ପରିବର୍ତ୍ତିତ ନିର୍ବାଚନୀ ରଣକୌଶଳ

ଲଳିତ ମୋହନ ମିଶ୍ର

୧୯୪୭ରେ ଦେଶ ସ୍ବାଧୀନ ହେବାପରେ ୧୯୫୧-୫୨ରେ ଦେଶର ପ୍ରଥମ ଲୋକ ସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଲା। ପ୍ରଥମ ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳ ୪୮୯ ଲୋକ ସଭା ଆସନ ଓ ୪୫ ପ୍ରତିଶତ ଭୋଟ ପାଇ କେନ୍ଦ୍ରରେ ସରକାର ଗଠନ କଲା। ଓଡ଼ିଶାରେ ୧୪୦ ବିଧାନସଭା ଆସନରୁ କିନ୍ତୁ କଂଗ୍ରେସ ଦଳ ୬୭ ଆସନ ଓ ୩୮ ପ୍ରତିଶତ ଭୋଟ ପାଇ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରିତ୍ୱରେ ଅନ୍ୟମାନଙ୍କ ସହାୟତାରେ ରାଜ୍ୟ ସରକାର ଗଠନ କଲା। ସେତେବେଳେ ୨୧ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରିକ ବାଲଟ ପେପରରେ ଭୋଟ୍‌ ଦାନ କରୁଥିଲେ, ଯେଉଁମାନଙ୍କର ସଂଖ୍ୟା ଦେଶରେ ପ୍ରାୟ ୧୭ କୋଟି ଓ ଆମ ରାଜ୍ୟରେ ପ୍ରାୟ ୩୭ ଲକ୍ଷ ଥିଲା। ୧୯୮୯ରେ ସମ୍ବିଧାନ ସଂଶୋଧନ ହୋଇ ମତଦାନର ବୟସକୁ ୧୮ ବର୍ଷକୁ ହ୍ରାସ କରାଗଲା। ଏବେ ୨୦୨୪ ନିର୍ବାଚନ ପାଇଁ ପଞ୍ଜିକୃତ ମତଦାତାଙ୍କ ସଂଖ୍ୟା ଦେଶରେ ପ୍ରାୟ ୯୭ କୋଟି ଓ ଓଡ଼ିଶାରେ ପ୍ରାୟ ୩.୩ କୋଟି। ୧୯୫୨ ଓ ୨୦୨୪ ନିର୍ବାଚନ ମଧ୍ୟରେ ଦଳଗୁଡ଼ିକର ନିର୍ବାଚନୀ ରଣକୌଶଳରେ ଯେଉଁ କେତେକ ପ୍ରମୁଖ ପରିବର୍ତ୍ତନ ହୋଇଛି ତାହା ଆଲୋଚନା କରିବା।
ପ୍ରଥମେ ନିର୍ବାଚନୀ ଇସ୍ତାହାର ଉପରେ ଆଲୋକପାତ କରିବା, ଯାହା ଦଳଗୁଡ଼ିକର ନିର୍ବାଚନ ପ୍ରକ୍ରିୟାର ଏକ ପ୍ରମୁଖ ଅଂଶ। ୧୯୫୨ରୁ ଏହି ବ୍ୟବସ୍ଥା ପ୍ରଚଳିତ । ଦେଶର ପ୍ରଥମ ନିର୍ବାଚନ ସ୍ବାଧୀନତା ଭାବପ୍ରବଣତା ଉପରେ ଲଢ଼ାଯାଇଥିବାରୁ ସେତେବେଳେ ଦଳଗୁଡ଼ିକର ନିର୍ବାଚନୀ ଇସ୍ତାହାରର ପ୍ରାୟ ଗୁରୁତ୍ୱ ନ ଥିଲା। ଆସ୍ତେ ଆସ୍ତେ ଦଳଗୁଡ଼ିକ ସେମାନଙ୍କ ନିର୍ବାଚନୀ ଇସ୍ତାହାରକୁ ନିର୍ବାଚନରେ ଉପସ୍ଥାପିତ କରି ଭୋଟ ମାଗିଲେ। ଏବେ ମଧ୍ୟ ନିର୍ବାଚନୀ ଇସ୍ତାହାର ଦଳଗୁଡ଼ିକ ପ୍ରସ୍ତୁତକରି ନିର୍ବାଚନବେଳେ ଉପସ୍ଥାପନ କରୁଛନ୍ତି। କିନ୍ତୁ ଦଳଗୁଡ଼ିକ ନିର୍ବାଚିତ ହୋଇ ସରକାରକୁ ଆସିବା ପରେ ନିର୍ବାଚନୀ ପ୍ରତିଶ୍ରୁତିଗୁଡ଼ିକୁ ନ ମାନିବା ଦେଖାଯାଉଛି। ଇସ୍ତାହାର ସ୍ଥାନରେ ଏବେ ‘ଗ୍ୟାରେଣ୍ଟି’ ଶବ୍ଦର ପ୍ରଚଳନ ଦେଖାଯାଉଛି ଯଥା- ମୋଦିଙ୍କର ଗ୍ୟାରେଣ୍ଟି ଓ ରାହୁଲଙ୍କ ଗ୍ୟାରେଣ୍ଟି। ସେହିପରି ନିର୍ବାଚନ ପୂର୍ବରୁ ଦଳଗୁଡ଼ିକ ଏକ ‘ଇଲେକ୍‌ଶନ-ନ୍ୟାରେଟିଭ୍‌’ ବା ‘ନିର୍ବାଚନୀ କଥା’ ୨ ବା ୩ଟି ପ୍ରମୁଖ ବିଷୟ ଉପରେ ପ୍ରସ୍ତୁତକରି ନିର୍ବାଚନକୁ ପ୍ରଭାବିତ କରୁଛନ୍ତି। କଂଗ୍ରେସ ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ପଛୁଆବର୍ଗ ବିକାଶ, ବିପନ୍ନ ଗଣତନ୍ତ୍ର ତଥା ବେକାରି ପରି ତିନୋଟି ବିଷୟକୁ ନିର୍ବାଚନୀ କଥା ରୂପେ ଉପସ୍ଥାପନା କରୁଥିବାବେଳେ ଭାରତୀୟ ଜନତା ପାର୍ଟି ବିକଶିତ ଭାରତ- ୨୦୪୭, ଭ୍ରଷ୍ଟାଚାର, ଗରିବୀକଲ୍ୟାଣ, ଜାତୀୟତାବାଦ୍‌ ଓ ହିନ୍ଦୁତ୍ୱକୁ ୨୦୨୪ର ନିର୍ବାଚନୀ କଥା ରୂପେ ପ୍ରଚାର କରୁଛି।
ଦ୍ୱିତୀୟ ନିର୍ବାଚନୀ ରଣକୌଶଳରେ ପରିବର୍ତ୍ତନ ହେଲା ବୈଜ୍ଞାନିକ ପଦ୍ଧତିରେ ନିର୍ବାଚନ ଲଢ଼ିବା। ଏବେ ଦଳଗୁଡ଼ିକ ସର୍ଭେ ସଂସ୍ଥାମାନଙ୍କୁ ନିୟୋଜିତ କରି ଦଳର ସ୍ଥିତି ନିର୍ବାଚନ ପୂର୍ବରୁ ଆକଳନ କରୁଛନ୍ତି। ବୃହତ୍‌ (ମାଇକ୍ରୋ) ସ୍ତରରେ ଦଳର କେଉଁ କେଉଁ ଆସନରେ ସ୍ଥିତି ଭଲ ଅଛି ଏବଂ କେଉଁ ସାମାଜିକ ଗୋଷ୍ଠୀ ଦଳକୁ ସମର୍ଥନ କରୁଛନ୍ତି ଓ ଏହାର କାରଣ, କିପରି ଭୋଟ ପ୍ରତିଶତ ବୃଦ୍ଧି ହେବ, ଦଳର ସର୍ବଶ୍ରେଷ୍ଠ ନେତୃତ୍ୱଙ୍କର ଲୋକପ୍ରିୟତା କେତେ ଓ କ’ଣ କଲେ ଏହା ବୃଦ୍ଧି ହେବ ଇତ୍ୟାଦି ଉପରେ ସର୍ଭେ କରାଯାଇ ସେହି ଅନୁଯାୟୀ ନିର୍ବାଚନୀ ରଣକୌଶଳ ସ୍ଥିର କରାଯାଉଛି। ସେହିପରି ମାଇକ୍ରୋ (ନିର୍ବାଚନମଣ୍ଡଳୀ) ସ୍ତରରେ ମଧ୍ୟ ସର୍ଭେ କରାଯାଉଛି। ଦଳର ପ୍ରାର୍ଥୀଙ୍କର ଲୋକପ୍ରିୟତା କେତେ ଅଛି, କେଉଁ ଅଞ୍ଚଳର ଓ କେଉଁ ଗୋଷ୍ଠୀର ଲୋକେ ଦଳକୁ ଭୋଟ ଦେଉନାହାନ୍ତି, ପ୍ରତିନିଧି ପରିବର୍ତ୍ତନର ଆବଶ୍ୟକତା ଅଛି କି ନାହିଁ ଇତ୍ୟାଦି ସହିତ ଦଳ କିପରି ଜିତିବ, ତାହାର ପ୍ରାକ୍‌ ନିର୍ବାଚନୀ ଆକଳନ କରାଯାଉଛି। ଦଳଗୁଡ଼ିକ ଏକାଧିକ ସର୍ଭେ ସଂସ୍ଥାଙ୍କୁ ମଧ୍ୟ ନିୟୋଜିତ କରୁଛନ୍ତି। ପ୍ରଶାନ୍ତ କିଶୋରଙ୍କ ପରି ନିର୍ବାଚନ ରଣନୀତିକାରମାନଙ୍କୁ ଦଳଗୁଡ଼ିକ ନିୟୋଜିତ କରୁଛନ୍ତି। ତେବେ ଏହି ସର୍ଭେର ଫଳାଫଳ ପ୍ରକାଶିତ ହୁଏନାହିଁ। ଦଳଗୁଡ଼ିକ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରିବା ଯୋଗୁ ଗୋଟିଏ ଶାସକ ଦଳକୁ ବିରୋଧୀ ଦଳ ପରାଜିତ କରିବା କଷ୍ଟସାଧ୍ୟ ହେବା ଲକ୍ଷ୍ୟ କରାଯାଉଛି।
ତୃତୀୟ ପରିବର୍ତ୍ତିତ କ୍ଷେତ୍ର ହେଲା ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଉପରେ ନିର୍ବାଚନୀ ପ୍ରଚାରର ଗୁରୁତ୍ୱ ହ୍ରାସ ଏବଂ ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ବୃଦ୍ଧି। ଏବେ ପ୍ରତ୍ୟେକ ଦଳ, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଧାୟକ, ସାଂସଦ ପ୍ରମୁଖ ସାମାଜିକ ଗଣମାଧ୍ୟମର ବ୍ୟବହାର କରୁଛନ୍ତି। ଦଳଗୁଡ଼ିକରେ ଆଇ.ଟି. ସେଲ୍‌ ବା ପ୍ରଯୁକ୍ତିବିଦ୍ୟା ପ୍ରକୋଷ୍ଠ ଖୋଲାଯାଇ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରାଯାଉଛି। ଏକ୍ସ, ଫେସ୍‌ବୁକ୍‌, ହ୍ବାଟ୍‌ସଆପ୍‌, ଇନ୍‌ଷ୍ଟାଗ୍ରାମ୍‌, ରିଲ୍‌ ଆଦି ସାମାଜିକ ଗଣମାଧ୍ୟମର କେଉଁ ରାଜ୍ୟରେ ବା କେଉଁ ନିର୍ବାଚନମଣ୍ଡଳୀରେ କିପରି ବ୍ୟବହାର କଲେ ଦଳକୁ ଅଧିକ ଲାଭ ମିଳିବ, ତାହା ଦଳଗୁଡ଼ିକର ପ୍ରଯୁକ୍ତି ବିଦ୍ୟା ପ୍ରକୋଷ୍ଠ ସ୍ଥିର କରୁଛନ୍ତି। ତେବେ ଏଥିରେ ଦୁଇଟି ସମସ୍ୟା ଅଛି। ପ୍ରଥମତଃ, ବିଷୟବସ୍ତୁ ଠିକ୍‌ ନ ଥିଲେ ଲୋକେ ପଢ଼ିବେ ନାହିଁ। ଏଥିପାଇଁ ସ୍ବତନ୍ତ୍ର କଣ୍ଟେଟ୍‌ ଟିମ୍‌ ରହିବା ଆବଶ୍ୟକ। ଦ୍ୱିତୀୟ ସମସ୍ୟା ହେଲା ନକାରାମତ୍କ ମତ ଦେଉଥିବା ବ୍ୟକ୍ତିମାନଙ୍କୁ ପ୍ରତିରୋଧ କରାଇବା। ଏଥିପାଇଁ ସବୁବେଳେ ସଜାଗ ରହିବା ଆବଶ୍ୟକ। ସାମାଜିକ ଗଣମାଧ୍ୟମର ମୁଖ୍ୟ ଅସୁବିଧା ହେଲା ଏମାନେ ମିଛ କହି ଅଧିକାଂଶ ମତଦାତାଙ୍କୁ ନିର୍ବାଚନ ବେଳେ ପ୍ରଭାବିତ କରନ୍ତି। କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର ପରିସ୍ଥିତିକୁ ଜଟିଳ କରିଛି। ଜଣକ ବିରୁଦ୍ଧରେ ବା ଗୋଟିଏ ଦଳ ବିରୋଧରେ ପ୍ରଚାର କରିବାକୁ ଅଧିକ ସମୟ ଲାଗୁନାହିଁ।
ଚତୁର୍ଥ ପରିବର୍ତ୍ତିତ କ୍ଷେତ୍ର ହେଲା ନିର୍ବାଚନରେ କଳାଟଙ୍କାର ବହୁଳ ବ୍ୟବହାର। ୧୯୫୧-୫୨ ନିର୍ବାଚନରେ ଟଙ୍କା ଦେଇ ଭୋଟ କିଣାଯାଉ ନ ଥିଲା। ଏବେ ନିର୍ବାଚନରେ ଦଳଗୁଡ଼ିକ ମତଦାତାମାନଙ୍କୁ ଟଙ୍କା, ବସ୍ତ୍ର, ଭୋଜି, ସୁନାଗହଣା ଓ ମାଦକଦ୍ରବ୍ୟ ଆଦି ବଣ୍ଟନ କରିବା ଦେଖାଯାଉଛି। ଗତ ୫ଟି ବିଧାନସଭା ନିର୍ବାଚନବେଳେ ନିର୍ବାଚନ କମିଶନ ପ୍ରାୟ ୧୭୦୦ କୋଟି ଟଙ୍କାର ନଗଦ ଓ ଅନ୍ୟାନ୍ୟ ଲାଞ୍ଚ ସାମଗ୍ରୀ ଜବତ କରିଥିଲେ, ଯାହାକି ଦେଶର ସର୍ବକାଳୀନ ରେକର୍ଡ ଥିଲା।
ପଞ୍ଚମ ପରିବର୍ତ୍ତିତ କ୍ଷେତ୍ର ହେଲା ସଙ୍ଗଠନ ଉପରେ ଗୁରୁତ୍ୱ। ଆଗକାଳରେ ଦଳଗୁଡ଼ିକ ବିଧାୟକ ଓ ସାଂସଦମାନଙ୍କ ଉପରେ ସଙ୍ଗଠନ ଦାୟିତ୍ୱ ଦେଉଥିଲେ। ଏବେ ଦଳଗୁଡ଼ିକ ବୁଥ୍‌ସ୍ତରୀୟ ସଙ୍ଗଠନ ଓ ପଞ୍ଚାୟତସ୍ତରୀୟ ସଙ୍ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଛାତ୍ର, ଯୁବ, ମହିଳା, କୃଷକ, ଶ୍ରମିକ, ସାମାଜିକ ଗୋଷ୍ଠୀ ଆଦି ସଙ୍ଗଠନ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି। ଯାହାଫଳରେ ଦଳର ଜିଲା ଓ ତୃଣମୂଳ ସ୍ତରର ସଙ୍ଗଠନ ଅଧିକ ମଜଭୁତ ହୋଇପାରିଛି। ମୋଟାମୋଟି ଭାବେ ଅନୁଧ୍ୟାନ କଲେ ଦେଖାଯାଏ ଯେ, ଆମ ଦେଶରେ ନିର୍ବାଚନ ବ୍ୟୟବହୁଳ ହେଉଛି ଏବଂ ମଧ୍ୟବିତ୍ତ ବର୍ଗର ନିର୍ବାଚନୀ ଗୁରୁତ୍ୱ ହ୍ରାସ ପାଉଛି।
ମୋ: ୭୦୦୮୨୩୩୭୨୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri