କ୍ରିକେଟାୟ ନମଃ

ଡ. କୁଳାଙ୍ଗାର
ଭାଇରେ କ୍ରିକେଟ ଖେଳ କି ମନ୍ତର କଲା, ବୁଢ଼ାହଡ଼ା ଭେଣ୍ଡିଆ ପିଲା ସଭିଙ୍କୁ ପାଗଳ କଲା…! କ୍ରିକେଟ କ୍ରିକେଟ ଘୋଷିଘୋଷି ଆମେ ଏ ଶବ୍ଦଟିକୁ ମନ୍ତ୍ରରେ ପରିଣତ କରିସାରିଲେଣି। ପ୍ରତ୍ୟକ୍ଷ ଓ ପରୋକ୍ଷରେ ଏହା ଅନେକଙ୍କର ରୋଜଗାର ଓ ଆନନ୍ଦର ଉତ୍ସ ପାଲଟିଛି। ତେବେ କ୍ରିକେଟକୁ ଏକ ଆଧ୍ୟାତ୍ମିକ ଖେଳ କହିଲେ ଅତ୍ୟୁକ୍ତି ହେବନାହିଁ।
ଆମେ ବହୁଦିନରୁ କ୍ରିକେଟ ଖେଳାଳିଙ୍କୁ ଭଗବାନ ରୂୂପେ ଗ୍ରହଣ କରିଆସିଛେ। କିଏ ଠାକୁର ଘରେ ତାଙ୍କ ଫଟୋ ରଖି ପୂଜା କଲାଣି ତ କିଏ ତାଙ୍କର ଶୁଭକାମନା କରି ଖୋଳ କୀର୍ତ୍ତନ ସହ ହୋମଯଜ୍ଞର ଆୟୋଜନ କଲାଣି। କେଉଁଠି କ୍ରିକେଟ ଖେଳାଳିଙ୍କର ପୂଜା ପାଇଁ ମନ୍ଦିର ବି ତୋଳା ହେଲାଣି। ଈଶ୍ୱର ପ୍ରେମରେ ପାଗଳୀ ହୋଇ ଯୁବତୀ ଭକ୍ତ ନିଜକୁ ସମର୍ପିତ କରିଦେବା ପରି ଅନେକ ଯୁବତୀ କ୍ରିକେଟ ଖେଳାଳିଙ୍କ ପ୍ରେମରେ ଏକପାଖିଆ ମଜ୍ଜି ଆଜୀବନ ଅବିବାହିତ ରହିଯାଉଛନ୍ତି। ଆଧ୍ୟାତ୍ମିକତା ବା ଭକ୍ତିରେ ଉପବାସ ରଖିବା ପରି କ୍ରିକେଟ ଖେଳରେ ପିଲାଏ ଭୋକଶୋଷ ଭୁଲି ଯାଉଛନ୍ତି।
ଆଧ୍ୟାତ୍ମିକତାରେ ପୋଷାକ ଏକ ନିର୍ଦ୍ଦିଷ୍ଟ ଭୂମିକା ବହନ କରିଥାଏ। ଗୁରୁ ଅବା ଧର୍ମ ସବୁର ପୋଷାକ ସ୍ବତନ୍ତ୍ର। ଦେଖନ୍ତୁ କ୍ରିକେଟରେ ମଧ୍ୟ ସେଇ ଏକା କଥା। ସବୁ ଦଳର ଅଲଗା ଅଲଗା ପୋଷାକ, ଯାହା ସେମାନଙ୍କର ପରିଚୟ ମଧ୍ୟ। ଏ ବିଶ୍ୱ ବ୍ରହ୍ମାଣ୍ଡ ହେଉଛି ଗୋଲ ଆଉ କ୍ରିକେଟ ପଡ଼ିଆ ମଧ୍ୟ ଚକ୍ରାକାର। ପ୍ରବଚନ ଆଧ୍ୟାତ୍ମିକତାର ଅନ୍ୟତମ ବିଭବ। ସମାନ ପ୍ରକାର କଥା କ୍ରିକେଟରେ ମଧ୍ୟ ଦେଖିବାକୁ ମିଳିଥାଏ। ଏଠାରେ ଧାରା ବିବରଣୀ କାର୍ଯ୍ୟକୁ ଦର୍ଶନ, ଶ୍ରବଣ କରାଯାଏ। କ୍ରିକେଟ ଭକତେ କ୍ରିକେଟ ଖେଳକୁ ସ୍ବଚକ୍ଷୁରେ ଦର୍ଶନ କରିବାକୁ ଧାଆନ୍ତି। ଯିଏ ନ ଯାଇ ପାରିଲା ଟିଭି, ମୋବାଇଲ୍‌ ଜରିଆରେ ଦର୍ଶନ କରି ପାପମୋଚନ କରିଥାଆନ୍ତି। କିଏ ରେଡିଓ ଜରିଆରେ ପାପମୋଚନ କରିଥାଆନ୍ତି ତ କିଏ ପରଦିନ ଖବରକାଗଜରୁ ପଢ଼ିଥାଆନ୍ତି। ଯିଏ ଏହି ସୌଭାଗ୍ୟ ହାସଲ କରି ନ ପାରିଲା ସିଏ କିଛି ନ ହେଲେ ସ୍କୋର୍‌ କେତେ ହେଲା ଜାଣିବାକୁ ଚେଷ୍ଟା କରିଥାଆନ୍ତି।
ମୃତ୍ୟୁଦଣ୍ଡ ଦେବାକୁ ଯାଉଥିବା ଜନୈକ ଜଜ୍‌ ସାହେବ ଅପରାଧୀକୁ ପଚାରିଲେ- ତୁମର ଶେଷଇଚ୍ଛା କ’ଣ? ଅପରାଧୀ କହିଲା- ହଜୁର୍‌ ମୁଁ ମରିବା ପୂର୍ବରୁ ଆଜି କ୍ରିକେଟ ଲିଗ୍‌ରେ ସିଂହ ଓ ବାଘଦଳ ମଧ୍ୟରେ ଚାଲିଥିବା ମ୍ୟାଚ୍‌ର ସର୍ବଶେଷ ସ୍କୋର୍‌ ଜାଣିବାକୁ ଚାହେଁ! ଅପରାଧୀର କଥା ଶୁଣି ଜଜ୍‌ କହିଲେ- ଓହୋ! ମ୍ୟାଚ୍‌ ଟାଇମ୍‌ ଆରମ୍ଭ ହୋଇଗଲାଣି ତା’ହେଲେ। ହଉ ମୁଁ ଆସୁଛି। ଅଦାଲତର କାର୍ଯ୍ୟକ୍ରମ ଆଜିପାଇଁ ସ୍ଥଗିତ ରହିଲା। ଏହି ଘଟଣାରୁ ଏହା ପ୍ରତୀତ ହେଉଛି କି ଆଧ୍ୟାତ୍ମିକତା ପରି କ୍ରିକେଟ ମଧ୍ୟ ଚମତ୍କାର କରି ଜୀବନ ବଞ୍ଚାଇ ଦେଇପାରେ।
ଠାକୁର ଦର୍ଶନ କରିବାକୁ ଯାଇ ପ୍ରେମରେ ପଡିବା ପରି କ୍ରିକେଟ ଖେଳ ଦେଖିବାକୁ ଯାଇ କିଛି ଘଣ୍ଟା ଭିତରେ ମଧ୍ୟ ପ୍ରେମ ହୋଇ ଯାଇପାରୁଛି। ଜଣେ କ୍ରିକେଟପ୍ରେମୀ ଲୋକର ଝିଅ ସହିତ ଜଣେ ପ୍ରବଚକର ପ୍ରେମ ହୋଇଗଲା। ଝିଅଠାରୁ ସବୁକଥା ଶୁଣି ବାପା କହିଲେ- ମୋର ଇଚ୍ଛା ତୁ ଗୋଟେ କିକେଟ ଖେଳାଳିକୁ ବାହା ହୋଇଥାଆନ୍ତୁ! ହେଲେ ଏମିତି ବାବାଜିଆଟେ ବାଛିଲୁ କାହିଁକି? ଝିଅ କହିଲା- ବାପା, କ୍ରିକେଟ ଖେଳାଳି ଓ ପ୍ରବଚକ ଭିତରେ ବିଶେଷ ଫରକ ନାହିଁ ତ। ଉଭୟରେ ଆଧ୍ୟାତ୍ମିକତା ଖୁନ୍ଦି ହୋଇରହିଥାଏ। ବାପା ପଚାରିଲେ- କିପରି? ଝିଅ ବୁଝେଇଲା- ଆଧ୍ୟାତ୍ମିକ ଅନୁଭବ ମାଗଣାରେ ମିଳେନା। ଠାକୁର ହୁଅନ୍ତୁ କି ଧାର୍ମିକ ଗୁରୁ ମହାରାଜ, ଦର୍ଶନ ପାଇଁ ମୋଟା ଦକ୍ଷିଣା ଦେବାକୁ ହୋଇଥାଏ। ସେହିପରି କ୍ରିକେଟ ପାଇଁ ମୋଟାଅଙ୍କ ଦେଇ ଟିକେଟ କିଣିବାକୁ ହୋଇଥାଏ। ଏ ଜୀବନ ଏକ ଦୌଡ଼। ଶୂନ୍ୟରୁ ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଯେମିତି ଦୌଡିବାକୁ ହୁଏ, ପୋତା ହୋଇଥିବା ଷ୍ଟମ୍ପ୍‌ର ଏପାଖରୁ ସେପାଖକୁ ସେମିତି ଦୌଡିବାକୁ ହୋଇଥାଏ। ଷ୍ଟମ୍ପ୍‌ର ସଂଖ୍ୟା ମଧ୍ୟ ତିନି। କେବେ ଏହା ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ପ୍ରତୀକ ତ କେବେ ଏହା ପ୍ରଚଣ୍ଡ ତ୍ରିଶୂଳ ପରି। ସାମାନ୍ୟ ସନ୍ଦେହରେ ହରି ଛୁ ମାରିବା ପରି ସାମାନ୍ୟ ଅସତର୍କତାରେ ଷ୍ଟମ୍ପ୍‌ ଖସି ଯାଇପାରେ। ଆମେ କ’ଣ କରୁଛେ, ଭୁଲ୍‌ କି ଠିକ୍‌ ଯେମିତି ଅନବରତ ଈଶ୍ୱର ଦେଖୁଛନ୍ତି, ଠିକ୍‌ ସେହିପରି କ୍ରିକେଟ ମ୍ୟାଚ୍‌ରେ ଅମ୍ପାୟାର ଆଖି ମେଲାକରି ଚାହିଁଥାଆନ୍ତି। ମର୍ତ୍ତ୍ୟରେ ଫାଙ୍କିଦେଲେ ମଧ୍ୟ ଉପରବାଲା ପାପପୁଣ୍ୟର ହିସାବ କରିବା ପରି ତୃତୀୟ ଅମ୍ପାୟାର ମଧ୍ୟ ତାହା କରିବା ପାଇଁ ବସିଥାଆନ୍ତି। ମହାଭାରତରେ ଶ୍ରୀକୃଷ୍ଣ ଯେମିତି ଅର୍ଜୁନକୁ ନାନା ଉପଦେଶ ଦେଇଛନ୍ତି, କ୍ରିକେଟ ଖେଳାଳିମାନେ ଠିକ୍‌ ସେମିତି ଚିତ୍ର ଓ ଚଳଚ୍ଚିତ୍ର ମାଧ୍ୟମରେ ପ୍ରକଟ ହୋଇ ବିଜ୍ଞାପନ ଯୁଦ୍ଧରେ ଆମକୁ ବିଭିନ୍ନ ଦ୍ରବ୍ୟ ବ୍ୟବହାର କରିବା ପାଇଁ ଉପଦେଶ ଦେଇଥାଆନ୍ତି। ପ୍ରବଳ ଭକ୍ତି କାରଣରୁ ଆମେମାନେ ସେ ଉପଦେଶ ସବୁକୁ ମାନିକରି ବଜାରରୁ ଉକ୍ତ ଦ୍ରବ୍ୟଗୁଡିକୁ କିଣି ଆଣୁଛେ।
ଝିଅର ଯୁକ୍ତିରେ ପ୍ରଭାବିତ ହୋଇ ବାପା ସେ ବିବାହ ପ୍ରସ୍ତାବରେ ରାଜି ହୋଇଯିବା ସହିତ ମନେ ମନେ ଭାବିଲେ ପୂର୍ବରୁ ପର୍ବପର୍ବାଣିରେ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡିକୁ ଛୁଟି ଘୋଷଣା କରିବାକୁ ଦାବି ହେଉଥିଲା। ଏବେ ରୋଚକ କ୍ରିକେଟ ମ୍ୟାଚ୍‌ର ଫାଇନାଲକୁ ଛୁଟି ଘୋଷଣା କରିବାକୁ ଜୋରଦାର ଦାବି ହେବା ଦରକାର, ଯାହା ଫଳରେ ଲୋକେ ନିଶ୍ଚିନ୍ତରେ ବସି ଖେଳ ଦେଖିବା ସହ ‘ଓଁ କ୍ରିଂ କ୍ରିକେଟାୟ ନମଃ’ ମନ୍ତ୍ରକୁ ଜପ କରିପାରନ୍ତେ!
ମୋ- ୯୩୩୮୫୮୧୩୦୯


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri