ଚାଷୀ କଥା ଶୀଘ୍ର ବୁଝ

ଇଂ. ବିଦ୍ୟାଧର ପଣ୍ଡା

ବଗଲା ବଗୁଲୀ ଦୁଇ ପ୍ରାଣୀ। ବଗଲା ଘର ବରଗଡ଼। ବଗୁଲୀ ବାପଘର ପଦ୍ମପୁର। ବାହାଘରକୁ କୋଡ଼ିଏ ବର୍ଷ ହେଲାଣି। ଦି’ ଚାରିବର୍ଷରେ ଥରେ ଚାଷକାମରେ ଧୋକା ଖାଆନ୍ତି। ଏ ବର୍ଷ ଧାନକେଣ୍ଡା ଭଲ ଧରିଥିଲା, କିନ୍ତୁ ଅମଳ ହେବା ପୂର୍ବରୁ କି ପାଗ କରୁଛି କିଛି ବୁଝାପଡ଼ୁନି। ଦିନ ଯାକ ମୁଣ୍ଡଫଟା ଟାଇଁଟାଇଁଆ ଖରାରେ ଗଛପତ୍ର ଜଳିଯାଉଛି। କିନ୍ତୁ ସନ୍ଧ୍ୟାହେଲେ କୁଆଡ଼ୁ କେଜାଣି କଳାହାଣ୍ଡିଆ ମେଘ ଅନ୍ଧାର କରି କାଳବୈଶାଖୀ ମାଡ଼ି ଆସୁଛି। ବର୍ଷା ସହ ଘଡ଼ଘଡ଼ି ସାଙ୍ଗକୁ ଦଲକା ଦଲକା ପବନ ଚାଳ ଉଡ଼େଇନେଲା ପରି ଲାଗୁଛି। ମଝିରେ ମଝିରେ କୁଆପଥର ମାଡ଼ରେ ଛିଡ଼ା ହୋଇଥିବା ଧାନଗଛ ସବୁ ତଳେ ଶୋଇଗଲାଣି। ମୂଳ ଶଢ଼ି ଶଢ଼ି ଯାଉଛି, ଧାନଥୋଡ଼ରୁ ଧାନଗୁଡ଼ା ବିଲରେ ଝଡ଼ି ମାଟିରେ ମିଶିଲାଣି। ଧାନ ଅମଳକରି ବସ୍ତା ଡେରିବା କଥା ଛାଡ଼ ବିହନ ବି ଉଠିବନି। ଦୁହେଁ ସକାଳେ ହିଡ଼ମୁଣ୍ଡରେ ଘେରାଏ ବୁଲିଆସିଲେ, ଧାନଗଛଗୁଡ଼ାକୁ ଦେଖି ଆଖିରେ ଲୁହ ଜମିଯାଉଛି। ବଗୁଲୀ ବାପଘରେ ଦୁଇଭାଇଙ୍କର ବି ଏଇ ଏକା ଅବସ୍ଥା। ଦୁଇ ପରିବାର ମୁଖ୍ୟତଃ ଧାନଚାଷ ଉପରେ ନିର୍ଭର କରନ୍ତି। ବଗୁଲୀର ଦୁଇଭାଇ ତ ସେହି ଧାନଚାଷରେ ହାରି ମୁଣ୍ଡରେ ହାତ ଦେଇ ବସିଛନ୍ତି। ସିଏ ବଗଲାର ଦୁଃଖ କ’ଣ ବୁଝିବେ।
ଉପରବେଳା ବଗୁଲୀର ବଡ଼ଭାଇ ଚଗଲା ଆସି ପହଞ୍ଚି ଭଉଣୀ ଭିଣୋଇର ଦୁଃଖ କଥାଶୁଣି ତାଙ୍କ ଆଗରେ ଗୁପ୍ତ କଥାଟିଏ ପ୍ରକାଶକଲା। ବିଲରେ ସିନା ଧାନ ହୋଇନି, କିନ୍ତୁ ବଗଲା ବଡଚାଷୀ ହିସାବରେ ନିଜ ନାମ ସୋସାଇଟିରେ ପଞ୍ଜୀକରଣ କରି ପଚାଶ କୁଇଣ୍ଟାଲ ଧାନ ବିକିବ ବୋଲି ଲେଖିକି ଆସୁ। ତା’ପରେ ଦେଖାଯିବ। ବଗଲା ବିରକ୍ତ ହୋଇ କହିଲା ଧାନ ଗାୟମୋଟ ପାଞ୍ଚ କୁଇଣ୍ଟାଲ ଅମଳ ହେବ କି ନାହିଁ, ମୁଁ ଅଯଥା କାହିଁକି ଯାଇ ସେଠି ଲେଖେଇ ଲୋକହସା ହେବି? ଚଗଲା ଭିଣୋଇକୁ ବୁଝେଇଲା। ସବୁବର୍ଷ ଚାଷୀଙ୍କର ଅଭିଯୋଗ ହେଉଛି ଅଭାବୀ ବିକ୍ରି। ଅମଳ ଭଲହେଲେ ଓଡ଼ିଶା ପୁରସ୍କାର ପାଉଛି, ମରୁଡି ପଡ଼ିଲେ ବି ପୁରସ୍କାର ପାଉଛି। କାଗଜକଲମ ନଥିପତ୍ରରେ କେତେ ଅମଳ ହେଲା, କେତେ କ୍ରୟ ହେଲା ଏସବୁ ରିପୋର୍ଟ ଭଲ ହେଲେ ସରକାରଙ୍କ ସିସିଆର୍‌ ଭଲ। ଆମ ପଦ୍ମପୁରରେ ଜଣେ ପ୍ରତିବର୍ଷ ଶହେ କୁଇଣ୍ଟାଲ ଧାନ ବିକୁଛି। ସ୍ତ୍ରୀ ନାଁରେ ରାଇସ୍‌ ମିଲ୍‌ଟିଏ କରିଛି। ସେଇ ତାରି ଧାନକୁ ତାରି ମିଲ୍‌ ପାଇଁ କିଣି ଆଣୁଛି। ପ୍ରତି ବର୍ଷ ସେଇ ବସ୍ତା ନୂଆ ପୁରୁଣା ହେଉଛି। ବିଲରେ ବିହନ ପଡ଼ିବାର ନାହିଁ କି ଖଳାକୁ ଯିବାର ନାହିଁ। ଆମ ରାଜ୍ୟରେ ଏଭଳି ଧୋବ ଫରଫର ପୋଷାକପିନ୍ଧା ଚାଷୀ ଅଧିକ। ଏବେ ଯେଉଁ ଟୋକନ ସିଷ୍ଟମ୍‌ ହେଲା, ଦୁର୍ନୀତି କମିବା ପରିବର୍ତ୍ତେ ବଢିଛି। କାରଣ ଗରିବ ଚାଷୀଗୁଡା ଧାନ ଅମଳକରି ମଣ୍ଡିରେ ଅଖାପାରି ସରକାରୀ ବାବୁଙ୍କୁ ଅନିଷା କରି ବସୁଛନ୍ତି। କିଛିଦିନ ପରେ ସରକାରୀ ଅଧିକାରୀ ଆସି କହୁଛନ୍ତି ଯେ ଟାର୍ଗେଟ୍‌ ଫୁଲ୍‌। ଯେତିକି ଏ ଥାକରେ କିଣାହେବାର ଥିଲା ତାହା କିଣା ସରିଲାଣି। ବସ୍ତା ଘରକୁ ନେଇକି ପଳାଅ, ଆର ପାଳିକୁ ତୁମର କିଣାହେବ। ଚାଷୀ କହୁଛି, ଆଜ୍ଞା! ଆମ ଗାଁରୁ ତ ବସ୍ତାଏ ଧାନ ଯାଇନି। କୋଉଠୁ ଏତେଧାନ ସରକାର କିଣି ପକେଇଲେ? ନଥିପତ୍ର ଦେଖାଇ ମିଛସତ କହି ମୂର୍ଖଚାଷୀଗୁଡାଙ୍କୁ ଭୁଆଁ ବୁଲେଇବା ଭାରି ସହଜ। ସେମାନେ ତ ଜିଲା ବାହାରକୁ ଯାଇନାହାନ୍ତି। ବରଗଡ଼ ଚାଷୀଙ୍କୁ କହିବେ ବ୍ରହ୍ମପୁର ଚାଷୀଙ୍କଠାରୁ କିଣାହେଲା, ବ୍ରହ୍ମପୁର ଚାଷୀଙ୍କୁ କହିବେ ବରଗଡ଼ ଚାଷୀଙ୍କଠାରୁ କିଣିଲୁ। ତେଣୁ ତୁମେ ଯାଇ ପଚାଶ କୁଇଣ୍ଟାଲ ବିକିବ ବୋଲି ଲେଖେଇକି ଆସ।
ବଗଲା ଶାଳକ ଚଗଲାକୁ ପଚାରିଲା ପଚାଶ କୁଇଣ୍ଟାଲ ଧାନ କୋଉଠୁ ଆସିବ? ଚଗଲା ପ୍ରାଞ୍ଜଳଭାବରେ ବୁଝେଇଦେଲା ତୁମେ କେବଳ କୁଇଣ୍ଟାଲ ପିଛା ଦୁଇଶହ ଟଙ୍କା ହିସାବରେ ଦଶହଜାର ଟଙ୍କା ପାଇବ। ବାକି ସେ ମିଲ୍‌ମାଲିକ ସରକାରୀ ଅଧିକାରୀ ଓ କଣ୍ଟାକଲା ଲୋକମାନଙ୍କ କଥା ବୁଝି ତୁମ ନାଁରେ ଖାତାରେ ଚଢେଇବେ। ତୁମେ ଚେକ୍‌ ଆଣି ତୁମ ଖାତାରେ ଜମାକରିବ। ସମୁଦାୟ ଟଙ୍କାରୁ ଖାଲି ଦଶହଜାର ଟଙ୍କା କାଟି ବାକି ଟଙ୍କାର ଗୋଟାଏ ଚେକ୍‌ ଦସ୍ତଖତ କରି ସେ ମିଲ୍‌ ମାଲିକକୁ ଆଗତୁରା ଦେବାକୁ ହେବ। ଆମେ ଦୁଇଭାଇ ବି ସେମିତି ପଚାଶ କୁଇଣ୍ଟାଲ ଲେଖାଏ ବିକି ପ୍ରତିବର୍ଷ ତା’ଠାରୁ ଦଶ ଦଶହଜାର ଟଙ୍କା ନେଉଛୁ। ବଗଲା ସିନା ପାଠ ପଢିନି, କିନ୍ତୁ ଏସବୁ ଦୁର୍ନୀତି କଥା ବୁଝିପାରିଲା। ଚଗଲାକୁ କହିଲା ତେବେ ଏହି ସବୁ କାରଣ ପାଇଁ ଆମ ଚାଷୀକୁଳ ହତାଶ ହେଉଛି। ଏପରି ଦୁର୍ନୀତିଖୋର୍‌ ମିଛଚାଷୀମାନେ କାଗଜପତ୍ରରେ ମିଛିମିଛିକା ଧାନ କାରବାର କରି ଗରିବ ଚାଷୀମାନଙ୍କ ପଇସା ହଡପ୍‌ କରି ନେଉଥିବାରୁ ଚାଷୀକୁଳ ଆମ ରାଜ୍ୟରେ ଉଧୋଉନି। ଦିନକୁ ଦିନ ଚାଷୀକୂଳ ବୁଡିଯାଉଛି। ମୁଁ ନିଜେ ଜଣେ ଚାଷୀ ହୋଇ ଚାଷୀକୂଳ ପ୍ରତି ବେଇମାନ୍‌ କାମ କରିପାରିବିନି କି ତୁମକୁ ବି କରିବାକୁ ଦେବିନି। ସେ ମିଲ୍‌ ମାଲିକ ନାଁରେ ମୁଁ ଦୁର୍ନୀତି ନିବାରଣ ଅଫିସରେ ଜଣେଇବି। ଚଗଲା ରାଗିଗଲା। ଲୋକଙ୍କୁ ଆଜିକାଲି ଭଲ କହିଲେ ଭେଲ। ଘରେ ବସିବସି ଦଶହଜାର ଟଙ୍କା ଯଦି ନେବାକୁ ଗନ୍ଧଉଛି, ଥାଉ ଆମ କଥା ଆମ ପାଖରେ। କିନ୍ତୁ ତୁମେ ସେ ମିଲ୍‌ ମାଲିକ ନାଁ ଯଦି ବାହାରେ କୋଉଠି ପ୍ରଘଟ କଲ, ସିଏ କ’ଣ ସହଜେ ଛାଡିବ। ତା’ପରେ ଏମିତି ଶହ ଶହ ମିଲ୍‌ ମାଲିକ, ଦଲାଲ୍‌ ଓଡ଼ିଶାରେ ସକ୍ରିୟ ଅଛନ୍ତି, ଯେଉଁମାନେ ଚାଷ ନ କରି ପ୍ରତିବର୍ଷ ଧାନ ବିକନ୍ତି, କିଣନ୍ତି ଏବଂ ଚାଷୀଙ୍କର ପଇସା ହେର୍‌ଫେର୍‌ କରି ବଡଲୋକ ହେଉଛନ୍ତି। ଏଇ ଜଣକୁ ତୁମେ ଧରେଇ ଦେଲେ କ’ଣ ଚାଷୀମାନଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଯିବ। ଯେ ପର୍ଯ୍ୟନ୍ତ ସରକାର ନିଜେ ରାଜ୍ୟର ଚାଷୀମାନଙ୍କ ବିଷୟରେ ଚିନ୍ତା ନ କରି ତାଙ୍କର ନ୍ୟାଯ୍ୟପ୍ରାପ୍ୟ ଦେବାରେ ସମର୍ଥ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ଚାଷୀମାନଙ୍କର ଭାଗ୍ୟ ବଦଳିବନି।
ବଗଲା ଚଗଲା କଥାକୁ ମାନିଲା। କାହିଁକି ସେ ବଡଲୋକ ସାଙ୍ଗରେ ଲାଗିବ? ସବୁ ହାକିମ ହୁକୁମା ଲୋକ ତାଙ୍କ ସାଙ୍ଗରେ, ଗୋଟିଏ ଭାଡିର ପାରା ସମସ୍ତେ। ସରକାର ସବୁଆଡେ ଦୁର୍ନୀତି କରୁ ପଛେ ଆମ ଚାଷୀଙ୍କ ସହ ଦୁର୍ନୀତିଖୋର ଅଫିସରଙ୍କୁ ନ ଲଗେଇ କିଛି ଭଲଭଲ ସଚ୍ଚୋଟ ଅଧିକାରୀଙ୍କୁ ଦାୟିତ୍ୱ ଦେଲେ ଭଲ ହୁଅନ୍ତା। ଏ ବର୍ଷ ଟମାଟୋ ବାହାରିଲା ବେଳକୁ ତାଲାବନ୍ଦୀ ଘୋଷଣା ହେଲା ଯେ ସବୁ ବିଲରେ ପଡି ଶଢ଼ିଗଲା। ପରିବାପତ୍ର ପାଇଁ ହାଟବଜାର ବନ୍ଦ କରିଦେଲେ ଯେ ହାତବାନ୍ଧି ଘରେ ବସିବାକୁ ହେଲା। ତିନିମାସ ପାଇଁ ଯେଉଁ ଚାଉଳ ସହ ଟଙ୍କା ହଜାରେ ମିଳିଥିଲା ମାସକରେ ଖତମ୍‌। ଛୁଆଗୁଡାଙ୍କର ସ୍କୁଲ୍‌ ବନ୍ଦ। ଘରେ ରହିଲେ ଘଣ୍ଟାକୁ ଘଣ୍ଟା ଖାଲି ଭୋକଭୋକ କହି ବେଲାଏ ଲେଖା ଗିଳୁଛନ୍ତି। ଦିନକୁ ଛଅ ସାତଥର ଖାଇବାକୁ ମାଗୁଛନ୍ତି, ବହୁତ ଅସୁବିଧା। ହେଲେ ମୁଁ ମୋ’ଚାଷୀ ଭାଇମାନଙ୍କ ପ୍ରତି ଧୋକ୍କା କରିପାରିବିନି। ଭୋକ ଉପାସରେ ମରିବାର ଥିଲେ ମରିଯିବି ପଛେ ମିଛକଥା ଲେଖେଇ ସେ ଦଶହଜାର ଟଙ୍କା ମୋର ଲୋଡ଼ା ନାହିଁ। ଭଗବାନ କରନ୍ତୁ ସମସ୍ତଙ୍କ ହୃଦୟରେ ଚାଷୀକୁଳ ପ୍ରତି ଦୟାଭାବ ଆସୁ ଏବଂ ସରକାର ଏ କରୋନା କାଳରେ ଚାଷୀଙ୍କ ଫସଲ ନଷ୍ଟ କଥା ପ୍ରତି ଦୃଷ୍ଟିରଖି ହୋଇଥିବା କ୍ଷତିକୁ ଅଳ୍ପ ବହୁତ ଭରଣା କରନ୍ତୁ, ନ ହେଲେ ଋଣ ଛାଡ଼ କରନ୍ତୁ। କିଛି ନ କରି ଦାରୁବ୍ରହ୍ମ ପରି ସରକାର ଦର୍ଶକ ସାଜି ବସିରହିଲେ ଚାଷୀକୁଳ ଭାସିଯିବେ। ଏହି କରୋନା ସଙ୍କଟ କାଳରେ ଚାଷୀ ଉପରେ ଦୁଇଟି କରୁଣା କର। ପ୍ରଥମଟି କୃଷି ଏବଂ ସମବାୟ ବିଭାଗକୁ ଦୁର୍ନୀତିମୁକ୍ତ କର ଏବଂ ଚାଷୀ କଥା ଶୀଘ୍ର ବୁଝ।

ଏଲ୍‌-୧୭/୧୫, ପଞ୍ଚସଖା ନଗର, ଡୁମୁଡୁମା, ଖଣ୍ଡଗିରି, ଭୁବନେଶ୍ୱର
ମୋ-୯୪୩୯୧୨୮୦୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri