ଟଙ୍କା ମାଟି, ଯଦି ଖୁସି କିଣି ନ ପାରେ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ
ଅର୍ଥ ପଛରେ ଅହରହ ଧାଇଁଚାଲିଛି ମଣିଷ । ପୁଳାଏ ଟଙ୍କା ରୋଜଗାର କରିବାକୁ ସେ ଭାବିଥାଏ ଜୀବନର ଚରମ ସାର୍ଥକତା । କାରଣ ସେ ଜାଣିଥାଏ ଯେ ଟଙ୍କା ହିଁ କେବଳ ସକଳ ପ୍ରକାର ଖୁସି ଆଣିଦେଇପାରେ। ମାତ୍ର ଲକ୍ଷ୍ୟ କରିବାର କଥା, ଟଙ୍କା ବିନିମୟରେ ସବୁକିଛି କିଣାଯାଇପାରେ, ମାତ୍ର ମନର ଖୁସି କି ହୃଦୟର ଆନନ୍ଦ କିଣାଯାଇ ପାରେନା। ତେବେ ଏମିତି କାହିଁକି ହୁଏ। ପୂର୍ଣ୍ଣତା ଭିତରେ ଶୂନ୍ୟତାର ଉଦ୍‌ଭବ ହୁଏ କାହିଁକି? ଟଙ୍କା କ’ଣ ସେଇ ଶୂନ୍ୟତାକୁ ଭରିଦେବା ପାଇଁ ସମର୍ଥ ହୁଅନ୍ତା ନାହିଁ। ବୋଧହୁଏ ନା। ପ୍ରକୃତ ସତ୍ୟ ହେଉଛି ଏହା ଯେ, ଦୁନିଆର ବହୁ ସୁଖ ମାଗଣାରେ ମିଳିଥାଏ। ପଇସାଟିଏ ବି ସେଥିପାଇଁ ଖର୍ଚ୍ଚ କରିବାକୁ ପଡେନା। ତା’ ପାଇଁ ଲୋଡ଼ାପଡ଼େ କେବଳ ଏକ ନିର୍ମଳ ହୃଦୟ, ଏକ ନିଚ୍ଛକ ମଣିଷପଣିଆ।
ଜଣେ ଧନୀ ପିତାର ଏକମାତ୍ର ସନ୍ତାନ ପର୍ଯ୍ୟାପ୍ତ ମେଧାଶକ୍ତି ଅଭାବରୁ ମେଡିକାଲ ପାଠ୍ୟକ୍ରମରେ ଯୋଗ ଦେବାକୁ ପ୍ରବେଶିକା ପରୀକ୍ଷାରେ ସଫଳ ହୋଇ ପାରିଲା ନାହିଁ। ଅର୍ଥ ସବୁ ଅସମ୍ଭବକୁ ସମ୍ଭବ କରିପାରେ ବୋଲି ବିଚାରୁଥିବା ତା’ ବାପା କେଇ ଲକ୍ଷ ଟଙ୍କା ଡୋନେଶନ ଦେଇ ସୁଦୂର ରାଜସ୍ଥାନରେ ପୁଅକୁ ପାଠ ପଢ଼ାଇବାର ବ୍ୟବସ୍ଥା କରିଦେଲେ। ପାଞ୍ଚ ଛଅ ବର୍ଷ ପରେ ପୁଅ ଡାକ୍ତର ହୋଇ ଫେରିବ। ଡାକ୍ତର ପୁଅର ବାପା ଭାବେ ଛାତି ଫୁଲି ଉଠିବ ଗର୍ବରେ। ଚାକିରିରୁ ଓ ଚାକିରି ବାହାରୁ ପୁଳା ପୁଳା ଟଙ୍କା ରୋଜଗାର କରି ପୁଅ ଆଣି ଘରର ସିନ୍ଦୁକ ଭରିବ। ସୁଖ ଆଉ କାହାକୁ କହନ୍ତି କି ! ଏକ ରଙ୍ଗିନ ଭବିଷ୍ୟତର ସ୍ବପ୍ନରେ ମସ୍‌ଗୁଲ ଥିଲା ବେଳେ ଧନପତି ଖବର ପାଇଲେ ଯେ ପୁଅ ତାଙ୍କର ଗୁରୁତର ଅସୁସ୍ଥ। ତା’ର ଦୁଇଟି ଯାକ କିଡ୍‌ନୀ ନଷ୍ଟ ହୋଇଯାଇଛି। କାହା ନିକଟରୁ ଉଧାର ଆଣି କିଡ୍‌ନୀଟିଏ ପ୍ରତିରୋପଣ ନ କଲେ ତା’ର ବଞ୍ଚିବା ଅସମ୍ଭବ। ଏକମାତ୍ର ପୁଅ ତାଙ୍କର। ବଂଶର ଶେଷ ଦୀପ ଶିଖା। ସୁତରାଂ ଲିଭି ଆସୁଥିବା ଦୀପକୁ ତେଲ ଯୋଗାଇବା ପାଇଁ ପିତା ମହୋଦୟ ପୁଅ ଲାଗି କିଡ୍‌ନୀ ଖୋଜିବାରେ ଲାଗିପଡିଲେ। ଖବରକାଗଜରେ ବିଜ୍ଞାପନ ପ୍ରକାଶକଲେ, ଟିଭିରେ ଘୋଷଣା କରାଇଲେ, ବନ୍ଧୁବାନ୍ଧବ, ସାଙ୍ଗସାଥୀମାନଙ୍କ ପାଖରେ ନେହୁରା ହେଲେ ଓ ଶେଷରେ ଦୁଇତିନି ଦଫାରେ କିଡ୍‌ନୀର ଦର ବଢ଼ାଇ ସାତଲକ୍ଷରେ ପହଞ୍ଚିଗଲେ ତଥାପି ଉପଯୁକ୍ତ କିଡ୍‌ନୀଟିଏ ପାଇ ପାରିଲେନି ଧନପତି ମହୋଦୟ। ମାସେ ବିତିଗଲା। ଦୀପ ଲିଭି ଲିଭି ଆସୁଥାଏ। ଅର୍ଥର ଏକକରେ ସାରା ସଂସାରକୁ ତଉଲୁଥିବା ଧନପତି ମହୋଦୟ ସାତଲକ୍ଷ ଟଙ୍କାର କିଡ୍‌ନୀଟିଏ ଖୋଜି ପାଇଲେ ନାହିଁ। ତାଙ୍କ ନିଜର ଅବା ସ୍ତ୍ରୀଙ୍କ କିଡ୍‌ନୀ ପୁଅ କାମରେ ଆସିବ ନାହିଁ ବୋଲି ଡାକ୍ତରଙ୍କଠାରୁ ନିରାଶ ବାଣୀ ଶୁଣିଲା ପରେ ସେ ଯେତେବେଳେ ସବୁ ଆଶା ଛାଡି ଦେଇଥିଲେ ସେତେବେଳେ ଏକ ଚମତ୍କାର ଘଟଣା ଘଟିଲା। ପୁଅର ହଷ୍ଟେଲମେଟ୍‌ ଜଣେ କେରଳୀ ଛାତ୍ର ଅଯାଚିତ ଭାବେ ନିଜର ଗୋଟିଏ କିଡ୍‌ନୀ ଦେଇ ତା’ର ଜୀବନ ରକ୍ଷା କରିଦେଲେ। କିଡ୍‌ନୀ ପ୍ରତିରୋପଣ ସଫଳ ହେଲା ପରେ ନିଜ ପ୍ରତିଶ୍ରୁତି ମୁତାବକ ଧନକୁବେର ପିତା ଯେତେବେଳେ ଛାତ୍ରଟିକୁ ସାତଲକ୍ଷ ଟଙ୍କା ଦେବାକୁ ଚାହିଁଲେ, ସେତେବେଳେ ତାଙ୍କ ପୁଅ ବୟସର ସେଇ କେରଳ ଛାତ୍ରଟି ପାଖରୁ ତାଙ୍କୁ ଯେଉଁ ଉତ୍ତର ମିଳିଲା, ତହିଁରେ ଭରି ରହିଥିଲା ଜୀବନବୋଧର ଏକ ଭିନ୍ନ ପରିଭାଷା। ଅତ୍ୟନ୍ତ ନମ୍ରତାର ସହ ସେଇ କେରଳୀ ଛାତ୍ର କହିଥିଲେ, ”ଯଦି ଆପଣଙ୍କ କିଡ୍‌ନୀ ତାଙ୍କ ଦେହରେ ଖାପ ଖାଇଥାନ୍ତା, ତା’ ହେଲେ କେତେ ଖୁସି ହୋଇଥାନ୍ତେ ଆପଣ! ସେମିତି ଏକ ମୁଗ୍ଧ ଅନୁଭବରୁ ମୋତେ କାହିଁକି ଆପଣ ବଞ୍ଚିତ କରୁଛନ୍ତି। ଆପଣଙ୍କ ପୁଅ ହେଲେ ବି ସେ ମୋର ସହପାଠୀ ବନ୍ଧୁ। ବନ୍ଧୁ ପ୍ରତି କର୍ତ୍ତବ୍ୟର କ’ଣ ମୂଲ୍ୟ ନିଆଯାଏ?“ ଧନପତିଙ୍କ ପାଟିରେ ଆଉ ଭାଷା ନ ଥିଲା। ସଂସାରର ସବୁଠୁ ମୂଲ୍ୟବାନ ଦ୍ରବ୍ୟଟିକୁ କିଣିବା ପାଇଁ ତାଙ୍କୁ ତ କାହିଁ ପଇସାଟିଏ ବି ଖର୍ଚ୍ଚ କରିବାକୁ ପଡିଲା ନାହିଁ। ଅଥଚ ସେ ସେଥିପାଇଁ ସାତଲକ୍ଷ ଟଙ୍କା ପଣ ରଖିଥିଲେ। ପାର୍ଥିବ ଅର୍ଥ ତୁଳନାରେ ନିଷ୍କପଟ ସହୃଦୟତାର କି ମହନୀୟ ଆବେଦନ ସତେ!
ଆଉ ଜଣେ ଧନଶାଳୀ ଅଫିସରଙ୍କ କଥା। ଉଚ୍ଚ ପଦବୀଧାରୀ ଏହି ଅଫିସରଙ୍କ ପାଇଁ ନିଜ ସମଧର୍ମା ବନ୍ଧୁମାନଙ୍କ ବ୍ୟତୀତ ଅନ୍ୟମାନେ ଥିଲେ ଅସ୍ପୃଶ୍ୟ, ଇତର । ହାତରେ କ୍ଷମତା ଓ ପକେଟ୍‌ରେ ଟଙ୍କା ଥିଲେ ଅବଶିଷ୍ଟ ଜଗତ ମଥାନତ କରିବାକୁ ବସ୍ତୁତଃ ବାଧ୍ୟ ବୋଲି ସେ ବିଶ୍ୱାସ କରୁଥିଲେ। ଦିନେ ସ୍ତ୍ରୀ ଓ ପିଲା ଦୁହିଁଙ୍କୁ ସାଥିରେ ଧରି ଅଫିସର ପ୍ରମୋଦ ଭ୍ରମଣରେ ବାହାରିଲେ। ନିଜେ କାର ଡ୍ରାଇଭ୍‌ କରି ଏକ ମନୋରମ ପର୍ଯ୍ୟଟନ ସ୍ଥଳକୁ ଯାତ୍ରା ଆରମ୍ଭକଲେ। ରାତିରେ ସେଠାକାର ସରକାରୀ ବଙ୍ଗଳାରେ ରହିବା ପାଇଁ ଅଧସ୍ତନମାନେ ସବୁ ପ୍ରକାର ବ୍ୟବସ୍ଥା କରି ଅପେକ୍ଷା କରୁଥିଲେ ସାହେବଙ୍କୁ। ଯାତ୍ରା ସରିବାକୁ ଆହୁରି ପ୍ରାୟ ତିରିଶ କି.ମି. ପଥ ବାକି ଅଛି । ହଠାତ୍‌ ଏକ ପାହାଡଘେରା ଜଙ୍ଗଲ ମଧ୍ୟରେ ଗାଡିଟି ଖରାପ ହୋଇଗଲା। ଶତଚେଷ୍ଟା ତାଙ୍କର ବିଫଳ ହେଲା ଗାଡିଟି ସଜାଡିବା ପାଇଁ। ମୋବାଇଲ କାମ କରୁନାହିଁ। ଅନ୍ୟ କାହା ସହ ସମ୍ପର୍କର ସାମାନ୍ୟ ସମ୍ଭାବନା ନାହିଁ। ଏଣେ ବୈଶାଖୀ ଝଡ ସାଙ୍ଗକୁ ସାର କଳା ଅନ୍ଧକାର ମାଡି ଆସୁଥିବା ଦେଖି ସେ ଶଙ୍କିତ ହୋଇପଡିଲେ। ଜୀବନରେ କେବେ ବି ଅନ୍ଧାର ଦେଖି ନ ଥିବା ତାଙ୍କ ପରିବାରଟିର ଦୁର୍ଭାଗ୍ୟ ସମ୍ପର୍କରେ ଚିନ୍ତା କରି ସେ ହତାଶ ହୋଇପଡିଲେ। ବର୍ଷା ଆରମ୍ଭ ହୋଇଗଲା ପରେ ତାଙ୍କ ଚିନ୍ତା ବଢୁଥିଲା। ହାତରେ ଅସୁମାରି କ୍ଷମତା ଓ ଅଜସ୍ର ଅର୍ଥ ଥାଇ ବି ତାଙ୍କୁ ଲାଗୁଥିଲା, ସେଇ ମୁହୂର୍ତ୍ତରେ ତାଙ୍କ ପରି ଅସହାୟ ଦ୍ୱିତୀୟ କେହି ସଂସାରରେ ନାହାନ୍ତି।
ଏମିତି ସମୟରେ ଦୁଇଜଣ ଜଙ୍ଗଲୀ ଯୁବକଙ୍କ ଦୃଶ୍ୟପଟରେ ଆବିର୍ଭାବ ତାଙ୍କ ଚିନ୍ତାକୁ ବହୁଗୁଣିତ କରିଦେଲା। ସାରା ଜୀବନ ଏହି ଜାତୀୟ ମୂର୍ଖ, ଅସଭ୍ୟ ପ୍ରାଣୀମାନଙ୍କୁ ପଶୁଠାରୁ ଅଧିକ ହେୟ ମନେକରୁଥିବା ସେଇ ଅଫିସରଙ୍କ ପାଖରେ ପ୍ରକୃତ ମଣିଷ ଚିହ୍ନିବାର ଅବସରଟିଏ ପହଞ୍ଚି ଯାଇଥିଲା। ତାଙ୍କ ପାହାଡି ବସ୍ତିକୁ ଅନ୍ତରଙ୍ଗତାର ସହ ଆମନ୍ତ୍ରଣ କଲେ ଆଦିବାସୀ ଯୁବକ ଦ୍ୱୟ। ମାତ୍ର ଏତେ ସହଜ ନ ଥିଲା ଜାତି ଓ ରଙ୍ଗଭେଦର ଯୁଗ ଯୁଗର ପ୍ରାଚୀରଟିକୁ ଭାଙ୍ଗି ଆଦିବାସୀ ବସ୍ତିରେ ସପରିବାର ରାତ୍ରିଯାପନ କରିବା। ସୁତରାଂ, ସାରା ବର୍ଷା ମୁଖର ରାତିଟି ଅଫିସରଙ୍କ ପରିବାରକୁ ଜଗି ରହିବା ସହ ପରଦିନ ସକାଳୁ ସେଠାରୁ ଦଶ କି.ମି. ଦୂର ବଜାରରୁ ଜଣେ ମେକାନିକ୍‌ ଡାକି ଗାଡି ସଜାଡିବା ଯାଏଁ ସମସ୍ତ କାର୍ଯ୍ୟ ସମ୍ପନ୍ନ କରି ସହୃଦୟ ମାନବତାର ଏକ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିଥିଲେ ସେଇ ଦୁଇଜଣ ଜଙ୍ଗଲୀ ଯୁବକ।
ଜଙ୍ଗଲୀ ଯୁବକ ଦୁହିଁଙ୍କ ଆନ୍ତରିକପୂର୍ଣ୍ଣ ଆଚରଣ ସେମାନଙ୍କ ଭଳି ଅଜଣା ଲୋକଙ୍କ ପାଇଁ ଅଯାଚିତ ଆତ୍ମତ୍ୟାଗ ଦେଖି ଅଫିସର ଓ ତାଙ୍କ ପରିବାର ଏକ ଅନିର୍ବଚନୀୟ ମୁଗ୍ଧ ଅନୁଭବରେ ତଟସ୍ଥ ହୋଇ ଯାଇଥିଲେ। ପଦବୀର ଉତ୍ତୁଙ୍ଗ ଶିଖର ଉପରେ ବସିଥିବା ମହାମହିମ ସେ। ହାତରେ ପ୍ରଚୁର କ୍ଷମତା, ପାଖରେ ପୁଳା ପୁଳା ଟଙ୍କା। ଅଥଚ ଏ ସବୁର ଉଜ୍ଜ୍ୱଳ ଆଲୋକରେ ସେହି ଅଶୁଭ ରାତିର ଅନ୍ଧକାର ତ କାହିଁ ଦୂର ହୋଇପାରିଲା ନାହିଁ। ତାଙ୍କ ଭଳି ଅନ୍ୟକୁ ହେୟ ମନେକରିବାର ଔଦ୍ଧତ୍ୟ ଓ ଅବଜ୍ଞା ଯଦି ସେହି ଯୁବକ ଦୁହେଁ ପ୍ରଦର୍ଶନ କରିଥାନ୍ତେ ତେବେ କ’ଣ ହୋଇଥାନ୍ତା ତାଙ୍କ ପରିବାରର ଅବସ୍ଥା। ଶିକ୍ଷା, ସଭ୍ୟତା, ପଦବୀ ଓ ପ୍ରାଚୁର୍ଯ୍ୟ ଯେମିତି ମଣିଷକୁ ବଡ଼ କରିପାରେନା, ଅଶିକ୍ଷା ଅସଭ୍ୟତା, ଅଭାବ ଓ ଦାରିଦ୍ର୍ୟ ସେମିତି ମଣିଷକୁ ଛୋଟ ବି କରିପାରେନା। ଏହି ସତ୍ୟଟିକୁ ଜୀବନରେ ପ୍ରଥମଥର ପାଇଁ ଉପଲବ୍ଧି କରି ଅଫିସର ରୋମାଞ୍ଚିତ ହେଉଥିଲେ। ତାଙ୍କର ମନେପଡିଥିଲା ରାମକୃଷ୍ଣ ପରମହଂସ ଦେବଙ୍କ କହିଥିବା ଏକ ଆପ୍ତବାଣୀ, ‘ଟଙ୍କା ମାଟି’। ଯେଉଁ ଟଙ୍କା ମଣିଷ ପାଇଁ ସାମାନ୍ୟ ଖୁସି ଟିକିଏ କିଣି ନ ପାରିଲା, ସେ ଟଙ୍କା ମାଟିଠାରୁ ମଧ୍ୟ ଆହୁରି ମୂଲ୍ୟହୀନ ା
ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର, ମୋ-୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?