ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ।
ଜୟଦେବ ଉନାଡକଟ ତାଙ୍କ ଅଧିନାୟକ ପଦ ବଜାୟ ରଖିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ସିରିଜରେ ୨-୧ରେ ବିଜୟ ହାସଲ ପରେ ଏହି ଭେଟେରାନ ବାମହାତି ସ୍ପିନ ବୋଲିଂ ଅଲରାଉଣ୍ଡରଙ୍କୁ ଦଳରେ ସାମିଲ କରାଯାଇଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଜଡେଜା ଦୁଇଟି ମ୍ୟାଚ ଖେଳି ଦୁଇ ଉଇକେଟ ଅକ୍ତିଆର କରିଥିଲେ, ହେଲେ ତାଙ୍କୁ ବ୍ୟାଟିଂ ସୁଯୋଗ ମିଳି ନ ଥିଲା।
ଆସନ୍ତା ମାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ଟୁର୍ ପୂର୍ବରୁ ସେ ରେଡ୍ବଲ୍ ମ୍ୟାଚ ଅଭ୍ୟାସ କରିପାରିବେ। ଓ୍ବେଲ୍ିଂଟନ ଟେଷ୍ଟ ନଭେମ୍ବର ୧୯ରୁ ୨୩ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବେଳେ ନଭେମ୍ବର ୨୭ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଖ୍ରୀଷ୍ଟଚର୍ଚ୍ଚଠାରେ ଦ୍ୱିତୀୟ ମ୍ୟାଚ ଖେଳାଯିବ। ଭାରତର ପ୍ରମୁଖ ଘରୋଇ ପ୍ରଥମ-ଶ୍ରେଣୀ ପ୍ରତିଯୋଗିତାର ୯୨ତମ ସଂସ୍କରଣ ଅକ୍ଟୋବର ୧୧ରୁ ଆରମ୍ଭ ହେବ। ଗତବର୍ଷ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିବା ସୌରାଷ୍ଟ୍ର ଏଲିଟ୍ ଗ୍ରୁପ୍ ‘ବି’ରେ ସ୍ଥାନ ପାଇଛି।
ଏହି ଗ୍ରୁପ୍ରେ ସ୍ଥାନ ପାଇଥିବା ଅନ୍ୟ ଦଳଗୁଡ଼ିକ ହେଲେ ଆନ୍ଧ୍ର, ଆସାମ, ଛତିଶଗଡ଼, ହାଇଦ୍ରାବାଦ କର୍ନାଟକ, ପଞ୍ଜାବ ଓ ତ୍ରିପୁରା। ସୌରାଷ୍ଟ୍ର ଦଳର ନେତୃତ୍ୱ ନେବାକୁ ଥିବା ଉନାଡକଟ ନିକଟରେ ଇଂଲିଶ କାଉଣ୍ଟି କ୍ରିକେଟ ଟୁର୍ନାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଫେରିଛନ୍ତି। ସସେକ୍ସ ତରଫରୁ ଖେଳି ସେ ୭ଟି ମ୍ୟ୍ୟାଚରେ ୨୮ ଉଇକେଟ ଅକ୍ତିଆର କରିଛନ୍ତି। ତନ୍ମଧ୍ୟରେ ହାମ୍ପଶାୟାର ବିପକ୍ଷରେ ତାଙ୍କର ଏକ ୫ ଉଇକେଟ ସଫଳତା ଏବଂ ଦୁଇଥର ୪ ଉଇକେଟ ସଫଳତା ରହିଛି। ଚେତନ ସାକାରିୟାଙ୍କ ସହ ସହିତ ସେ ସୌରାଷ୍ଟ୍ର ବୋଲିଂ ଆକ୍ରମଣର ନେତୃତ୍ୱ ନେବେ।

