ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’ ସାହିତ୍ୟ ପତ୍ରିକାରେ ଏହା ପ୍ରକାଶ ପାଇଥିଲା। ୨୦୨୫ ନଭେମ୍ବର ୭ରେ ଏହାର ୧୫୦ ବର୍ଷ ପୂର୍ତ୍ତି ହେବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଦେଶବ୍ୟାପୀ ବର୍ଷସାରା ଏହା ପାଳନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସ୍ବାଧୀନତା ସଂଗ୍ରାମକୁ ଏହି ଗୀତ ଶକ୍ତି ଦେଇଥିବାରୁ ସଂସଦରେ ଏହା ଉପରେ ୮ ଡିସେମ୍ବରରେ ବିତର୍କ ଆରମ୍ଭ ହୋଇଛି। ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରୁ ଏହାକୁ ନେଇ ରାଜନୀତି ଜୋରଦାର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସ୍ବାଧୀନତା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସାମ୍ପ୍ରଦାୟିକ ସମ୍ବେଦନଶୀଳତାକୁ ମାନିନେଇଥିଲେ। ସେ ପୁଣି କହିଛନ୍ତି, ନେହେରୁ ଭାବୁଥିଲେ ଯେ, ବନ୍ଦେ ମାତରମ୍‌ ମୁସଲମାନଙ୍କୁ କ୍ରୋଧିତ କରିବ। ମହମ୍ମଦ ଅଲ୍ଲୀ ଜିନ୍ନା ବନ୍ଦେ ମାତରମ୍‌କୁ ବିରୋଧ କରୁଥିବାରୁ ନେହେରୁ ତାଙ୍କ ସହ ଏକମତ ହୋଇଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ବନ୍ଦେ ମାତରମ୍‌ର ମୂଳ ‘ଆନନ୍ଦମଠ’ ହୋଇଥିବାରୁ ମୁସଲମାନ ସମ୍ପ୍ରଦାୟକୁ ଏହା ଅପମାନିତ କରିବ ବୋଲି ଜିନ୍ନା ଆଶଙ୍କା ବ୍ୟକ୍ତ କରିବାରୁ ନେହେରୁ ତାଙ୍କ ସହ ସାଲିସ କରିଯାଇଥିଲେ ବୋଲି ମୋଦି କହିବା ପରେ ସଂସଦରେ ରାଜନୈତିକ ବାକ୍‌ବିତଣ୍ଡା ହୋଇଛି।
ଅନ୍ୟପଟେ ଆଜି ଏକବିଂଶ ଶତାବ୍ଦୀର ୨୫ ବର୍ଷ ପୂରିବାକୁ ଯାଉଛି। କେତେଦିନ ପର୍ଯ୍ୟନ୍ତ ଇତିହାସକୁ ଗାଳିଦେଇ କେବଳ ପଛକୁ ଦେଖିବା ତାହା ସାଧାରଣ ନାଗରିକଙ୍କୁ ମଧ୍ୟ ବ୍ୟସ୍ତ କଲାଣି । ନିଃସନ୍ଦେହରେ କୁହାଯାଇପାରେ ଯେ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଅନେକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନେଇଥିବେ। ଆଜିର ପ୍ରତ୍ୟେକ ଯୁବତୀଯୁବକ ତାଙ୍କର ନିଜର ମାତାପିତାଙ୍କୁ ଅମାନ୍ୟ କରିବା ସହିତ ସେମାନଙ୍କର ତ୍ରୁଟିକୁ ଧରି ପାରିବାରିକ ଅଶାନ୍ତି ସୃଷ୍ଟି କରୁଛନ୍ତି। ଏହା ହେଉଛି ମଣିଷ ଜାତିର ଏକ କ୍ଷୁଦ୍ର ଚରିତ୍ରର ପରିଚୟ। ଆଗୁଆ ଧାଡ଼ିର ନେତା, ଲେଖକ, ବୈଜ୍ଞାନିକ, କଳାକାର ଏବଂ ସାଧାରଣ ନାଗରିକ ଭାବେ ସେହିମାନେ ପରିଚିତ ହୁଅନ୍ତି, ଯେଉଁମାନେ ବିଗତ ଦିନଗୁଡ଼ିକର ଅନ୍ଧକାର, ଦୋଷତ୍ରୁଟିକୁ ପଛରେ ପକାଇ ନିଜ କାର୍ଯ୍ୟରେ ଭବିଷ୍ୟତକୁ ଗଢ଼ନ୍ତି। ଆଇନଷ୍ଟାଇନଙ୍କ ପୂର୍ବରୁ ତାଙ୍କ ‘ଥିଓରି ଅଫ୍‌ ରିଲେଟିଭିଟି’ ସମ୍ପର୍କରେ ଅନେକ ବୈଜ୍ଞାନିକ ଗବେଷଣା କରିଥିଲେ ମଧ୍ୟ କେହି ସ୍ପଷ୍ଟ ଆକାର ଦେଇ ତାହାର ଉଦ୍ଭାବନ କରିପାରି ନ ଥିଲେ। ତେବେ ଆଇନଷ୍ଟାଇନ କେବେ ହେଲେ ପୂର୍ବ ପଦାର୍ଥବିଜ୍ଞାନୀଙ୍କୁ ହୀନ ଭାବେ ଦର୍ଶାଇ ନ ଥିଲେ। ସେହିଭଳି ଭାରତୀୟ ବୈଜ୍ଞାନିକ ସି.ଭି. ରମଣ ଯେତେବେଳେ ‘ରମଣ ଇଫେକ୍ଟ’ ଅବିଷ୍କାର କଲେ ସେହି କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନଙ୍କୁ କୌଣସି ଜାଗାରେ ସମାଲୋଚନା କରିଥିବାର ପ୍ରମାଣ ନାହିଁ। ଭାରତର ଚଳଚ୍ଚିତ୍ର ଜଗତରେ ଏମ୍‌. ଜି. ରାମଚନ୍ଦ୍ରନ, ଦେବ ଆନନ୍ଦ, ଦିଲୀପ କୁମାର କିମ୍ବା ରାଜ କପୁର ତାଙ୍କର ନିଜସ୍ବ ଶୈଳୀରେ ପରିଚିତ ହେବାକୁ ଚେଷ୍ଟା କରିଥିଲେ। ସେମାନଙ୍କ ପୂର୍ବରୁ ସେମାନଙ୍କ ମୁହଁରୁ ପୃଥ୍ବୀରାଜ କପୁର କିମ୍ବା ଅନ୍ୟ କୌଣସି ପୁରୁଣା କଳାକାରଙ୍କ ବିରୋଧରେ ପଦୁଟିଏ ମଧ୍ୟ ଉଲ୍ଲେଖ କରିଥିବାର ପ୍ରମାଣ ମିଳେ ନାହିଁ। ଏହାପଛରେ ଗୋଟିଏ ମୁଖ୍ୟ କାରଣ ରହିଛି। ଉଦାହରଣ ସ୍ବରୂପ, ନେହେରୁଙ୍କ ସମୟରେ ସ୍ବାଧୀନତା ପାଇଥିବା ଭାରତରେ ଷ୍ଟିଲରୁ ଛୁଞ୍ଚିଟିଏ ତିଆରି ହେଉ ନ ଥିଲା। ୭୦ ବର୍ଷରୁ ଊର୍ଦ୍ଧ୍ୱ ସ୍ବାଧୀନତା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାରତ ଏହି ଦେଶର ନାଗରିକଙ୍କ ଶ୍ରମ ଓ ରକ୍ତରେ ଗଢ଼ିଉଠିଛି। ଆମ ଧାରଣାରେ କୌଣସି ଦେଶକୁ ରାଜନୈତିକ ନେତୃବୃନ୍ଦ ସୃଷ୍ଟି କରନ୍ତି ନାହିଁ। ଦେଶ ଗଠନର ପରିଶ୍ରମ ଚାଷୀ, ମଳିମୁଣ୍ଡିଆ, କାରଖାନା ଶ୍ରମିକ, ସୈନିକ, ବ୍ୟବସାୟୀ ଓ ଶିଳ୍ପପତିଙ୍କ ଭଳି ସାଧାରଣ ନାଗରିକ ତିଆରି କରନ୍ତି। ରାଜନେତାମାନଙ୍କ ମୁଖ୍ୟ କର୍ତ୍ତବ୍ୟ ହେଉଛି ଉଚ୍ଚକୋଟୀର ନୀତି ସୃଷ୍ଟି କରିବା ସହିତ ନିଜେ ନିଜ ଜୀବନକୁ ଅନୁକରଣ କଲାଭଳି ମଣିଷ ଭାବେ ସାବ୍ୟସ୍ତ କରିବା ଦରକାର। ଇତିହାସରୁ ଶିକ୍ଷା ନେବା ଉଚିତ। କିନ୍ତୁ ସବୁବେଳେ ଇତିହାସକୁ ସମାଲୋଚନା କରିବା ପରିବର୍ତ୍ତେ ଭବିଷ୍ୟତର ଦେଶ ଓ ଦେଶବାସୀଙ୍କ ଚରିତ୍ର ସୁଧାରିବା ହେବା କଥା ମୂଳ ଆହ୍ବାନ।
ସଂସଦରେ ବନ୍ଦେ ମାତରମ୍‌ର ମାହାତ୍ମ୍ୟ ଉପରେ ଆଲୋଚନା କରାଯିବାର ସମୟ ସ୍ଥିର ହୋଇଥିବା ବେଳେ ତାହାକୁ ରାଜନୀତିକରଣ କରାଯିବା ଆଜିର ସ୍ଥିତିରେ ଏକ ଘୃଣ୍ୟ ପରମ୍ପରା ସୃଷ୍ଟି ହୋଇଛି ବୋଲି କୁହାଯାଇପାରେ। ନେହେରୁଙ୍କୁ ଭାଜପା ରାଷ୍ଟ୍ରନୀତିଜ୍ଞ ଭାବେ ମାନିବାକୁ ନାରାଜ। ଅବଶ୍ୟ ଏହା ଏକ ରାଜନୈତିକ ଦଳର ଆଦର୍ଶଗତ ଚିନ୍ତାଧାରା ହୋଇପାରେ। କିନ୍ତୁ ମୃତ୍ୟୁର ୬ ଦଶନ୍ଧି ପରେ ତାଙ୍କୁ ଏବର ରାଜନୈତିକ ଗୋଳିଆପାଣି ଭିତରକୁ ବାରମ୍ବାର ଟାଣି ଆଣିବା ଅସୁନ୍ଦର ଲାଗୁଛି। ଉଦାହରଣ ଦେଇ କୁହାଯାଇପାରେ ଏମ୍ସ, ଆଇଆଇଟି, ଆଇଆଇଏମ୍‌, ଓଡ଼ିଶାର ରାଉରକେଲା ଷ୍ଟିଲ ପ୍ଲାଣ୍ଟ କିମ୍ବା ହୀରାକୁଦ ନଦୀବନ୍ଧ ଭଳି ସ୍ଥାପନାକୁ ଅନେକେ ତ୍ରୁଟିପୂର୍ଣ୍ଣ ଦେଖୁଥାଇ ପାରନ୍ତି। କିନ୍ତୁ ଆଜି ସେଭଳି କେଉଁ ନୂଆ କାର୍ଯ୍ୟ ହେଉଛି ତାହା ଅର୍ଦ୍ଧଶତାବ୍ଦୀ ପରେ ସେ ସମୟର ଯୁବପିଢ଼ି ଚିନ୍ତା କରିବେ। ନେହେରୁଙ୍କ ସବୁ ନିଷ୍ପତ୍ତି ନିଖୁଣ ହୋଇ ନ ଥାଇପାରେ। କିନ୍ତୁ ସେ ଭିନ୍ନ ମତକୁ ସମ୍ମାନ ଦେଉଥିଲେ ବୋଲି ପଢ଼ିବାକୁ ମିଳେ। ହେଲେ ଏବର ସରକାର ସେହି ପରମ୍ପରାକୁ ବଜାୟ ରଖିବା ପରିବର୍ତ୍ତେ ବିରୋଧୀଙ୍କ ସ୍ବରକୁ ସର୍ବଦା ଚାପିଦେବାକୁ ଚେଷ୍ଟା କରୁଛି।
ଆଜିର ଡିଜିଟାଲ ଯୁଗରେ ପ୍ରତି ମୁହୂର୍ତ୍ତର କଥା ଓ କାର୍ଯ୍ୟ ଲିପିବଦ୍ଧ ବା ସାଇତା ହୋଇ ରହିଯାଉଛି। ନେହେରୁଙ୍କ ସମୟରେ କ’ଣ ଘଟିଥିଲା ତାହା ଇତିହାସ ବହିରୁ ପଢ଼ିବାକୁ ମିଳୁଛି। ସେଥିରେ ସତ୍ୟତା ଓ ତଥ୍ୟରେ ହୁଏତ କେତେକ ସ୍ଥାନରେ ଫରକ୍‌ ଆସିପାରେ। ହେଲେ ଏବେ ନେତାମାନେ ଯାହା କହୁଛନ୍ତି ଓ କରୁଛନ୍ତି, ତାହା ସମ୍ପୂର୍ଣ୍ଣ ଭାବେ ଭବିଷ୍ୟତ ପିଢ଼ି ପାଇଁ ଦଲିଲ ଭାବେ ପ୍ରତୀୟମାନ ହେବ। ଏବେ ସାଇତା ଯାଇପାରୁଥିବା ଛବି ଓ ସ୍ବରର ପ୍ରମାଣକୁ ଭବିଷ୍ୟତରେ କେହି ଅସ୍ବୀକାର କରିପାରିବେ ନାହିଁ। ଏଭଳି ପ୍ରଚ୍ଛଦପଟରେ କୁହାଯାଇପାରେ ଯେ, ଅତୀତର ନେତାଙ୍କ କଥା ଓ କାର୍ଯ୍ୟକୁ ନେଇ ଆଜିର ନେତୃତ୍ୱ ଯେଉଁଭଳି ଢଙ୍ଗରେ ସେମାନଙ୍କୁ ନିନ୍ଦା କରୁଛନ୍ତି, ଏବେ ସେମାନେ କରୁଥିବା କର୍ମମାନ ଓ ଉଚ୍ଚାଟ କରୁଥିବା ସ୍ବର ମଧ୍ୟ ସମୟକ୍ରମେ ପରଖାଯିବ। ବର୍ତ୍ତମାନ ଅନେକ ଭାରତବାସୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନ ଓ ଶ୍ରଦ୍ଧା କରୁଛନ୍ତି। ଆଗାମୀ ଦିନଗୁଡ଼ିକରେ ପରବର୍ତ୍ତୀ ପିଢ଼ି ଯଦି ଆଜିର କାର୍ଯ୍ୟ ଓ ମତକୁ ନକାରାତ୍ମକ ଦୃଷ୍ଟିରେ ଦେଖନ୍ତି, ତେବେ ସେତେବେଳେ ଜୀବିତ ଭାରତୀୟଙ୍କୁ ବାଧିପାରେ। ସେଥିପାଇଁ ନିଜ କର୍ତ୍ତବ୍ୟକୁ ଉଚିତ ଭାବେ କରିବା ହେଉଛି ଉଚ୍ଚକୋଟୀ ନେତୃତ୍ୱର ପରିଚାୟକ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ICC ଦିନିକିଆ ମାନ୍ୟତା: ଶୀର୍ଷରେ ରୋହିତ, ଦ୍ୱିତୀୟ ସ୍ଥାନକୁ ଉଠିଲେ କୋହଲି

ମୁମ୍ବାଇ,୧୦।୧୨: ଆଇସିସି ଦ୍ୱାରା ବୁଧବାର ପ୍ରକାଶିତ ସଦ୍ୟତମ ଦିନିକିଆ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବିରାଟ କୋହଲି ଦୁଇଟି...

ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...

ମୋଦି-ରାହୁଲଙ୍କ ମଧ୍ୟରେ ଅଚାନକ ୮୮ ମିନିଟ୍ ଧରି ଚାଲିଲା ବୈଠକ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୨: ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଏକ ଅଚାନକ ୮୮ ମିନିଟ୍...

ତିରୁପତି ମନ୍ଦିରରେ ୫୪ କୋଟି ଟଙ୍କାର ଦୁର୍ନୀତି, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ତିରୁପତି,୧୦।୧୨: ଆନ୍ଧ୍ରପ୍ରଦେଶର ବିଶ୍ୱ ପ୍ରସିଦ୍ଧ ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ(TTD)ରେ ଏକ ବଡ଼ ଧରଣର ଦୁର୍ନୀତିର ଖୁଲାସା ହୋଇଛି, ଯାହା ୨୦୧୫ ରୁ ୨୦୨୫ ମଧ୍ୟରେ...

ବାରବାଟୀରେ ଭାରତର ବିଜୟ ଉତ୍ସବ ମଧ୍ୟରେ ଲୁଟ୍; ଦର୍ଶକଙ୍କ ମୋବାଇଲ୍, ପର୍ସ ଚୋରି

କଟକ,୧୦।୧୨: ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟି-୨୦ ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଦାର ବ୍ୟାଟିଂ ଓ ବୋଲିଂ ବଳରେ ଭାରତ...

UNESCOର ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ ହେଲା ଦୀପାବଳି

ନୂଆଦିଲ୍ଲୀ,୧୦।୧୨: ଭାରତର ଆଲୋକର ପର୍ବ ଦୀପାବଳିକୁ ବୁଧବାର UNESCOର “ମାନବତାର ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟର ପ୍ରତିନିଧିତ୍ୱ ତାଲିକା”ରେ ସ୍ଥାନିତ କରାଯାଇଛି। ଏହି ଗୌରବପୂର୍ଣ୍ଣ ମାନ୍ୟତା ମିଳିବା...

‘ସୁନ୍ଦର ମୁହଁ’, ‘ମେସିନ୍ ଗନ୍ ପରି ଓଠ”, ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣି ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିକଟରେ ତାଙ୍କର ହ୍ୱାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟେରୀ କାରୋଲିନ୍ ଲେଭିଟ୍‌ଙ୍କୁ ତାଙ୍କର “ସୁନ୍ଦର ମୁହଁ” ଏବଂ “ଓଠ”କୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri