ଦଳୀୟ ଗଣତନ୍ତ୍ରର ଅଭାବ

ଆକାର ପଟେଲ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଆସନ୍ତା ସପ୍ତାହରେ ଦଳ ନୂଆ ନେତା ବାଛିବ। ରାହୁଲଙ୍କ ଇସ୍ତଫା ପରେ ବର୍ତ୍ତମାନ କଂଗ୍ରେସରେ ନେତୃତ୍ୱ ସଂକଟ ଦେଖାଦେଇଛି ଏବଂ ଗୋଆ ଓ କର୍ନାଟକ ପରି ରାଜ୍ୟରେ ଆମେ ବର୍ତ୍ତମାନ ଯାହା ଦେଖିବାକୁ ପାଉଛୁ, ତାହା ସେହି ନେତୃତ୍ୱ ସଂକଟର ପରିଣାମ। ନୂଆ ନେତା କାର୍ଯ୍ୟଭାର ଗ୍ରହଣ କରିବା ପରେ କିଛି ସମସ୍ୟା ଦୂର ହୋଇଯିବ ମାତ୍ର ଅନ୍ୟ ସମସ୍ୟାଗୁଡ଼ିକ ସେମିତି ରହିଯିବ। କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷଙ୍କ ପାଇଁ ଆଗାମୀ ଅନେକ ବର୍ଷ ଆହ୍ବାନ ସୃଷ୍ଟି କରିବ। ନୂଆ ନେତା କିପରି ବଛାଯିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦଳର ବରିଷ୍ଠ ନେତା ଏବଂ କଂଗ୍ରେସ ମୁଖ୍ୟମନ୍ତ୍ରୀମାନେ ତାଙ୍କ ସହକର୍ମୀମାନଙ୍କୁ ବନ୍ଦ ଲଫାପାରେ ନିଜ ମନପସନ୍ଦର ନେତାଙ୍କ ନାମ ଲେଖି ପଠାଇବାକୁ କହିଛନ୍ତି। ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ କରି ସବୁଠୁ ଲୋକପ୍ରିୟ ନାମଗୁଡ଼ିକୁ ପୁଣି ଶର୍ଟଲିଷ୍ଟ କରାଯିବ। ତା’ପରେ ଏହି ସଂକ୍ଷିପ୍ତୀକୃତ ତାଲିକାକୁ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି)କୁ ପଠାଯିବ। ଏହି କମିଟି ନୂଆ ନେତା ବାଛିବ ବୋଲି ଜଣାପଡ଼ିଛି। ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କୁମାରୀ ସେଲ୍‌ଜା ଓ ଅମ୍ବିକା ସୋନି- ଏହି ଚାରିଜଣ ମହିଳାଙ୍କ ସମେତ ସିଡବ୍ଲ୍ୟୁସିରେ ମୋଟ ୨୪ ଜଣ ସଦସ୍ୟ ଅଛନ୍ତି। ୨୦ ଜଣ ପୁରୁଷଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଅହମଦ ପଟେଲ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା, ଊମେନ୍‌ ଚାଣ୍ଡି ଓ ତରୁଣ ଗୋଗୋଇ ପ୍ରମୁଖ।
ଗୋଟିଏ ଦୃଷ୍ଟିରୁ ଦେଖିବାକୁ ଗଲେ ନୂଆ ନେତା ବାଛିବା ଦଳ ପାଇଁ ଏକ ଭଲ ଖବର। କାରଣ ଏହାଦ୍ୱାରା ଦଳ ୨୦୧୯ ପରାଜୟ ପରେ ଆଗକୁ ବଢ଼ିପାରିବ ଏବଂ ଦଳ ଗୋଟିଏ ପରିବାର ଦ୍ୱାରା ପରିଚାଳିତ ବୋଲି ଯେଉଁ ଅଭିଯୋଗ ହୋଇଆସୁଛି, ସେ ଅଭିଯୋଗରୁ ମୁକ୍ତ ହେବ। ଅନ୍ୟ ଦୃଷ୍ଟିରୁ ଦେଖିଲେ ଯେଉଁପରି ଭାବରେ ଦେଶରେ ରାଜନୈତିକ ଦଳଗୁଡ଼ିକ ପରିଚାଳିତ ହେଉଛନ୍ତି, ତା’ର ଏକ ପୁନଃ ସଂଜ୍ଞା ନିରୂପଣ କରିବା ଲାଗି କଂଗ୍ରେସ ସୁଯୋଗ ପାଇବ। ଏହାର ଅର୍ଥ କ’ଣ ବୁଝିବାକୁ ହେଲେ ଅନ୍ୟ ଗଣତନ୍ତ୍ରଗୁଡ଼ିକରେ କିପରି ବ୍ୟବସ୍ଥା ଚାଲିଛି ଦେଖିବା ଦରକାର। ଇଂଲଣ୍ଡର ଶାସକ ଦଳ ହେଉଛି କଞ୍ଜର୍ଭେଟିଭ୍‌ ପାର୍ଟି। ୟୁରୋପୀୟ ସଂଘ ସହ ତାଙ୍କ ଦେଶ ରହିବ କି ନା ଏହି ସମସ୍ୟାର ସମାଧାନ କରିବାରେ ବିଫଳ ହେବାରୁ ଏହାର ପ୍ରଧାନମନ୍ତ୍ରୀ ନିଜର ପଦତ୍ୟାଗ କରିଛନ୍ତି। ଏବେ କଞ୍ଜର୍ଭେଟିଭ୍‌ ସରକାର ବଳବତ୍ତର ଅଛି ଏବଂ ଦଳକୁ ଏକ ନୂଆ ନେତା ବାଛିବାକୁ ପଡ଼ିବ, ଯିଏ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ନେତା ବାଛିବା ପାଇଁ ଦଳର ସଦସ୍ୟମାନେ ଭୋଟ ଦେଉଛନ୍ତି। ଅନେକ ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ଅଛନ୍ତି। ପାର୍ଲାମେଣ୍ଟାରିଆନ୍‌ମାନେ ପ୍ରଥମ ଓ ଦ୍ୱିତୀୟ ପସନ୍ଦର ବ୍ୟକ୍ତିଙ୍କୁ ଭୋଟ ଦେଇଛନ୍ତି ଏବଂ ତାହା ମାଧ୍ୟମରେ ୧୦ ଜଣଙ୍କ ମଧ୍ୟରୁ ବଛାହୋଇ ଶେଷକୁ ଦୁଇଜଣ ପ୍ରାର୍ଥୀ ରହିଛନ୍ତି। ସେମାନେ ହେଉଛନ୍ତି ବୋରିସ୍‌ ଜନ୍‌ସନ ଏବଂ ଜେରେମି ହଣ୍ଟ। ସେମାନେ ଏବେ ଦେଶ ସାରା ଦଳୀୟ ସଦସ୍ୟମାନଙ୍କୁ ନିଜ ସପକ୍ଷରେ ଭୋଟ ଦେବା ପାଇଁ ପ୍ରଚାର କରୁଛନ୍ତି। ୧.୨ ଲକ୍ଷ କଞ୍ଜର୍ଭେଟିଭ୍‌ ପାର୍ଟି ସଦସ୍ୟ ଯାହାଙ୍କୁ ଅଧିକ ଭୋଟ ଦେବେ ସେ ହେବେ ଇଂଲଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ।
ଆମେରିକାରେ ଡେମୋକ୍ରାଟ୍‌ମାନେ ବିରୋଧୀ ଦଳରେ ଅଛନ୍ତି। ଡୋନାଲ୍‌ଡ ଟ୍ରମ୍ପଙ୍କ ପ୍ରଥମ ପାଳି ଆସନ୍ତାବର୍ଷ ଶେଷ ହେବ ଏବଂ ଡେମୋକ୍ରାଟ୍‌ମାନେ ସ୍ଥିର କରିବେ ସେମାନଙ୍କ ମଧ୍ୟରୁ କିଏ ଟ୍ରମ୍ପଙ୍କ ବିରୋଧରେ ଲଢ଼ିବେ। ଏପର୍ଯ୍ୟନ୍ତ ୨୫ ଜଣ ଡେମୋକ୍ରାଟ୍‌ ପ୍ରାର୍ଥୀ ହେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ୍‌, ଭାରତୀୟ ବଂଶୋଦ୍ଭବ ଦୁଇଜଣ ମହିଳା ତୁଲ୍‌ସୀ ଗାବ୍ବାର୍ଡ ଓ କମଲା ହାରିସ୍‌, ଏକ ଛୋଟ ସହରର ମେୟର, ନ୍ୟୁୟର୍କର ମେୟର ଏବଂ କେତେକ ସିନେଟର। ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ଲଢ଼ିବା ପାଇଁ ନିଜ ଦଳରୁ ଯୋଗ୍ୟ ପ୍ରାର୍ଥୀ ଚୟନ କରିବା ଲାଗି ପ୍ରତ୍ୟେକ ପଞ୍ଜୀକୃତ ଡେମୋକ୍ରାଟିକ୍‌ ପାର୍ଟି ସଦସ୍ୟଙ୍କୁ ସୁଯୋଗ ମିଳିବ। ଆସନ୍ତାବର୍ଷ ଫେବୃୟାରୀ ୩ ତାରିଖରେ ଆୟୋଓ୍ବା ରାଜ୍ୟରୁ ଡେମୋକ୍ରାଟ୍‌ମାନଙ୍କର ଏହି ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇ ଜୁନ୍‌ ମାସ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ପ୍ରାର୍ଥୀମାନେ ଦେଶ ସାରା ବୁଲି ନିଜର ନୀତି ଏବଂ ବିଭିନ୍ନ ପ୍ରସଙ୍ଗରେ ନିଜର ସ୍ଥିତି ସମ୍ପର୍କରେ ଲୋକଙ୍କୁ ବୁଝାଇବେ। ଆମେରିକାରେ ୧୨ କୋଟି ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ୪.୫ କୋଟି ହେଉଛନ୍ତି ପଞ୍ଜୀକୃତ ଡେମୋକ୍ରାଟ୍‌, ୩.୨ କୋଟି ହେଉଛନ୍ତି ପଞ୍ଜୀକୃତ ରିପବ୍ଲିକାନ୍‌ ଏବଂ ଅବଶିଷ୍ଟ ସ୍ବାଧୀନ। ସୁତରାଂ ପ୍ରାର୍ଥୀ ବାଛିବା ପ୍ରକ୍ରିୟାରେ ଇଂଲଣ୍ଡ ଅପେକ୍ଷା ଆମେରିକାରେ ଅଧିକ ଲୋକ ଅଂଶଗ୍ରହଣ କରିଥାନ୍ତି। କିନ୍ତୁ ଆମକୁ ସ୍ବୀକାର କରିବାକୁ ହେବ ଯେ ଏ ଦୁଇ ଦେଶରେ ଏହି ପ୍ରକ୍ରିୟା ହେଉଛି ଉନ୍ମୁକ୍ତ ଓ ଗଣତାନ୍ତ୍ରିକ।
ଭାରତରେ ଦଳୀୟ ରାଜନୈତିକ ବ୍ୟବସ୍ଥା ଇଂଲଣ୍ଡ ଓ ଆମେରିକା ପରି ଗଣତାନ୍ତ୍ରିକ ନୁହେଁ। ଗୋଟିଏ ମୁଖ୍ୟ ସମସ୍ୟା ହେଉଛି ପରିବାର-ଚାଳିତ ଦଳ, ଯାହା ପ୍ରାୟ ସବୁ ରାଜ୍ୟରେ ଅଛି। ଏପରି କୌଣସି ଦଳ ନାହିଁ, ଯେଉଁଥିରେ ସ୍ବଜନ ପକ୍ଷପାତ ନାହିଁ। ତା’ଠୁ ବଡ଼ ସମସ୍ୟା ହେଉଛି କୌଣସି ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ବ୍ୟବସ୍ଥା ନାହିଁ। ତେବେ ଇଂଲଣ୍ଡ ଓ ଆମେରିକା ପରି ଦେଶରେ ପରିବାରର ସମ୍ପୃକ୍ତି ଯେ ଆଦୌ ନାହିଁ, ତାହା ନୁହେଁ- କେନେଡି ଓ କ୍ଲିଣ୍ଟନମାନେ ହେଉଛନ୍ତି ତା’ର ଦୃଷ୍ଟାନ୍ତ। କିନ୍ତୁ ସେମାନେ ଦଳ ଦ୍ୱାରା ଭୋଟ ମାଧ୍ୟମରେ ନିର୍ବାଚିତ ହୁଅନ୍ତି। ଭାରତରେ ବିନା ଭୋଟିଂ ପ୍ରକ୍ରିୟାରେ ପ୍ରାର୍ଥୀମାନଙ୍କୁ ଲୋକ ସଭା ନିର୍ବାଚନ ଲଢ଼ିବା ପାଇଁ ଟିକେଟ ଦିଆଯାଏ। ବିଧାନସଭା ଓ ନିଗମ ନିର୍ବାଚନଗୁଡ଼ିକରେ ସେଇ ଏକା ଅବସ୍ଥା। କୌଣସି ଦଳରେ ରାଜ୍ୟ ସଭା ଟିକେଟ ଦେବା ବ୍ୟବସ୍ଥାରେ ଆଦୌ ସ୍ବଚ୍ଛତା ନ ଥାଏ। ଦଳର ମୁଖିଆ ଯାହାକୁ ଚାହିଁବେ ତାକୁ ଟିକେଟ ଦେଇପାରିବେ। ତାଙ୍କୁ ଏଥିପାଇଁ ଦଳର ସଦସ୍ୟମାନଙ୍କୁ ବା ସାଧାରଣ ଜନତାଙ୍କୁ କୈଫିୟତ୍‌ ଦେବାକୁ ପଡ଼େ ନାହିଁ। ନିଜକୁ ବଦଳାଇବା ପାଇଁ କଂଗେସ ହାତରେ ଏବେ ଦୁଇଟି ସୁଯୋଗ ଅଛି। ପ୍ରଥମଟି ହେଉଛି ଗଣତାନ୍ତ୍ରିକ ପ୍ରକ୍ରିୟାରେ ନୂଆ ନେତା ବାଛିବା ଏବଂ ଦ୍ୱିତୀୟଟି ହେଉଛି ନୂଆ ନେତା ଦଳକୁ ଆଗେଇ ନେବା ପାଇଁ ଦଳରେ କିଛି ସଂସ୍କାର ଆଣିବା।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri