କୁତ୍ସିତ ବୃତ୍ତି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ଏ ପୃଥିବୀରେ ଯେତେ ସର୍ଭେ କରାଯାଇଛି, ସେଥିରୁ ଜଣାପଡ଼ିଛି ଯେ ନାଳନର୍ଦ୍ଦମା ସଫାକରିବା, ବିଶେଷକରି ପ୍ରାଣୀ (ଗାଈ, ଘୁଷୁରି, କୁକୁଡ଼ା ପ୍ରଭୃତି) ଫାର୍ମ ଓ କଂସେଇଖାନା ପରିସରର ନର୍ଦ୍ଦମା ସଫାକରିବା ସବୁଠାରୁ ତଳସ୍ତରର କାମ। କୋଟି କୋଟି ଲୋକ କଂସେଇଖାନାରେ କାମ କରନ୍ତି, ଯେଉଁମାନେ ପ୍ରାଣୀକୁ ଘୋଷାରିବା, ଗୋଡ଼ ଉପରକୁ ଓ ମୁଣ୍ଡ ତଳକୁ କରି ଟାଙ୍ଗିବା, ରକ୍ତ ବୁହାଇବା, ତାଙ୍କ ହାଡ଼ ଭାଙ୍ଗିବା, ଗଳା କାଟି ହତ୍ୟାକରିବା ଓ ଜିଅନ୍ତା ଚମ ଛାଲିବା ପ୍ରଭୃତି କାମ କରନ୍ତି। ଏମାନେ ପ୍ରତ୍ୟକ୍ଷ ହତ୍ୟାକାରୀ। କିନ୍ତୁ ସମାନ ପ୍ରକାର ଭୟଙ୍କର କାର୍ଯ୍ୟ ହେଉଛି ଏହି ପ୍ରାଣୀମାନଙ୍କୁ ସୀମିତ ଅପରିଚ୍ଛନ୍ନ ପରିବେଶରେ ଦୟନୀୟ ଭାବେ ବଢ଼ାଇବା, ସେମାନଙ୍କୁ ଦୈନିକ ଇଞ୍ଜେକ୍ସନ ଦେବା, ସେମାନଙ୍କ ଖାଦ୍ୟ ଓ ମଳମୂତ୍ର ସଫା କରିବା, ସେମାନଙ୍କୁ ବସ୍ତା ଖୁନ୍ଦିଲା ପରି ଟ୍ରକ୍‌ରେ ଚଢ଼ାଇବା ଏବଂ କଂସେଇଖାନାରେ ପହଞ୍ଚିଲା ପରେ ଅଧାମରା ଅବସ୍ଥାରେ ସେମାନଙ୍କୁ ପୁଣି ଟ୍ରକ୍‌ରୁ ଟାଣି ଟାଣି ତଳକୁ ଓହ୍ଲାଇବା ଇତ୍ୟାଦି। ଜଣେ କୁକୁଡ଼ା ଫାର୍ମ କର୍ମଚାରୀ ବର୍ଷକୁ ହାରାହାରି ୩୫,୦୦୦ କୁକୁଡ଼ାଙ୍କୁ ହତ୍ୟା କରେ। ଏହି ଲୋକମାନେ ଅତ୍ୟନ୍ତ ଅପରିଚ୍ଛନ୍ନ ଓ ଦୁର୍ଗନ୍ଧଯୁକ୍ତ ପରିବେଶରେ କାମ କରନ୍ତି। ଏମାନଙ୍କୁ ସାଧାରଣତଃ ମୋଟ ପ୍ରକ୍ରିୟାର କୌଣସି ଗୋଟିଏ ଅଂଶ ଉପରେ ତାଲିମ ଦିଆଯାଇଥାଏ। ଉଦାହରଣସ୍ବରୂପ କିଛି କର୍ମଚାରୀ ପ୍ରାଣୀକୁ ମାରନ୍ତି ଓ ତା’ର ରକ୍ତ ବୁହାନ୍ତି, କିଛି ଲୋକ ତାକୁ ବିଭିନ୍ନ ଅଂଶରୁ କାଟି ଚର୍ବି, ମାଂସ, ହାଡ଼ ଇତ୍ୟାଦି ଅଲଗା କରନ୍ତି। କିଛି ଲୋକ ପ୍ରାଣୀଟି ଜିଇଥିବା ଅବସ୍ଥାରେ ତା’ର ଚମଡ଼ା ଛାଲନ୍ତି। ପୁଣି କିଛି ଲୋକ ପ୍ରାଣୀକୁ ଜିଅନ୍ତା ଫୁଟାପାଣିରେ ପକାନ୍ତି। ଏହି କର୍ମଚାରୀମାନେ ଅସଂଖ୍ୟ ପ୍ରାଣୀଙ୍କର ଭୟ ଓ ଯନ୍ତ୍ରଣାର ବିଭିନ୍ନ ଅବସ୍ଥାକୁ ଦେଖି ଦେଖି ଘଣ୍ଟା ପରେ ଘଣ୍ଟା, ଦିନ ପରେ ଦିନ ସମୟ ଅତିବାହିତ କରନ୍ତି। ମରୁଥିବା ପ୍ରାଣୀମାନଙ୍କର ନିରବଚ୍ଛିନ୍ନ ଆର୍ତ୍ତ ଚିତ୍କାର ଭିତରେ ସେମାନେ କାମ କରନ୍ତି। ଶେଷରେ ଘରକୁ ଫେରନ୍ତି ଶୁଖିଲା ରକ୍ତର ଜୀବାଣୁମାନଙ୍କୁ ସାଙ୍ଗରେ ନେଇ। ରାତିରେ ଶୋଇ ଶୋଇ ସେମାନେ କି ସ୍ବପ୍ନ ଦେଖୁଥିବେ ଏବଂ ଜୀବନର କେଉଁ ଲକ୍ଷ୍ୟ ସେମାନଙ୍କୁ ଉଦ୍‌ବେଳିତ କରୁଥିବ? କେତେଜଣ ଯୁବତୀ ଜଣେ କଂସେଇଖାନା କର୍ମଚାରୀକୁ ବାହାହେବାକୁ ରାଜି ହେବେ? ‘ତୁମ ବାପା କ’ଣ କରନ୍ତି’ ବୋଲି କେହି ପଚାରିଲେ ଏହି କଂସେଇଙ୍କ ପିଲା କି ଉତ୍ତର ଦେବେ? ଏହି କାରଣରୁ ସମ୍ଭବତଃ ସବୁ କଂସେଇଖାନା କର୍ମଚାରୀ କୌଣସି ଏକ ମଇଳା ବସ୍ତିରେ ଖୁନ୍ଦିଖାନ୍ଦି ହୋଇ ଏକାଠି ବାସ କରନ୍ତି, ଯେଉଁଠି ଅପରାଧ ହାର ସବୁଠାରୁ ଅଧିକ ଥିବା ଦେଖାଯାଏ। ତେଣୁ ସେମାନେ ସବୁବେଳେ ନିଜ ପରି ଲୋକ ସଂସ୍ପର୍ଶରେ ଆସନ୍ତି। ଯେଉଁ କଂସେଇଖାନା କର୍ମଚାରୀଙ୍କ ସହ ମାଛଧରାଳିମାନେ ବି ଥାଆନ୍ତି, ସେମାନେ ଦିନସାରା ସମୁଦ୍ରରେ ସାମୁଦ୍ରିକ ଜୀବମାନଙ୍କୁ ଧରିବା ଓ ମାରିବା କାମରେ ଲାଗିଥାନ୍ତି।
ଏମାନେ କେତେ କଦର୍ଯ୍ୟ କାମ କରନ୍ତି, ଭାବିଲେ ଆଶ୍ଚର୍ଯ୍ୟ ଲାଗେ। କିଛି କର୍ମଚାରୀ ପ୍ରାଣୀମାନଙ୍କ ହସ୍ତମୈଥୁନ କରାଇ ସେମାନଙ୍କ ଶୁକ୍ର ସଂଗ୍ରହ କରନ୍ତି। କୃଷକ ତଥା ଗବେଷକମାନଙ୍କର କୃତ୍ରିମ ପ୍ରଜନନ ପାଇଁ ଏପରି ଶୁକ୍ରର ଚାହିଦା ରହିଥାଏ। ଷଣ୍ଢମାନଙ୍କଠାରୁ ଏପରି ଭାବେ ଶୁକ୍ର ସଂଗ୍ରହ କରିବାକୁ ଯାଇ ବହୁ ଲୋକ ଗୁରୁତର ଭାବେ ଆହତ ହେବାର ଦେଖାଯାଇଛି। ଏହାର ଅନ୍ୟ ପ୍ରକାର ଉପାୟ ବି ଅଛି ଯାହାକୁ କୁହାଯାଏ ଇଲେକ୍ଟ୍ରୋଇଜାକୁଲେଶନ।
କୁକୁଡ଼ାଛୁଆଙ୍କର ଲିଙ୍ଗନିର୍ଣ୍ଣୟ ଆଉ ଏକ ଜଘନ୍ୟ କାର୍ଯ୍ୟ। ଏହି କାର୍ଯ୍ୟ କରୁଥିବା ଲୋକ ନବଜାତ କୁକୁଡ଼ାଛୁଆକୁ ଉପରକୁ ଓଲାଟାଇ ଧରି ତା’ର ମଳଦ୍ୱାରକୁ ଚିପି ମଳ ବାହାର କରିବା ପରେ ସେଥିରେ ଆଙ୍ଗୁଠି ପୂରାଇ ଲିଙ୍ଗନିର୍ଣ୍ଣୟ କରିଥାଏ। ଅଣ୍ଡିରା ବୋଲି ଜଣାପଡ଼ିଲେ ସେହି ଛୁଆମାନଙ୍କୁ ମାରିଦିଆଯାଏ। କିଛି ଲୋକ ଠେକୁଆ ଓ ମେଣ୍ଢାମାନଙ୍କ ଲୋମ କାଟିବା କାର୍ଯ୍ୟ କରନ୍ତି। ଏହି ପ୍ରକ୍ରିୟାରେ କେତେକ ପ୍ରାଣୀଙ୍କ ହାଡ଼ ଭାଙ୍ଗିଯିବା ସହ ଅନେକଙ୍କ ଦେହରେ କ୍ଷତ ସୃଷ୍ଟି ହୁଏ ଏବଂ ପ୍ରାଣୀମାନେ ବିକଳରେ ଚିତ୍କାର କରନ୍ତି।
ଧନୀ ଲୋକମାନଙ୍କର ରୋଗଣା ହଂସ ବା ବତକଙ୍କ ଯକୃତରେ ତିଆରି ଖାଦ୍ୟ ଅତି ପ୍ରିୟ। ଏହି ଯକୃତ କାଢ଼ିବା ଲୋକକୁ କୁହାଯାଏ ଷ୍ଟଫର। ସେମାନେ ହଂସ ବା ବତକଙ୍କ ଖାଦ୍ୟନଳୀ ଭିତରେ ଏକ ଆଲୁମିନିୟମ୍‌ ବା ପ୍ଲାଷ୍ଟିକ୍‌ ନଳୀ ଭର୍ତ୍ତି କରି ଯକୃତକୁ ବାହାର କରନ୍ତି। ଏହି ପ୍ରକ୍ରିୟାରେ ସଂପୃକ୍ତ ହଂସ ବା ବତକଟି ମୃତ୍ୟୁବରଣ କରେ। ଷ୍ଟଫର ଦିନସାରା ଏହି କାମରେ ଲାଗିଥାଏ। କିଛି ଲୋକ ଘୁଷୁରିକୁ ଛୁରି ଭୁସି ହତ୍ୟା କରିବା କାମରେ ଲାଗିଥାନ୍ତି। ବିଶ୍ୱାସ କରାଯାଏ ଯେ ଘୁଷୁରିଟି ମରିବା ପୂର୍ବରୁ ତାକୁ ଅନେକ ଥର ଛୁରା ମାରିଲେ ହିଁ ତା’ର ମାଂସ ଖାଦ୍ୟ ଉପଯୋଗୀ ହୋଇପାରିବ। କିଛି କର୍ମଚାରୀ କଂସେଇଖାନାରୁ ପ୍ରାଣୀଙ୍କ ହାଡ଼, ରକ୍ତ, ଚର୍ମ ଇତ୍ୟାଦି ଆଣି ସେଗୁଡ଼ିକୁ ବିଭିନ୍ନ ଉପାୟରେ ପ୍ରକ୍ରିୟାକରଣ କରି ତାହାକୁ ସାବୁନ, ସାର, ମହମବତି, ଔଷଧ ଇତ୍ୟାଦି ଉତ୍ପାଦନରେ ବ୍ୟବହାର ଲାଗି ଉପଯୋଗୀ କରନ୍ତି।
ମଣିଷ ଜୀବନ ଅତ୍ୟନ୍ତ କ୍ଷୁଦ୍ର ବା ସ୍ବଳ୍ପକାଳସ୍ଥାୟୀ। ଆପଣ କ’ଣ ଚାହିଁବେ ଏହି କ୍ଷୁଦ୍ର ଜୀବନକୁ ଅନ୍ୟ ପ୍ରାଣୀମାନଙ୍କ ହତ୍ୟାରେ ବିନିଯୋଗ କରିବା ଲାଗି? ଏଥିରୁ ଅବଶ୍ୟ ଆପଣ କିଛି ଟଙ୍କା ରୋଜଗାର କରିପାରନ୍ତି ମାତ୍ର କେବଳ କିଛି ଟଙ୍କା ରୋଜଗାର ଜୀବନର ଉଦ୍ଦେଶ୍ୟ ନୁହେଁ। ତା’ଛଡ଼ା ଏହି କର୍ମଚାରୀମାନଙ୍କୁ ତାଙ୍କ ପରିଶ୍ରମ ତୁଳନାରେ ବହୁତ କମ୍‌ ମଜୁରି ଦିଆଯାଏ ଏବଂ ସେମାନଙ୍କୁ କଦର୍ଯ୍ୟ ପରିବେଶରେ କାମ କରିବାକୁ ହୁଏ। ଆପଣ ଅନ୍ୟ କିଛି କାର୍ଯ୍ୟ କରି ବି ଜୀବିକା ନିର୍ବାହ କରିପାରିବେ। କିନ୍ତୁ ଭାରତରେ ଏହା ଏକପ୍ରକାର କୌଳିକ ବୃତ୍ତିରେ ପରିଣତ ହୋଇଛି। କଂସେଇଖାନାରେ କାମ କରୁଥିବା ଲୋକମାନଙ୍କର ପିଲାମାନେ ବି ପାଠଶାଠ ନ ପଢ଼ି ଅଳ୍ପ ବୟସରୁ ସେଇ କଂସେଇଖାନାରେ ହିଁ କାମକରିବା ଦେଖାଯାଏ। ପ୍ରତ୍ୟେକ କଂସେଇଖାନା କର୍ମଚାରୀ ଯକ୍ଷ୍ମା, ଶ୍ୱାସ, ଶ୍ୱାସନଳୀ ପ୍ରଦାହ, ଆଖି, ନାକ ଓ ଗଳା କୁଣ୍ଡେଇ ହେବା, ଶ୍ରବଣଶକ୍ତି ହ୍ରାସ ଆଦି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥାନ୍ତି। ଅଧିକାଂଶ କଂସେଇଖାନାରେ ସପ୍ତାହରେ ସାତଦିନ ଯାକ ୨୪ ଘଣ୍ଟା କାମ କରାଯାଏ। ପ୍ରତି ଘଣ୍ଟାରେ ହଜାର ହଜାର ପ୍ରାଣୀଙ୍କୁ କାଟିବା ଓ ପ୍ରକ୍ରିୟାକରଣ କରିବାକୁ ପଡ଼ୁଥିବାରୁ କର୍ମଚାରୀଙ୍କୁ ଏପରି କି ଛୁରି ପଜେଇବା ପାଇଁ ବି ସମୟ ମିଳେ ନାହିଁ। ଛୁରି ଦନ୍ଥରା ହୋଇଗଲେ ଅଧିକ ବଳପ୍ରୟୋଗ କରି କାଟିବାକୁ ପଡ଼େ। ସେଥିରେ ପ୍ରାଣୀକୁ କଷ୍ଟ ହେବା ସହ ନିଜ ହାତକୁ ବି କଷ୍ଟ ହୁଏ ଓ ହାତ ଖଣ୍ଡିଆ ହୁଏ। ସେଥିପାଇଁ କର୍ମଚାରୀମାନଙ୍କ ହାତ, ନେଡ଼ି, ବାହୁ, କାନ୍ଧ ଓ ପିଠିରେ ଯନ୍ତ୍ରଣା ହୁଏ। ମାଛଧରାଳିମାନେ ସମୁଦ୍ରରେ ଅଧିକ ସମୟ କଟାନ୍ତି। ସେଥିପାଇଁ ସେମାନଙ୍କୁ ପ୍ରତିକୂଳ ପାଣିପାଗଜନିତ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହେବାର ଦେଖାଯାଏ। ମଣିଷ ଏପରି କୁତ୍ସିତ ବୃତ୍ତି ଆପଣେଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ବୃତ୍ତି ଦ୍ୱାରା ସେମାନେ କେବଳ କିଛି ପ୍ରାଣୀ ବଂଶକୁ ନିପାତ କରନ୍ତି ନାହିଁ ବରଂ ଜଳ, ଜମି ଓ ବାୟୁକୁ ଦୂଷିତ କରି ଅନ୍ୟ ପ୍ରାଣୀ ତଥା ମଣିଷମାନଙ୍କୁ ବି ବିପଦରେ ପକାନ୍ତି। ଏମାନଙ୍କ ଲାଗି ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଘଟୁଛି। ତେଣୁ ଆମ ସରକାର ମାଂସ ରପ୍ତାନି ବୃଦ୍ଧି କରିବାକୁ ଉଦ୍ୟମ ନ କରି ବରଂ ଏହି କର୍ମଚାରୀମାନଙ୍କୁ ଅନ୍ୟ କାମରେ ତାଲିମ ଦେଇ ସେମାନଙ୍କ କର୍ମନିଯୁକ୍ତିର ବ୍ୟବସ୍ଥା କରି ସମାଜରେ ସେମାନଙ୍କର ସମ୍ମାନଜନକଭାବେ ବଞ୍ଚିବାଟାକୁ ସୁନିଶ୍ଚିତ କରିବା ଦରକାର। ଆପଣମାନେ ବି ନିରାମିଷାଶୀ ହୋଇ ଏଥିରେ ସେମାନଙ୍କୁ ସାହାଯ୍ୟ କରିପାରିବେ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri