ତୁଠପଥର

ସୌମ୍ୟା ପରିଡ଼ା

ବୁଝିଲୁ ମିନୁ, ତୁ କି ଭାଗ୍ୟ କରିଥିଲୁ ଯେ ଆମ ଘରକୁ ବାହାହେଇ ଆସିଲୁ। ଦେଖୁନୁ ଏ ବଡ଼ଗାଡ଼ି, ବଡ଼ଘର, ସୁଖସୁବିଧା ତତେ କ’ଣ ଆଉ କୋଉଠି ମିଳିଥାଆନ୍ତା! ଏଠି ତତେ କିଛି କରିବାକୁ ପଡ଼ୁନି। ତୋ ଅଫିସ୍‌ କାମ ସହ ଘର ଛୁଆପିଲା ଯାହା ସମ୍ଭାଳିବା କଥା। ଏମିତି ଭାଗ୍ୟ କାହାର ଥାଏ? ଗହଣାଗାଣ୍ଠି, ଶାଢ଼ି-ଚୂଡ଼ି କୋଉଥିରେ ତ ଅଭାବ ନାହିଁ। ଖାଲି ଯାହା ମୋ ପୁଅଟା ବଦ୍‌ରାଗୀଟା, କଥା କଥାକେ ଟିକିଏ ତୋ ଉପରେ ହାତ ଉଠେଇଦିଏ। ହେଲେ ଘରର ସ୍ତ୍ରୀଲୋକଙ୍କୁ ତ ସେସବୁ ସହିବାକୁ ପଡ଼ିବ। ଘର ସମ୍ଭାଳିବାକୁ ପଡ଼ିବ। ନ ହେଲେ ଘର ଭାଙ୍ଗିଯିବନି? କେବେ ତାକୁ ଉତ୍ତର ଦେବୁନି। ଏମିତି ଉପଦେଶ ଅନେକ ଘରେ ବୋହୂମାନଙ୍କୁ ଶୁଣିବାକୁ ପଡ଼େ।
ଅଧିକାଂଶ ସମୟରେ ବାହାଘର ପରେ ପୁଅ ଯାହା କଲା ବୋହୂର ଦୋଷ। ଛୁଆ ହେବାରେ ଟିକିଏ ବିଳମ୍ବ ହେଲେ ବି ତା’ର ଦୋଷ। ଘରେ ବର୍ଷକ ବାରମାସ ଖାଇବା ସୁଆଦିଆ ହେବା ବି ଘରର ମହିଳାଟିର ଦାୟିତ୍ୱ। ତା’ ସହ ଛୁଆଙ୍କ ପାଠପଢ଼ା, ଘର ସଫା-ଝଡ଼ା, ଲୁଗାପଟା ସଫା, ଇସ୍ତ୍ରି କରିବା, ବନ୍ଧୁବାନ୍ଧବ ହାନିଲାଭ ସବୁର ଦାୟିତ୍ୱ ପୁଣି ତା’ ଉପରେ। ହେଲେ ସେସବୁ ଭିତରେ ପୁଣି ସେଇ ଗୋଟିଏ ଡାଇଲଗ୍‌। ଦିନସାରା ଘରେ ବସିବସି କରୁଛ କ’ଣ!
କରୋନା ପାଇଁ ସାରା ବିଶ୍ୱ ଏବେ ଅଲଗା ପରିସ୍ଥିତି ଦେଇ ଗତି କରୁଛି। ହେଲେ ମହିଳାମାନଙ୍କ ପାଇଁ ଯେମିତି କିଛି ବି ବଦଳିନି। ବରଂ ଆହୁରି ଅଧିକ ସେମାନଙ୍କ ପାଇଁ ପରିସ୍ଥିତି ବିପଦପୂର୍ଣ୍ଣ ହୋଇଛି। ଜାତୀୟ ମହିଳା କମିଶନଙ୍କ ଅନୁସାରେ ଏହି ସମୟରେ ଘରୋଇ ହିଂସାର ମାତ୍ରା ଦ୍ୱିଗୁଣିତ ହୋଇଛି। ୮୦ ପ୍ରତିଶତ ଘରୋଇ ହିଂସା, ବଳାତ୍କାର ଓ ଯୌନ ଅତ୍ୟାଚାର ଲୋକଲୋଚନକୁ ଆସି ନ ଥାଏ। ଲୋକଲଜ୍ଜାକୁ ଡରି ସେମାନଙ୍କ ସହ ତାଙ୍କ ଘର ପରିବାର ସଦସ୍ୟ ବି ଚୁପ୍‌ ରୁହନ୍ତି। ଆଉ ଯେଉଁ କେଇଜଣ ଅଭିଯୋଗ କରନ୍ତି ସେମାନଙ୍କୁ ନ୍ୟାୟ ମିଳିବାକୁ କେବେ କେବେ ବର୍ଷବର୍ଷ ଲାଗିଯାଏ। ଏମିତିକି ଅଭିଯୋଗ କରିଥିବା ଝିଅ, ମହିଳା କି ତାଙ୍କ ପରିବାରକୁ ଆମେ ସବୁ ଭିନ୍ନ ଦୃଷ୍ଟିରେ ଦେଖୁ। ଘରୋଇ ହିଂସା କରିଥିବା ଲୋକଟିକୁ ତ ସମାଜ ସହଜରେ ଗ୍ରହଣ କରିନିଏ। ହେଲେ ମହିଳାଟି ଉପରେ, ଘର ସମ୍ଭାଳି ନ ପାରିବାର ଟ୍ୟାଗ୍‌ଟି ଆଗ ଉଭୟ ପରିବାରର ଲୋକେ ଲଗାଇଦିଅନ୍ତି। ଯେମିତି ସ୍ତ୍ରୀଲୋକଟି ଚୁପ୍‌ ନ ରହି ମୁହଁ ଖୋଲିବାଟା ହିଁ ମସ୍ତବଡ଼ ଭୁଲ୍‌। ବାପ ହିସାବରେ ଝିଅଟିଏ ପାଇଁ ଯେକୌଣସି ପୁରୁଷ ବେଶ୍‌ ସଚେତନ। ହେଲେ ସେଇ ସମାନ ପୁରୁଷ ସ୍ତ୍ରୀଟିଏ ପାଇଁ ସେତିକି ସଚେତନ ନୁହେଁ। ଭଉଣୀ ପାଇଁ ଭାଇଟିଏ ବେଶ୍‌ ସଚେତନ ହେଲେ ଅନ୍ୟ କାହା ଭଉଣୀଙ୍କୁ ସେତିକି ସମ୍ମାନ ଦେବାଟା ଯେମିତି ତା’ ହିସାବରେ ଜରୁରୀ ନୁହେଁ। ମଉକା ମିଳିଲେ ନିଜ ସ୍ତ୍ରୀ ଉପରେ ହାତ ଉଠାଇ ନିଜ ପୁରୁଷପଣିଆ ଜାହିର୍‌ କରିବା ଲୋକଙ୍କ ସଂଖ୍ୟା ଏଠି କିଛି କମ୍‌ ନୁହେଁ। ଆଉ ତା’ର ଫାଇଦା ନେଇ ସେମିତି ମହିଳାଙ୍କୁ ଖୋଜିଖୋଜି ଆହା ପଦ ଶୁଣାଇ ନିଜ କାନ୍ଧରେ ସେମାନଙ୍କୁ ଆଉଜେଇ ଫାଇଦା ନେବା ଲୋକଙ୍କ ସଂଖ୍ୟା ବି କମ୍‌ ନୁହେଁ।
ଅଧିକାଂଶ ମହିଳା ଏଠି ଅଜଣା ଓ ଅଦେଖା ଶିକୁଳିରେ ବନ୍ଧା। ଗାଁରେ ରହୁଥିବା ଆଦିବାସୀ ମହିଳାଟିଏ ବରଂ ଆମ-ତମ ପରି ପାଠୁଆ ମହିଳାମାନଙ୍କଠୁ ଢ଼େର୍‌ ଅଧିକ ସ୍ବାଭିମାନୀ ଓ ସଚେତନ ବି। ସେମାନଙ୍କୁ ଅନେକଙ୍କ ଜାଗାରେ ପୁରୁଷ ପରି ସମାନ ଅଧିକାର ଆଉ ସମ୍ମାନ ମିଳେ। ହେଲେ ଆମ-ତମ ପରି ମହିଳା କିଛି ପ୍ରଶ୍ନ କଲେ ତା’ପଛରେ ଅଣ୍ଡିରାଚଣ୍ଡୀର ଟ୍ୟାଗ୍‌ ଲାଗିବାକୁ କିଛି ଅଧିକା ସମୟ ଲାଗେନି। କେବଳ ପୁରୁଷ ନୁହେଁ ବରଂ ଏମିତି ଟ୍ୟାଗ୍‌ ବେଶି ମହିଳାଙ୍କ ଉପରେ ମହିଳାମାନେ ହିଁ ଲଗାନ୍ତି। ମହିଳା ଡାକ୍ତର ହୁଅନ୍ତୁ କି ସାମ୍ବାଦିକା, ଓକିଲ ହୁଅନ୍ତୁ କି ସମାଜସେବୀ ବାହାରେ ଅନ୍ୟ ପାଇଁ ଲଢ଼ୁଥିବା ଓ ସଚେତନତା ବାଣ୍ଟୁଥିବା ଏଇ ମହିଳାମାନଙ୍କ ଭିତରୁ ଅନେକେ ବି ଘରେ ପ୍ରତିଦିନ ନିଜ ପାଇଁ, ନିଜ ସହ ଅହରହ ଲଢ଼ୁଥାଆନ୍ତି। କେବେ ନିଜ ଜାଣତରେ ଆଉ କେବେ ନିଜ ଅଜାଣତରେ। ଯେତେ ଯାହା କଲେ ବି, ଯେତେ ଆତ୍ମନିର୍ଭଶୀଳ ହେଲେ ବି ମହିଳାମାନଙ୍କ ପାଇଁ ଯେମିତି ନିଜ ପରିବାର ଆଉ ସମାଜ ପକ୍ଷରୁ ଗୋଟେ ସୀମାସରହଦ ଆଗରୁ ଲେଖାହୋଇଛି। ବର୍ଷ ପରେ ବର୍ଷ ଗଡ଼ିଚାଲିଛି, ହେଲେ ସେଥିରେ କିଛି ପରିବର୍ତ୍ତନ ହେଉନି। ଫୁଲ, ଫଳ, ପରିବେଶ, ପର୍ବପର୍ବାଣି, ଗହଣାଗାଣ୍ଠି, ଶାଢ଼ିଚୂଡ଼ି ଏସବୁ ବ୍ୟତୀତ ଆଉ କିଛି ଆଲୋଚନା କିମ୍ବା ପ୍ରଶ୍ନ ପଚାରିବାର ଅଧିକାର ଯେମିତି ତା’ର ନାହିଁ। ଯଦି କେବେ ଏହା ବ୍ୟବୀତ ଅନ୍ୟ କିଛି ପ୍ରଶ୍ନ ପଚାରିଲ ତା’ହେଲେ ସାଙ୍ଗେସାଙ୍ଗେ ଫେମିନିଷ୍ଟ ହେବାର ଟ୍ୟାଗ୍‌ଟା ଆପଣଙ୍କଠି ଲାଗିବା ଥୟ।
ଆମ ଅଜାଣତରେ ଆମେ ଯେମିତି, ସବୁ ମହିଳାଙ୍କ ଉପରେ ଅନେକ ଭାର ଲଦିଦେଇଛେ। ‘ଆମେ’ ଭିତରେ ବାନ୍ଧିଦେଇ ତା’ଠୁ ‘ମୁଁ’ କୁ ଛଡ଼ାଇ ନେଇଛେ। ବଡ଼ ଗାଡ଼ି, ଶାଢ଼ୀ, ଚୁଡ଼ି, ସୁନାଗହଣାରେ ତା’ ଖୁସି ଅଛି ଭାବି ତା’ ଗୋଡ଼ରେ ଶିକୁଳି ପକେଇଦେଇଛେ। ସିଏ ଗାଡ଼ିଆରେ ପଡ଼ିଥିବା ତୁଠପଥରଟି ପରି ପଡ଼ିରହିଛି। ସବୁ ଝଡ଼ଝଞ୍ଜା ସହି ଦିନକୁ ଦିନ ଚିକ୍କଣ ହେଇଚାଲିଛି। ତୁଠପଥର ପରି ତା’ର ଅବକ୍ଷୟ ବି ହେଉଛି। ହେଲେ ସମୟ ବଦଳିବ ଯଦି ଆମେ ଚାହିଁବା। ଏବେଠୁ ଆମେ ଚାହିଁଲେ ଆମ ପିଲାଙ୍କୁ ସଚେତନ କରିପାରିବା। ଘରେ ରାନ୍ଧିବା, ପାଣି ଗ୍ଲାସ୍‌ଟେ ନିଜେ ଉଠେଇ ପିଇବା, ନିଜ କାମ ନିଜେ କରିବା- ଏସବୁ ପ୍ରତିଟି ମଣିଷ ପାଇଁ ଜରୁରୀ ବୋଲି ବୁଝାଇପାରିବା। ଏସବୁ କେବଳ ଝିଅକୁ ନୁହେଁ ବରଂ ପୁଅକୁ ବି ଶିଖେଇବା। ଝିଅମାନଙ୍କୁ ଅବଳାଦୁର୍ବଳା ଭାବି ଦୟା ଦେଖେଇବା ଅପେକ୍ଷା ସେମାନଙ୍କୁ ସମ୍ମାନ ଦେବା ଶିଖାଇବା। ତା’ହେଲେ ଯାଇ ବଡ଼ହେଲେ ସେମାନେ ନିଜ ପାଇଁ ଗୋଟେ ସୁସ୍ଥ ସମାଜ ଗଢ଼ିପାରିବେ। ଆଉ ଯେଉଁଠି ଝିଅଟିଏ, ମହିଳାଟିଏ ସମ୍ମାନରେ ମୁଣ୍ଡ ଟେକି ଚାଲିପାରିବ ଆଉ ପରିବାର ଭିତରେ ‘ମୁଁ’ ହୋଇ ବଞ୍ଚିପାରିବ।
ମୁମ୍ବାଇ, ମୋ-୯୩୩୮୫୬୬୫୮୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri