କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି ଦୁଇ ଯୁବକଙ୍କ ଉପରେ ମରଣାନ୍ତକ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ମହେଶ କାଡ୍ରାକା ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ରହନ କାଡ୍ରାକା ନାମକ ଅନ୍ୟ ଜଣେ ଯୁବକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଶିଖରପାଇ ବାଲିଯାତ୍ରା ଚାଲିଥିବା ସମୟରେ କୌଣସି ଏକ କଥାକୁ ନେଇ କିଛି ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିବାରୁ ଦୁଇ ଯୁବକଙ୍କ ଉପରେ ଅତର୍କିତ ଭାବେ ଛୁରାମାଡ଼ କରାଯାଇଥିଲା। ଫଳରେ ମହେଶ ଓ ରହନ ରକ୍ତାକ୍ତ ଅବସ୍ଥାରେ ଘଟଣାସ୍ଥଳରେ ପଡ଼ିଯାଇଥିଲେ।
ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟ ଆହତଙ୍କୁ ଉଦ୍ଧାର କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ ଡାକ୍ତର ମହେଶଙ୍କୁ ମୃତ ଘୋଷଣା କରିଥିବା ବେଳେ ରହନଙ୍କ ଅବସ୍ଥା ଗୁରୁତର ରହିଛି।
ବାଲିଯାତ୍ରା ଭଳି ଏକ ଜନଗହଳିପୂର୍ଣ୍ଣ ମେଳାରେ ଏଭଳି ରକ୍ତାକ୍ତ ସଂଘର୍ଷ ଘଟିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଓ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଧରିବା ପାଇଁ ଛାନଭିନ୍ ଜାରି ରଖିଛି।

