ତୁଠପଥର

ସୌମ୍ୟା ପରିଡ଼ା

ବୁଝିଲୁ ମିନୁ, ତୁ କି ଭାଗ୍ୟ କରିଥିଲୁ ଯେ ଆମ ଘରକୁ ବାହାହେଇ ଆସିଲୁ। ଦେଖୁନୁ ଏ ବଡ଼ଗାଡ଼ି, ବଡ଼ଘର, ସୁଖସୁବିଧା ତତେ କ’ଣ ଆଉ କୋଉଠି ମିଳିଥାଆନ୍ତା! ଏଠି ତତେ କିଛି କରିବାକୁ ପଡ଼ୁନି। ତୋ ଅଫିସ୍‌ କାମ ସହ ଘର ଛୁଆପିଲା ଯାହା ସମ୍ଭାଳିବା କଥା। ଏମିତି ଭାଗ୍ୟ କାହାର ଥାଏ? ଗହଣାଗାଣ୍ଠି, ଶାଢ଼ି-ଚୂଡ଼ି କୋଉଥିରେ ତ ଅଭାବ ନାହିଁ। ଖାଲି ଯାହା ମୋ ପୁଅଟା ବଦ୍‌ରାଗୀଟା, କଥା କଥାକେ ଟିକିଏ ତୋ ଉପରେ ହାତ ଉଠେଇଦିଏ। ହେଲେ ଘରର ସ୍ତ୍ରୀଲୋକଙ୍କୁ ତ ସେସବୁ ସହିବାକୁ ପଡ଼ିବ। ଘର ସମ୍ଭାଳିବାକୁ ପଡ଼ିବ। ନ ହେଲେ ଘର ଭାଙ୍ଗିଯିବନି? କେବେ ତାକୁ ଉତ୍ତର ଦେବୁନି। ଏମିତି ଉପଦେଶ ଅନେକ ଘରେ ବୋହୂମାନଙ୍କୁ ଶୁଣିବାକୁ ପଡ଼େ।
ଅଧିକାଂଶ ସମୟରେ ବାହାଘର ପରେ ପୁଅ ଯାହା କଲା ବୋହୂର ଦୋଷ। ଛୁଆ ହେବାରେ ଟିକିଏ ବିଳମ୍ବ ହେଲେ ବି ତା’ର ଦୋଷ। ଘରେ ବର୍ଷକ ବାରମାସ ଖାଇବା ସୁଆଦିଆ ହେବା ବି ଘରର ମହିଳାଟିର ଦାୟିତ୍ୱ। ତା’ ସହ ଛୁଆଙ୍କ ପାଠପଢ଼ା, ଘର ସଫା-ଝଡ଼ା, ଲୁଗାପଟା ସଫା, ଇସ୍ତ୍ରି କରିବା, ବନ୍ଧୁବାନ୍ଧବ ହାନିଲାଭ ସବୁର ଦାୟିତ୍ୱ ପୁଣି ତା’ ଉପରେ। ହେଲେ ସେସବୁ ଭିତରେ ପୁଣି ସେଇ ଗୋଟିଏ ଡାଇଲଗ୍‌। ଦିନସାରା ଘରେ ବସିବସି କରୁଛ କ’ଣ!
କରୋନା ପାଇଁ ସାରା ବିଶ୍ୱ ଏବେ ଅଲଗା ପରିସ୍ଥିତି ଦେଇ ଗତି କରୁଛି। ହେଲେ ମହିଳାମାନଙ୍କ ପାଇଁ ଯେମିତି କିଛି ବି ବଦଳିନି। ବରଂ ଆହୁରି ଅଧିକ ସେମାନଙ୍କ ପାଇଁ ପରିସ୍ଥିତି ବିପଦପୂର୍ଣ୍ଣ ହୋଇଛି। ଜାତୀୟ ମହିଳା କମିଶନଙ୍କ ଅନୁସାରେ ଏହି ସମୟରେ ଘରୋଇ ହିଂସାର ମାତ୍ରା ଦ୍ୱିଗୁଣିତ ହୋଇଛି। ୮୦ ପ୍ରତିଶତ ଘରୋଇ ହିଂସା, ବଳାତ୍କାର ଓ ଯୌନ ଅତ୍ୟାଚାର ଲୋକଲୋଚନକୁ ଆସି ନ ଥାଏ। ଲୋକଲଜ୍ଜାକୁ ଡରି ସେମାନଙ୍କ ସହ ତାଙ୍କ ଘର ପରିବାର ସଦସ୍ୟ ବି ଚୁପ୍‌ ରୁହନ୍ତି। ଆଉ ଯେଉଁ କେଇଜଣ ଅଭିଯୋଗ କରନ୍ତି ସେମାନଙ୍କୁ ନ୍ୟାୟ ମିଳିବାକୁ କେବେ କେବେ ବର୍ଷବର୍ଷ ଲାଗିଯାଏ। ଏମିତିକି ଅଭିଯୋଗ କରିଥିବା ଝିଅ, ମହିଳା କି ତାଙ୍କ ପରିବାରକୁ ଆମେ ସବୁ ଭିନ୍ନ ଦୃଷ୍ଟିରେ ଦେଖୁ। ଘରୋଇ ହିଂସା କରିଥିବା ଲୋକଟିକୁ ତ ସମାଜ ସହଜରେ ଗ୍ରହଣ କରିନିଏ। ହେଲେ ମହିଳାଟି ଉପରେ, ଘର ସମ୍ଭାଳି ନ ପାରିବାର ଟ୍ୟାଗ୍‌ଟି ଆଗ ଉଭୟ ପରିବାରର ଲୋକେ ଲଗାଇଦିଅନ୍ତି। ଯେମିତି ସ୍ତ୍ରୀଲୋକଟି ଚୁପ୍‌ ନ ରହି ମୁହଁ ଖୋଲିବାଟା ହିଁ ମସ୍ତବଡ଼ ଭୁଲ୍‌। ବାପ ହିସାବରେ ଝିଅଟିଏ ପାଇଁ ଯେକୌଣସି ପୁରୁଷ ବେଶ୍‌ ସଚେତନ। ହେଲେ ସେଇ ସମାନ ପୁରୁଷ ସ୍ତ୍ରୀଟିଏ ପାଇଁ ସେତିକି ସଚେତନ ନୁହେଁ। ଭଉଣୀ ପାଇଁ ଭାଇଟିଏ ବେଶ୍‌ ସଚେତନ ହେଲେ ଅନ୍ୟ କାହା ଭଉଣୀଙ୍କୁ ସେତିକି ସମ୍ମାନ ଦେବାଟା ଯେମିତି ତା’ ହିସାବରେ ଜରୁରୀ ନୁହେଁ। ମଉକା ମିଳିଲେ ନିଜ ସ୍ତ୍ରୀ ଉପରେ ହାତ ଉଠାଇ ନିଜ ପୁରୁଷପଣିଆ ଜାହିର୍‌ କରିବା ଲୋକଙ୍କ ସଂଖ୍ୟା ଏଠି କିଛି କମ୍‌ ନୁହେଁ। ଆଉ ତା’ର ଫାଇଦା ନେଇ ସେମିତି ମହିଳାଙ୍କୁ ଖୋଜିଖୋଜି ଆହା ପଦ ଶୁଣାଇ ନିଜ କାନ୍ଧରେ ସେମାନଙ୍କୁ ଆଉଜେଇ ଫାଇଦା ନେବା ଲୋକଙ୍କ ସଂଖ୍ୟା ବି କମ୍‌ ନୁହେଁ।
ଅଧିକାଂଶ ମହିଳା ଏଠି ଅଜଣା ଓ ଅଦେଖା ଶିକୁଳିରେ ବନ୍ଧା। ଗାଁରେ ରହୁଥିବା ଆଦିବାସୀ ମହିଳାଟିଏ ବରଂ ଆମ-ତମ ପରି ପାଠୁଆ ମହିଳାମାନଙ୍କଠୁ ଢ଼େର୍‌ ଅଧିକ ସ୍ବାଭିମାନୀ ଓ ସଚେତନ ବି। ସେମାନଙ୍କୁ ଅନେକଙ୍କ ଜାଗାରେ ପୁରୁଷ ପରି ସମାନ ଅଧିକାର ଆଉ ସମ୍ମାନ ମିଳେ। ହେଲେ ଆମ-ତମ ପରି ମହିଳା କିଛି ପ୍ରଶ୍ନ କଲେ ତା’ପଛରେ ଅଣ୍ଡିରାଚଣ୍ଡୀର ଟ୍ୟାଗ୍‌ ଲାଗିବାକୁ କିଛି ଅଧିକା ସମୟ ଲାଗେନି। କେବଳ ପୁରୁଷ ନୁହେଁ ବରଂ ଏମିତି ଟ୍ୟାଗ୍‌ ବେଶି ମହିଳାଙ୍କ ଉପରେ ମହିଳାମାନେ ହିଁ ଲଗାନ୍ତି। ମହିଳା ଡାକ୍ତର ହୁଅନ୍ତୁ କି ସାମ୍ବାଦିକା, ଓକିଲ ହୁଅନ୍ତୁ କି ସମାଜସେବୀ ବାହାରେ ଅନ୍ୟ ପାଇଁ ଲଢ଼ୁଥିବା ଓ ସଚେତନତା ବାଣ୍ଟୁଥିବା ଏଇ ମହିଳାମାନଙ୍କ ଭିତରୁ ଅନେକେ ବି ଘରେ ପ୍ରତିଦିନ ନିଜ ପାଇଁ, ନିଜ ସହ ଅହରହ ଲଢ଼ୁଥାଆନ୍ତି। କେବେ ନିଜ ଜାଣତରେ ଆଉ କେବେ ନିଜ ଅଜାଣତରେ। ଯେତେ ଯାହା କଲେ ବି, ଯେତେ ଆତ୍ମନିର୍ଭଶୀଳ ହେଲେ ବି ମହିଳାମାନଙ୍କ ପାଇଁ ଯେମିତି ନିଜ ପରିବାର ଆଉ ସମାଜ ପକ୍ଷରୁ ଗୋଟେ ସୀମାସରହଦ ଆଗରୁ ଲେଖାହୋଇଛି। ବର୍ଷ ପରେ ବର୍ଷ ଗଡ଼ିଚାଲିଛି, ହେଲେ ସେଥିରେ କିଛି ପରିବର୍ତ୍ତନ ହେଉନି। ଫୁଲ, ଫଳ, ପରିବେଶ, ପର୍ବପର୍ବାଣି, ଗହଣାଗାଣ୍ଠି, ଶାଢ଼ିଚୂଡ଼ି ଏସବୁ ବ୍ୟତୀତ ଆଉ କିଛି ଆଲୋଚନା କିମ୍ବା ପ୍ରଶ୍ନ ପଚାରିବାର ଅଧିକାର ଯେମିତି ତା’ର ନାହିଁ। ଯଦି କେବେ ଏହା ବ୍ୟବୀତ ଅନ୍ୟ କିଛି ପ୍ରଶ୍ନ ପଚାରିଲ ତା’ହେଲେ ସାଙ୍ଗେସାଙ୍ଗେ ଫେମିନିଷ୍ଟ ହେବାର ଟ୍ୟାଗ୍‌ଟା ଆପଣଙ୍କଠି ଲାଗିବା ଥୟ।
ଆମ ଅଜାଣତରେ ଆମେ ଯେମିତି, ସବୁ ମହିଳାଙ୍କ ଉପରେ ଅନେକ ଭାର ଲଦିଦେଇଛେ। ‘ଆମେ’ ଭିତରେ ବାନ୍ଧିଦେଇ ତା’ଠୁ ‘ମୁଁ’ କୁ ଛଡ଼ାଇ ନେଇଛେ। ବଡ଼ ଗାଡ଼ି, ଶାଢ଼ୀ, ଚୁଡ଼ି, ସୁନାଗହଣାରେ ତା’ ଖୁସି ଅଛି ଭାବି ତା’ ଗୋଡ଼ରେ ଶିକୁଳି ପକେଇଦେଇଛେ। ସିଏ ଗାଡ଼ିଆରେ ପଡ଼ିଥିବା ତୁଠପଥରଟି ପରି ପଡ଼ିରହିଛି। ସବୁ ଝଡ଼ଝଞ୍ଜା ସହି ଦିନକୁ ଦିନ ଚିକ୍କଣ ହେଇଚାଲିଛି। ତୁଠପଥର ପରି ତା’ର ଅବକ୍ଷୟ ବି ହେଉଛି। ହେଲେ ସମୟ ବଦଳିବ ଯଦି ଆମେ ଚାହିଁବା। ଏବେଠୁ ଆମେ ଚାହିଁଲେ ଆମ ପିଲାଙ୍କୁ ସଚେତନ କରିପାରିବା। ଘରେ ରାନ୍ଧିବା, ପାଣି ଗ୍ଲାସ୍‌ଟେ ନିଜେ ଉଠେଇ ପିଇବା, ନିଜ କାମ ନିଜେ କରିବା- ଏସବୁ ପ୍ରତିଟି ମଣିଷ ପାଇଁ ଜରୁରୀ ବୋଲି ବୁଝାଇପାରିବା। ଏସବୁ କେବଳ ଝିଅକୁ ନୁହେଁ ବରଂ ପୁଅକୁ ବି ଶିଖେଇବା। ଝିଅମାନଙ୍କୁ ଅବଳାଦୁର୍ବଳା ଭାବି ଦୟା ଦେଖେଇବା ଅପେକ୍ଷା ସେମାନଙ୍କୁ ସମ୍ମାନ ଦେବା ଶିଖାଇବା। ତା’ହେଲେ ଯାଇ ବଡ଼ହେଲେ ସେମାନେ ନିଜ ପାଇଁ ଗୋଟେ ସୁସ୍ଥ ସମାଜ ଗଢ଼ିପାରିବେ। ଆଉ ଯେଉଁଠି ଝିଅଟିଏ, ମହିଳାଟିଏ ସମ୍ମାନରେ ମୁଣ୍ଡ ଟେକି ଚାଲିପାରିବ ଆଉ ପରିବାର ଭିତରେ ‘ମୁଁ’ ହୋଇ ବଞ୍ଚିପାରିବ।
ମୁମ୍ବାଇ, ମୋ-୯୩୩୮୫୬୬୫୮୭


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri