ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’ ସାହିତ୍ୟ ପତ୍ରିକାରେ ଏହା ପ୍ରକାଶ ପାଇଥିଲା। ୨୦୨୫ ନଭେମ୍ବର ୭ରେ ଏହାର ୧୫୦ ବର୍ଷ ପୂର୍ତ୍ତି ହେବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଦେଶବ୍ୟାପୀ ବର୍ଷସାରା ଏହା ପାଳନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସ୍ବାଧୀନତା ସଂଗ୍ରାମକୁ ଏହି ଗୀତ ଶକ୍ତି ଦେଇଥିବାରୁ ସଂସଦରେ ଏହା ଉପରେ ୮ ଡିସେମ୍ବରରେ ବିତର୍କ ଆରମ୍ଭ ହୋଇଛି। ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରୁ ଏହାକୁ ନେଇ ରାଜନୀତି ଜୋରଦାର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସ୍ବାଧୀନତା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସାମ୍ପ୍ରଦାୟିକ ସମ୍ବେଦନଶୀଳତାକୁ ମାନିନେଇଥିଲେ। ସେ ପୁଣି କହିଛନ୍ତି, ନେହେରୁ ଭାବୁଥିଲେ ଯେ, ବନ୍ଦେ ମାତରମ୍‌ ମୁସଲମାନଙ୍କୁ କ୍ରୋଧିତ କରିବ। ମହମ୍ମଦ ଅଲ୍ଲୀ ଜିନ୍ନା ବନ୍ଦେ ମାତରମ୍‌କୁ ବିରୋଧ କରୁଥିବାରୁ ନେହେରୁ ତାଙ୍କ ସହ ଏକମତ ହୋଇଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ବନ୍ଦେ ମାତରମ୍‌ର ମୂଳ ‘ଆନନ୍ଦମଠ’ ହୋଇଥିବାରୁ ମୁସଲମାନ ସମ୍ପ୍ରଦାୟକୁ ଏହା ଅପମାନିତ କରିବ ବୋଲି ଜିନ୍ନା ଆଶଙ୍କା ବ୍ୟକ୍ତ କରିବାରୁ ନେହେରୁ ତାଙ୍କ ସହ ସାଲିସ କରିଯାଇଥିଲେ ବୋଲି ମୋଦି କହିବା ପରେ ସଂସଦରେ ରାଜନୈତିକ ବାକ୍‌ବିତଣ୍ଡା ହୋଇଛି।
ଅନ୍ୟପଟେ ଆଜି ଏକବିଂଶ ଶତାବ୍ଦୀର ୨୫ ବର୍ଷ ପୂରିବାକୁ ଯାଉଛି। କେତେଦିନ ପର୍ଯ୍ୟନ୍ତ ଇତିହାସକୁ ଗାଳିଦେଇ କେବଳ ପଛକୁ ଦେଖିବା ତାହା ସାଧାରଣ ନାଗରିକଙ୍କୁ ମଧ୍ୟ ବ୍ୟସ୍ତ କଲାଣି । ନିଃସନ୍ଦେହରେ କୁହାଯାଇପାରେ ଯେ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଅନେକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନେଇଥିବେ। ଆଜିର ପ୍ରତ୍ୟେକ ଯୁବତୀଯୁବକ ତାଙ୍କର ନିଜର ମାତାପିତାଙ୍କୁ ଅମାନ୍ୟ କରିବା ସହିତ ସେମାନଙ୍କର ତ୍ରୁଟିକୁ ଧରି ପାରିବାରିକ ଅଶାନ୍ତି ସୃଷ୍ଟି କରୁଛନ୍ତି। ଏହା ହେଉଛି ମଣିଷ ଜାତିର ଏକ କ୍ଷୁଦ୍ର ଚରିତ୍ରର ପରିଚୟ। ଆଗୁଆ ଧାଡ଼ିର ନେତା, ଲେଖକ, ବୈଜ୍ଞାନିକ, କଳାକାର ଏବଂ ସାଧାରଣ ନାଗରିକ ଭାବେ ସେହିମାନେ ପରିଚିତ ହୁଅନ୍ତି, ଯେଉଁମାନେ ବିଗତ ଦିନଗୁଡ଼ିକର ଅନ୍ଧକାର, ଦୋଷତ୍ରୁଟିକୁ ପଛରେ ପକାଇ ନିଜ କାର୍ଯ୍ୟରେ ଭବିଷ୍ୟତକୁ ଗଢ଼ନ୍ତି। ଆଇନଷ୍ଟାଇନଙ୍କ ପୂର୍ବରୁ ତାଙ୍କ ‘ଥିଓରି ଅଫ୍‌ ରିଲେଟିଭିଟି’ ସମ୍ପର୍କରେ ଅନେକ ବୈଜ୍ଞାନିକ ଗବେଷଣା କରିଥିଲେ ମଧ୍ୟ କେହି ସ୍ପଷ୍ଟ ଆକାର ଦେଇ ତାହାର ଉଦ୍ଭାବନ କରିପାରି ନ ଥିଲେ। ତେବେ ଆଇନଷ୍ଟାଇନ କେବେ ହେଲେ ପୂର୍ବ ପଦାର୍ଥବିଜ୍ଞାନୀଙ୍କୁ ହୀନ ଭାବେ ଦର୍ଶାଇ ନ ଥିଲେ। ସେହିଭଳି ଭାରତୀୟ ବୈଜ୍ଞାନିକ ସି.ଭି. ରମଣ ଯେତେବେଳେ ‘ରମଣ ଇଫେକ୍ଟ’ ଅବିଷ୍କାର କଲେ ସେହି କ୍ଷେତ୍ରରେ ପୂର୍ବରୁ କାର୍ଯ୍ୟ କରୁଥିବା ବୈଜ୍ଞାନିକମାନଙ୍କୁ କୌଣସି ଜାଗାରେ ସମାଲୋଚନା କରିଥିବାର ପ୍ରମାଣ ନାହିଁ। ଭାରତର ଚଳଚ୍ଚିତ୍ର ଜଗତରେ ଏମ୍‌. ଜି. ରାମଚନ୍ଦ୍ରନ, ଦେବ ଆନନ୍ଦ, ଦିଲୀପ କୁମାର କିମ୍ବା ରାଜ କପୁର ତାଙ୍କର ନିଜସ୍ବ ଶୈଳୀରେ ପରିଚିତ ହେବାକୁ ଚେଷ୍ଟା କରିଥିଲେ। ସେମାନଙ୍କ ପୂର୍ବରୁ ସେମାନଙ୍କ ମୁହଁରୁ ପୃଥ୍ବୀରାଜ କପୁର କିମ୍ବା ଅନ୍ୟ କୌଣସି ପୁରୁଣା କଳାକାରଙ୍କ ବିରୋଧରେ ପଦୁଟିଏ ମଧ୍ୟ ଉଲ୍ଲେଖ କରିଥିବାର ପ୍ରମାଣ ମିଳେ ନାହିଁ। ଏହାପଛରେ ଗୋଟିଏ ମୁଖ୍ୟ କାରଣ ରହିଛି। ଉଦାହରଣ ସ୍ବରୂପ, ନେହେରୁଙ୍କ ସମୟରେ ସ୍ବାଧୀନତା ପାଇଥିବା ଭାରତରେ ଷ୍ଟିଲରୁ ଛୁଞ୍ଚିଟିଏ ତିଆରି ହେଉ ନ ଥିଲା। ୭୦ ବର୍ଷରୁ ଊର୍ଦ୍ଧ୍ୱ ସ୍ବାଧୀନତା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାରତ ଏହି ଦେଶର ନାଗରିକଙ୍କ ଶ୍ରମ ଓ ରକ୍ତରେ ଗଢ଼ିଉଠିଛି। ଆମ ଧାରଣାରେ କୌଣସି ଦେଶକୁ ରାଜନୈତିକ ନେତୃବୃନ୍ଦ ସୃଷ୍ଟି କରନ୍ତି ନାହିଁ। ଦେଶ ଗଠନର ପରିଶ୍ରମ ଚାଷୀ, ମଳିମୁଣ୍ଡିଆ, କାରଖାନା ଶ୍ରମିକ, ସୈନିକ, ବ୍ୟବସାୟୀ ଓ ଶିଳ୍ପପତିଙ୍କ ଭଳି ସାଧାରଣ ନାଗରିକ ତିଆରି କରନ୍ତି। ରାଜନେତାମାନଙ୍କ ମୁଖ୍ୟ କର୍ତ୍ତବ୍ୟ ହେଉଛି ଉଚ୍ଚକୋଟୀର ନୀତି ସୃଷ୍ଟି କରିବା ସହିତ ନିଜେ ନିଜ ଜୀବନକୁ ଅନୁକରଣ କଲାଭଳି ମଣିଷ ଭାବେ ସାବ୍ୟସ୍ତ କରିବା ଦରକାର। ଇତିହାସରୁ ଶିକ୍ଷା ନେବା ଉଚିତ। କିନ୍ତୁ ସବୁବେଳେ ଇତିହାସକୁ ସମାଲୋଚନା କରିବା ପରିବର୍ତ୍ତେ ଭବିଷ୍ୟତର ଦେଶ ଓ ଦେଶବାସୀଙ୍କ ଚରିତ୍ର ସୁଧାରିବା ହେବା କଥା ମୂଳ ଆହ୍ବାନ।
ସଂସଦରେ ବନ୍ଦେ ମାତରମ୍‌ର ମାହାତ୍ମ୍ୟ ଉପରେ ଆଲୋଚନା କରାଯିବାର ସମୟ ସ୍ଥିର ହୋଇଥିବା ବେଳେ ତାହାକୁ ରାଜନୀତିକରଣ କରାଯିବା ଆଜିର ସ୍ଥିତିରେ ଏକ ଘୃଣ୍ୟ ପରମ୍ପରା ସୃଷ୍ଟି ହୋଇଛି ବୋଲି କୁହାଯାଇପାରେ। ନେହେରୁଙ୍କୁ ଭାଜପା ରାଷ୍ଟ୍ରନୀତିଜ୍ଞ ଭାବେ ମାନିବାକୁ ନାରାଜ। ଅବଶ୍ୟ ଏହା ଏକ ରାଜନୈତିକ ଦଳର ଆଦର୍ଶଗତ ଚିନ୍ତାଧାରା ହୋଇପାରେ। କିନ୍ତୁ ମୃତ୍ୟୁର ୬ ଦଶନ୍ଧି ପରେ ତାଙ୍କୁ ଏବର ରାଜନୈତିକ ଗୋଳିଆପାଣି ଭିତରକୁ ବାରମ୍ବାର ଟାଣି ଆଣିବା ଅସୁନ୍ଦର ଲାଗୁଛି। ଉଦାହରଣ ଦେଇ କୁହାଯାଇପାରେ ଏମ୍ସ, ଆଇଆଇଟି, ଆଇଆଇଏମ୍‌, ଓଡ଼ିଶାର ରାଉରକେଲା ଷ୍ଟିଲ ପ୍ଲାଣ୍ଟ କିମ୍ବା ହୀରାକୁଦ ନଦୀବନ୍ଧ ଭଳି ସ୍ଥାପନାକୁ ଅନେକେ ତ୍ରୁଟିପୂର୍ଣ୍ଣ ଦେଖୁଥାଇ ପାରନ୍ତି। କିନ୍ତୁ ଆଜି ସେଭଳି କେଉଁ ନୂଆ କାର୍ଯ୍ୟ ହେଉଛି ତାହା ଅର୍ଦ୍ଧଶତାବ୍ଦୀ ପରେ ସେ ସମୟର ଯୁବପିଢ଼ି ଚିନ୍ତା କରିବେ। ନେହେରୁଙ୍କ ସବୁ ନିଷ୍ପତ୍ତି ନିଖୁଣ ହୋଇ ନ ଥାଇପାରେ। କିନ୍ତୁ ସେ ଭିନ୍ନ ମତକୁ ସମ୍ମାନ ଦେଉଥିଲେ ବୋଲି ପଢ଼ିବାକୁ ମିଳେ। ହେଲେ ଏବର ସରକାର ସେହି ପରମ୍ପରାକୁ ବଜାୟ ରଖିବା ପରିବର୍ତ୍ତେ ବିରୋଧୀଙ୍କ ସ୍ବରକୁ ସର୍ବଦା ଚାପିଦେବାକୁ ଚେଷ୍ଟା କରୁଛି।
ଆଜିର ଡିଜିଟାଲ ଯୁଗରେ ପ୍ରତି ମୁହୂର୍ତ୍ତର କଥା ଓ କାର୍ଯ୍ୟ ଲିପିବଦ୍ଧ ବା ସାଇତା ହୋଇ ରହିଯାଉଛି। ନେହେରୁଙ୍କ ସମୟରେ କ’ଣ ଘଟିଥିଲା ତାହା ଇତିହାସ ବହିରୁ ପଢ଼ିବାକୁ ମିଳୁଛି। ସେଥିରେ ସତ୍ୟତା ଓ ତଥ୍ୟରେ ହୁଏତ କେତେକ ସ୍ଥାନରେ ଫରକ୍‌ ଆସିପାରେ। ହେଲେ ଏବେ ନେତାମାନେ ଯାହା କହୁଛନ୍ତି ଓ କରୁଛନ୍ତି, ତାହା ସମ୍ପୂର୍ଣ୍ଣ ଭାବେ ଭବିଷ୍ୟତ ପିଢ଼ି ପାଇଁ ଦଲିଲ ଭାବେ ପ୍ରତୀୟମାନ ହେବ। ଏବେ ସାଇତା ଯାଇପାରୁଥିବା ଛବି ଓ ସ୍ବରର ପ୍ରମାଣକୁ ଭବିଷ୍ୟତରେ କେହି ଅସ୍ବୀକାର କରିପାରିବେ ନାହିଁ। ଏଭଳି ପ୍ରଚ୍ଛଦପଟରେ କୁହାଯାଇପାରେ ଯେ, ଅତୀତର ନେତାଙ୍କ କଥା ଓ କାର୍ଯ୍ୟକୁ ନେଇ ଆଜିର ନେତୃତ୍ୱ ଯେଉଁଭଳି ଢଙ୍ଗରେ ସେମାନଙ୍କୁ ନିନ୍ଦା କରୁଛନ୍ତି, ଏବେ ସେମାନେ କରୁଥିବା କର୍ମମାନ ଓ ଉଚ୍ଚାଟ କରୁଥିବା ସ୍ବର ମଧ୍ୟ ସମୟକ୍ରମେ ପରଖାଯିବ। ବର୍ତ୍ତମାନ ଅନେକ ଭାରତବାସୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନ ଓ ଶ୍ରଦ୍ଧା କରୁଛନ୍ତି। ଆଗାମୀ ଦିନଗୁଡ଼ିକରେ ପରବର୍ତ୍ତୀ ପିଢ଼ି ଯଦି ଆଜିର କାର୍ଯ୍ୟ ଓ ମତକୁ ନକାରାତ୍ମକ ଦୃଷ୍ଟିରେ ଦେଖନ୍ତି, ତେବେ ସେତେବେଳେ ଜୀବିତ ଭାରତୀୟଙ୍କୁ ବାଧିପାରେ। ସେଥିପାଇଁ ନିଜ କର୍ତ୍ତବ୍ୟକୁ ଉଚିତ ଭାବେ କରିବା ହେଉଛି ଉଚ୍ଚକୋଟୀ ନେତୃତ୍ୱର ପରିଚାୟକ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?