ଚିକିତ୍ସାର ଚିତ୍ର ବଦଳୁଛି

ଡା. ଉମେଶ ଚନ୍ଦ୍ର ପାତ୍ର

କିଛି ମାସ ତଳୁ ଓଡ଼ିଶାର ଲୋକପ୍ରିୟ ଖବରକାଗଜ ‘ଧରିତ୍ରୀ’ ଅଙ୍ଗଦାନ ପାଇଁ ସଚେତନତା ସୃଷ୍ଟି କରି ସମସ୍ତଙ୍କ ଭିତରେ ସେବା ଓ ତ୍ୟାଗ ମନୋଭାବ ଜାଗ୍ରତ କରିପାରିଛି। ଆଜି ଓଡ଼ିଶାରେ ଅଙ୍ଗଦାନ ପାଇଁ ଅନେକେ ଆଗ୍ରହୀ ହେବା ଦେଖାଯାଉଛି। ଆଧୁନିକ ଚିକିତ୍ସା ବିଜ୍ଞାନର ଆଦି ପର୍ବଟି ଥିଲା ପ୍ରତିବନ୍ଧକର ସମୟ। ଏହା ମୁଖ୍ୟତଃ ଧାର୍ମିକ ମାନସିକତାରୁ ସୃଷ୍ଟି ହେଉଥିଲା। ଶରୀର ବିଜ୍ଞାନ ବା ଆନାଟୋମିର ପଥପ୍ରଦର୍ଶକ ଆଣ୍ଡିଆସ୍‌ ଭେସାଲିଅସ୍‌ ମୃତ ଶରୀରକୁ ନେଇ ଗୁପ୍ତ ଭାବରେ ବ୍ୟବଚ୍ଛେଦ କରୁଥିଲେ। ବାସ୍ତବ ଜ୍ଞାନ ଆଧାରରେ ମଣିଷ ଶରୀର ଅଙ୍ଗଗୁଡିକ ବିଷୟରେ ସେ ଯେଉଁ ପୁସ୍ତକ ଲେଖିଥିଲେ ତାହା ଚିକିତ୍ସା ବିଜ୍ଞାନର ଅଗ୍ରଗତି କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି କରିଥିଲା। ତେବେ ତାଙ୍କର ଗୁପ୍ତ କାର୍ଯ୍ୟ ଜଣାପଡ଼ିଯିବା ବେଳେ ସେ ଧର୍ମଦ୍ରୋହୀ ବୋଲି ଚିତ୍ରିତ ହୋଇ ପ୍ରାୟଶ୍ଚିତ୍ତ କରିବାକୁ ଯିବାବେଳେ ମୃତ୍ୟୁମୁଖରେ ପଡ଼ିଥିଲେ। ସେହିପରି ଶରୀରରେ ରକ୍ତ ସଞ୍ଚାଳନ ସମ୍ପର୍କରେ ଧାରଣା ଦେଇଥିବା ମାଇକେଲ ସର୍ଭେଟସ୍‌ଙ୍କୁ ଧର୍ମଦ୍ରୋହୀ ବୋଲି ଚିତ୍ରଣ କରି ତାଙ୍କୁ ପୋଡ଼ି ମାରି ଦିଆଯାଇଥିଲା। ଚିକିତ୍ସା ବିଜ୍ଞାନକୁ ଅମୂଲ୍ୟ ଅବଦାନ ଦେଇଥିବା ବୈଜ୍ଞାନିକଙ୍କ ନିର୍ଯାତନାର କାହାଣୀ ବହୁ ଦୀର୍ଘ।
ବସନ୍ତ ରୋଗ ମହାମାରୀ ରୂପରେ ସାରା ପୃଥିବୀରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରୁଥିଲା। ସେହି ରୋଗର ପ୍ରତିଷେଧକ ଟିକା ଏଡ୍‌ୱାଡ ଜେନର୍‌ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ବାହାର କରିଛନ୍ତି। ତେବେ ଏଥିପାଇଁ ପ୍ରାଥମିକ ଅବସ୍ଥାରେ ସେ ବହୁ କଟାକ୍ଷର ଶରବ୍ୟ ହୋଇଛନ୍ତି। ଅବଶ୍ୟ ସେତେବେଳକୁ ବିଜ୍ଞାନର ଯେଉଁ ପରମ୍ପରାଟି ଗଢ଼ି ଉଠିଥିଲା ତାହାଦ୍ୱାରା ନାନା ସ୍ତରରେ ଚମକପ୍ରଦ ଉଦ୍ଭାବନ ଓ ଆବିଷ୍କାର ଆସିବାରୁ ବିଜ୍ଞାନର ସତ୍ୟ ପ୍ରତି ବିରୋଧ ପ୍ରକଟରେ କିଛିଟା କୋହଳ ମନୋଭାବ ପ୍ରକାଶ ପାଇଥିଲା। ଅଧିକାଂଶ ରୋଗ ଜୀବାଣୁ, ଭୂତାଣୁ ଦ୍ୱାରା ହେଉଛି ବୋଲି ଊନ୍ନବିଂଶ ଶତାବ୍ଦୀରେ ଫରାସୀ ବୈଜ୍ଞାନିକ ଲୁଇ ପାଶ୍ଚର ଦର୍ଶାଇଥିଲେ। ମଣିଷ ଶରୀରରେ ରୋଗ କାହିଁକି ହୁଏ- ଏ ପ୍ରଶ୍ନକୁ ନେଇ ତାଙ୍କର ବିଚାର ଓ ତାଙ୍କର ସମସାମୟିକ ବୈଜ୍ଞାନିକ ରବର୍ଟ କୋଚ୍‌ଙ୍କର ଏକା ସିଦ୍ଧାନ୍ତ ଚିକିତ୍ସା ବିଜ୍ଞାନକୁ ନୂତନ ଦିଗନ୍ତ ଦେଇପାରିଲା। ଅନେକ ରୋଗର କାରଣ ଜୀବାଣୁ ବୋଲି ଜଣାପଡ଼ିବା ପରେ ରୋଗଗୁଡିକର ଚିକିତ୍ସା ପାଇଁ ବହୁ ଗବେଷଣା ହେଲା ଓ ଏହାର ନିଦାନ ପାଇଁ ଔଷଧ ବାହାରି ପାରିଲା। ପ୍ରଥମ ବିଶ୍ୱଯୁଦ୍ଧ ପରେ ପରେ ଆଲେକ୍‌ଜାଣ୍ଡର ଫ୍ଲେମିଂ ପେନ୍‌ସିଲିନ୍‌ ଉଦ୍ଭାବନ କଲେ। ଯୁଦ୍ଧରେ ଆକ୍ରାନ୍ତ ସୈନ୍ୟମାନଙ୍କୁ ରକ୍ଷା କରିବାରେ ଏହା ଅମୋଘ ଔଷଧ ଭାବରେ ବ୍ୟବହୃତ ହେଲା। ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆଣ୍ଟିବାୟୋଟିକ୍ସର ବହୁଳ ବ୍ୟବହାର ହେଉଛି। ତେବେ ଏହି ଜ୍ଞାନ ଆସିବା ଦ୍ୱାରା ମାତ୍ର ସତୁରି ଅଶୀ ବର୍ଷ ଭିତରେ ଚିକିତ୍ସା ବିଜ୍ଞାନରେ ବହୁ ସଫଳତା ଆସିପାରିଲା। ଅସ୍ତ୍ରୋପଚାର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସବୁଠାରୁ ବଡ଼ ସଫଳତା ଆଣି ପାରିଛି। ଏ କ୍ଷେତ୍ରରେ ନିଶ୍ଚେତକ ବା ଆନେସ୍ଥେସିଆର ବ୍ୟବହାର ସହିତ ବହୁ ଉନ୍ନତମାନର ଯନ୍ତ୍ରପାତି ଚିକିତ୍ସାକୁ ସୁଗମ କରିପାରୁଛି। ତେବେ ନିଶ୍ଚେତକ ପ୍ରଥମେ ଯେତେବେଳେ ଜେମ୍‌ସ ସିମ୍ପନ୍‌ ବାହାର କରି ମହିଳାମାନଙ୍କ ଉପରେ ପ୍ରସବ ଯନ୍ତ୍ରଣା ଲାଘବ ପାଇଁ ପ୍ରୟୋଗ କଲେ, ସେତେବେଳେ ଏହାକୁ ଧର୍ମଯାଜକମାନେ ବିରୋଧ କରିଥିଲେ। ମହିଳାମାନଙ୍କର ଯନ୍ତ୍ରଣା ସହିବା ଏକ ଈଶ୍ୱରୀୟ ବିଧାନ ଓ ଏହାକୁ ଲାଘବ କରିବା ଈଶ୍ୱରୀୟ ନିୟମର ପରିପନ୍ଥୀ ବୋଲି ସ୍ବର ଉଠିଥିଲା। ତେବେ ବିଜ୍ଞାନର ଅଗ୍ରଗତି ସବୁ ପ୍ରତିବନ୍ଧକ ସତ୍ତ୍ୱେ ଆଗକୁ ଚାଲିଲା। ଜଣେ ବ୍ୟକ୍ତିଠାରୁ ରକ୍ତ ନେଇ ଅନ୍ୟ ଜଣଙ୍କୁ ଦେବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆରମ୍ଭ ହେଲା। ବର୍ଣ୍ଣବୈଷମ୍ୟ ଥିବା ସମାଜରେ ସେଥିପାଇଁ ତୀବ୍ର ସ୍ବର ଉଠିଲା, କାରଣ ତଥାକଥିତ ନୀଚ ଜାତିର ଲୋକଙ୍କର ରକ୍ତକୁ କିପରି ଉଚ୍ଚଜାତିର ଲୋକଙ୍କୁ ଦିଆଯିବ, ତାହା ଆଲୋଡ଼ନ ଆଣିଲା। ତେବେ ମଣିଷ ରକ୍ତରେ ଯେ ଭେଦଭାବ ନାହିଁ ଓ ବିଜ୍ଞାନସମ୍ମତ ଧାରାରେ ଏକା ଗ୍ରୁପ୍‌ର ରକ୍ତ ଜଣେ ନେଇପାରିବ, ଏହା କାଳକ୍ରମେ ଗୃହୀତ ହେବାକୁ ଲାଗିଲା। ବୃକ୍କ ଏବଂ ହୃଦ୍‌ଯନ୍ତ୍ର ପ୍ରତିରୋପଣ ମଧ୍ୟ ଏକ ସାଧାରଣ କଥା ହୋଇଯାଇଛି। ସେହିପରି ରକ୍ତକର୍କଟରେ ସୁସ୍ଥ ଲୋକର ବୋନ୍‌ମାରୋ ରୋଗଗ୍ରସ୍ତ ବ୍ୟକ୍ତିର ଦେହରେ ରୋପଣ କରି ତାକୁ ରକ୍ତକର୍କଟ ରୋଗରୁ ମୁକ୍ତ କରି ଦିଆଯାଇ ପାରୁଛି। ଯଦିଓ ଏସବୁ ଚିକିତ୍ସା ଏବେ ମଧ୍ୟ ବ୍ୟୟବହୁଳ ହୋଇରହିଛି ଓ ଆବଶ୍ୟକ ଭିତ୍ତିଭୂମି ଅଭାବରେ ଏହା କରାଯାଇପାରୁନାହିଁ, ତଥାପି ଏହା ଯେ ସମ୍ଭବ ହୋଇଛି, ତାହା ଚିକିତ୍ସା ବିଜ୍ଞାନର ସାଫଲ୍ୟ।
ମୃତ ବ୍ୟକ୍ତିର ଅନେକ ଅଙ୍ଗକୁ ମଧ୍ୟ ବ୍ୟବହାର କରାଯାଇ ପାରୁଛି। ସଦ୍ୟ ମୃତ ଲୋକର ଚକ୍ଷୁର ସ୍ବଚ୍ଛ ପଟଳ ବା କର୍ନିଆ ନେଇ ଦୃଷ୍ଟିହୀନ ବ୍ୟକ୍ତିକୁ ଦେଖିବାର ସାମର୍ଥ୍ୟ ଦିଆଯାଇ ପାରୁଛି। ସେହିପରି ସଦ୍ୟ ମୃତ ବ୍ୟକ୍ତିଠାରୁ ହାଡ କାଟି ଆଣି ଉନ୍ନତ ଡାକ୍ତରଖାନା ଆଦିରେ ବୈଜ୍ଞାନିକ ପଦ୍ଧତିରେ ସଂରକ୍ଷଣ କରାଯାଇ ପାରୁଛି। ରକ୍ତଭଣ୍ଡାର, ଚକ୍ଷୁଭଣ୍ଡାର ଭଳି ଅସ୍ଥିଭଣ୍ଡାର ପୃଥିବୀର ବିଭିନ୍ନ ଡାକ୍ତରଖାନାରେ ସ୍ଥାପନ କରାଯାଇଛି। ଏହାଦ୍ୱାରା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ବା ବିକଳାଙ୍ଗ ବ୍ୟକ୍ତିଙ୍କ ପାଖରେ ହାଡ଼ ପ୍ରତିରୋପଣ କରାଯିବା ସମ୍ଭବ ହୋଇପାରୁଛି। ମୃତବ୍ୟକ୍ତିର ସ୍ନାୟୁ ଆଣି ଅନ୍ୟଠାରେ ପ୍ରତିରୋପଣ କରିବାର ଜ୍ଞାନ ଚିକିତ୍ସା ବିଜ୍ଞାନ ବାହାର କରିପାରିଛି। ଚିକିତ୍ସା ବିଜ୍ଞାନର ବିକାଶ ପାଇଁ ଡାକ୍ତରୀ ଛାତ୍ର ଓ ଗବେଷକମାନେ ଶରୀରକୁ ବ୍ୟବଚ୍ଛେଦ କରି ସେଥିରେ ଥିବା ବିଭିନ୍ନ ଅଙ୍ଗ ବିଷୟରେ ବାସ୍ତବ ଜ୍ଞାନ ହାସଲ କରିବା ଜରୁରୀ। ହେଲେ ରକ୍ଷଣଶୀଳ ମାନସିକତା ମୃତ ଦେହ ପାଇବା କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ସୃଷ୍ଟି କରୁଛି। କୌଣସି ମୃତ ବ୍ୟକ୍ତିର କେହି ଦାବିଦାର ନ ଥିବା ଜାଣିଲେ ସେହି ପ୍ରକାରର ଶବକୁ ବିଦ୍ୟାର୍ଥୀମାନଙ୍କ ପ୍ରାକ୍ଟିକାଲ ପାଇଁ ବଡ଼ କଷ୍ଟରେ ସଂଗ୍ରହ କରାଯାଉଛି। ଏ ସଂକ୍ରାନ୍ତ ଆଇନକୁ ସରଳ କରାଯାଉ ଓ ନିଜର ଶରୀର ଦାନ ପାଇଁ ଘୋଷଣା କରିଥିବା ବ୍ୟକ୍ତିର ପରିବାରଠାରୁ ମେଡ଼ିକାଲ କଲେଜ ଫୋନ୍‌ କଲ ପାଇଲେ ନିଜର ଆମ୍ବୁଲାନ୍ସ ଯୋଗେ ତାହା ସଂଗ୍ରହ କରନ୍ତୁ। ସରକାର ଏଥିପାଇଁ ମେଡ଼ିକାଲ କଲେଜମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଅନ୍ତୁ। ଚକ୍ଷୁଦାନ ଓ ରକ୍ତଦାନ କ୍ଷେତ୍ରରେ ଯେପରି ହୋଇଛି, ଶରୀର ଦାନ କ୍ଷେତ୍ରରେ ସେହିପରି ଆଗ୍ରହୀ ବ୍ୟକ୍ତିଙ୍କ ପରିବାରକୁ ସହଯୋଗ କରାଯାଇ ମୃତ ବ୍ୟକ୍ତିର ଶରୀରକୁ ସଂଗ୍ରହ କରାଯାଉ। ଏହାଦ୍ୱାରା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଅଧିକ ଗବେଷଣା ସହ ସମାଜ ସଂସ୍କାର କ୍ଷେତ୍ରରେ ଏକ ନୂତନ ଦିଗନ୍ତ ସୃଷ୍ଟି ହୋଇପାରିବ।
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ ମୋ:୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri