ଚେଇଁ ଶୋଇଥିବ ଯିଏ

ଡ.ନରହରି ବେହେରା

କଥାରେ ଅଛି, ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ? ଏହି ଚେଇଁ ଶୋଇଥିବା ମଣିଷଙ୍କର ଚେତନା ଥାଏ, କିନ୍ତୁ ସଚେତନତା ନ ଥାଏ। ଏମାନଙ୍କର ଭଲ ଭେଲର ବିଚାର କରିବାର ଶକ୍ତି ନ ଥାଏ। ନିଜର ଅହମିକା, ଔଦ୍ଧତ୍ୟ କିମ୍ବା ପଦପଦବୀର ଅଭିମାନ ତାଙ୍କୁ ଉଚିତ କର୍ମ କରିବାରେ ପ୍ରତିବନ୍ଧକ ସାଜିଥାନ୍ତି। ତାକୁ ଠିକ କର୍ମ କରିବାକୁ ଦିଏନାହିଁ। ତାହା ହୋଇ ନ ଥିଲେ ‘ସୀତାହରଣ ରାବଣ ମରଣ’କଥା ଜାଣି ମଧ୍ୟ ରାବଣ ସେଥିରେ ପ୍ରବୃତ୍ତ ହେଲା। ଦେବକୀଙ୍କର ପୁତ୍ର କଂସ ମୃତ୍ୟୁର କାରଣ ହେବ ବୋଲି ଜାଣି ମଧ୍ୟ କଂସ ନିଜକୁ ପରିବର୍ତ୍ତନ କରିପାରି ନ ଥିଲା। ସ୍ବୟଂ ଭଗବାନ ଶ୍ରୀକୃଷ୍ଣଙ୍କର ପୁତ୍ର ହୋଇ ମଧ୍ୟ କାଦମ୍ବିନୀ ରସାସ୍ବାଦନରେ ସକଳ ସାମାଜିକତାକୁ ବିସ୍ମୃତ ହୋଇଯାଇଥିଲେ ଯଦୁବଂଶୀଗଣ । ଏମାନେ ହେଉଛନ୍ତି ଜଣେ ଜଣେ ଚେଇଁଶୋଇଥିବା ମଣିଷର ଉଦାହରଣ। ଏମାନଙ୍କୁ ଗୀତା ଭାଗବତର ବାଣୀ କିମ୍ବା ସମାଜର ନୀତି ନିୟମ ବଦଳାଇ ପାରନ୍ତି ନାହିଁ।
ଯୁଗ ଯୁଗାନ୍ତରକୁ ଏହି ଲୋକମାନେ ସମାଜକୁ ଆତଙ୍କିତ କିମ୍ବା ବିପଥଗାମୀ କରିଥାନ୍ତି। ଏବେ ଏ ସମାଜ ବିଶ୍ୱ ମହାମାରୀ କରୋନା ରୋଗରେ ଆତଙ୍କିତ। ଏଥିପାଇଁ କୌଣସି ଔଷଧ ବାହାରି ନ ଥିବାରୁ ସମସ୍ତଙ୍କର ଜୀବନ ବିପଦାପନ୍ନ। ତେଣୁ କରୋନାରୁ ମୁକ୍ତି ପାଇବା ପାଇଁ ସାମାଜିକ ଦୂରତା ହିଁ ଏକମାତ୍ର ପନ୍ଥା ବୋଲି ଆମେ ସମସ୍ତେ ଜାଣୁ। ଏଥିପାଇଁ ସରକାରଙ୍କ ତରଫରୁ ବିଭିନ୍ନ କଟକଣା ଜାରି କରାଯାଇଛି। ଦୋକାନ ବଜାର, ବିବାହୋତ୍ସବ, ଶୁଦ୍ଧି କିମ୍ବା ଶ୍ରାଦ୍ଧ କର୍ମ ପ୍ରଭୃତିରେ ଗହଳି ନ କରିବାକୁ କଟକଣା ଜାରି କରାଯାଇଛି। ବ୍ୟକ୍ତିଗତ ଭାବେ ମୁହଁରେ ମାସ୍କ ପିନ୍ଧିବା, ହାତଗୋଡ଼ ଧୋଇବା, ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ମାତ୍ର ଏହି ଚେଇଁ ଶୋଇଥିବା ଗୋଷ୍ଠୀ ସରକାରଙ୍କର ସବୁ ନିର୍ଦ୍ଦେଶ ଏବଂ କଟକଣାକୁ ଫୁ କରିଦେଉଛନ୍ତି। ରୋଗର ସକଳ ଭୟାବହତା ସତ୍ତ୍ୱେ ନିଜ ଇଚ୍ଛାର ଏମାନେ ବାଦଶାହା ପାଲଟିଯାଇଥାନ୍ତି। କାରଣ ଏମାନେ ଭାବନ୍ତି, କୌଣସି ଆଇନ୍‌କାନୁନ୍‌କୁ ମାନିବାର ଅର୍ଥ ପରାଧୀନତା,ଏହାକୁ ଭାଙ୍ଗି ସ୍ବେଚ୍ଛାରେ ବିଚରଣ କରିବା ନିଜ ପଦମର୍ଯ୍ୟାଦାର ପରିଚୟ, ବଡ଼ପଣିଆ। ଏଥିପାଇଁ ପୋଲିସ ହାତରେ ଧରାପଡ଼ିଗଲେ ଅନେକ, ମୁଁ ଅମୁକ ନେତାର ପୁଅ କି ଅମୁକ ଅଫିସରର ପୁଅ ବୋଲି ପରିଚୟ ଦେଇ ନିଜ ବଡ଼ିମା ଦେଖାଇବା ସହିତ ଦୋଷରୁ ମୁକୁଳିଯିବା ପାଇଁ ବାଟ ପରିଷ୍କାର କରିଥାନ୍ତି। ଏହି ଅହମିକା ପ୍ରଦର୍ଶନ ହିଁ ଦେଶ ଓ ଜାତି ପାଇଁ ବିପଦର କାରଣ।
ନିକଟ ଅତୀତରେ ଜଣେ ଧନୀ ବ୍ୟବସାୟୀ ନିଜର ଆଟୋପ ଦେଖାଇବା ପାଇଁ ବାହାଘର ଉତ୍ସବରେ ସାମାଜିକ ଦୂରତାକୁ ଭୁଲି ଶହ ଶହ ଲୋକଙ୍କ ସମାଗମ କରାଇ ନିଜର ବାହାଦୁରି ପ୍ରଦର୍ଶନ କରିଥିଲେ। ବାରମ୍ବାର ନିଷେଧାଜ୍ଞା ସତ୍ତ୍ୱେ ବହୁ ଜନସମାଗମ କରି ବିବାହ, ବ୍ରତ କିମ୍ବା ଶୋକସଭା କରିବାକୁ ଆମ ଲୋକମାନେ ଏବେ ବି ଭୁଲୁ ନାହାନ୍ତି। ଆମମାନଙ୍କର ଧାରଣା, ଯାହାକିଛି କରିବାର ଅଛି, ସେ ସବୁ ସରକାରଙ୍କର ଜିମାଦାରି। ଆମେ ମାସ୍କ ପିନ୍ଧିବାନି, ସାମାଜିକ ଦୂରତା ରକ୍ଷା କରିବାନି, ଆଇନ୍‌ର କଟକଣା ଭାଙ୍ଗିବା ପାଇଁ ଚେଷ୍ଟା କରିବା, ଏଥିପାଇଁ ପୋଲିସ, ବିଡିଓ, ତହସିଲଦାର, ଉପଜିଲାପାଳ, ଜିଲାପାଳ ପ୍ରଭୃତି ସମସ୍ତେ ଜଗିବେ। କାହିଁକି? ଏମାନେ ତ ଆମପରି ମଣିଷ। ସେମାନଙ୍କର ଆମପରି ଘର, ପରିବାର ଅଛି, ଜୀବନ ବି ଅଛି। ନିକଟ ଅତୀତରେ ବାଲେଶ୍ୱର ଜିଲାର ବାଲିଆପାଳ ବିଡିଓ ଏବଂ କିଛି ପ୍ରବାସୀଙ୍କ ଯୁକ୍ତିତର୍କ ସୋସିଆଲ ମିଡିଆରେ ପ୍ରକାଶ ପାଇଥିଲା। ବିଡିଓଙ୍କ ଆପତ୍ତିଜନକ ଗାଳିଗୁଲଜକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସମସ୍ତେ ବିଡିଓଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କଲେ। ଆମେ ମଧ୍ୟ ସ୍ବୀକାର କରୁଛୁ, ବିଡିଓଙ୍କର ମନ୍ତବ୍ୟ ଦେବା ଅନୁଚିତ ଥିଲା। ମାତ୍ର ଅନ୍ୟପକ୍ଷରେ ପ୍ରବାସୀ ଫେରନ୍ତାଙ୍କ ବ୍ୟବହାରକୁ ମଧ୍ୟ ବିଚାର କରିବା ଉଚିତ। ବାହାର ରାଜ୍ୟରେ ଓଡ଼ିଆ ଭାଇ ଭଉଣୀମାନେ ଥିବାବେଳେ ସୋସିଆଲ ମିଡିଆରେ ସେମାନଙ୍କୁ ନେଇ ଆସିବା ପାଇଁ ବାରମ୍ବାର ସରକାରଙ୍କୁ ଅନୁରୋଧ କଲେ। ସରକାର ଟ୍ରେନ୍‌, ବସ୍‌ ପ୍ରଭୃତି ବ୍ୟବସ୍ଥା କରି ଓଡ଼ିଶାକୁ ନେଇ ଆସିଲେ। ମାତ୍ର ଓଡ଼ିଶାରେ ପହଞ୍ଚତ୍ବାପରେ କିଛି ପ୍ରବାସୀ ପୂର୍ବକଥା ଭୁଲିଗଲେ। ସଙ୍ଗରୋଧ କେନ୍ଦ୍ରରେ ସେମାନେ ନିଜର କାରନାମା ଆରମ୍ଭ କରିଦେଲେ। ନନ୍‌ଭେଜ ନ ହେଲେ ଚଳିବନି, ଫେନ୍‌ ଘୂରୁନି, କିଟ୍‌ସ୍‌ ମିଳୁନି, ଖାଦ୍ୟ ଦେବାରେ ବିଳମ୍ବ ହେଲେ ପାଟିତୁଣ୍ଡ କରିବା, ସଂଗରୋଧ କେନ୍ଦ୍ରରେ ଯୋଗାଇ ଦିଆଯାଇଥିବା ବାଲ୍‌ଟି, ମଗ ପ୍ରଭୃତି ଭାଙ୍ଗିବା,ବିଛଣା ପତ୍ରକୁ କାଟି ପକାଇବା, ସରପଞ୍ଚଙ୍କୁ ଗାଳିଗୁଲଜ କରିବା ଇତ୍ୟାଦି ହଜାର ପ୍ରକାର ଅଭିଯୋଗ। ବାଲିଆପାଳ ବ୍ଲକ୍‌ରେ ୨୮ଟି ଗ୍ରାମପଞ୍ଚାୟତରୁ ଯଦି ଏହିପରି ବାରମ୍ବାର ଅଭିଯୋଗ ଆସେ ସେ ବିଡିଓ କେବେ ନା କେବେ ଧୈର୍ଯ୍ୟହରା ହେବା ସ୍ବାଭାବିକ। କାରଣ ସର୍ବୋପରି ସେ ବି ଜଣେ ମଣିଷ। ବର୍ତ୍ତମାନ ବିଶ୍ୱ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଛି। ଆମେ ଜ୍ୱାଇଁ ପୁଅ ଭାବରେ ଡାକରା ପାଇ କି ମଉଜ ମଜଲିସ୍‌ କରିବା ପାଇଁ ଆସିନାହୁଁ। ସଙ୍ଗରୋଧ କେନ୍ଦ୍ରରେ କିଛି ତ୍ରୁଟି ବିଚ୍ୟୁତି ଯେ ହୋଇ ନ ଥିବ, ଏକଥା କହି ହେବନାହିଁ। ମାତ୍ର ଆମ ଦୁଃଖ ନିକଟରେ ଏସବୁ ତୁଚ୍ଛ। ଏ ଦୁଃସହ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଆମକୁ ଧୈର୍ଯ୍ୟ, ତ୍ୟାଗ ଏବଂ ସଂଯମତା ଧାରଣ କରିବା ଆବଶ୍ୟକ। କିନ୍ତୁ ତାହା ହେଉନାହିଁ। କିଛି ପ୍ରବାସୀ ଓଡ଼ିଆ ତ ସମସ୍ତ ନୀତି ନିୟମ ଭୁଲିଯାଇଛନ୍ତି। ସଙ୍ଗରୋଧ କେନ୍ଦ୍ରରେ ଥାଇ ବି ସାମାଜିକ ଦୂରତା ଭୁଲି ସେମାନେ ଟିକ୍‌ଟକ୍‌ରେ ନାଚି ମଉଜ କରିବା, ମାଂସ ସହିତ ସୁରାପାନ କରିବା ପ୍ରଭୃତି ଦୃଶ୍ୟ ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାର ହେଉଛି।
କେବଳ ପ୍ରବାସୀମାନେ ଯେ ବେପରୱା ହୋଇଛନ୍ତି ତାହା ନୁହେଁ, ଆମେ ବି କିଛି କମ୍‌ ନୋହୁଁ। ମାସ୍କ ପିନ୍ଧିବା, ଅନ୍ୟଠାରୁ ଦୂରତା ରକ୍ଷା କରିବା, ଅଯଥାରେ ବଜାର ସହରରେ ଗହଳି ନ କରିବା ପରି କେତୋଟି ସାଧାରଣ ନିୟମ ମାନି ଚଳିବାକୁ ସରକାର ବାରମ୍ବାର ସତର୍କ କରୁଥିଲେ ମଧ୍ୟ ଆମେ ତାକୁ ମାନିବାକୁ ନାରାଜ। ଶନିବାର ଓ ରବିବାର ଶଟ୍‌ଡାଉନ ହେଉଥିବାରୁ ଶୁକ୍ରବାର ଏବଂ ସୋମବାର ଦୋକାନ ବଜାର ଏମିତି ଭିଡ଼ ହୋଇଯାଏ ସତେଯେମିତି ମହାବାତ୍ୟା ଆସିଗଲା ଆଉ ଜିନିଷପତ୍ର ମିଳିବନି। ମାସ୍କ ପିନ୍ଧିବାଟା ତ ଭାରି କଷ୍ଟ। ପୋଲିସ ନ ଆସିଲା ପର୍ଯ୍ୟନ୍ତ ସେତକ ଅଧିକାଂଶ ପିନ୍ଧନ୍ତି ନାହିଁ, ମାତ୍ର ପୋଲିସକୁ ଦେଖିବା ମାତ୍ରେ କିଏ ଦୌଡ଼ି ପଳାଇଯାଏ ତ, କିଏ ବଜାରକୁ ନେଇଥିବା ଝୁଲାଟିକୁ ମୁହଁରେ ବାନ୍ଧି ପକାଏ ପୁଣି କିଏ ଦୋକାନୀ ଦେଇଥିବା ସଉଦା ତାଲିକାକୁ ପାଟିରେ ଚାପି ଧରି ତରତର ହୋଇ ଚାଲିଯାଏ। ସତେଯେମିତି ଏହି ମାସ୍କ ପିନ୍ଧିବା ତାଙ୍କ ପାଇଁ ଜରୁରୀ ନୁହେଁ, ଅନ୍ୟକୁ ଦୟାକରି ସେମାନେ ପିନ୍ଧୁଛନ୍ତି। ଏମାନଙ୍କର କାର୍ଯ୍ୟକଳାପ ସର୍କସର ଜୋକରଠାରୁ ବି କିଛି କମ୍‌ ନୁହଁ।
ମହାମାରୀ କରୋନା ପ୍ରଭାବରେ ସମଗ୍ର ବିଶ୍ୱର ମେରୁଦଣ୍ଡ ନଇଁ ପଡ଼ିଥିବାବେଳେ ଆଜି ବି ଅନେକ ବେପରୁୱା ଭାବରେ ବୁଲୁଛନ୍ତି। ଗଛମୂଳରେ, ଗାଁ ଚଉତରାରେ ତାସ, ପଶାପାଲିର ଖେଳ ଜମୁଛି। ପ୍ରଶାସନର ସବୁ ନିର୍ଦ୍ଦେଶ ଏମାନଙ୍କ କୁମ୍ଭକର୍ଣ୍ଣୀ କାନରେ ପଶୁନାହିଁ। ମାତ୍ର ଗାଁର କାହାର ମୃତ୍ୟୁ ହେଇଗଲେ ଏମାନେ ଏତେ ସଚେତନ ହୋଇଯାଆନ୍ତି ଯେ ସବୁ ମାନବିକତାକୁ ଜଳାଞ୍ଜଳି ଦେଇ କେହି ଜଣେ ଶବକୁ କାନ୍ଧଦେବାକୁ ମଧ୍ୟ ଆସନ୍ତି ନାହିଁ। ଏହାର ଅର୍ଥ ଆମେ କରୋନାକୁ ଭୟ କରୁଛୁ, ଭୟାବହତାକୁ ଜାଣୁଛୁ, ମାତ୍ର ଜାଣିଶୁଣି ସବୁ କଥାକୁ ହାଲୁକା ଭାବେ ଗ୍ରହଣ କରୁଛୁ। ଆମେ ଯଦି ଏମିତି ଚେଇଁ ଶୋଇବା, ତେବେ ମହାବିପତ୍ତିକୁ କିଏ ଦୂରକରିବ? ଆମେ ସମ୍ମିଳିତ ପ୍ରଚେଷ୍ଟାଦ୍ୱାରା ସବୁ ବିପତ୍ତିକୁ ଦୂର କରିଦେବା- ଏକଥାକୁ ଆମେ ଭୁଲିବା ଉଚିତ କି? ଏବେ ବି ସମୟ ଗଡ଼ିଯାଇନି, ଏ ନିଦ୍ରା ପରିହାର ନିତାନ୍ତ ଜରୁରୀ।
ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର,ବାଇପାସ,
ଭଦ୍ରକ, ମୋ:୭୯୭୮୯୦୩୫୦୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri