ପ୍ରାଚୀନ ଭାରତର ବିଶ୍ୱବିଦ୍ୟାଳୟ

ଇଂ.ମାୟାଧର ସ୍ବାଇଁ

ପାଶ୍ଚାତ୍ୟ ଜଗତରେ ବିଶ୍ୱବିଦ୍ୟାଳୟ ସ୍ଥାପନର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା ଏବଂ ଏଠାରେ ଦେଶ, ବିଦେଶର ଅନେକ ଛାତ୍ର ଶିକ୍ଷାଲାଭ କରିଥିଲେ। ଇଂଲଣ୍ଡର ଅକ୍‌ସଫୋର୍ଡ ବିଶ୍ୱବିଦ୍ୟାଳୟ ୧୦୯୬ ମସିହାରେ ସ୍ଥାପିତ ହୋଇଥିଲା ଏବଂ ଏହାକୁ ୟୁରୋପର ସର୍ବ ପୁରାତନ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଏ। ଆମ ଦେଶରେ ଏହାର ପ୍ରାୟ ୧୫୦୦ ବର୍ଷ ପୂର୍ବରୁ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା।
ପୃଥିବୀର ପ୍ରଥମ ବିଶ୍ୱବିଦ୍ୟାଳୟ ତକ୍ଷଶିଳା(ବର୍ତ୍ତମାନ ପାକିସ୍ତାନ ଅନ୍ତର୍ଗତ)ରେ ସ୍ଥାପନ କରାଯାଇଥିଲା। ଏହା ଖ୍ରୀ.ପୂ. ସପ୍ତମ ଶତାବ୍ଦୀରେ ସ୍ଥାପିତ ହୋଇ ୫୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲା। ଛଅ ବର୍ଗ ମାଇଲ ଅଞ୍ଚଳରେ ବ୍ୟାପ୍ତ ଏହା ରାଓଲପିଣ୍ଡି ଠାରୁ ପଶ୍ଚିମକୁ ୨୦ ମାଇଲ ଦୂରରେ ଅବସ୍ଥିତ ଥିଲା। ଭାରତ ସମେତ ସମଗ୍ର ଏସିଆ ମହାଦେଶରୁ ଛାତ୍ରମାନେ ଏଠାକୁ ପଢ଼ିବାକୁ ଆସୁଥିଲେ। ଏଠାରେ କେବଳ ଉଚ୍ଚତର ଶିକ୍ଷା ଦିଆଯାଉଥିଲା। ଏଣୁ ଏଠାକୁ ଆସୁଥିବା ଛାତ୍ରମାନଙ୍କର ବୟସ ୧୬ରୁ ୨୦ ବର୍ଷ ମଧ୍ୟରେ ଥିଲା। ଶିକ୍ଷାର ସମୟ ସାଧାରଣତଃ ଆଠ ବର୍ଷ ଥିଲା, ମାତ୍ର ଛାତ୍ରର ଶିକ୍ଷାଗ୍ରହଣ କ୍ଷମତାକୁ ନେଇ ଅଧ୍ୟାପକ ଏହାକୁ କମ୍‌ କିମ୍ବା ବେଶି କରି ପାରୁଥିଲେ। ଏଠାରେ ବେଦ, ହିନ୍ଦୁ ସଂସ୍କୃତି, ଜ୍ୟୋତିଷ ଶାସ୍ତ୍ର, ବ୍ୟାକରଣ, ସାହିତ୍ୟ, ଶିଳ୍ପ ବିଜ୍ଞାନ, ରାଜନୀତି, ଅର୍ଥନୀତି, ଯୁଦ୍ଧ ବିଜ୍ଞାନ, ସଂଗୀତ ସମେତ ୬୪ଟି ବିଷୟରେ ଶିକ୍ଷା ପ୍ରଦାନ କରାଯାଉଥିଲା। ଏଠାରେ ପରୀକ୍ଷା ପଦ୍ଧତି ନ ଥିଲା। ଅଧ୍ୟାପକମାନେ ନିୟମିତ ପଢ଼ା ଭିତରେ ଛାତ୍ରମାନଙ୍କର ଦକ୍ଷତାକୁ ଜାଣି ପାରୁଥିଲେ। ଏଠାରେ ଶିକ୍ଷା ପ୍ରଦାନ, ରହିବା ଓ ଖାଇବା ମାଗଣା ଥିଲା। ଇତିହାସରୁ ଜଣାଯାଏ ଯେ, ସଂସ୍କୃତ ବ୍ୟାକରଣବିତ୍‌ ପାଣିନି, ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ମନ୍ତ୍ରୀ କୌଟିଲ୍ୟ (ଚାଣକ୍ୟ), ବିଶିଷ୍ଟ ଚିକିତ୍ସାବିତ୍‌ ଜୀବକ ଏଠାରେ ଅଧ୍ୟୟନ କରିଥିଲେ। ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତଙ୍କୁ ଏଠାରେ ଶିକ୍ଷା ପ୍ରଦାନ କରାଇ ମଗଧର ନନ୍ଦବଂଶ ଧ୍ୱଂସ କରି ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନ କରିଥିଲେ। ପଞ୍ଚମ ଶତାବ୍ଦୀରେ ଚାଇନା ପରିବ୍ରାଜକ ଫାହିୟାନ ଏଠାକୁ ଆସିଥିଲେ। କୁଶାଣମାନେ ଉତ୍ତର ଭାରତ ଆକ୍ରମଣ କରି ପ୍ରଥମ ଶତାବ୍ଦୀରୁ ୨୫୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ସେମାନଙ୍କର ସଂସ୍କୃତି ପୃଥକ ଥିଲା ଏବଂ ଶିିକ୍ଷା ପ୍ରତି ଆଗ୍ରହ ନ ଥିଲା। ଏହି ସମୟରେ ତକ୍ଷଶିଳା ବିଶ୍ୱବିଦ୍ୟାଳୟର ଅଧଃପତନ ଆରମ୍ଭ ହେଲା ଏବଂ ପଞ୍ଚମ ଶତାବ୍ଦୀରେ ହୁନ୍‌ମାନଙ୍କ ଆକ୍ରମଣରେ ଏହା ଧ୍ୱଂସ ହେଲା। ପ୍ରତ୍ନତାତ୍ତ୍ୱିକ ଖୋଦନ ପରେ ଏହା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଛି। ୟୁନେସ୍କୋ ୧୯୮୦ରେ ଏହାକୁ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ଦେଇଛି।
୪୨୫ ଖ୍ରୀଷ୍ଟାବ୍ଦରୁ ୧୨୦୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ନାଳନ୍ଦା ବିଶ୍ୱବିଦ୍ୟାଳୟ ଖାତି ଲାଭ କରିଥିଲା। ଏହା ବର୍ତ୍ତମାନର ବିହାର ରାଜଧାନୀ ପାଟନାଠାରୁ ୬୭ କି.ମି. ଦୂରରେ ଅବସ୍ଥିତ ଥିଲା। ମଗଧ ରାଜ୍ୟର ଗୁପ୍ତ ବଂଶର ଶାସନ ସମୟରେ ଏହା ପ୍ରତିଷ୍ଠିତ ହୋଇଥିଲା। ଏହାକୁ କୁମର ଗୁପ୍ତ ଆରମ୍ଭ କରିଥିଲେ ଏବଂ ତାଙ୍କ ଉତ୍ତରାଧିକାରୀମାନେ ଏହାର ବିକାଶ କରିଥିଲେ। ଏହାକୁ ବୌଦ୍ଧ ସମ୍ରାଟ ହର୍ଷବର୍ଦ୍ଧନ ଏବଂ ପାଲା ସାମ୍ରାଜ୍ୟର ଶାସକମାନେ ପୃଷ୍ଠପୋଷକତା କରିଥିଲେ। ଏହା ବୌଦ୍ଧଧର୍ମ ଓ ଶିକ୍ଷାର ଏକ ପ୍ରମୁଖ କେନ୍ଦ୍ର ଥିଲା। ଏଠାରେ ଏଗାରଟି ବୌଦ୍ଧବିହାର, ଗୋଟିଏ ପର୍ଯ୍ୟବେକ୍ଷଣାଗାର ଓ ଗୋଟିଏ ବଡ଼ ପୁସ୍ତକାଳୟ ଥିଲା। ଏହା ମଧ୍ୟ କେବଳ ଉଚ୍ଚତର ଶିକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା। ଭାରତ ସମେତ ମଙ୍ଗୋଲିଆ, ଚାଇନା, କୋରିଆ, ଶ୍ରୀଲଙ୍କା ଓ ତିବ୍ବତରୁ ଛାତ୍ରମାନେ ଆସି ଏଠାରେ ଅଧ୍ୟୟନ କରୁଥିଲେ। ଚାଇନା ପରିବ୍ରାଜକ ହୁଏନ୍‌ସାଂ ଭାରତ ପରିଭ୍ରମଣରେ ଆସି ଏଠାରେ ୬ ବର୍ଷ (୬୩୧ ମସିହାରୁ ୬୩୭ ମସିହା) ଅଧ୍ୟୟନ କରିଥିଲେ। ସପ୍ତମ ଶତାବ୍ଦୀରେ ପୂର୍ବ ଏସିଆରୁ ଜୁଆନ୍‌ ଜାଙ୍ଗ୍‌ ଓ ୟିଜିଙ୍ଗ୍‌ ଏଠାକୁ ଆସିଥିଲେ। ଏଠାରେ ପ୍ରବେଶିକା ପରୀକ୍ଷା ବଡ଼ କଠିନ ଥିଲା। ହୁଏନ୍‌ସାଂ ଲେଖିଛନ୍ତି ଯେ, ନାମ ଲେଖା ପାଇଁ ଆସୁଥିବା ଛାତ୍ରମାନଙ୍କ ମଧ୍ୟରୁ ମାତ୍ର ୨୦ ପ୍ରତିଶତ ପ୍ରବେଶିକା ପରୀକ୍ଷାରେ ସଫଳ ହେଉଥିଲେ। ଏଠାକୁ ପ୍ରାୟ ୨୦ ବର୍ଷରୁ ଅଧିକ ବୟସର ଛାତ୍ରମାନେ ଅଧ୍ୟୟନ ପାଇଁ ଆସୁଥିଲେ। ଛାତ୍ରମାନଙ୍କର ଶିକ୍ଷାଦାନ, ରହିବା ଓ ଖାଇବା ମାଗଣା ଥିଲା। ଅଧ୍ୟାପକମାନେ ମଧ୍ୟ ଦରମା ନେଉ ନ ଥିଲେ। ଏଠାରେ ଅଧ୍ୟୟନ ଓ ଅଧ୍ୟାପନା କରିବା ଏକ ଗର୍ବର ବିଷୟ ଥିଲା। ଏଥିରୁ ଉତ୍ତୀର୍ଣ୍ଣ ଛାତ୍ରମାନେ ସମାଜରେ ଉଚ୍ଚ ସମ୍ମାନ ପାଉଥିଲେ। ଏଠାରେ ବୌଦ୍ଧଧର୍ମ ବ୍ୟତୀତ ବେଦ, ବ୍ୟାକରଣ, ଭେଷଜ ବିଜ୍ଞାନ, ଆଇନ୍‌, ଦର୍ଶନଶାସ୍ତ୍ର, ଗଣିତ, ଜ୍ୟୋତିର୍ବିଜ୍ଞାନ ଆଦି ପଢ଼ାଯାଉଥିଲା। ଅନେକ ରାଜା, ମହାରାଜା ଏହି ବିଶ୍ୱବିଦ୍ୟାଳୟକୁ ଦାନ ଦେଉଥିଲେ। ଏକଦା ଏଠାରେ ୧୦୦୦୦ ଛାତ୍ର ଓ ୨୦୦୦ ଅଧ୍ୟାପକ ଥିଲେ। ଏହା ଏକାଦଶ ଶତାବ୍ଦୀ ପର୍ଯ୍ୟନ୍ତ ସୁଚାରୁରୂପେ କାର୍ଯ୍ୟ କରିଥିଲା। ତୁର୍କୀର ଆକ୍ରମଣକାରୀ ବଖତିଆର ଖିଲିଜ୍‌ ୧୨୦୩ରେ ଏହାକୁ ଆକ୍ରମଣ କରି ଧ୍ୱଂସ କରି ଦେଇଥିଲେ ଏବଂ ଏଠାରେ ଥିବା ବୌଦ୍ଧ ଭିକ୍ଷୁମାନଙ୍କୁ ହତ୍ୟା କରିଥିଲେ। ଏହାର ପୁସ୍ତକାଳୟ ଅନେକ ଦିନ ପର୍ଯ୍ୟନ୍ତ ନିଅଁାରେ ଜଳୁଥିଲା। ବର୍ତ୍ତମାନ ଏହାର ଭଗ୍ନାବଶେଷକୁ ଉତ୍‌ଖନନ କରାଯାଇ ସଂରକ୍ଷିତ ରଖାଯାଇଛି। ୟୁନେସ୍କୋ ଏହାକୁ ୨୦୧୬ରେ ବିଶ୍ୱ ଐତିହ୍ୟସ୍ଥଳର ମାନ୍ୟତା ଦେଇଛି।
ପଶ୍ଚିମ ଭାରତର ସୌରାଷ୍ଟ୍ରରେ ବଲଭି ବିଶ୍ୱବିଦ୍ୟାଳୟ ୬୦୦ ଖ୍ରୀଷ୍ଟାବ୍ଦରୁ ୧୨୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲା। ଏଠାରେ ହୀନ ଯାନ ବୌଦ୍ଧଧର୍ମ ମୁଖ୍ୟ ପାଠ୍ୟବସ୍ତୁ ଥିଲେ ସୁଦ୍ଧା ରାଜନୀତି, ଆଇନ, ଅର୍ଥନୀତି ଆଦି ବିଷୟ ପଢ଼ାଯାଉଥିଲା। ହୁଏନ୍‌ସାଂ ସପ୍ତମ ଶତାବ୍ଦୀର ମଧ୍ୟ ଭାଗରେ ଏହି ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିବାବେଳେ ଏଠାରେ ୬୦୦୦ ଛାତ୍ର ଅଧ୍ୟୟନ କରୁଥିବାର ସେ ଲେଖିଛନ୍ତି। ଆରବମାନଙ୍କର ଆକ୍ରମଣ ପରେ ରାଜାମାନଙ୍କର ଆର୍ଥିକ ସାହାଯ୍ୟ ଓ ପୃଷ୍ଠପୋଷକତା ନ ମିଳିବାରୁ ଏହା କ୍ରମେ ବନ୍ଦ ହୋଇଗଲା।
ମଗଧରେ ଗଙ୍ଗା ନଦୀ କୂଳରେ ବିକ୍ରମଶିଳା ବିଦ୍ୟାଳୟ ୮୦୦ ଖ୍ରୀଷ୍ଟାବ୍ଦରୁ ୧୨୦୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଖ୍ୟାତି ଲାଭ କରିଥିଲା। ଏହା ନାଳନ୍ଦା ବିଶ୍ୱବିଦ୍ୟାଳୟ ନିକଟରେ ଥିଲା, ମାତ୍ର ଏହାର ଠିକ୍‌ ସ୍ଥାନ ନିରୂପିତ ହୋଇପାରିନାହିଁ। ଏହାକୁ ରାଜା ଧର୍ମପାଳ ସ୍ଥାପନ କରିଥିଲେ ଏବଂ ତାଙ୍କ ଉତ୍ତରାଧିକାରୀମାନେ ଏହାର ଖର୍ଚ୍ଚ ବହନ କରିଥିଲେ। ଏଠାରେ ବୌଦ୍ଧଧର୍ମ ସହିତ ହିନ୍ଦୁଧର୍ମର ସଂସ୍କୃତି, ବ୍ୟାକରଣ, ତର୍କଶାସ୍ତ୍ର, ତନ୍ତ୍ରବିଦ୍ୟା ଆଦି ଶିକ୍ଷା ଦିଆଯାଉଥିଲା। ଦ୍ୱାଦଶ ଶତାବ୍ଦୀରେ ଏଠାରେ ୩୦୦୦ ଛାତ୍ର ଅଧ୍ୟୟନ କରୁଥିବାର ଜଣାପଡ଼ିଛି। ବଖତିଆର ଖିଲିଜ୍‌ ୧୨୦୩ ମସିହାରେ ଏହି ବିଶ୍ୱବିଦ୍ୟାଳୟକୁ ଧ୍ୱଂସ କରିଦେଇଥିଲେ ଏବଂ ଏଠାରେ ଥିବା ସମସ୍ତ ଅଧ୍ୟାପକ ଓ ଛାତ୍ରଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ।
ଏହିପରି ଭାବେ ଭାରତର ପ୍ରାଚୀନ ବିଶ୍ୱବିଦ୍ୟାଳୟଗୁଡିକ ତ୍ରୟୋଦଶ ଶତାବ୍ଦୀର ପ୍ରଥମ ଦଶକ ସୁଦ୍ଧା ବନ୍ଦ ହୋଇଯାଇଥିଲା। ଏହାପରେ ଇଂରେଜମାନେ ୧୮୫୭ରେ ବମ୍ବେ, କଲିକତା ଓ ମାନ୍ଦ୍ରାଜରେ ତିନୋଟି ବିଶ୍ୱବିଦ୍ୟାଳୟ ସ୍ଥାପନ କରି ପାଶ୍ଚାତ୍ୟ ଶିକ୍ଷାର ବ୍ୟବସ୍ଥା କଲେ। ବର୍ତ୍ତମାନ ଭାରତରେ ଅନେକ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲେ ସୁଦ୍ଧା ପ୍ରାଚୀନ ତକ୍ଷଶିଳା, ନାଳନ୍ଦା କିମ୍ବା ବିକ୍ରମଶିଳା ଭଳି କାହାରି ସୁନାମ ନାହିଁ।
୭୦, ଲକ୍ଷ୍ମୀବିହାର ଫେଜ୍‌ ୧, ଭୁବନେଶ୍ୱର
ମୋ:୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri