ପ୍ରଶାସନିକ ଅବହେଳା, ଅଧାରେ ପଡ଼ିଛି ଆବାସ

କୁନ୍ଦୁରା,୨୨ା୨(ଡି.ଏନ୍‌.ଏ.)
କୋରାପୁଟ ଜିଲା କୁନ୍ଦୁରା ବ୍ଲକରେ ଗରିବ ହିତାଧିକାରୀଙ୍କ ପାଇଁ ଆସୁଥିବା ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ଯୋଜନାରେ ପ୍ରଶାସନିକ ଅବହେଳା ଯୋଗୁ ୨୦୧୮-୧୯ରେ ଶତାଧିକ ଗୃହ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ବ୍ଲକର ୧୬ଟି ପଞ୍ଚାୟତରେ ଗ୍ରାମସଭା ଓ ପଲ୍ଲୀସଭା ଦ୍ୱାରା ଚୟନ ଏବଂ ଏସ୍‌ଇସିସି ତାଲିକାରେ ଥିବା ହିତାଧିକାରୀଙ୍କୁ ଆବାସ ଦିଆଯାଉଥିଲେ ମଧ୍ୟ ସେମାନଙ୍କୁ ପ୍ରଶାସନ ଠିକ୍‌ ସମୟରେ ଟଙ୍କା ଦେଉ ନ ଥିବାରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁ ନ ଥିବା ଜଣାପଡ଼ିଛି। କୁନ୍ଦୁରା ବ୍ଲକ ପଖନାଗୁଡ଼ା ଗ୍ରାମର କେତେକ ହିତାଧିକାରୀ ବାରମ୍ବାର ଆବେଦନ କରିବା ସତ୍ତ୍ୱେ ସେମାନଙ୍କୁ ଏଯାବତ୍‌ ଆବାସ ମିଳୁ ନ ଥିବା ବିଡିଓ ସ୍ନେହପ୍ରଭା ମାଝିଙ୍କୁ ଅଭିଯୋଗ କରାଯାଇଛି। ଲିମା ପଞ୍ଚାୟତ ଗୁଣ୍ଠାଗୁଡା ଗ୍ରାମର ସନସାଇ ପରଜା ୫୦୦ ଟଙ୍କା ଲାଞ୍ଚ ନ ଦେବାରୁ ୨୦୧୭ ଜୁନ୍‌ର ଆବାସ ଗୃହ ଏ ଯାଏଁ ସମ୍ପୂର୍ଣ୍ଣ ହୋଇନାହିଁ। ତାଙ୍କୁ ଆବାସ କାର୍ଯ୍ୟାଦେଶ ମିଳିବାର କିଛି ଦିନ ପରେ ଜଣେ ସରକାରୀ କର୍ମଚାରୀ ୫ହଜାର ଟଙ୍କା ମାଗିଥିଲେ। ସନସାଇ ଦେଇ ନ ପାରିବା ଯୋଗୁ କୁନ୍ଦୁରା ବ୍ୟାଙ୍କ ସନ୍‌ସାଇଙ୍କ ଜମାଖାତାରେ ଥିବା ଆବାସ ବାବଦୀୟ ପ୍ରଥମ କିସ୍ତିକୁ ଅଟକାଇ ଦିଆଯାଇଥିଲା। ଏ ବିଷୟରେ ତତ୍କାଳୀନ ବିଡିଓ ବିଜୟାନନ୍ଦ ସେଠୀଙ୍କୁ ଭଲ ଭାବେ ଜଣାଥିବା ସତ୍ତ୍ୱେ ମଧ୍ୟ ଉକ୍ତ ଟଙ୍କାକୁ ସନସାଇଙ୍କୁ ଦିଆଯାଇ ନ ଥିଲା। ସେହିଭଳି ଅଗଷ୍ଟ ୨୦୧୯ରେ କୁନ୍ଦୁରା ବ୍ଲକକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯୪୩ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ୨୦୨୦ ଫେବୃୟାରୀ ସୁଦ୍ଧା ୬୧୫ଟି ସରିଛି। ବିଜୁ ପକ୍କାଘର ଯୋଜନାରେ ୧୦ଟି ପଞ୍ଚାୟତର ୩୪ ଜଣ ହିତାଧିକାରୀଙ୍କୁ ୨୦ ଅଗଷ୍ଟ ୨୦୧୯ରେ କାର୍ଯ୍ୟାଦେଶ ଦିଆଯାଇଥିଲା। ସେଥିମଧ୍ୟରୁ ୨୦୨୦ ଫେବୃୟାରୀ ସୁଦ୍ଧା ମାତ୍ର ୨୨ଟି ସରିଛି ା ଅନେକ ହିତାଧିକାରୀଙ୍କ ୯୫ ଦିନର ଟଙ୍କା ମଧ୍ୟ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଦିଆଯାଇ ନ ଥିବା ମିଳିତ ଜନଶୁଣାଣି ଶିବିରରେ ଅଭିଯୋଗ ହୋଇଥିଲା ା ଏହି ସବୁ କାର୍ଯ୍ୟଗୁଡ଼ିକୁ କୋରାପୁଟ ପ୍ରକଳ୍ପ ନିର୍ଦ୍ଦେଶକ ବ୍ଲକସ୍ତରୀୟ ଅଧିକାରୀଙ୍କୁ ବାରମ୍ବାର ତାଗିଦ କରୁଥିବା ସତ୍ତ୍ୱେ ମଧ୍ୟ ଗରିବ ହିତାଧିକାରୀଙ୍କ କଥା ଶୁଣିବାକୁ ପ୍ରଶାସନ ନାରାଜ ା ଏହାକୁ ନେଇ ବ୍ଲକ କାର୍ଯ୍ୟରେ ଆସିଥିବା ରାଣୀଗୁଡ଼ା ସରପଞ୍ଚ ସୁଭଦ୍ରା ଭୂମିଆ ଓ ପଖନାଗୁଡ଼ା ସରପଞ୍ଚ କହିଛନ୍ତି ଯେ, ଗ୍ରାମପଞ୍ଚାୟତସ୍ତରରୁ ଗରିବ ହିତାଧିକାରୀଙ୍କ ଆବାସ ଆବେଦନ ପାଖପାଖି ୫ଶହଟି ଦିଆଯାଇଥିବା ବେଳେ ସେଥିମଧ୍ୟରୁ ଅର୍ଦ୍ଧାଧିକ କୁଆଡ଼େ ଗାଏବ ହୋଇଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର ପୋଲିସ ମାଡ଼ରେ ୨ ଓଡ଼ିଆ ଯୁବକ ଗୁରୁତର, ଗଞ୍ଜେଇ ଚାଲାଣକାରୀ କହି ଉଠାଇ ନେଇଥିବା ଅଭିଯୋଗ

ନନ୍ଦପୁର,୩୦।୬(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତ ସୁରୁମି ଗ୍ରାମର ୨ ଯୁବକଙ୍କୁ ଆନ୍ଧ୍ର ମୁଚିମପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ କରୁଥିବା…

କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା: ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି, ଭକ୍ତଙ୍କ ପ୍ରବଳ ଭିଡ଼

କୋରାପୁଟ,୨୯ା୬(ଅମିତାଭ ବେହେରା): ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସୋମବାର କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ପୂର୍ବାହ୍ନ ୧୦ଟା ୩୦ ମିନିଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri