ଧ୍ୱନି ପ୍ରଦୂଷଣ ପ୍ରଭାବ

ଉପେନ୍ଦ୍ର ବିଶ୍ୱାଳ

ଭସାଣି ଶୋଭାଯାତ୍ରା ହେଉ କି ବିବାହ ଅବା ନେତାଙ୍କ ବିଜୟ ଶୋଭାଯାତ୍ରା, ଡିଜେ ଯନ୍ତ୍ରର କର୍କଶ ଶବ୍ଦ ମଣିଷକୁ କଲବଲ କରିପକାଏ। ଗତ ଗଣେଶ ଓ ବିଶ୍ୱକର୍ମାଙ୍କ ପୂଜା ପରେ ପରେ ମୃଣ୍ମୟ ମୂର୍ତ୍ତି ଭସାଣି ବେଳେ ଡିଜେ ଯନ୍ତ୍ରର ବିକଟାଳ ଧ୍ୱନିରେ ଅତିଷ୍ଠ ହୋଇ ବାଲେଶ୍ୱର ଜିଲାର ଜଣେ ପୋଲିସ ଅଧିକାରୀ ତ ଦୁଇ କାନରେ ହାତ ଦେଇ ଶୋଭାଯାତ୍ରାକୁ ପଛକରି ଦୂରରେ ଛିଡ଼ା ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ଗଣମାଧ୍ୟମରେ। ଯଦି ଜଣେ ସୁସ୍ଥ ମଣିଷ ପକ୍ଷରେ ଏହା ଏମିତି ଅସହ୍ୟ ମନେହୁଏ, ତେବେ ରାସ୍ତାପାର୍ଶ୍ୱସ୍ଥ ଡାକ୍ତରଖାନା ରୋଗୀଙ୍କ ଅବସ୍ଥା, ରାସ୍ତାପାର୍ଶ୍ୱ ଘରେ ରହୁଥିବା ହୃଦ୍‌ରୋଗୀ, ଗର୍ଭବତୀମାନଙ୍କ ଅବସ୍ଥା କ’ଣ ହେଉଥିବ, ତାହା ସହଜେ ଅନୁମେୟ।
ବର୍ଷଟିଏ ପାଇଁ ହେଲେ ବି ମାଆଙ୍କ ମେଲାଣି ଅବା ଆମ ଆରାଧ୍ୟଙ୍କ ବିଦାୟ ଜନିତ ବିଷାଦ ବେଳାରେ ଡିଜେ ବଜାଇ ଆନନ୍ଦ ବିଭୋର ହୋଇ ଏମିତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା କ’ଣ ପ୍ରଶଂସନୀୟ? ଶୁଭ କାର୍ଯ୍ୟରେ ବାହାରିଲା ବେଳେ ସଭିଙ୍କ ଆଶୀର୍ବାଦ ଆପଣାଇବା ହେଉଛି ଭବ୍ୟ ଭାବନାର ପରିଚୟ। ମାତ୍ର ବିବାହର ଶୁଭ ଶୋଭାଯାତ୍ରାରେ ଡିଜେ ଯନ୍ତ୍ର ଜନିତ ଯନ୍ତ୍ରଣା ଦ୍ୱାରା ଅନ୍ୟର ଦୁଃଖର କାରଣ ସାଜିବା, ସେମାନଙ୍କ ବିରକ୍ତିଭାବ ଓ ଗାଳିକୁ ଆମନ୍ତ୍ରଣ କରିବା ବିଚାରବନ୍ତ ମଣିଷମାନଙ୍କ ପକ୍ଷେ ଶୋଭନୀୟ ନୁହେଁ। ଲୋକଙ୍କ ଏତାଦୃଶ ବିରକ୍ତିଭାବର ପ୍ରଭାବ ବର-କନ୍ୟାଙ୍କ ଉପରେ କ’ଣ ପଡୁ ନ ଥିବ? ବରକନ୍ୟାଙ୍କ ଦୀର୍ଘ ସୁଖଦ ଦାମ୍ପତ୍ୟ ଜୀବନ କାମନା କରି ଆମ୍ଭେ ପରା ବିବାହ ଉତ୍ସବ ଆୟୋଜନ କରିଥାଉ ସଭିଙ୍କ ଆଶୀର୍ବାଦ ପ୍ରାପ୍ତ ହେବାକୁ! ଯେଉଁଥିରେ ବନ୍ଧୁ, ପରିଜନ, ଜ୍ଞାତି, କୁଟୁମ୍ବ ଆଦି ଯୋଗଦେଇ ବରକନ୍ୟାଙ୍କୁ ଆଶୀର୍ବାଦ କରିଥାନ୍ତି। ଯଦି ଏହାର ଓଲଟା ପ୍ରତିଫଳନ ହୁଏ ଅର୍ଥାତ ବିରକ୍ତିକର ଡିଜେ ଶୋଭାଯାତ୍ରା ଯୋଗୁ ବରକନ୍ୟାଙ୍କ ଉପରେ ଆଶୀର୍ବାଦ ପରିବର୍ତ୍ତେ ଗାଳି ପଡେ, ତେବେ ଆମ୍ଭର ଏ ବ୍ୟବସ୍ଥାର ମୂଲ୍ୟ ରହିଲା କେଉଁଠି? ଗାଳି, ଅଭିଶାପ ବା ଅପମାନସୂଚକ ଶବ୍ଦର ଯେ ପ୍ରଭାବ ରହିଛି, ଏ କଥା ଆଜିର ବିଜ୍ଞାନ ସ୍ବୀକାର କରିଛି। ନେଦରଲାଣ୍ଡର ଏକ ବିଶ୍ୱବିଦ୍ୟାଳୟରେ ଏହା ଉପରେ ଗବେଷଣା କରିବାରୁ ଜଣାପଡ଼ିଲା ଯେ, କୌଣସି ବ୍ୟକ୍ତି ପ୍ରତି ଆଶୀର୍ବାଦ/ମଧୁର ଶବ୍ଦ ଅପେକ୍ଷା ଖରାପ/କଟୁ ଶବ୍ଦ କ୍ଷିପ୍ର ଗତିରେ ଯାଇ ସେହି ବ୍ୟକ୍ତିର ମସ୍ତକରେ ନକାରାତ୍ମକ ପ୍ରତିକ୍ରିୟା ସୃଷ୍ଟି କରିଥାଏ। ପରିଣତିରେ ଉକ୍ତ ବ୍ୟକ୍ତି ଦେହରେ ଏକପ୍ରକାର କ୍ଷତିକାରକ ହରମୋନ କ୍ଷରଣର ମାତ୍ରା ବୃଦ୍ଧି ପାଇଥାଏ।
ଆମେମାନେ ପ୍ରକୃତିଛଡ଼ା ହୋଇ ପ୍ରଦୂଷଣପ୍ରେମୀ ହୋଇଗଲୁଣି। ରାବଣପୋଡ଼ିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ବାଣଫୁଟାଇ ଶବ୍ଦ ଓ ବାୟୁ ପ୍ରଦୂଷଣ କରି ପାଳନ କରୁ ବିଜୟର ପର୍ବ ଦଶହରା। ସେମିତି ଆଲୋକ ବା ଆନନ୍ଦର ପର୍ବ ଦୀପାବଳିରେ କୋଟି କୋଟି ଟଙ୍କାର ବାଣ ଫୁଟାଇ ବିଷାକ୍ତ ଧୂଆଁରେ ପରିବେଶକୁ ଆଚ୍ଛାଦିତ କରେଇବାରେ ଆମ୍ଭର ଅପାର ଆନନ୍ଦ। ପୂଜାମଣ୍ଡପରେ ଜୋରରେ ମ୍ୟୁଜିକବକ୍ସ ବଜେଇ ଲୋକଙ୍କୁ ଅତିଷ୍ଠ କରିବା ଓ ବିରକ୍ତିଭାବ ସୃଷ୍ଟିକରି ଆଧ୍ୟାତ୍ମିକତାର ଡିଣ୍ଡିମ ପିଟିବା ଏକପ୍ରକାର ପ୍ରହସନ ନୁହେଁ କି?
ରୋଷଣୀ ବା ବାଣ ଫୁଟିବା ଯୋଗୁ ପ୍ରାୟ ୯୦ ଡେସିବ୍ଲର ଧ୍ୱନି ସୃଷ୍ଟି ହୁଏ। ଏପରିକି ବଡ଼ ବଡ଼ ବାଣ ୧୨୦ ଡେସିବ୍ଲରୁ ବି ଅଧିକ ଧ୍ୱନି ସୃଷ୍ଟି କରେ। ଏଇଠୁ ଆମେ ଅନୁମାନ କରିପାରିବା ଡିଜେ ଦ୍ୱାରା ସୃଷ୍ଟ ଉଚ୍ଚ ଧ୍ୱନି (୧୦୦ ଡେସିବ୍ଲରୁ ଅଧିକ) କେତେ କ୍ଷତିକାରକ। ଆମ ପାଇଁ ଦିନବେଳେ ସର୍ବାଧିକ ୫୫ ଡେସିବ୍ଲ ଓ ରାତ୍ରିବେଳେ ୪୫ ଡେସିବ୍ଲ ମାତ୍ରାର ଧ୍ୱନି ସହନୀୟ ଓ ଗ୍ରହଣୀୟ, ଯାହାକି କ୍ଷତିକାରକ ନୁହେଁ। ମାତ୍ର ଅତି ଉଚ୍ଚମାତ୍ରାର ଧ୍ୱନି ଅନେକ କ୍ଷତିର କାରଣ ସାଜେ। ଉଚ୍ଚମାତ୍ରାର ଧ୍ୱନି ଦ୍ୱାରା ସ୍ମରଣଶକ୍ତି ହ୍ରାସ, ଉଚ୍ଚ ରକ୍ତଚାପ, ମୁଣ୍ଡବିନ୍ଧା, ହୃଦ୍‌ରୋଗ ଆଦି ସୃଷ୍ଟି ସହିତ ମାନସିକ ବିକାରଗ୍ରସ୍ତର କାରଣ ସାଜିଥାଏ। ବିଶେଷକରି ଗର୍ଭବତୀ, ହୃଦ୍‌ରୋଗୀ ଓ ମାନସିକ ରୋଗୀମାନେ ଏଥିରେ ଅଧିକ ଶିକାର ହୁଅନ୍ତି। ଗର୍ଭରେ ଥିବା ଶିଶୁ ଉପରେ ଏହାର ପ୍ରଭାବ ରହିଛି। ଉଚ୍ଚମାତ୍ରାର ଧ୍ୱନି ଗର୍ଭରେ ଥିବା ଶିଶୁର ହୃଦ୍‌ସ୍ପନ୍ଦନ ବଢ଼େଇବା ସହିତ ରକ୍ତ ସଞ୍ଚାଳନରେ ବ୍ୟାଘାତ ପହଞ୍ଚେଇଥାଏ। ବେଳେ ବେଳେ ଅତି ଉଚ୍ଚମାତ୍ରାର ଧ୍ୱନି ପ୍ରଭାବରେ ଶିଶୁଟି ମୂକବଧିର ହୋଇ ଜନ୍ମ ନେବାର ସମ୍ଭାବନା ଥାଏ। ଏପରିସ୍ଥଳେ ଚିକିତ୍ସାଳୟ ସଂଲଗ୍ନ ରାସ୍ତାରେ କାନଫଟା ଶବ୍ଦ ସହିତ ଭସାଣି ଓ ବିବାହ ଶୋଭାଯାତ୍ରାରେ ଯିବା କେତେଦୂର ଯୁକ୍ତିଯୁକ୍ତ ତାହା ହିଁ ବିଚାର୍ଯ୍ୟ। ପୁନଶ୍ଚ ଚିକିତ୍ସାଳୟ, କାର୍ଯ୍ୟାଳୟ, କୋର୍ଟ କଚେରି, ବିଦ୍ୟାଳୟ ଆଦି ଅଞ୍ଚଳ ତ ଆଇନତଃ ‘ନିଶବ୍ଦ ଅଞ୍ଚଳ’ ଭାବେ ଘୋଷିତ, ଯାହାର ୧୦୦ ମିଟର ଦୂରତା ମଧ୍ୟରେ କୌଣସି ପ୍ରକାର ଶୋଭାଯାତ୍ରା, ଡାକବାଜି ଯନ୍ତ୍ରର ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ।
ନାନାଦି କୁପ୍ରଭାବକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ମଧ୍ୟ ଏତାଦୃଶ ଶବ୍ଦ ପ୍ରଦୂଷଣ ଉପରେ ଲଗାମ ଲଗେଇଛନ୍ତି ଏବଂ ଶବ୍ଦ ପ୍ରଦୂଷଣ ଆଇନକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ମଧ୍ୟ ୨୦୦୦ ମସିହାରେ ଶବ୍ଦ ପ୍ରଦୂଷଣ (ନିୟନ୍ତ୍ରଣ ଓ କାର୍ଯ୍ୟକାରିତା) ବିଧେୟକ ପ୍ରଣୟନ କରିଛି। ଏହି ନିୟମକୁ କାର୍ଯ୍ୟକାରୀ କରି ଧ୍ୱନି ପ୍ରଦୂଷଣ ଉପରେ ଅଙ୍କୁଶ ଲଗେଇବାକୁ ସ୍ଥାନୀୟ ପ୍ରଶାସନକୁ କ୍ଷମତା ଅର୍ପଣ କରାଯାଇଛି। ସବୁଠାରୁ ବଡ଼କଥା ହେଉଛି ଏହି ପ୍ରକାର ବର୍ବରତାଠାରୁ ରକ୍ଷାପାଇବା ପାଇଁ ପ୍ରଶାସନର ନିଘା ଓ ନିଷ୍ଠା ସହିତ ଜନସାଧାରଣଙ୍କ ସତର୍କପଣିଆ ନିହାତି ଜରୁରୀ। ଅତଏବ ଆସନ୍ତୁ ନିଜ ବିବେକକୁ ଟିକେ ଜାଗ୍ରତ କରିବା, ଡିଜେ ଯନ୍ତ୍ରଠାରୁ ଦୂରେଇ ରହିବା ଏବଂ ସମସ୍ତ ପ୍ରକାର ବର୍ବରତାକୁ ବିରୋଧ କରିବା। ଉଚ୍ଚମାତ୍ରାର ଧ୍ୱନିକୁୁ ‘ନା’ କରି ଉଚ୍ଚମାନର ଚିନ୍ତା ଓ ଚେତନାକୁ ଆପଣେଇବା। କାରଣ ଆମେ ପଶୁ ନୁହଁ ମଣିଷ, ଯିଏ କି ସଦା ଊଦ୍ଧର୍‌ବମୁଖୀ, ଅର୍ଥାତ ଯାହାର ମୁଣ୍ଡ (ଚିନ୍ତା, ଚେତନାର ଯନ୍ତ୍ରବାକ୍ସ) ସଦା ଊର୍ଦ୍ଧ୍ୱମୁଖୀ।
ଗୋଡିଶୁଳ, ସଜନାଗଡ଼, ବାଲେଶ୍ୱର
ମୋ: ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri