବୃଦ୍ଧି ପାଉଥିବାରୁ ପୁନର୍ବାର ନିଜ ଜନ୍ମସ୍ଥାନ ପୋଲାଣ୍ଡ ଫେରିଯିବାର ସମସ୍ତ ଆଶା କ୍ଷୀଣ ହେବାକୁ ଲାଗୁଥାଏ। ପ୍ରଥମେ ବିଭିନ୍ନ ୟୁରୋପୀୟ ରାଷ୍ଟ୍ର ଓ ପରେ ତୁର୍କମେନିସ୍ତାନ, ଇରାନ, ଆଫଗାନିସ୍ତାନ, କ୍ୱେଟା ଓ କରାଚୀ ଆଦିରେ ପୋଲାଣ୍ଡ ଶରଣାର୍ଥୀମାନଙ୍କୁ ଆଶ୍ରୟ ନ ମିଳିବା ପରେ ପରେ ୫୦୦ ଶରଣାର୍ଥୀଙ୍କୁ ନେଇ ଗୋଟିଏ ବଡ ପୋତ ବମ୍ବେ ବନ୍ଦରରେ ପହଞ୍ଚିଥିଲା।
ତତ୍କାଳୀନ ଇଂରେଜ ସରକାର ଅମଙ୍ଗ ହୋଇଥିଲେ ପୋଲାଣ୍ଡ ଶରଣାର୍ଥୀଙ୍କୁ ବମ୍ବେରେ ଆଶ୍ରୟ ଦେବାକୁ। ଖବର ପହଞ୍ଚିଲା ଜାମନଗର ମହାରାଜା ଦିଗ୍‌ବିଜୟ ସିଂ ଜାଦେଜାଙ୍କ ପାଖରେ। ସେତେବେଳେ ଦିଗ୍‌ବିଜୟ ସିଂ ଥିଲେ କାଉନସିଲ ଅଫ୍‌ ପ୍ରିନସେସ୍‌ର ଚାନସେଲର ତଥା ଇମ୍ପେରିଆଲ ଓ୍ବାର୍‌ କ୍ୟାବିନେଟ୍‌ ଇନ୍‌ ବ୍ରିଟିଶ୍‌ ଇଣ୍ଡିଆର ଜଣେ ସକ୍ରିୟ ସଭ୍ୟ। ନିଜ ପଦବୀ ଓ ଦାୟିତ୍ୱକୁ ଭ୍ରୂକ୍ଷେପ ନ କରି ସେ ଶରଣାର୍ଥୀମାନଙ୍କୁ ସହାୟତାର ହାତ ବଢାଇଲେ। ୫୦୦ ଜଣିଆ ପୋଲାଣ୍ଡ ଶରଣାର୍ଥୀମାନଙ୍କୁ ନିଜ ରାଜ୍ୟର ନଓ୍ବାନଗରରେ ଆଶ୍ରୟ ଦେବାକୁ ଘୋଷଣା କଲେ। ରହିବା ପାଇଁ ଘର, ସେମାନଙ୍କ ପିଲାଙ୍କ ପଢିବା ପାଇଁ ସ୍କୁଲ, ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନା ଓ ରୋଜଗାର ପାଇଁ କାମଧନ୍ଦା ବି ଯୋଗାଇଦେଲେ। ଶରଣାର୍ଥୀମାନଙ୍କ ପାଇଁ ମହାରାଜା ପାଲଟିଗଲେ ଦେବଦୂତ ଓ ଶ୍ରଦ୍ଧାରେ ଶରଣାର୍ଥୀମାନେ ତାଙ୍କୁ ବାପୁ ବି ଡାକିବାକୁ ଆରମ୍ଭ କଲେ। ମହାରାଜା ଦିଗ୍‌ବିଜୟ ସିଂଙ୍କୁ ପରେ ସହଯୋଗ କରିଥିଲେ ପଟିଆଲା ଓ ବରୋଦାର ରାଜା। ପ୍ରସିଦ୍ଧ ବ୍ୟବସାୟିକ ପ୍ରତିଷ୍ଠାନ ଟାଟା ଗ୍ରୁପ୍‌ ବି ଶରଣାର୍ଥୀଙ୍କ ନିମନ୍ତେ ସେତେବେଳେ ଛଅ ଲକ୍ଷ ଟଙ୍କା ରାଜାଙ୍କୁ ପ୍ରଦାନ କରିଥିଲା। ନିଜେ ରାଜା ଦିଗ୍‌ବିଜୟ ଶରଣାର୍ଥୀ ଶିବିରକୁ ନିୟମିତ ବୁଲିଯିବା ସହ ସମସ୍ତ ସୁବିଧା ଅସୁବିଧା ବୁଝୁଥିଲେ ଓ ନିଜ ରାଜ୍ୟର ଲୋକଙ୍କ ଭଳି ସେମାନଙ୍କୁ ଗୁରୁତ୍ୱ ଦେଉଥିଲେ।
୧୯୪୨ରୁ ୧୯୪୮ ମଧ୍ୟରେ ପ୍ରାୟ ୨୦ ହଜାର ଶରଣାର୍ଥୀ ଭାରତରେ ରହିଥିଲେ, ଯେଉଁମାନେ କି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ମହାରାଜା ଦିଗ୍‌ବିଜୟ ସିଂଙ୍କ ମହାନୁଭବତାକୁ ପୋଲାଣ୍ଡବାସୀ ଏବେ ବି ଭୁଲିନାହାନ୍ତି। ପୋଲାଣ୍ଡର ଅନେକ ସ୍କୁଲ, ରାଜପଥର ନାମ ମହାରାଜାଙ୍କ ନାମରେ ନାମିତ ହୋଇଛି ଓ ପୋଲାଣ୍ଡ ଇତିହାସରେ ଭାରତର ଆତିଥେୟତା ଓ ବିଶ୍ୱକୁ ଏକ ପରିବାର ଭାବେ ଗ୍ରହଣ କରିବାର ମାନସିକତା ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି। ଭାରତରୁ ଶିକ୍ଷା ଲାଭ କରିଥିବା ବସୁଧୈବ କୁଟୁମ୍ବକମ୍‌ ନୀତିକୁ ଗ୍ରହଣ କରି ଆଜି ଚେଚେନ୍ୟା, ଭିଏତନାମ, ଶ୍ରୀଲଙ୍କା, ତିବ୍ବତ ଓ ଅନେକ ଆଫ୍ରିକୀୟ ଦେଶର ଅନେକ ଶରଣାର୍ଥୀଙ୍କୁ ପୋଲାଣ୍ଡ ନିଜ ଦେଶରେ ଆଶ୍ରୟ ଦେଇଛି। ପୋଲାଣ୍ଡ ଭଳି ବିଶ୍ୱର ସମୃଦ୍ଧିଶାଳୀ ରାଷ୍ଟ୍ରମାନେ ଭାରତର ଶରଣାର୍ଥୀ ନୀତି ତଥା ବିଶାଳ ହୃଦୟତାକୁ ଆପଣେଇ ନେଲେ କ୍ରମବର୍ଦ୍ଧିିଷ୍ଣୁ ଶରଣାର୍ଥୀ ସମସ୍ୟା ଦୂର ହୋଇପାରନ୍ତା। ଆଲାନ କୁର୍ଦ୍ଦି ଓ ଭାଲେରିଆଙ୍କ ଭଳି ନିଷ୍ପାପ ଶିଶୁଙ୍କ ମର୍ମନ୍ତୁଦ ମୃତ୍ୟୁ ଦେଖିବାକୁ ପଡ଼ନ୍ତା ନାହିଁ।
ମୋ-୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri