ଚାଲ ପୁରୀକୁ ଖୋଜିବା

ପ୍ରସନ୍ନ କୁମାର ମିଶ୍ର

 

ଶ୍ରୀମନ୍ଦିରକୁ ଘେରି ରହିଥିଲା ଧର୍ମ, ସଂସ୍କୃତି ଓ ଶିକ୍ଷା ପ୍ରସାରଣର ଅନେକ ପବିତ୍ର ଅନୁଷ୍ଠାନ- ଶହ ଶହ ମଠ ଓ ମନ୍ଦିର। ପ୍ରତିଦିନ ପ୍ରତ୍ୟୁଷରୁ ବିବିଧ ଘଣ୍ଟଘଣ୍ଟା ଓ ଭଜନ କୀର୍ତ୍ତନର ଦିବ୍ୟ ଧ୍ୱନି ଭିତରେ ଆରମ୍ଭ ହେଉଥିଲା ଶ୍ରୀକ୍ଷେତ୍ରର ଜୀବନଯାତ୍ରା କାହିଁ କେତେ କାଳରୁ। ଆଜି ବଡ଼ଦେଉଳ ଚାରି ପାଖରେ ବୁଲି ଆସିଲେ ଆଉ ସେ ପୁରୁଣା ପୁରୀର ଚିହ୍ନସବୁ ଖୋଜିଲେ ମିଳିବ ନାହିଁ। ସାତଦିନିଆ ଝୁଲଣ ଯାତ୍ରାର ମଉଜ, ମନ୍ଦିର ଓ ମଠଗୁଡ଼ିକରେ ହେଉଥିବା ନାଚ ଗୀତ ଓ ସଙ୍ଗୀତର ଆସର, ବେକରେ ଟଙ୍କିକିଆ ନୋଟର ମାଳ ପକେଇଥିବା ଆଖଡ଼ାପିଲାର ଘାଇଁ ଘାଇଁ ବୁଲା ନାଚ, ଓଡ଼ିଶୀ, ଚମ୍ପୂ, ଛାନ୍ଦର ପ୍ରତିଯୋଗିତା, ଆଖିଝଲସା ଆଲୋକ ଓ ସୋଲ ଜରି-କାରିଗରିର ଚମତ୍କାର ସାଜ ଏବେ କେବଳ ସ୍ବପ୍ନ। ସବୁ ମଠବାଡ଼ି ଭାଙ୍ଗିଦିଆଯାଇଛି। ଝୁଲଣ ମଉଜ କଥା ପଚାରେ କିଏ? ଚନ୍ଦନ ଯାତରେ ବିଜେ ହୋଇ ଦିଅଁମାନେ ବାହାରିଲେ ସେମାନଙ୍କୁ ଚାରିଦିଗରୁ ଘେରି ଚନ୍ଦନ ଗୀତ ଗାଇ ଗାଇ ସିଂହଦ୍ୱାରଠାରୁ ବିରାଟ ଶୋଭାଯାତ୍ରାରେ ବାହାରୁଥିଲେ ପଲେ ଦେଉଳିଆ ଓ ସାହିଭାଇଙ୍କ ମେଳରେ ଖେଦେ କୀର୍ତ୍ତନିଆ ଆଉ ଝାଜ୍ଞ ଦଳ। ଜାଗାମେଳ ବାହାରିଲେ ଆଗରେ ବନାଟି ବୁଲେ। ପଛେ ପଛେ ଆସନ୍ତି ନାଗା, ବିବିଧ ମେଢ଼, ବାଘ, ଘୋଡ଼ା, ଠାକୁରାଣୀ, ବାଙ୍କଛଡ଼ି ଖେଳ ସହିତ ଆଖିଝଲସିଆ ପୋଷାକରେ ଭଳି ଭଳି ଭେଣ୍ଡିଆମାନଙ୍କର ଖଣ୍ଡା ଓ ବାଡ଼ିଖେଳ। ରଜାଘର ହାତୀ ଝୁଲି ଝୁଲି ଆସୁଥିଲା ବେଳେ ସାହି ଭାଇମାନେ ଚିକ୍କଣ ଚାକଣ ହୋଇ କାନ୍ଧରେ ପାକଲା ଗାମୁଛା ପକେଇ, ଅତର ଛିଞ୍ଚି ବେକରେ ମଲ୍ଲୀ କି ବଉଳ ମାଳ ଝୁଲେଇ ଚାଲୁଥିଲେ। ନରେନ୍ଦ୍ର ଚକଡ଼ାରେ ମେଞ୍ଚେ ଲେଖାଏ ବାସ୍ନା ତେଲ ଦେହରେ ମାଖି ପୁଳାଏ ଲେଖା ସୋଲବିଡ଼ା ସାଙ୍ଗରେ ପେଟ୍ରୋମାକ୍ସକୁ ମଝିରେ ଧରି ମହାପ୍ରଭୁଙ୍କ ଚାପ ଚାରିପଟେ ପାଣିକୁ ଭାଗ ଭାଗ କରି ପହଁରୁଥିଲେ ପାଣିଛେଦିଆ ମାଙ୍କଡ଼ ମାର୍ଗେ ସେମାନେ। ତୁଣ୍ଡରେ ଚନ୍ଦନ ଗୀତ… ଆଗୋ ସଖୀ ଦେଖ ଗୋ। ମେଳାରୁ ଫେରିଲେ ଅଧରାତିରେ ଜେଗାରେ ଭୋଜି। ଏବେ ସେ ସବୁ ନାହିଁ। ଚନ୍ଦନ ମଉଜ ବନ୍ଦ।
ଶ୍ରୀରାମ ଜନ୍ମଦିନଠାରୁ ୧୧ ଦିନ ପର୍ଯ୍ୟନ୍ତ ସହରଗୋଟାକୁ କମ୍ପାଇ/ଥରାଇ ଛାତି ଦୁଲୁକେଇ ଦେଉଥିବା ଆମ ସଂସ୍କୃତିର ପ୍ରତୀକ- ବିଶ୍ୱବିଖ୍ୟାତ ସାହିଯାତ ଏବେ ଆଉ ଜମୁନି। ସେ ଦିନରେ ଧୋବ ଫର ଫର ଧୋତି, ଫିନ୍‌ ଫିନ୍‌ ଗିଲକରା ପଞ୍ଜାବି, ହାତରେ ଦାମିକା ସୁନାମୁଦି, ବେକରେ ମଲ୍ଲିମାଳ ଓ ସୁନା ଚେନ୍‌ ପକେଇ ମଉଜୀମାନେ ଘରୁ ବାହାରୁଥିଲେ ସଞ୍ଜବେଳା। କେତେକେ ସାଇକେଲରେ ବାହାରି ପଡୁଥିଲେ ଚନ୍ଦନପୁର ଭାର୍ଗବୀ ନଈକୂଳ ପୋଲାଙ୍ଗ ତୋଟା ଜଙ୍ଗଲ ଭିତରକୁ। ଫେଣାଏ ଲେଖେଁ ପାକଲା ପାଟକପୁରା କଦଳୀ ଗାମୁଛାରେ ବାନ୍ଧି ଘରକୁ ଫେରିଲା ବେଳକୁ ରାତି ନଅଟା। ସେ ମଉଜ ନାହିଁ।
ପୁରିଆଙ୍କ ପରିଚୟ କାନ୍ଧରେ ପାକଲା ଗାମୁଛା ପାରା, ବଣି, ଶୁଆ, ନେଉଳ, ମାଙ୍କଡ଼ ସଉକ। ମେଣ୍ଢା ଓ ଗୋବରା ଚଢ଼େଇ ଲଢ଼େଇ ଏବେ ନାହିଁ। ରଥଯାତ୍ରାରେ ଗୁଣ୍ଡିଚା ଘର ପଛପାଖର ନଡ଼ିଆ ଲଢ଼େଇ ଏବେ ଆଉ ଜମୁନି। ସଉକିଆଙ୍କ ଦିନର ରୋଜଗାର ସେଇଆଡ଼େ। ରାତିଅଧରେ ଘରକୁ ଫେରିଲା ବେଳକୁ ପକେଟରେ ଅଧଲାଟାଏ ନ ଥିବ। ସେଥିରେ ପୁଣି ମନଫୁଲାଣିଆ ଗୀତ! ତୁଣ୍ଡରେ ଛାନ୍ଦ, ଚମ୍ପୂ, ଚଉତିଶା କି ଓଡ଼ିଶୀ। ହାତରେ ଥିବ ସିଂହଦ୍ୱାର ଛେନାବାଲାର ପତରଗୁଡ଼ିଆ ପାଣିଛେନା ପୁଡ଼ିଆଟାଏ। ଛେନା କିଣି ଚାଲି ଚାଲି ଘରେ ପହଞ୍ଚତ୍ଲା ବେଳକୁ ପାଣି ନିଗିଡ଼ି ଅଧା। ପୁରୀ ଛାଡ଼ିଲେ ଏ ସବୁ ମିଳିବ କାହୁଁ?
ପୁରୀ ରାଜାଙ୍କ କଚେରି ଘର ସାମ୍‌ନା ରଥଖଳାରେ ସବୁଦିନ ଉପରବେଳା ହେଉଥିଲା ହାତୀ ମେଳନ। ଧାଡ଼ିରେ ଠିଆ ହେଉଥିଲେ ଜଗନ୍ନାଥଙ୍କ ୫ଟିଯାକ ହାତୀ। ସେ ବେଳାରେ ନିରାପଦ ଦୂରତ୍ୱରେ ରହି ମନଖୁସିରେ ହାତୀ ଝୁଲୁଥିବାର ଅପୂର୍ବ ଦୃଶ୍ୟ ଦେଖୁଥିଲେ ଶହ ଶହ ପର୍ଯ୍ୟଟକ ଓ ତୀର୍ଥ ଯାତ୍ରୀ। ସେ ହାତୀ ଆଉ ମାହୁନ୍ତ ମରିଗଲେଣି। କିଛିବର୍ଷ ତଳେ ରାଜା ଘର ହାତୀର ସ୍ମୃତି ସ୍ବରୂପ ଶେଷ ମାହୁନ୍ତଟି ଶ୍ରୀମନ୍ଦିର ତରଫରୁ ପେନ୍‌ସନ ପାଉଥିଲା। ସେ ଏବେ ଅଛି ନାହିଁ କେଜାଣି ? ଶ୍ରୀମନ୍ଦିର ଇତିହାସରେ ସେ ହିଁ ଥିଲା ମହାପ୍ରଭୁଙ୍କ ଏକମାତ୍ର ମୁସଲମାନ ସେବକ।
ରଥଖଳା ପାଖରେ ଥିଲା ପାଠପଢ଼ା ପିଲା, ସେବାୟତ ଏବଂ ଗରିବ ପିଲାମାନଙ୍କର ଏକାନ୍ତ ନିଜର ବହି ଦୋକାନ। ପୁରୀବାସୀ ଭୁଲି ନାହାନ୍ତି ସେ ଦୋକାନ ଆଉ ଦୋକାନ ମାଲିକଙ୍କୁ ଆଜିଯାଏ। ସେ ଦୋକାନ ଭାଙ୍ଗି ଦିଆଗଲାଣି। ଏବେ ଶ୍ରୀମନ୍ଦିର ବାବାରେ ଆଲୁଅରେ ଝଟକୁଛି। ସେଦିନର ପୁରୀବାସ୍ନା କିନ୍ତୁ ଆଜି ନାହିଁ !
୩୮, ଶ୍ରୀକ୍ଷେତ୍ର କଲୋନୀ, ପୁରୀ-୨
ମୋ: ୮୦୧୮୮୭୫୩୩୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri