Posted inଫୁରସତ

ପର୍ଯ୍ୟଟନରେ ଜେଜୁରୀର ଖଣ୍ଡୋବା ମନ୍ଦିର

ମହାରାଷ୍ଟ୍ରର ପୁଣେ ଜିଲା ଅନ୍ତର୍ଗତ ଏକ ମନ୍ଦିରମାଳିନୀ ସହର ଭାବେ ଜେଜୁରୀର ବେଶ୍‌ ଖ୍ୟାତି ରହିଛି। ଖଣ୍ଡୋବା ମନ୍ଦିର ହେଉଛି ଏଠାକାର ସବୁଠୁ ବଡ଼ ଆକର୍ଷଣ। ମରାଠୀ ଭାଷାରେ ଏହା ‘ଖଣ୍ଡୋବାଚୀ ଜେଜୁରୀ’ ନାମରେ ମଧ୍ୟ ପ୍ରସିଦ୍ଧିଲାଭ କରିପାରିଛି। ଉକ୍ତ ମନ୍ଦିରର ପ୍ରମୁଖ ଦେବତା ହେଉଛନ୍ତି ଖଣ୍ଡୋବା, ଯିଏକି ମାର୍ତ୍ତଣ୍ଡ ଭୈରବ, ମହ୍ଲାର ନାମରେ ବି ପରିଚିତ। କେହି କେହି ଭଗବାନ ଖଣ୍ଡୋବାଙ୍କୁ ପ୍ରଭୁ ଶିବଙ୍କର ଅନ୍ୟ ଏକ ରୂପ କହୁଥିବା ବେଳେ ଆଉ କେହି କେହି ପ୍ରଭୁ ଶିବ, ଭୈରବ (ଶିବଙ୍କର କ୍ରୂର ରୂପ), ସୂର୍ଯ୍ୟ ଏବଂ କାର୍ତ୍ତିକ ଏହି ଚାରି ଦେବତାଙ୍କର ଏକତ୍ରିତ ସ୍ବରୂପ ବୋଲି ବିଶ୍ୱାସ କରିଥାନ୍ତି। ତେବେ ଭଗବାନ ଖଣ୍ଡୋବା ପ୍ରତ୍ୟକ୍ଷ ଦେବତା ଭାବେ ଖ୍ୟାତ ହୋଇଥିବାରୁ, ବର୍ଷସାରା ଏଠାରେ ଭକ୍ତଗଣଙ୍କର ଭିଡ଼ ଲାଗି ରହିଥାଏ।

ମନ୍ଦିର ସହ ଜଡିତ ପୌରାଣିକ କଥା:

ମହ୍ଲାରୀ ମାହାତ୍ମ୍ୟ ତଥା ମହାରାଷ୍ଟ୍ର ଏବଂ କର୍ନାଟକର ଲୋକଗୀତ ଓ ସାହିତି୍ୟକ କୃତିରେ ଖଣ୍ଡୋବା ସମ୍ପର୍କରେ ଅନେକ କିଛି ଉଲ୍ଲେଖ ହୋଇଥିବା ଦେଖିବାକୁ ମିଳିଥାଏ। ତେବେ ବ୍ରହ୍ମାଣ୍ଡ ପୁରାଣ ଅନୁସାରେ, ମଲ୍ଲା ଏବଂ ମଣି ନାମକ ଦୁଇ ରାକ୍ଷସ ଭାଇ ବ୍ରହ୍ମାଙ୍କ ନିକଟରୁ ବରଦାନ ପ୍ରାପ୍ତ ହୋଇଥିଲେ। ବର ପାଇ ସେମାନେ ନିଜକୁ ଅମର ମନେକରି ପୃଥିବୀବାସୀଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଲେ। ଏସବୁ ଦେଖି ଭଗବାନ ଶିବ ଖଣ୍ଡୋବା(ମାର୍ତ୍ତଣ୍ଡ ଭୈରବ)ଙ୍କ ରୂପ ଧାରଣ କରି ସେହି ରାକ୍ଷସ ଦୁଇଭାଇଙ୍କୁ ଦମନ କରିବାକୁ ଉଭା ହୋଇଥିଲେ। ସେହି ସମୟରେ ପ୍ରଭୁ ଖଣ୍ଡୋବା ବା ମାର୍ତ୍ତଣ୍ଡ ଭୈରବ ଚମକୁଥିବା ସୂର୍ଯ୍ୟ ପରି ଦେଖାଯାଉଥିଲେ। କାରଣ ତାଙ୍କ ଶରୀର ସାରା ହଳଦୀ ଲାଗିଥିଲା, ଯାହାକୁ ହରିଦ୍ରା ବୋଲି ବି କୁହାଯାଇଥାଏ। ତେବେ ଯେତେବେଳେ ଭଗବାନ ଖଣ୍ଡୋବା ରାକ୍ଷସ ଦୁଇଭାଇଙ୍କୁ ଦମନ କରିବା ପାଇଁ ଗଲେ, ସେତେବେଳେ ମଣି ପଶ୍ଚାତାପ କରି ଭଗବାନଙ୍କୁ ତା’ର ଧଳାଘୋଡାଟି ପ୍ରଦାନ କଲା ଏବଂ ମାନବ ଜାତିର ମଙ୍ଗଳକାମନା କରି ଖଣ୍ଡୋବାଙ୍କ ମନ୍ଦିରରେ ତାକୁ ଟିକେ ସ୍ଥାନ ଦେବା ପାଇଁ ବରଦାନ ବି ମାଗିଲା। ମଣିର ଉତ୍ତମ ଚିନ୍ତାଧାରାକୁ ଦେଖି ଶେଷରେ ଭଗବନା ଖଣ୍ଡୋବା ଖୁସି ହୋଇ ତାକୁ ତା’ ଇଚ୍ଛା ମୁତାବକ ବରଦାନ ଦେଇଥିଲେ। ଅନ୍ୟପକ୍ଷରେ ମଲ୍ଲା ମାନବ ଜାତିର ବିନାଶ ପାଇଁ ବରଦାନ ମାଗିବାରୁ ଭଗବାନ ଖଣ୍ଡୋବା ତା’ର ମୁଣ୍ଡକୁ କାଟି ମନ୍ଦିରର ଶିଡ଼ି ଉପରେ ଫୋପାଡି ଦେଲେ। ଯଦ୍ଦ୍ବାରା ଭକ୍ତଗଣ ଶିଡ଼ି ଚଢି ମନ୍ଦିରକୁ ପ୍ରବେଶ କଲାବେଳେ ସେହି ମୁଣ୍ଡ ଉପରେ ପାଦ ପକାଇ ଆସିବେ। ଖାସ୍‌ ଏହି କାରଣ ଯୋଗୁ ଖଣ୍ଡୋବା ମନ୍ଦିରର ଏକ ପାର୍ଶ୍ୱରେ ମଣିଙ୍କର ପ୍ରତିମାକୁ ରଖାଯାଇଥିବା ଦେଖିବାକୁ ମିଳିଥାଏ।

ମନ୍ଦିରର ବାସ୍ତୁକଳା
ଜେଜୁରୀସ୍ଥିତ ଏହି ମନ୍ଦିରଟି ଏକ ଛୋଟ ପାହାଡ଼ ଉପରେ ଅବସ୍ଥିତ। ମନ୍ଦିର ନିକଟକୁ ଯିବାକୁ ହେଲେ ଭକ୍ତଙ୍କୁ ପ୍ରାୟ ୨୦୦ ପାହାଚ ଚଢିବାକୁ ହୋଇଥାଏ। ତେବେ ଏହି ପାହାଡ଼ ଉପରକୁ ଚଢିଲା ପରେ ସମ୍ପୂର୍ଣ୍ଣ ଜେଜୁରୀର ମନୋହର ଦୃଶ୍ୟ ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ। ସେହିପରି ଖଣ୍ଡୋବା ମନ୍ଦିରକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ଭାଗକୁ ମଣ୍ଡପ କୁହାଯାଇଥାଏ, ଯେଉଁଠାରେ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇ ପୂଜା, ଭଜନ ଇତ୍ୟାଦିରେ ଭାଗ ନେଇଥାନ୍ତି। ସେହିପରି ମନ୍ଦିରର ଦ୍ୱିତୀୟ ଭାଗଟି ହେଉଛି ଗର୍ଭଗୃହ, ଯେଉଁଠାରେ ଭଗବାନ ଖଣ୍ଡୋବାଙ୍କର ପ୍ରତିମା ଶୋଭା ପାଇଥାଏ। ପ୍ରଭୁ ଶିବ, ଭୈରବ (ଶିବଙ୍କର କ୍ରୂର ରୂପ) ସୂର୍ଯ୍ୟ ଏବଂ କାର୍ତ୍ତିକ ଏହି ଚାରି ଦେବତାଙ୍କର ଏକତ୍ରିତ ସ୍ବରୂପ ଭଗବାନ ଖଣ୍ଡୋବା ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଖଣ୍ଡୋବାଙ୍କର ବ୍ରତକୁ ରବିବାର ବା ସୂର୍ଯ୍ୟଙ୍କ ବାରରେ କରିବାର ପ୍ରଥା ଏଠାରେ ପ୍ରଚଳିତ ହୋଇଥାଏ। ତେବେ ଖଣ୍ଡୋବା ମନ୍ଦିରର ଅନ୍ୟତମ ଆକର୍ଷଣ ହେଉଛି, ମନ୍ଦିରର ପ୍ରତି କୋଣ ଅନୁକୋଣରେ ପଡିଥିବା ହଳଦୀ। ମନ୍ଦିରର ଯୁଆଡେ ଚାହିଁବେ, ସିୟାଡେ ହଳଦୀ ବିଞ୍ଚା ହୋଇଥିବା ଦେଖିବାକୁ ପାଇବେ। କୁହାଯାଏ, ହଳଦୀ ବିଞ୍ଚତ୍ବା ଦ୍ୱାରା ଭଗବାନ ଖଣ୍ଡୋବା ପ୍ରସନ୍ନ ହୋଇଥାନ୍ତି। ସେହିପରି ମନ୍ଦିରରେ ଅନେକ ମହତ୍ତ୍ୱପୂର୍ଣ୍ଣ ହତିଆର ଏବଂ ଗୋଟିଏ ବିରାଟ ବଡ଼ ପିତ୍ତଳ କଇଁଛ ଥିବାର ବି ଦେଖିବାକୁ ମିଳିଥାଏ।

ମନ୍ଦିରର ପୂଜାବିଧି
ଭଗବାନ ଖଣ୍ଡୋବା ଯେହେତୁ ଜଣେ କ୍ରୋଧୀ ଦେବତା, ସେଥିପାଇଁ ତାଙ୍କର ସ୍ବତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ହଳଦୀ, ଫୁଲ ହେଉଛି ଏହି ଦେବତାଙ୍କର ଖୁବ୍‌ ପ୍ରିୟ। ପ୍ରତ୍ୟକ୍ଷ ଦେବତା ହୋଇଥିବାରୁ ଭକ୍ତଗଣ ଏଠାରେ ମନୋସ୍କାମନା ବି କରିଥାନ୍ତି। ଖାସ୍‌କରି ବିବାହ ବିଳମ୍ବ ହେଉଥିଲେ କିମ୍ବା ପିଲା ଜନ୍ମ ହେବାରେ ସମସ୍ୟା ଦେଖାଯାଉଥିଲେ, ଏଠାରେ ମାନସିକ ରଖି ପୂଜାର୍ଚ୍ଚନା କଲେ ସୁଫଳ ମିଳିଥାଏ ବୋଲି ଲୋକବିଶ୍ୱାସ ରହିଛି। ସେହିପରି ରାକ୍ଷସ ମଲ୍ଲା ଏବଂ ମଣିଙ୍କ ଉପରେ ଭଗବାନ ଖଣ୍ଡୋବାଙ୍କର ବିଜୟ ଦିବସକୁ ପାଳନ କରିବା ପାଇଁ ଏଠାରେ ପ୍ରତିବର୍ଷ ଏକ ଛଅ ଦିବସୀୟ ମେଳା ଲାଗିଥାଏ, ଯାହାକୁ ଦେଖିବା ପାଇଁ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଜମିଥାଏ।

କେମିତି ଯିବେ
ପୁଣେଠାରୁ ପ୍ରାୟ ୪୮ କି.ମି ଦୂରରେ ଥିବା ଜେଜୁରୀସ୍ଥିତ ଏହି ମନ୍ଦିରକୁ ଯିବା ପାଇଁ ଉଭୟ ରେଳପଥ ଓ ସଡ଼କପଥର ଭଲ ବ୍ୟବସ୍ଥା ରହିଛି।
-ସ୍ନିଗ୍ଧା ତ୍ରିପାଠୀ, ପୁଣେ, ମହାରାଷ୍ଟ୍ର


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?